spot_img
Home Blog Page 777

ପାକିସ୍ତାନରେ ଲସ୍କର ଆତଙ୍କବାଦୀ ସୈଫୁଲ୍ଲା ଖାଲିଦକୁ ଗୁଳି କରି ହତ୍ୟା କଲେ ଅଜ୍ଞାତ ବ୍ୟକ୍ତି, ଭାରତରେ ୩ଟି ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ନରସଂହାର ପରେ ଭାରତ, ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କବାଦୀଙ୍କ କ୍ୟାମ୍ପଙ୍କୁ ଧ୍ବଂସ କରିବା ସହ ଶତାଧିକ ଆତଙ୍କବାଦୀଙ୍କୁ ନିପାତ କରିଛି । ଏବେ ଅପରେସନ ସିନ୍ଦୂର ସ୍ଥଗିତ ରହିଥିଲେ ବି, ଯେ କୌଣସି ସମୟରେ ଭାରତର ଶିକାର ହେବା ଭୟରେ ପ୍ରମାଦ ଗଣୁଛନ୍ତି ଆତଙ୍କବାଦୀ । ଆଉ ଏମିତି ସ୍ଥିତିରେ ବହୁ ଆତଙ୍କବାଦୀ ପାକିସ୍ତାନ ସେନା ସହାୟତାରେ ଅଣ୍ଡର ଗ୍ରାଉଣ୍ଡ ହୋଇଯାଇଛନ୍ତି । ହେଲେ ପାକିସ୍ତାନରେ ବି ଏବେ ସେମାନେ ସୁରକ୍ଷିତ ନୁହଁନ୍ତି । ଭାରତ ସମେତ ଅନ୍ୟ କିଛି ଲୋକ ବି ଅଛନ୍ତି, ଯେଉଁମାନେ ଏମାନଙ୍କୁ ଶିକାର କରିବାକୁ ଘାତ ଲଗାଇ ସୁଯୋଗକୁ ଅପେକ୍ଷା କରିଛନ୍ତି । ଏହି କ୍ରମରେ ଲସ୍କର-ଏ- ତୈୟବାର ଟପ୍ ଆତଙ୍କବାଦୀ ସୈଫୁଲ୍ଲା ଖାଲିଦକୁ ଗୁଳି ମାରି ହତ୍ୟା କରାଯାଇଛି । କେହି ଅଜ୍ଞାତ ବନ୍ଧୁକଧାରୀ ତାକୁ ଗୁଳି କରି ନିପାତ କରିଛି । ଦୀର୍ଘ ଦିନ ହେଲା ନେପାଳରେ ରହି ନିଜ ଆତଙ୍କବାଦୀ ନେଟଓ୍ବର୍କ ଚଲାଉଥିଲା । କିଛିଦିନ ହେବ ସିନ୍ଧ ପ୍ରଦେଶର ମତଲି ଓ ବଦିନରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଲାଇଥିଲା ।

ସୂଚନାଯୋଗ୍ୟ, ଭାରତରେ ତିନୋଟି ବଡ଼ ଆକ୍ରମଣ ପଛରେ ଖଲିଦର ହାତ ଥିଲା । ୨୦୦୬ରେ ମହାରଷ୍ଟ୍ରର ନାଗପୁରରେ ଆରଏସଏସ ମୁଖ୍ୟାଳୟ ଉପରେ ଆକ୍ରମଣର ଷଡଯନ୍ତ୍ର ରଚିଥିଲା । ସେହିପରି ୨୦୦୧ରେ ରାମପୁରରେ ସିଆରପିଏଫ କ୍ୟାମ୍ପରେ ଆକ୍ରମଣ କରାଇଥିଲା । ଏହାସହ ବେଙ୍ଗାଲୁରୁରେ ୨୦୦୫ରେ ଆକ୍ରମଣ ପଛରେ ତା’ର ହାତ ଥିଲା ।

କିଏ ଏହି ସୈଫୁଲ୍ଲା ଖାଲିଦ ?

