spot_img
Home Blog Page 777

ପାକିସ୍ତାନକୁ ମୁହଁତୋଡ ଜବାବ: ଜଳ, ସ୍ଥଳ, ଆକାଶ ତିନି ପଟୁ ଭାରତର ଆକ୍ରମଣ ଜାରି

ନନ୍ଦିଘୋଷ ବ୍ୟୁରୋ: ନିଜ ବିନାଶକୁ ନିଜେ ଡାକିଲା ପାକିସ୍ତାନ। ପାକିସ୍ତାନ ଆରମ୍ଭ କରିଥିବା ଆକ୍ରମଣର ପ୍ରତି ଜବାବ ଦେଉଛି ଭାରତ । ଜଳ, ସ୍ଥଳ, ଆକାଶ ତିନି ପଟୁ ଭାରତର ଆକ୍ରମଣ ଜାରି। ଗୋଟିଏ ପରେ ଗୋଟିଏ ସହର ହେଉଛି ଧ୍ୱଂସ।  ଭାରତୀୟ ସେନା ପାକିସ୍ତାନର ବିଭିନ୍ନ ସ୍ଥାନରେ ପଶି ଆକ୍ରମଣ କରିବା ଆରମ୍ଭ କରିଛି । ଏହି କ୍ରମରେ ଭାରତୀୟ ସେନା ଲାହୋର, ଇସଲାମାବାଦ ଭଳି ପାକିସ୍ତାନର ବଡ ବଡ ସହରରେ ପଶି ସିଧା ସଳଖ ଭାରତୀୟ ସେନା ଆକ୍ରମଣ କରିବାରେ ଲାଗିଛି । 

ସେହିପରି ମଇଦାନକୁ ଓହ୍ଲାଇଛି ଭାରତୀୟ ନୌସେନା । ଗୋଟିଏ ପରେ ଗୋଟିଏ ପାକିସ୍ତାନ ବନ୍ଦର ନଷ୍ଟ କରୁଛି ଭାରତୀୟ ନୌସେନା । ପାକିସ୍ତାନ ଆଡକୁ ମୁହାଁଇଲା INS ବିକ୍ରାନ୍ତ । ପୂର୍ବରୁ ଆରବ ସାଗରରେ ଡେରା ପକାଇଥିଲା INS ବିକ୍ରାନ୍ତ । ମୁହଁତୋଡ ଜବାବ ଦବ ଭାରତ

ଅନ୍ୟପଟେ ପାକିସ୍ତାନରେ ଜାଗୁଆର ବିମାନ ଜରିଆରେ ହମଲା । କରାଚି ବନ୍ଦର ଉପରେ ହମଲା କଲା ଜାଗୁଆର । ପାକିସ୍ତାନର ପଞ୍ଜାବରେ ଥିବା AWACSକୁ ଧ୍ୱଂସ କଲା ଭାରତ । ପାକିସ୍ତାନର ବିଭିନ୍ନ ସହରରେ ପୁଣି ପ୍ରଚଣ୍ଡ ହମଲା କଲା ଭାରତ । ଲାହୋର, ଇସଲାମାବାଦରେ ପ୍ରଚଣ୍ଡ ଆଟାକ୍ ।