ଖାଲିଦ ଲସ୍କରର ଅପରେଟର ଥିଲା । ଭାରତରେ ଆକ୍ରମଣ କରାଇବାର କାମ ସେ ବୁଝୁଥିଲା । ଏହାପରେ ସେ ନେପାଳରେ ନିଜର ବେସ ବନାଇ ଭାରତର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରାଉଥିଲା । ଏନେଇ ଭାରତର ଗୁଇନ୍ଦା ସଂସ୍ଥା ସୁରାକ ପାଇବା ପରେ ସେ ନେପାଳ ଛାଡ଼ି ପୁଣି ପାକିସ୍ତାନ ଚାଲି ଯାଇଥିଲା । ଭାରତର ଆତଙ୍କବାଦୀଙ୍କ ତାଲିକାରେ ମୋଷ୍ଟ ଓ୍ବାଣ୍ଟେଡ ଥିଲା ଖାଲିଦ । ଭାରତ ନଜରରୁ ବର୍ତ୍ତିବା ପାଇଁ ଭିନ୍ନ ଭିନ୍ନ ନାଁ ନେଇ ଭିନ୍ନ ଭିନ୍ନ ସ୍ଥାନରେ ରହୁଥିଲା । ନେପାଳରେ ବିନୋଦ କୁମାର ନାଁରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଲାଉଥିଲା ।

ପୁଅର ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ବିଷ ପିଇ ଦେଲେ ବାପା

ନନ୍ଦିଘୋଷ ବ୍ୟୁରୋ: ଆଖି ଆଗରେ ପୁଅର ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ବିଷ ପିଇ ଦେଲେ ବାପା । ଏମିତି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନାଗେନା ବାଲିଘାଟରେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ୩୨ ବର୍ଷୀୟ ରୁଦ୍ର ନାୟକ ।

ରୁଦ୍ରଙ୍କ ଘର ବାଲିଘାଟ ନିକଟସ୍ଥ ଖମାର ଗାଁରେ । ଆଜି ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ବାଲିଘାଟରେ ପଡିଥିଲା । ଏହା ପରିବାର ଲୋକେ ଦେଖି ଥିଲେ । ରୁଦ୍ରଙ୍କ ବାପା ପୁଅର ମୃତଦେହ ଦେଖି ଅଧର୍ଯ୍ୟ ହୋଇ ପଡ଼ିଥିଲେ । ମାନସିକ ସ୍ଥିତି ହରାଇ ବିଷ ପିଇ ଦେଇଥିଲେ । କିଏ ଓ କାହିଁକି ରୁଦ୍ରଙ୍କୁ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନି । ପରିବାର ଲୋକେ ବାଲିଘାଟରେ କାର୍ଯ୍ୟରତ ଜଣେ ଜେସିବି ଡ୍ରାଇଭର ହତ୍ୟା କରିଥିବା ଅଭିଯୋଗ କରିଛନ୍ତି l

ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷେ ଅଭିଯୁକ୍ତ ଜେସିବି ଡ୍ରାଇଭରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ବାଲି କାରବାରକୁ ନେଇ ରୁଦ୍ରଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ, ଗତ ଏପ୍ରିଲରେ ବାଲି କାରବାରକୁ ନେଇ ଏକ ହତ୍ୟାକାଣ୍ଡ ଘଟିଥିଲା । ବାଲିଘାଟକୁ କେନ୍ଦ୍ର କରି ଢେଙ୍କାନାଳ ଜୟଗୋପାଳ ସାହିର ମହେଶ୍ୱର ବେହେରାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା ।

ତୁର୍କୀ, ଚୀନ ଓ ଆଜାରବାଇଜାନ ସାମଗ୍ରୀ ବ୍ୟାନ କଲା ଓଡିଶା ବ୍ୟବସାୟୀ ମହାସଂଘ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ ଆଉ ବିକ୍ରି ହେବ ନାହିଁ ତୁର୍କୀ, ଚୀନ ଓ ଆଜାରବାଇଜାନ ସାମଗ୍ରୀ । ଓଡ଼ିଶା ବ୍ୟବସାୟୀ ମହାସଂଘ ଏହି ତିନି ଦେଶର ସାମଗ୍ରୀକୁ ରାଜ୍ୟରେ ବ୍ୟାନ କରିଛନ୍ତି । ତୁର୍କୀରୁ ଆସୁଥିବା ଡାଲି ଜାତୀୟ ସାମଗ୍ରୀ, ସେଓ, ସିମେଣ୍ଟ ଆଦି ସାମଗ୍ରୀ ଆମଦାନୀ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ବ୍ୟବସାୟୀ ମହାସଂଘ । ସେହିପରି ଚୀନର ସାମଗ୍ରୀକୁ ମଧ୍ୟ ଓଡ଼ିଶାରେ ବ୍ୟାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀରେ ମହାସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏପରି ନିଷ୍ପତ୍ତି ନିଆଯାଇଛି ।

ଏହାସହ ବ୍ୟବସାୟୀ ମହାସଂଘ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛି । ଅନଲାଇନ ଓ କର୍ପୋରେଟ ହାଉସକୁ ସରକାରଙ୍କ ସମର୍ଥନ ବିରୋଧରେ କଠୋର ହୋଇଛି ମହାସଂଘ । ସ୍ବଦେଶୀ ଜାଗରଣ ମଞ୍ଚ ସହ ମିଶି ଅନଲାଇନ ସାମଗ୍ରୀ ବିକ୍ରିକୁ ବିରୋଧ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅନଲାଇନରେ ଯେଉଁ କମ୍ପାନୀ ନିଜ ସାମଗ୍ରୀକୁ କମ ଦରରେ ବିକ୍ରି କରୁଛନ୍ତି ଓ ଖୋଲା ବଜାରରେ ବ୍ୟବସାୟୀଙ୍କଠାରୁ ଅଧିକ ଦର ନେଉଛନ୍ତି ସେମାନଙ୍କ ସାମଗ୍ରୀକୁ ବ୍ୟାନ କରାଯିବ । କୌଣସି ଅଫଲାଇନ ଦୋକାନରେ ସଂପୃକ୍ତ କମ୍ପାନୀର ସାମଗ୍ରୀ ବିକିବେନି ବ୍ୟବସାୟୀ । ଏପରିକି ଅନଲାଇନରେ ବିଭିନ୍ନ ବ୍ୟାଙ୍କଗୁଡିକ ବିଭିନ୍ନ ସମଗ୍ରୀଗୁଡିକରେ ଅତିରିକ୍ତ ଲାଭ ଅଫର ମାଧ୍ୟମରେ ଦେଉଛନ୍ତି । ତେଣୁ ସମୃକ୍ତ ବ୍ୟାଙ୍କଗୁଡିକୁ ମଧ୍ୟ ବୟକଟ କରିବାକୁ ନିଷ୍ପତ୍ତି ନେଇଛି ବ୍ୟବସାୟୀ ମହାସଂଘ । ସାମଗ୍ରୀ ବିକ୍ରିର ୧୪ ପ୍ରତିଶତ ଅନଲାଇନ ବ୍ୟବସାୟ ମାଧ୍ୟମରେ ହେଉଥିବା ବେଳେ ଅଫଲାଇନରେ ୮୬ ପ୍ରତିଶତ ବିକ୍ରି ହେଉଛି । ତେଣୁ କର୍ପୋରେଟ ହାଉସ ଓ ଅନଲାଇନ ବ୍ୟବସ୍ଥାକୁ ସମର୍ଥନ ଜଣାଇ ସରକାର ରାଜ୍ୟର ବ୍ୟବସାୟୀଙ୍କୁ ହଇରାଣ କରୁଥିବାରୁ ବ୍ୟବସାୟୀମାନେ ଏଭଳି କଠୋର ନିଷ୍ପତ୍ତି ନେଉଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା ।

୧୧ ନୂଆ ସର୍ତ୍ତ ସହ IMFର ଚେତାବନୀ, ପାକିସ୍ତାନ ଉପରକୁ ମାଡ଼ି ଆସୁଛି ଯୁଦ୍ଧଠୁ ବି ବଡ଼ ସଙ୍କଟ

ନନ୍ଦିଘୋଷ ବ୍ୟୁରୋ: ଆତଙ୍କିସ୍ତାନ ପାକିସ୍ତାନ ଉପରେ ମାଡ଼ି ଆସୁଛି ଆଉ ଏକ ବଡ଼ ସଙ୍କଟ । ଭାରତର ଆକ୍ରମଣ ଭୟରେ ଥର ଥର କମ୍ପୁଥିବା ପାକିସ୍ତାନର ନିଦ ହଜାଇଲା ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ (IMF) । ଭାରତ-ପାକ ଯୁଦ୍ଧ ଭିତରେ ପାକିସ୍ତାନକୁ ମୋଟ ଆକାରର ଋଣ ଦେଇ ସାରା ବିଶ୍ବରେ ନିଜର ଇମେଜ ଖରାପ କରିଥିବା IMF ବି ବୁଝି ସାରିଛି ଦେଇଥିବା ଟଙ୍କା ବୁଡ଼ିବାକୁ ଯାଉଛି । ସେଥିପାଇଁ ପରବର୍ତ୍ତି କିସ୍ତି ଦେବା ପୂର୍ବରୁ IMF ପାକିସ୍ତାନ ଉପରେ ଲଗାଇଛି ୧୧ଟି ନୂଆ ସର୍ତ୍ତ । ଏହାସହ ପାକିସ୍ତାନକୁ କଡ଼ା ଚେତାବନୀ ମଧ୍ୟ ଦେଇଛି । ଏହି ୧୧କୁ ମିଶାଇ ପାକିସ୍ତାନ ଉପରେ ମୋଟ ୫୦ ସର୍ତ୍ତ ଲଗି ସାରିଛି । ଯାହା ଆତଙ୍କବାଦୀଙ୍କ ପ୍ରେମରେ ଉବୁଟୁବୁ ପାକିସ୍ତାନ ପକ୍ଷେ ପୂରଣ କରିବା କାଠିକର ପାଠ ହୋଇପାରେ ।