ପାକିସ୍ତାନର କାଉଣ୍ଟର ଆଟାକ ଫେଲ୍, ଜମ୍ମୁରେ ବ୍ଲାକ ଆଉଟ୍

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ଅପେରସନ ସିନ୍ଦୂରର ଜବାବ ଦେବା ପାଇଁ ଆଜି ଜମ୍ମୁ ଓ କାଶ୍ମୀର, ପଞ୍ଜାବ ଏବଂ ରାଜସ୍ଥାନ ସୀମାରେ ବଂ ଡ୍ରୋନ ଆକ୍ରମଣ କରିଛି । ଏହାର ପରିଣାମ ଭୟଙ୍କର ହେବା ନେଇ ବାଟ ଖୋଲିଛି ପାକିସ୍ତାନ । ଆଜି ସନ୍ଧ୍ୟାରେ ଭାରତୀୟ ସେନା ଏବଂ ବୈଦେଶିକ ମନ୍ତ୍ରଣାଳୟର ମିଳିତ ବ୍ରିଫିଂ ସମୟରେ, କର୍ଣ୍ଣେଲ ସୋଫିଆ କୁରେଶୀ ପୂର୍ବରୁ କହିଥିଲେ ଯେ ଯଦି ପାକିସ୍ତାନ ପ୍ରତିଶୋଧ ନେବାକୁ ଚେଷ୍ଟା କରେ, ତେବେ ଏହାର ପରିଣାମ ଭୟଙ୍କର ହେବ । ଏନେଇ ପାକିସ୍ତାନ ପ୍ରସ୍ତୁତ ରହିବାକୁ ପଡିବ। ଠିକ୍ ସମାନ ଘଟଣା ଘଟିଥିଲା। କୌଣସି ବିଳମ୍ବ ନକରି ଭାରତ ପାକିସ୍ତାନର ସିଆଲକୋଟ ଏବଂ ଲାହୋରରେ ଡ୍ରୋନ ସାହାଯ୍ୟରେ ବିମାନ ଆକ୍ରମଣ ଆରମ୍ଭ କରିଦେଇଛି।

 ପାକିସ୍ତାନର ଏହି ଆକ୍ରମଣର ଜବାବ ଦେବାକୁ ଭାରତ ପୂର୍ବରୁ ପ୍ରସ୍ତୁତ ଥିଲା। S-400 ସହାୟତାରେ ପ୍ରତ୍ୟେକ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣର ଜବାବ ଦେଇଥିଲା ଭାରତ। ଏହି ମିସାଇଲ ୮ ଟି ମିସାଇଲ ଓ କିଛି ଡ୍ରୋନକୁ ଆକାଶରେ ଧ୍ୱଂସ କରିଦେଇଛି । ସେପଟେ ରାଜସ୍ଥାନ ସୀମାର ସମସ୍ତ ଜିଲ୍ଲାକୁ ବ୍ଲାକଆଉଟ୍ କରାଯାଇଛି । ସକାଳ ୪ଟା ପର୍ଯ୍ୟନ୍ତ ବିଜୁଳି ସେବା ବନ୍ଦ ରହିବ । ଜୈସଲମେର ସୀମାରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାରିକେଡ୍ ଲଗାଇ ରାସ୍ତା ବନ୍ଦ କରାଯାଇଛି ।

 

 

ଜମ୍ମୁ ଏୟାରପୋର୍ଟରେ ପାକିସ୍ତାନର ଡ୍ରୋନ ଆକ୍ରମଣ, ପାକିସ୍ତାନକୁ ମୁହଁତୋଡ ଜବାବ ଦେଉଛି ଭାରତ

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ ଉପରେ ଆକ୍ରମଣ କରିଛି ପାକିସ୍ତାନ । ଜମ୍ମୁ ଏୟାରପୋର୍ଟରେ ପାକିସ୍ତାନର ଡ୍ରୋନ ଆକ୍ରମଣ । ଗୁରୁବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ପାକିସ୍ତାନ ଜମ୍ମୁକୁ ଟାର୍ଗେଟ କରି ଡ୍ରୋନ୍ ଆକ୍ରମଣ କରିଥିଲା । ଜମ୍ମୁ ଓ କାଶ୍ମୀରର ଅଖନୁରରେ ବାଜିଲା ସାଇରାନ । ସାଇରନ ବଜାଇ ସତର୍କ କରିଛି ସେନା । ଏହାର ପ୍ରତି ଜବାବ ଦେଉଛି ଭାରତ ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମଝିରେ ମଝିରେ ବିସ୍ଫୋରଣର ଶବ୍ଦ ଶୁଣାଯାଉଥିଲା। ଏହି ସମୟରେ, ଜମ୍ମୁ ବିମାନବନ୍ଦର, ଆରଏସ ପୁରା ଏବଂ ସାମ୍ବାରେ ବ୍ଲାକଆଉଟ୍ ଜାରି କରାଯାଇଛି। ଜମ୍ମୁରେ ମୋବାଇଲ ସେବା ବାଧାପ୍ରାପ୍ତ ।