ଭାରତ ସହ ଉତ୍ତେଜନା ସ୍ଥିତି ସୃଷ୍ଟି କରିବାରୁ ଦୂରେଇ ରହିବାକୁ ପାକିସ୍ତାନକୁ ଚେତବାନୀ ଦେଇଛି IMF । ଭାରତ ସହ ଉତ୍ତେଜନା ଆର୍ଥିକ, ବାହ୍ୟ ଓ ସଂସ୍କାର କାମକୁ ପ୍ରତିହତ କରିପାରେ ବୋଲି IMF କହିଛି । ସେହିପରି ନୂଆ ସର୍ତ୍ତରେ ସଂସଦରେ ୧୭,୬୦୦ ବିଲିୟନ ପାକିସ୍ତାନ ଟଙ୍କାର ନୂଆ ବଜେଟକୁ ମଞ୍ଜୁରୀ ଦେବା, ବିଜୁଳି ବିଲରେ ଋଣ ପରିଶୋଧ ସରଚାର୍ଜ ବୃଦ୍ଧି ଓ ୩ ବର୍ଷର ଅଧିକ ପୁରୁଣା କାର କିଣା ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ କୁହାଯାଇଛି ।

IMF ଦ୍ବାରା ଶନିବାର ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି, ଭାରତ ସହ ଉତ୍ତେଜନା ସ୍ଥିତି ବୃଦ୍ଧି ପାଇଲେ ଆର୍ଥିକ, ବାହ୍ୟ ଓ ସଂସ୍କାର କାମ ଉପରେ ପ୍ରଭାବ ପଡ଼ିପାରେ । ଗତ ଦୁଇ ସପ୍ତାହ ମଧ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ହେଲେ ସେୟାର ବଜାର ସାମାନ୍ୟ ରହିଛି । IMF ରିପୋର୍ଟ ଅନୁସାରେ ଆସନ୍ତା ଆର୍ଥିକ ବର୍ଷରେ ପାକିସ୍ତାନର ପ୍ରତିରକ୍ଷା ବଜେଟ ୨୪୧୪ ବିଲିୟନ ଟଙ୍କା ଦର୍ଶାଯାଇଛି । ଯାହା ୨୫୨ ବିଲିୟନ ବା ୧୨ ପ୍ରତିଶତ ଅଧିକ । ଭାରତ ସହ ଯୁଦ୍ଧ ସ୍ଥିତି ଯୋଗୁଁ ପାକିସ୍ତାନ ୨୫୦୦ ବିଲିୟନ ଅର୍ଥାତ ୧୮ ପ୍ରତିଶତ ଅଧିକ ପ୍ରତିରକ୍ଷା ବଜେଟ କରିବାକୁ ସଙ୍କେତ ଦେଇସାରିଛି ।

IMF ପାକିସ୍ତାନ ଉପରେ ନୂଆ ୧୧ଟି ସର୍ତ୍ତ ଲଗାଇଛି । ଏହାକୁ ମିଶାଇ ପାକିସ୍ତାନ ଉପରେ ମୋଟ ୫୦ ସର୍ତ୍ତ ଲାଗୁ ହୋଇଛି । ନୂଆ ସର୍ତ୍ତରେ ଆଗାମୀ ଆର୍ଥିକ ବର୍ଷ ବଜେଟ ପାଇଁ ସଂସଦ ମଞ୍ଜୁରୀ ଦରକାର । IMF ଅନୁସାରେ ପାକିସ୍ତାନର ପୂରା ବଜେଟ ୧୭, ୬୦୦ ବିଲିୟନ ଟଙ୍କା । ଏଥିରୁ ୧୦,୭୦୦ ବିଲିୟନ ଟଙ୍କା ବିକାଶ କାର୍ଯ୍ୟରେ ବିନିଯୋଗ ହେବ । ପ୍ରଦେଶକୁ ନେଇ ମଧ୍ୟ IMF ନୂଆ ସର୍ତ୍ତ ଲାଗୁ କରିଛି । ଏଥିରେ ସଙ୍ଘୀୟ ବ୍ୟବସ୍ଥାରେ ବ୍ୟାପକ ଯୋଜନା ମାଧ୍ୟମରେ କୁଷି ଆୟକର ଆଇନ ଲାଗୁ କରାଯିବ । ଯେଉଁଥିରେ ରିଟର୍ଣ୍ଣ ପ୍ରକ୍ରିୟାକରଣ, କରଦାତା ଚିହ୍ନଟ ଓ ପଞ୍ଜିକରଣ, ସଂଚାର ଅଭିଯାନ ଓ ଅନୁପାଳନ ସୁଧାର ଯୋଜନା ପାଇଁ ପରିଚାଳନା ମଞ୍ଚ ସ୍ଥାପନ କରିବାକୁ ପଡ଼ିବ ।

ସ୍ତ୍ରୀର ଓଢ଼ଣୀକୁ ବେକରେ ଲଗାଇ ଝୁଲି ପଡ଼ିଲେ ସ୍ୱାମୀ

ନନ୍ଦିଘୋଷ ବ୍ୟୁରୋ: ସ୍ତ୍ରୀର ଓଢ଼ଣୀକୁ ବେକରେ ଲଗାଇ ଝୁଲି ପଡ଼ିଲେ ସ୍ୱାମୀ । କେନ୍ଦୁଝର ସହର ଧୋବାଡିହା ମାଝିସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍ତ୍ରୀର ଓଢ଼ଣୀକୁ ବେକରେ ଲଗାଇ ସ୍ୱାମୀ କରିଛନ୍ତି ଆତ୍ମହତ୍ୟା । ମୃତକ ରାଜନଗର ଅଞ୍ଚଳର ସୌମ୍ୟ ରଞ୍ଜନ ବେହେରା। ମୁଖ୍ୟ ଚିକିତ୍ସାଳୟରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ । ମାଝିସାହିରେ ଘରଭଡା ନେଇ ସପରିବାର ରହୁଥିଲେ । ଆଜି ସକାଳେ ସୌମ୍ୟ ଡ୍ୟୁଟିରୁ ଫେରିବା ପରେ ନିଜ ରୁମକୁ ଯାଇ କିଛି ସମୟ ପରେ ପୁଅକୁ ବାଏ କହିଥିଲେ  । ଏହା ଶୁଣି ତାଙ୍କ ସ୍ତ୍ରୀ କାହିଁକି ସୌମ୍ୟ ବାଏ କହିଲେ ଭାବି ରୁମ ଭିତରକୁ ଯାଇଥିଲେ । ସେତେବେଳକୁ ସୌମ୍ୟ ତାଙ୍କ ଓଢ଼ଣୀକୁ ବେକରେ ଲଗାଇ ଝୁଲି ପଡ଼ିଥିଲେ । ସେ ସଙ୍ଗେ ସଙ୍ଗେ ପାଟି କରି ସାହି ପଡୋଶୀଙ୍କୁ ଡାକିଥିଲେ । ହେଲେ ସେତେବେଳକୁ ସୌମ୍ୟଙ୍କର ମୃତ୍ୟୁ ହୋଇ ସାରିଥିଲା । ଖବର ପାଇ ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ଆମେରିକା ନ୍ୟୁୟର୍କରେ ବଡ଼ ଅଘଟଣ: ବ୍ରିଜକୁ ଧକ୍କା ଦେଲା ମେକ୍ସିକୋ ନୌସେନାର ଜାହାଜ

ନନ୍ଦିଘୋଷ ବ୍ୟୁରୋ: ଆମେରିକା ନ୍ୟୁୟର୍କରେ ଅଘଟଣ। ବ୍ରୁକଲିନ ବ୍ରିଜକୁ ଧକ୍କା ଦେଲା ମେକ୍ସିକୋର ନୌସେନା ତାଲିମ ଜାହାଜ। ଜାହାଜର ହାଇମାଷ୍ଟ ଟାୱାର ବ୍ରିଜକୁ ଧକ୍କା ଦେଇଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଜାହାଜରେ ୨୭୭ ଜଣ ସଦସ୍ୟ ଥିଲେ।ଗତ ରାତିରେ ଘଟିଥିଲା ଏ ଦୁର୍ଘଟଣା।

ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବ୍ରିଜ୍ ଡେକ୍‌ର ଉଚ୍ଚତା ୧୨୭ ଫୁଟ ଥିବାବେଳେ ଜାହାଜ ଟାୱାରର ଉଚ୍ଚତା ୧୫୮ ଫୁଟ ରହିଥିଲା। ଜାହାଜ ଏବଂ ବ୍ରିଜ୍ ଡେକ୍‌ର ଉଚ୍ଚତାରେ ପ୍ରାୟ ୩୧ ଫୁଟର  ପାର୍ଥକ୍ୟ ଥିଲା। ଏହା ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଜାହାଜଟି ନ୍ୟୁୟର୍କରୁ ଆଇସଲ୍ୟାଣ୍ଡ ଅଭିମୁଖେ ଯାଉଥିଲା। ପ୍ରତିବର୍ଷ ନୌସେନା ସ୍କୁଲର କୋର୍ସ ସମାପ୍ତ ପରେ କ୍ୟାଡେଟମାନଙ୍କୁ ତାଲିମ ପାଇଁ ଯାଇଥାଏ। ଚଳିତ ବର୍ଷ ଏପ୍ରିଲ ୬ ତାରିଖରେ ଏହା ମେକ୍ସିକୋରୁ ବନ୍ଦରରୁ ୨୭୭ ଜଣଙ୍କୁ ନେଇ ଯାତ୍ରା କରିଥିଲା।

ଜାହାଜଟି ଜାମାଇକାର କିଙ୍ଗଷ୍ଟନ, କ୍ୟୁବାର ହାଭାନା, ମେକ୍ସିକୋର କୋଜୁମେଲ, ନ୍ୟୁୟର୍କ, ଆଇସଲ୍ୟାଣ୍ଡ ସମେତ ୧୫ଟି ଦେଶର ୨୨ଟି ବନ୍ଦରରେ ଅଟକିବାର ଯୋଜନା ଥିଲା। ମୋଟ ୨୫୪ ଦିନର ଯାତ୍ରାରେ ୧୭୦ ଦିନ ସମୁଦ୍ରରେ ବିତାଇବାକୁ ଯୋଜନା କରାଯାଇଥିଲା।ସେପଟେ ନ୍ୟୁୟର୍କର ବ୍ରୁକଲିନ ୧୪୨ ବର୍ଷ ପୁରୁଣା।ଦୁର୍ଘଟଣା କାରଣରୁ ବ୍ରୁକଲିନ୍ ବ୍ରିଜର ସେତେ ଅଧିକ କ୍ଷତି ହୋଇନାହିଁ। ଦୁର୍ଘଟଣାର କାରଣ ତଦନ୍ତାଧୀନ ଅଛି। ୧୮୮୩ ମସିହାରେ ନିର୍ମିତ  ଏହି ବ୍ରିଜ ପ୍ରାୟ ୧୬୦୦ ଫୁଟ ଲମ୍ବା ଏବଂ ଦୁଇଟି ପଥର ଟାୱାର ଉପରେ ଅବସ୍ଥିତ। ପ୍ରତିଦିନ ୧ ଲକ୍ଷରୁ ଅଧିକ ଯାନବାହନ ଏବଂ ପ୍ରାୟ ୩୨,୦୦୦ ପଦଯାତ୍ରୀ ଏହି ବ୍ରିଜ ଦେଇ ଯାତାୟାତ କରନ୍ତି।