ପାକିସ୍ତାନର ଏକାଧିକ ଡ୍ରୋନ ଖସାଇଛି ଭାରତ । ପାକିସ୍ତାନକୁ ମୁହଁତୋଡ ଜବାବ ଦେଉଛି ଭାରତ । ପାକିସ୍ତାନର ଏଫ୍-୧୬ ଯୁଦ୍ଧ ବିମାନକୁ ଖସାଇଲା ଭାରତ  । ପାକିସ୍ତାନର JF-17 ବିମାନକୁ ଖସାଇଛି ଭାରତ ।

 

ଛତିଶଗଡ଼ ସୁକମାରେ ଆଇଇଡି ବିସ୍ଫୋରଣରେ ୫ ଯବାନ ସହିଦ

ନନ୍ଦିଘୋଷ ବ୍ୟୁରୋ:  ଛତିଶଗଡ଼ ସୁକମାରେ ଆଇଇଡି ବିସ୍ଫୋରଣରେ ୫ ଯବାନ ସହିଦ। ଯବାନଙ୍କୁ ଟାର୍ଗେଟ କରି ମାଓବାଦୀଙ୍କ ଦ୍ଵାରା ଖଞ୍ଜାଯାଇଥିବା ଆଇଇଡି ବିସ୍ଫୋରଣରେ ୫ ଜଣ ତେଲଙ୍ଗାନା ପୋଲିସ ସହିଦ ହୋଇଛନ୍ତି । ବିସ୍ଫୋରଣରେ ପୋଲିସ କର୍ମଚାରୀଙ୍କ ସହିଦ ପରେ ଅପରେସନକୁ ଜୋରଦାର କରିଛି ସୁରକ୍ଷା ବଳ ।
ତେଲେଙ୍ଗାନା-ଛତିଶଗଡ଼ ସୀମା ମୁଲୁଗୁ ଜିଲ୍ଲାର ପେରୁରୁ ଏବଂ ୱାଜେଡୁ ପୋଲିସ ଷ୍ଟେସନ ସୀମା ମଧ୍ୟରେ ମାଓବାଦୀଙ୍କ ସହିତ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।

 

ଅପରେସନ ସିନ୍ଦୂର; ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ । ଅପରେସନ ସିନ୍ଦୂର ପାଇଁ ବିମାନ ସେବା ପ୍ରଭାବିତ ନେଇ ଆଲୋଚନା । ଯୁଦ୍ଧ ପରିସ୍ଥିତି ଯୋଗୁଁ ଭୁବନେଶ୍ୱର ବିମାନବନ୍ଦର ସେତେଟା ପ୍ରଭାବିତ ହୋଇନଥିବା କହିଛନ୍ତି ଭୁବନେଶ୍ଵର ବିମାନ ବନ୍ଦର ନିର୍ଦ୍ଦେଶକ । ଉତ୍ତର ଓ ପଶ୍ଚିମ ଫ୍ରଣ୍ଟିଅରର ୩୭ ବିମାନବନ୍ଦର ପ୍ରଭାବିତ ହୋଇଥିବାରୁ ଏହି ସବୁ ବିମାନ ବନ୍ଦର ଦେଶର ସୀମାରେ ଅଛି । ଯୁଦ୍ଧ ପରିସ୍ଥିତି ଯୋଗୁଁ ଓଡ଼ିଶାରୁ ଗାଜିଆବାଦ ଯାଏଁ ବିମାନ ବନ୍ଦ ରହିଛି । ସେଠାରେ ହିଣ୍ଡନ ଏୟାରବେସରେ ସିଭିଲ ବିମାନକୁ ବର୍ତ୍ତମାନ ସ୍ଥିତିରେ ଅନୁମତି ନାହିଁ । ଗାଜିଆବାଦ ଦିଲ୍ଲୀ NCRରେ ରହିଛି । ବିକଳ୍ପ ବ୍ୟବସ୍ଥା ହୋଇଥିବ। ପାଟନାକୁ ଅପରେସନଆଲ କାରଣରୁ ବାତିଲ କରାଯାଇଛି ।