୯୦ ଦଶକରେ ଏହି ଗୀତ ପାଇଁ ହିଟ୍ ହୋଇଥିଲେ ମାଆ, ଏବେ ଝିଅ ଦେଖାଇଲେ ଜଲଓ୍ବା

ନନ୍ଦିଘୋଷ ବ୍ୟୁରୋ: ଟିପ୍ ଟିପ୍ ବର୍ଷା ପାନି । ୯୦ ଦଶକରେ ଏହି ଗୀତଟି ବେଶ ହିଟ୍ ହୋଇଥିଲା । ଆଜି ମଧ୍ୟ ଏହି ଗୀତକୁ ଶ୍ରୋତାମାନେ ଗୁଣୁଗୁଣାଉ ଥିବାବେଳେ ଯାତ୍ରା ମଞ୍ଚରେ ନୃତ୍ୟ ଶିଳ୍ପୀମାନେ ନିଜର ଜଲଓ୍ବା ଦେଖାଉଛନ୍ତି । ଅକ୍ଷୟ କୁମାର ଏବଂ ରବିନା ଟଣ୍ଡନଙ୍କ ଅଭିନୀତ ଏହି ଗୀତଟି ବେଶ ହିଟ୍ ହୋଇଥିଲା । ୧୯୯୪ ମସିହାରେ ରିଲିଜ୍ ହୋଇଥିବା ମୋହରା ଫିଲ୍ମରେ ଏହି ଗୀତଟି ରହିଥିଲା । ଫିଲ୍ମ ସାଙ୍ଗକୁ ଗୀତକୁ ମଧ୍ୟ ବେଶ ଭଲ ପାଇବା ମିଳିଥିଲା । ଏବେ ରବିନାଙ୍କ ଝିଅ ରାଶା ଏହି ଗୀତରେ ଠୁମକା ଲଗାଇଛନ୍ତି । ଏକ ଆଓ୍ବାର୍ଡ ଶୋ’ରେ ସେ ନିଜ ମାଆଙ୍କ ଏହି ଗୀତରେ ନାଚିଛନ୍ତି ।

ରାଶା ଏକ ହଳଦିଆ ରଙ୍ଗର ପୋଷାକ ପିନ୍ଧିଥିବାବେଳେ ସୁନ୍ଦର ଡ୍ୟାନ୍ସ କରିଛନ୍ତି । ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ଭଲ ଭଲ କମେଣ୍ଟ ଦେଉଛନ୍ତି । ତେବେ କହି ରଖୁଛୁ କି, ରାଶା ଅଜୟ ଦେବଗନଙ୍କ ଫିଲ୍ମ ଆଜାଦ ରିଆରେ ବଲିଉଡରେ ଡେବ୍ୟୁ କରିସାରିଛନ୍ତି । ଯଦିଓ ଏହି ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ ହୋଇଛି କିନ୍ତୁ ଦର୍ଶକେ ତାଙ୍କ ଅଭିନୟକୁ ବେଶ ଭଲପାଇବା ଦେଇଛନ୍ତି ।   ତାଙ୍କର ଏକ ଗୀତ ମଧ୍ୟ ବେଶ ଭାଇରାଲ ହୋଇଛି । ତେବେ ଆଗାମୀ ଦିନରେ କେଉଁଭଳି ଭାବେ ଦର୍ଶକଙ୍କୁ ଉପହାର ଦେଉଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ସିସିଟିଭରେ ଗୁଳିକାଣ୍ଡ ସମୟର ଭିଡିଓ

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ତାମଡ଼ା ଗୁଳିକାଣ୍ଡର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଗତ ଶୁକ୍ରବାର ସନ୍ଧ୍ୟାରେ ଜଣେ ବ୍ୟବସାୟୀଙ୍କୁ ଗୁଳି ମାରି ଦୁଇ ଜଣ ଦୁର୍ବୃତ୍ତ ଫେରାର ହେଇ ଯାଇଥିଲେ। ପୋଲିସ ସିସିଟିଭି ଫୁଟେଜ ଜବତ କରି ତଦନ୍ତ କରୁଛି।

ସିସିଟିଭି ଫୁଟେଜରୁ ଜଣାପଡୁଛି, କେମିତି ଆସି ଦୁର୍ବୃତ୍ତ ଟଙ୍କା ମାଗିଲା, ଉତ୍ୟକ୍ତ ଦୋକାନୀ ଶଙ୍କର ତାକୁ ଦୋକାନରୁ ତଡ଼ି ଦେବା ପରେ ଅଭିଯୁକ୍ତ କେମିତି ଗୁଳି ଚଳାଇଲା, ଗୁଳି ବାଜିବା ପରେ ଆହତ ଦୋକାନୀ ଚେୟାରରେ ବସି ପଡ଼ିବା ଭଳି ସବୁ ଦୃଶ୍ୟ ସାମନାକୁ ଆସିଛି। ଏତେ ବଡ଼ ଅପରାଧର ଟେର ପୋଲିସ ଏଯାଏ ପାଇ ନାହିଁ। ପ୍ରାୟ ତିନି ସପ୍ତାହ ତଳେ ବଣାଇଁ ଏସ୍ ବି ଆଇ ଶାଖା ନିକଟରୁ ସାଢେ ଚାରି ଲକ୍ଷ ଟଙ୍କା ଲୁଟ ହୋଇଥିଲା। ବାହାଘର ପାଇଁ ଜଣେ ବ୍ୟକ୍ତି ଟଙ୍କା ଉଠାଇ ବାଇକ ଡିକିରେ ରଖିଥିବା ବେଳେ ଡିକି ଭାଙ୍ଗି ସବୁ ଟଙ୍କା ନେଇ ଯାଇଥିଲେ ଦୁର୍ବୃତ୍ତ।

 

ଚାରମିନାର ନିକଟ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ : ୧୭ ଜୀବନ୍ତ ଦଗ୍ଧ

ନନ୍ଦିଘୋଷ ବ୍ୟୁରୋ: ହାଇଦ୍ରାବାଦରୁ ଆସିଲା ଚମକାଇ ଦେବା ଭଳି ଖବର । ଚାରମିନାର ନିକଟରେ ଥିବା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୧୭ ଜଣ ଜୀବନ ଦଗ୍ଧ ହୋଇଛନ୍ତି । ତିନି ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁଲିଭା କାମ ଜାରି ରହିଛି । ତେବେ ସର୍ଟ ସର୍କିଟିରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । କିନ୍ତୁ ଏଯାବତ କୌଣସି ସ୍ପଷ୍ଟ ହୋଇ ନଥିବାବେଳେ ଭୟଙ୍କର ଭାବେ ନିଆଁ ଜଳୁଛି । ଘଟଣାସ୍ଥଳରେ ଜୋରସୋରରେ ରେସ୍କ୍ୟୁ ଅପରେସନ ଜାରି ରହିଥିବାବେଳେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଲୋକେ ବେଶ ଭୟଭୀତ ରହିଥିବାବେଳେ ବହୁ ଆହତଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଉଛି । ତେବେ ଆହୁରି ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଖବର ମିଳିଛି ।

ତଦନ୍ତ ନସରିବା ପର୍ଯ୍ୟନ୍ତ ପ୍ରିୟଙ୍କାଙ୍କୁ ପୁରୀ ନଛାଡିବାକୁ ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ: ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଓ ପ୍ରିୟଙ୍କା ସେନାପତି ଲିଙ୍କ ଘଟଣା । ସେଣ୍ଟ୍ରାଲ ଇଣ୍ଟେଲ୍ଲୀଜେନ୍ସ ଓ ଷ୍ଟେଟ ଇଣ୍ଟେଲ୍ଲୀଜେନ୍ସ ସହ ଯୋଗାଯୋଗରେ ଅଛି ପୁରୀ ପୋଲିସ । ଏ ନେଇ ଏକ ସ୍ପେଶାଲ ଟିମ ଗଠନ ହୋଇଛି । ଏସପି ଏହି ଟିମକୁ ଲିଡ଼ କରୁଛନ୍ତି । ହରିୟାଣା ପୋଲିସ ସହ ଯୋଗାଯୋଗରେ ଅଛି ଓଡିଶା ପୋଲିସ। ନ୍ୟାସନ୍ୟାଲ ସିକ୍ୟୁରିଟି ଇସ୍ୟୁ ହୋଇଥିବାରୁ ଓ ଘଟଣାଟି ଅତି ସମ୍ବେଦନଶୀଳ ହୋଇଥିବାରୁ ପାକିସ୍ତାନ ସହ ଲିଙ୍କ ନେଇ ପ୍ରିୟଙ୍କାଙ୍କୁ ଗୁପ୍ତ ସ୍ଥାନରେ ପଚାରଉଚରା କରାଯାଇଛି । ଜ୍ୟୋତିଙ୍କ ସହ କାହିଁକି ଯୋଗାଯୋଗରେ ଥିଲେ ଓ ପ୍ରିୟଙ୍କା କଣ’ ପାଇଁ ପାକିସ୍ତାନର କର୍ତାରପୁର ଯାଇଥିଲେ ସେ ନେଇ ଆରମ୍ଭ ହୋଇଛି ଛାନବିନ। ତଦନ୍ତ ନସରିବା ପର୍ଯ୍ୟନ୍ତ ପ୍ରିୟଙ୍କାଙ୍କୁ ପୁରୀ ନଛାଡିବାକୁ ନିର୍ଦ୍ଦେଶ ରହିଛି ।