ଆଜି ମୁମ୍ବାଇ ବିମାନ ବନ୍ଦ ରହିଛି । କାରଣ ମୁମ୍ବାଇ ବିମାନବନ୍ଦର ରନୱେ ମରାମତି କାମ ଚାଲିଛି । ଭୁବନେଶ୍ୱର ବିମାନ ବନ୍ଦର ସୁରକ୍ଷା SOP ଅନୁସାରେ ଚାଲିଛି । କଣ୍ଟିଜେନସି ପ୍ଲାନ ଅଛି । ମକ ଏକ୍ସରସାଇଜ, ସ୍ଥାନାନ୍ତର ପ୍ରକ୍ରିୟା ହେଉଛି । ଚେକିଂ ଚାଲିଥିବା କହିଛନ୍ତି ଭୁବନେଶ୍ଵର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ବୈଠକରେ କମିଶନରେଟ ପୋଲିସ, ଗୁଇନ୍ଦା ବିଭାଗ, ଓଡ଼ିଶା ସରକାରଙ୍କ ଅନ୍ୟ ବିଭାଗର ଅଧିକାରୀ ସାମିଲ ଥିଲେ ।

୧୨ ତାରିଖ ପରେ ରାଜ୍ୟକୁ ପୁଣି ଫେରିବ ତାତି

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିବ ତାତି। ଦିନ କଥା ଛାଡନ୍ତୁ ରାତିରେ ବି ହେବ ଅସହ୍ଯ ଗରମ। ଦିନରେ ଯେମିତି ଆଉଟୁ ପାଉଟୁ କରୁଛି ଗରମ, ରାତିରେ ବି ସେମିତି ନାକେଦମ କରିବ ଗୁଳୁଗୁଳି। ୧୨ ତାରିଖ ପରେ ରାଜ୍ୟକୁ ତାତି ଫେରିବା ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ଉପକୂଳ ଜିଲ୍ଲାରେ ଆର୍ଦ୍ରତା ଅଧିକ ରହିବା ସହ ଦକ୍ଷିଣ ପୂର୍ବ ପବନ ବହୁଥିବାରୁ ବଢୁଛି ତାପମାତ୍ରା। ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ୪୪ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ଯାଇପାରେ। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶା ଭଳି ଉପକୂଳ ଓଡ଼ିଶାରେ ଅସ୍ତବ୍ୟସ୍ତ କରିବ ତାତି।

କିଛି ଦିନ ହେବ ରାଜ୍ଯରେ ତାଣ୍ଡବ ରଚିଥିଲା କାଳବୈଶାଖୀ। ତେବେ ୧୨ ତାରିଖ ପରେ କିଛି ଜିଲ୍ଲାରେ ପୁଣି କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୨୪ ଘଣ୍ଟା ଭିତରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ବର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, କେନ୍ଦୁଝର, ରାୟଗଡା ଆଦି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ସମୟରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

‘ଭାରତ ଉପରେ ଯେ କୌଣସି ଆକ୍ରମଣର ଜବାବ ଦିଆଯିବ’

ନନ୍ଦିଘୋଷ ବ୍ୟୁରୋ: ଭାରତ ଉପରେ ଯେ କୌଣସି ଆକ୍ରମଣର ଜବାବ ଦିଆଯିବ। ଅପରେସନ ସିନ୍ଦୂର ନେଇ ବିଦେଶ ମନ୍ତ୍ରାଳୟର ପ୍ରେସମିଟରେ ଏହି ସୂଚନା ଦିଆଯାଇଛି। ପଞ୍ଜାବ ଓ କାଶ୍ମୀର ଅଞ୍ଚଳରେ ପାକିସ୍ତାନ ଡ୍ରୋନ ଜରିଆରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ପାକିସ୍ତାନର ଡ୍ରୋନ ଆକ୍ରମଣ ଉଦ୍ୟମକୁ ଭାରତ ପଣ୍ଡ କରିଥିଲା। ପାକିସ୍ତାନ ଭାରତର ୧୫ ସହରରେ ଆକ୍ରମଣ କରିବାକୁ ଯୋଜନା କରିଥିଲା। LOC ନିକଟରେ ପାକିସ୍ତାନର ଆକ୍ରମଣକୁ ପଣ୍ଡ କରିଛି ଭାରତ।

ପାକିସ୍ତାନର ଗୁଳିମାଡରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି, ୫୯ ଆହତ ହୋଇଛନ୍ତି। ସୀମାରେ ଏବେ ବି ଅପରେସନ ଜାରି ରହିଛି। ଯେମିତି ଆକ୍ରମଣ ହୋଇଥିଲା ସେମିତ ଜବାବ ଦିଆଯାଇଛି। ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରିଛି ଭାରତ।

ଗ୍ୟାଙ୍ଗୱାର ହେବା ପୂର୍ବରୁ ଗ୍ୟାଙ୍ଗଷ୍ଟାରଙ୍କୁ ଧରିବାକୁ ତନାଘନା, ମୁଙ୍ଗେରରେ ତନାଘନା ଚଳାଇଛି STF

ଭୁବନେଶ୍ୱର: ‘ଗ୍ୟାଙ୍ଗସ୍ ଅଫ ଗଞ୍ଜାମ’ ଗଢିବାକୁ ସ୍ୱପ୍ନ ଦେଖୁଥିଲା ଗ୍ୟାଙ୍ଗଷ୍ଟର । ମୁଙ୍ଗେର ମାଉଜରରେ ମୁଣ୍ଡ ଗଡାଇବାକୁ ଦେଖୁଥିଲା ସ୍ୱପ୍ନ। ଗଞ୍ଜାମକୁ ପୁଳାପୁଳା ବନ୍ଧୁକ ସପ୍ଲାଏ କରୁଥିଲା ଆଲୋକ ପ୍ରଧାନ । ପୋଲିସ ଫାଇଲରେ ମାଳ ମାଳ ହତ୍ୟାକାଣ୍ଡ । ଜମି ହଡ଼ପ, ଠିକାଦାରୀ, ବୋମାମାଡ଼, ଲୁଟ୍ ଆଉ ଦାଦାବଟି କେସ୍ । ଆସ୍କା ହଟିଆ ଜେନା, ଧରାକୋଟ ସୁବାସ ସାହୁ ହାଇ ପ୍ରୋଫାଇଲ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ । ଦୀର୍ଘଦିନ ଧରି ବିକ୍ରମ ମଲ୍ଲିକ ଜେଲରେ ରହିଥିବାରୁ ଆଲୋକ ତା ଜାଗା ନେବାକୁ ଜାଲ ବିଛାଇଥିଲା । ପୋଲିସ ଫାଇଲରେ ନିଖୋଜ ଏହି ମୋଷ୍ଟ ୱାଣ୍ଟେଡ୍ ଅପରାଧୀ । ଗ୍ୟାଙ୍ଗରେ ସାମିଲ ହେଉଥିବା ଯୁବକଙ୍କୁ ଗିଫ୍ଟ ଆକାରରେ ବନ୍ଧୁକ ବି ଦେଉଥିଲା । ଦାଦାବଟିର ସିଂହ ଭାଗ ନିଜେ ରଖି ବାକି ଟଙ୍କା ସହଯୋଗୀଙ୍କୁ ଟେକି ଦେଉଥିଲା । ମୁଙ୍ଗେରରେ ବସି, ଗଞ୍ଜାମରେ ଗ୍ୟାଙ୍ଗୱାର କରିବାକୁ ବଡ଼ ଯୋଜନା ବି କରିଥିଲା । ଆଉ ଗଞ୍ଜାମ ପାଇଁ ଡାହାଣ ହାତ କୁହାଯାଉଥିବା ଶିବ ଜେନାକୁ ଦାୟିତ୍ୱ ଦେଇଥିଲା । ୧୮ ଅଭିଯୁକ୍ତଙ୍କୁ ୨୦ ବନ୍ଧୁକ ଗିଫ୍ଟ କରିବା ପରେ, ସାମନାକୁ ଆସିଛି ମେଡ୍ ଇନ୍ ମୁଙ୍ଗେର କାହାଣୀ ।
ସେପଟେ ବୟାଳିଶମୌଜାର ବନ୍ଧୁକ ଗଞ୍ଜାମରୁ ମିଳିବା ପରେ, ସ୍ପେଶାଲ ଟାସ୍କ ଫୋର୍ସର ଅକଲ ଗୁଡୁମ । ଓଡ଼ିଶାର ନୟାଗଡ଼, କେନ୍ଦ୍ରାପଡ଼ା, ପୁରୀ ଭଳି ଜିଲ୍ଲା ସମେତ ୭ ସହରକୁ ଯାଇଛି ବନ୍ଧୁକ । ତେବେ ସାରା ରାଜ୍ୟକୁ ବନ୍ଧୁକ ଯୋଗାଇବା ସହ ବନ୍ଧୁକ ଚାଲାଣ ପାଇଁ ବୟାଳିଶମୌଜାରେ କାରଖାନା ତିଆରି କରାଯାଇଥିବାର ଆଭାସ ପାଇଛି ଏସଟିଏଫ୍ । ଆଲୋକକୁ ଧରିଲେ ଅନେକ ସଙ୍ଗିନ ତଥ୍ୟ STF ହାତରେ ଲାଗିପାରେ । ଯେଉଁଥିପାଇଁ ମୁଙ୍ଗେର ଗସ୍ତ କରିଛି STF ।

ଟେଲିଗ୍ରାମ ଇନଭେଷ୍ଟମେଣ୍ଟ ସ୍କାମ, ୩ ଗିରଫ

ନୟାଗଡ଼: ଟେଲିଗ୍ରାମ ଇନଭେଷ୍ଟମେଣ୍ଟ ସ୍କାମ । ନୟାଗଡ଼ ପାଲିଟିଛି ଓଡ଼ିଶାର ଜମତାରା। କମ ଦିନରେ ଅଧିକ ଟଙ୍କାର ଲୋଭ ଦେଖାଇ, ସର୍ବଶ୍ବାନ୍ତ କରି ଦେଉଛନ୍ତି ସାଇବର ସୈତାନ । ସତ୍ୟରଞ୍ଜନ ଶତପଥୀଙ୍କ ଅଭିଯୋଗ ଆଧାରରେ ୩ ଜଣଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ । ଅଭିଯୋଗ ମୁତାବକ ମାର୍ଚ୍ଚ ମାସରେ ଟେଲିଗ୍ରାମ ଲିଙ୍କ ପାଇବା ପରେ, କିଛି ଟଙ୍କା ଇନଭେଷ୍ଟମେଣ୍ଟ କରି ଟଙ୍କା ଫେରସ୍ତ ପାଇଥିଲେ । ହେଲେ ଠକମାନେ ତାଙ୍କୁ ମୋଟା ଟଙ୍କା ଲଗାଇ ଦୁଇ ଡବଲ ନେବାକୁ ଲୋଭ ଦେଖାଇଥିଲେ । ଲୋଭର ପଡ଼ି ୭ ଲକ୍ଷ ଟଙ୍କା ଇନଭେଷ୍ଟମେଣ୍ଟ କରିବା ପରେ ସର୍ବସ୍ୱ ଲୁଟି ନେଇଥିଲେ ଅଭିଯୁକ୍ତ । ଏନେଇ ସାଇବର ଥାନାରେ ଅଭିଯୋଗ ପରେ ଖୋଳତାଡ଼ ଆରମ୍ଭ କରିଥିଲା ସାଇବର ଥାନା ପୋଲିସ । ନୟାଗଡ଼ରୁ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ନୟାଗଡ଼ ଜିଲ୍ଲାର ରାକେଶ ସ୍ୱାଇଁ, ବାବୁଲାଲ ସ୍ୱାଇଁ ଓ ମିଥୁନ ବିଶ୍ୱାଳ । ଅଭିଯୁକ୍ତଙ୍କ ଭିତରୁ ଜଣେ ଯୁକ୍ତ ୨ ପାଠ ପଢିଥିବା ବେଳେ ଅନ୍ୟ ଦୁଇଜଣ ମଜୁରିଆ ଭାବେ କାମ କରନ୍ତି । ବିଶେଷକରି ଗାଁ ଗାଁ କୁ ବୁଲି ମ୍ୟୁଲ ବ୍ୟାଙ୍କ ଆକାଉଣ୍ଟ ଖୋଲି ଦଲାଲ ମାନେ ସାଇବର ଠକଙ୍କୁ ଦେଉଛନ୍ତି ମୋଟା ଅଙ୍କର ଟଙ୍କା ।

ଠିକ ସେହିପରି ଫେକ ପ୍ରି ଆକ୍ଟିଭେଟେଡ଼ ସିମ ବାବଦକୁ ବି ଟଙ୍କା ଦେଇ ସିମ କିଣନ୍ତି ଠକ  । ଉଭୟ ମ୍ୟୁଲ ଆକାଉଣ୍ଟ ଏବଂ ପ୍ରି ଆକ୍ଟିଭେଟେଡ଼ ସିମ କୁ ଠକେଇରେ ବ୍ୟବହାର କରୁଥିଲେ । ତେବେ ମ୍ୟୁଲ ଆକାଉଣ୍ଟ ଏବଂ ପ୍ରି- ଆକ୍ଟିଭେଟେଡ଼ ସିମ ଯୋଗାଉଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଡିସିପି । ପୂର୍ବରୁ ଓଡିଶା ବାହାର ଠକ ସାଇବର ଠକେଇ କରୁଥିବା ବେଳେ ଏବେ ରାଜ୍ୟ ଭିତର ଠକ ଆକ୍ଟିଭ ହେବା ପୋଲିସ ପାଇଁ ସୃଷ୍ଟି କରିଛି ମୁଣ୍ଡବିନ୍ଧା ।

ଦୋହଲିଗଲା ପାକିସ୍ତାନ, ଆଉ ଏକ ବଡ଼ ମାଷ୍ଟରମାଇଣ୍ଡର ମୃତ୍ୟୁ!

ନନ୍ଦିଘୋଷ ବ୍ୟୁରୋ:  ଭାରତୀୟ ବାୟୁସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ ଶିବିର ଉପରେ ଏକ ବଡ଼ ଆକ୍ରମଣ କରିଛି, ଯାହାର ନାମ ଦିଆଯାଇଛି ‘ଅପରେସନ ସିନ୍ଦୂର’। ଏହି ଆକ୍ରମଣରେ ୧୯୯୯ ମସିହାରେ ଇଣ୍ଡିଆନ ଏୟାରଲାଇନ୍ସ ବିମାନ IC-814 ହାଇଜାକ ଘଟଣାର ମୁଖ୍ୟ ମାଷ୍ଟରମାଇଣ୍ଡ ତଥା ଜୈଶ-ଏ-ମହମ୍ମଦ (JeM) ଆତଙ୍କବାଦୀ ସଂଗଠନର ନେତା ଆବଦୁଲ ରଉଫ ଅଜହର ନିହତ ହୋଇଥିବା ଖବର ମିଳିଛି।
ଏହି ଆକ୍ରମଣ ପାକିସ୍ତାନର ବାହାୱାଲପୁରସ୍ଥିତ ଜୈଶ-ଏ-ମହମ୍ମଦର ମୁଖ୍ୟ କାର୍ଯ୍ୟାଳୟ ଜାମିଆ ମସଜିଦ ସୁଭାନ ଅଲ୍ଲାହ ଉପରେ କରାଯାଇଥିଲା। ଖବର ଅନୁସାରେ, ଏହି ଆକ୍ରମଣରେ ଜୈଶ ନେତା ମାସୁଦ ଅଜହରଙ୍କର ୧୪ ଜଣ ପରିବାର ସଦସ୍ୟ ମଧ୍ୟ ନିହତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରେ ତାଙ୍କ ଭଉଣୀ, ଜ୍ୱାଇଁ, ଭଣଜା ଓ ଅନ୍ୟ ଆତ୍ମୀୟ ଅଛନ୍ତି। ମାସୁଦ ଅଜହର ନିଜେ ଏକ ବୟାନ ଜାରି କରି ଏହି ମୃତ୍ୟୁର ଖବର ନିଶ୍ଚିତ କରିଛନ୍ତି।
ଏହି ଆକ୍ରମଣ ଗତ ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ କରାଯାଇଥିଲା, ଯେଉଁଥିରେ ୨୬ ଜଣ ନିରୀହ ଲୋକ, ଯେଉଁମାନଙ୍କ ମଧ୍ୟରେ ଜଣେ ନେପାଳୀ ନାଗରିକ ଥିଲେ, ପ୍ରାଣ ହରାଇଥିଲେ। ଭାରତୀୟ ଗୁଇନ୍ଦା ସଂସ୍ଥାଙ୍କ ସୂଚନା ଅନୁସାରେ, ଏହି ଆକ୍ରମଣରେ ଆବଦୁଲ ରଉଫ ଅଜହର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ଆବଦୁଲ ରଉଫ ଅଜହର ହେଉଛନ୍ତି ମାସୁଦ ଅଜହରଙ୍କ ସାନ ଭାଇ ଏବଂ ଜୈଶ-ଏ-ମହମ୍ମଦର ଦ୍ୱିତୀୟ ନେତା। ୧୯୯୯ରେ IC-814 ବିମାନ ହାଇଜାକ ଘଟଣାରେ ସେ ମୁଖ୍ୟ ଯୋଜନାକାରୀ ଥିଲେ, ଯେଉଁଥିରେ ମାସୁଦ ଅଜହରଙ୍କ ସମେତ ତିନି ଆତଙ୍କବାଦୀଙ୍କୁ ମୁକ୍ତ କରିବା ପାଇଁ ଭାରତ ସରକାରଙ୍କୁ ବାଧ୍ୟ କରାଯାଇଥିଲା। ରଉଫ ମଧ୍ୟ ୨୦୦୧ ସଂସଦ ଆକ୍ରମଣ, ୨୦୧୬ ପାଠାଙ୍କୋଟ ଆକ୍ରମଣ ଏବଂ ୨୦୧୯ ପୁଲୱାମା ଆକ୍ରମଣ ଭଳି ଅନେକ ଆତଙ୍କବାଦୀ ଘଟଣାରେ ଜଡ଼ିତ ଥିଲେ। ସେ ଜାତିସଂଘ ଦ୍ୱାରା ଘୋଷିତ ଆନ୍ତର୍ଜାତୀୟ ଆତଙ୍କବାଦୀ ଥିଲେ।
ଭାରତୀୟ ବାୟୁସେନା ରାଫେଲ ଯୁଦ୍ଧ ବିମାନ, ପିନାକା ରକେଟ ଏବଂ ସ୍ଥଳ-ସୁପରଫିସ ମିସାଇଲ ବ୍ୟବହାର କରି ପାକିସ୍ତାନର ବାହାୱାଲପୁର, ମୁରିଦେ, ସିଆଲକୋଟ ଏବଂ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ମୋଟ ୯ଟି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ପ୍ରାୟ ୭୦ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। ଭାରତୀୟ ସରକାର କହିଛନ୍ତି ଯେ, ଏହି ଆକ୍ରମଣ ସମ୍ପୂର୍ଣ୍ଣ ର୍ନିଦ୍ଦିଷ୍ଟ ଏବଂ ନାଗରିକ କ୍ଷୟକ୍ଷତି ଏଡ଼ାଇବା ପାଇଁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରାଯାଇଥିଲା।