ନନ୍ଦିଘୋଷ ବ୍ୟୁରୋ: ବଦଳୁଛି ପାଗର ମିଜାଜ। ଦିନରେ ଗୁଳୁଗୁଳି ଅପରାହ୍ନରେ କାଳବୈଶାଖୀ। ରାଜ୍ୟରେ ଅସ୍ତବ୍ୟସ୍ତ କରିବ ଗୁଳୁଗୁଳୁ ଓ କାଳବୈଶାଖୀ ବର୍ଷା । ଆଜି ବି କାଳବୈଶାଖୀ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ଏନେଇ ମାଲକାନଗିରି ,କୋରାପୁଟ, ରାୟଗଡା,ନବରଙ୍ଗପୁର, ଗଂଜାମ , ଗଜପତି, ନୂଆପଡା, ମୟୁରଭଞ୍ଜ, ବାଲେଶ୍ୱର,ଭଦ୍ରକ, ଢେଙ୍କାନାଳ, ଯାଜପୁର ,କେନ୍ଦୁଝର ଝାରସୁଗୁଡା ଓ ସୁନ୍ଦରଗଡ ଭଳି ୧୫ ଜିଲ୍ଲାକୁ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କାଳବୈଶାଖୀ ସମୟରେ ୫୦ ରୁ ୬୦ କିମି ବେଗରେ ପବନ ବହିବା ନେଇ ସମସ୍ତ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣି ଜାରି କରାଯାଇଛି ।
ଲବ ହାଁସଦା ବିବାଦ: ମୁଁ ଟ୍ରାଭେଲର ଟିମ୍ ପକ୍ଷରୁ ଆସିଲା ବିବୃତି
ନନ୍ଦିଘୋଷ ବ୍ୟୁରୋ: ଲବ ହାଁସଦା ବିବାଦକୁ ନେଇ ମୁଁ ଟ୍ରାଭେଲର୍ ଟିମ୍ ପକ୍ଷରୁ ବିବୃତି ଦିଆଯାଇଛି । ଯାହାକୁ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ଲବ ହାଁସଦା । ଏଥିରେ ମୁଁ ଟ୍ରାଭେଲର୍ ଟିମ୍ ପକ୍ଷରୁ କୁହାଯାଇଛି, ଏହି ଘଟଣା ପାଇଁ ଆମେ ବହୁତ ଦୁଃଖିତ । ଲବ ମଧ୍ୟ ଏବେ ବହୁତ କଷ୍ଟରେ ଅଛନ୍ତି । ଏପରି ସମୟରେ ଲବଙ୍କ ପ୍ରତି ଦରକାର ସ୍ନେହ ଶ୍ରଦ୍ଧା ଓ ସମର୍ଥନ । ଶୀଘ୍ର ଆମେ ସତ ସମସ୍ତଙ୍କୁ ଜଣାଇବୁ । ପ୍ରମାଣ ସହିତ, ସ୍ପଷ୍ଟତାର ସହିତ ସତ୍ୟ ପଦାକୁ ଆସିବ ।
ଲବ ହାଁସଦା ଲୁଚି ନାହାନ୍ତି, ସେ ସାମ୍ନାକୁ ଆସିବେ । ସବୁ ସତ କଥା ସଚ୍ଚୋଟତାର ସହିତ କହିବେ । ସମ୍ମାନର ସହିତ ସମସ୍ତଙ୍କୁ ସବୁ ଜଣାଇବେ । ଏଥିପାଇଁ ସେ କିଛି ଦିନ ସମୟ ନେଇ ନିଜକୁ ପ୍ରସ୍ତୁତି କରୁଛନ୍ତି । ଏପରି ସମୟରେ ହଠାତ କ’ଣ କହିଲେ, ତାହା ଭୁଲ ବୁଝାମଣା ସୃଷ୍ଟି କରିପାରେ । ଲାଭ ବଦଳରେ କ୍ଷତି ହୋଇପାରେ । ଏପରିକି ସତ୍ୟର ବି ଅସମ୍ମାନ ହେବ । ତେଣୁ ମନରେ ନିଜେ ନିଜେ କିଛି ନ ଭାବିବାକୁ ସମସ୍ତଙ୍କୁ ଆମେ ଅନୁରୋଧ କରୁଛୁ । ସତ୍ୟ ସାମନାକୁ ଆସିବ, କିନ୍ତୁ ଜୋର୍ ଶବ୍ଦ ନ କରି ଶାନ୍ତ, ସ୍ପଷ୍ଟତାର ସହିତ ତଥ୍ୟ ନେଇ ଆସିବ । ସେତେଦିନ ଯାଏଁ ଲବଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ମୁଁ ଟ୍ରାଭେଲର୍ ଟିମ୍ ତରଫରୁ ଅନୁରୋଧ କରାଯାଇଛି । ଲବଙ୍କ ପଛରେ ସେମାନେ ଠିଆ ହୋଇଥିବା ବି କୁହାଯାଇଛି ।
କୌଣସି କଥା ନିଜ ମନରେ କଳ୍ପନା ନ କରି ଲବଙ୍କୁ ସମର୍ଥନ କରିବାକୁ ମୁଁ ଟ୍ରାଭେଲର୍ ଟିମ୍ ପକ୍ଷରୁ ଆହ୍ଵାନ କରାଯାଇଛି । ପ୍ରେମିକାଙ୍କ ଆତ୍ମହତ୍ୟା ପରେ ସନ୍ଦେହ ଘେରକୁ ଆସିଛନ୍ତି ଲବ । ଲବଙ୍କ ବିରୋଧରେ ବେଙ୍ଗାଲୁରୁର ଏଚଏସଆର ଲେଆଉଟ ଥାନାରେ ଅଭିଯୋଗ କରିଛନ୍ତି ପ୍ରେମିକା ସୋଲୋମୀଙ୍କ ଭାଇ । ସୋସିଆଲ ମିଡିଆରେ ଲବ ପୋଷ୍ଟ କରୁଥିବା ଭିଡିଓ ପାଇଁ ତାଙ୍କ ଭଉଣୀ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ପୋଲିସ ଏଯାଏଁ ଲବଙ୍କ ଟେର ପାଉ ନଥିବା ବେଳେ ଲବଙ୍କ ପାରିବାରିକ ଜୀବନକୁ ନେଇ ପ୍ରଶ୍ନ ଉଠିଛି । ଲବ ପୂର୍ବରୁ ବାହା ହୋଇଥିବା କହିଛନ୍ତି ପରିବାର ଲୋକେ । ଏସବୁ ଘଟଣାକୁ ନେଇ ବହୁତ ଅଡୁଆରେ ପଡ଼ିଛନ୍ତି ଲବ ହାଁସଦା ।
ଆପରୁ ଇସ୍ତଫା ଦେଇ ନୂଆ ଦଳ ଗଢ଼ିଲେ ୧୫ କାଉନସିଲର
ନନ୍ଦିଘୋଷ ବ୍ୟୁରୋ: ଆମ୍ ଆଦମୀ ପାର୍ଟିକୁ ବଡ଼ ଝଟକା । ଦିଲ୍ଲୀର ୧୫ କାଉନସିଲର ଦଳରୁ ଦେଲେ ଇସ୍ତଫା । ବିଦ୍ରୋହୀଙ୍କ ମଧ୍ୟରେ ଅଛନ୍ତି ମୁକେଶ ଗୋଏଲ । ଦିଲ୍ଲୀ ମହାନଗର ନିଗମ ଗୃହରେ ମୁକେଶ ଥିଲେ ବିରୋଧୀ ଦଳ ନେତା । ବିଦ୍ରୋହୀ କାଉନସିଲର ଗଠନ କରିଛନ୍ତି ଇନ୍ଦ୍ରପ୍ରସ୍ଥ ବିକାଶ ପାର୍ଟି ।
ଗତ ବିଧାନସଭା ନିର୍ବାଚନରେ ମୁକେଶ ଆପ୍ ଟିକେଟରେ ଆଦର୍ଶନଗରରୁ ବିଧାୟକ ପ୍ରାର୍ଥୀ ଲଢି ହାରି ଯାଇଥିଲେ । ଇସ୍ତଫା ଦେଇଥିବା ନେତାମାନେ ମ୍ୟୁନିସପାଲଟି ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ଆପରେ ସାମିଲ ହୋଇଥିଲେ । ବିଧାନସଭା ନିର୍ବାଚନରେ ଆପର ପରାଜୟ ପରଠାରୁ ଦଳ ଭିତରେ ଜାରି ରହିଥିଲା ନାନା ପ୍ରକାର କଳ୍ପନା ଜଳ୍ପନା । ଦିଲ୍ଲୀ ଶାଖାର ସଭାପତି ଭାବେ ସୌରଭ ଭରଦ୍ବାଜଙ୍କୁ ନିଯୁକ୍ତି କରିବା ପରଠାରୁ ଦଳରେ ଅସନ୍ତୋଷ ଜାରି ରହିଥିଲା ।
ନବୀନଙ୍କ ଅମଳରେ ପୁଞ୍ଜି ନିବେଶର ଡେଷ୍ଟିନେସନ ପାଲଟିଥିଲା ଓଡ଼ିଶା, ଏବେର ବିଜେପି ସରକାର ଲାଭ ଉଠାଇବାକୁ ଆଗଭର
ନନ୍ଦିଘୋଷ ବ୍ୟୁରୋ: ନବୀନ ସରକାର ଅମଳରେ ଓଡ଼ିଶା ଥିଲା ପୁଞ୍ଜିନିବେଶର ଫେଭରିଟ ଡେଷ୍ଟିନେସନ । କେବଳ ପୁଞ୍ଜିନିବେଶ ପ୍ରସ୍ତାବ ଆସୁ ନଥିଲା ବରଂ ଶିଳ୍ପାୟନ ବାସ୍ତବ ରୂପ ନେବା ସହ ନିଯୁକ୍ତି ବି ମିଳୁଥିଲା । ୨୦୨୫ରେ ବିଜେପି ସରକାର ଉତ୍କର୍ଷ ଓଡ଼ିଶା ଆୟୋଜନ କଲେ, ୨୨ ଲକ୍ଷ କୋଟିର ପ୍ରସ୍ତାବ ଆସିଛି ବୋଲି କହିଲେ । ହେଲେ, ଏବେ ଯେଉଁ ଶିଳ୍ପ ପ୍ରତିଷ୍ଠା ପାଇଁ ଭୂମି ପୂଜନ ହେଉଛି କି ଶିଳ୍ପ ପ୍ରତିଷ୍ଠା ହେଉଛି ଏସବୁ ନବୀନ ସରକାରଙ୍କ ଅବଦାନ ବୋଲି ବିଜେଡ଼ି କହିଛି । ବିଜେପି ସରକାରରେ ଶିଳ୍ପ ପ୍ରତିଷ୍ଠା ହେଉନି କି ନିଯୁକ୍ତି ବି ସୃଷ୍ଟି ହେଉନି ବୋଲି ଅଭିଯୋଗ କରିଛି କଂଗ୍ରେସ । ହେଲେ ଶିଳ୍ପ ମନ୍ତ୍ରୀ କହିଛନ୍ତି, ଆସନ୍ତା ସପ୍ତାହରେ ୧ ଲକ୍ଷ ୧୪ ହଜାର କୋଟି ଟଙ୍କାର ଗ୍ରାଉଣ୍ଡ ବ୍ରେକିଂ ଓ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଯାଜପୁର ଜିଲ୍ଲାରେ ୧୬ଟି ପ୍ରକଳ୍ପର ଶୁଭାରମ୍ଭ ହେବ ବୋଲି ସୂଚନା ମିଳିଛି ।
ନବୀନ ସରକାର ଅମଳରେ ଥିଲା ଓଡ଼ିଶା ପାଇଁ ଶିଳ୍ପାୟନରେ ସୁବର୍ଣ୍ଣ ଯୁଗ । ଟାଟା, ବେଦାନ୍ତ, ଆଦାନୀ, ନିପ୍ପନ ଷ୍ଟିଲ ଭଳି ଧାତବ ଶିଳ୍ପ ସହ ଆଇଟି, ପେଟ୍ରୋ-କେମିକାଲ, କୃଷି ଭିତ୍ତିକ ଶିଳ୍ପ ପାଇଁ ବଡ଼ ବଡ଼ କମ୍ପାନୀ ଓଡ଼ିଶାକୁ ଧାଉଁଥିଲେ । ନବୀନ ସରକାରଙ୍କ ଉଦ୍ୟମରେ ମିଳିଥିବା ପୁଞ୍ଜି ନିବେଶ ପ୍ରତିଶ୍ରୁତି ଏବେ ବାସ୍ତବ ରୂପ ନେଉଛି । ବିଜେଡ଼ି ସରକାର ବେଳେ ଶିଳ୍ପ ଅନୁକୂଳ ଭିତ୍ତିଭୂମି, ଗୋ-ସ୍ପିଫ୍ଟ ଭଳି ତ୍ବରିତ ସେବା, ଲ୍ୟାଣ୍ଡ ବ୍ୟାଙ୍କ ଯୋଗୁଁ ଶିଳ୍ପପତିମାନଙ୍କ ପ୍ରଥମ ପସନ୍ଦ ପାଲଟିଥିଲା ଓଡ଼ିଶା । ବିଜେପି ସରକାର ଆସିବା ପରେ ୨୦୨୫ ଜାନୁଆରୀରେ ଆୟୋଜନ କରିଥିଲେ ଉତ୍କର୍ଷ ଓଡ଼ିଶା । ଏହି ସମ୍ମିଳନୀରେ ୧୩ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଆସିଥିଲା ବୋଲି ସରକାର କହିଲେ । ଏଥିରୁ ୯ ଲକ୍ଷ କୋଟି ଟଙ୍କାର ଏମଓୟୁ ବି ସ୍ବାକ୍ଷରିତ ହୋଇଛି । ହେଲେ ଏସବୁ ନବୀନ ସରକାରଙ୍କ ଅବଦାନ ବୋଲି ବିଜେଡ଼ି କହିଛି । ପୋସ୍କୋକୁ ଦିଆଯାଇଥିବା ଜାଗାରେ ଜେଏସ୍ଡ଼ବ୍ଲୁ କାରଖାନା ପାଇଁ ନିଷ୍ପତ୍ତି ହୋଇଥିଲେ ବି ସରକାର ବଦଳିବା ପରେ ଏହା ଧିମେଇ ଯାଇଛି । କଂଗ୍ରେସ ମଧ୍ୟ ଶିଳ୍ପାୟନ ନେଇ ବିଜେପି ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛି ।
ଯାଜପୁରର କଳିଙ୍ଗ ନଗରରେ ଟାଟା ୬୩ ହଜାର କୋଟି ଟଙ୍କାର ପ୍ରକଳ୍ପ କରିବ । ୩୪ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି । ରାଜ୍ୟକୁ ପୁଞ୍ଜିନିବେଶ ଆଣିବାକୁ ଉତ୍କର୍ଷ ଓଡ଼ିଶା ସହ ଦେଶର ବିଭିନ୍ନ ଜାଗାରେ ରୋଡ଼ ଶୋ କରିଛନ୍ତି ବିଜେପି ସରକାର । ମେ’ ୨୨ ତାରିଖରେ ୧ ଲକ୍ଷ ୧୪ ହଜାର କୋଟି ଟଙ୍କାର ଗ୍ରାଉଣ୍ଡିଙ୍ଗ ଓ ଶୁଭାରମ୍ଭ ହେବ । ଯାଜପୁର ଜିଲ୍ଲାରେ ୧୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । କେବଳ ଏମଓୟୁ ନକରି ବାସ୍ତବ ରୂପାୟନ ପାଇଁ ସରକାର କାମ କରୁଛନ୍ତି ବୋଲି ଶିଳ୍ପ ମନ୍ତ୍ରୀ କହିଛନ୍ତି । କେନ୍ଦ୍ରାପଡ଼ାରେ ନିପ୍ପନ ଷ୍ଟିଲ, ପାରାଦୀପରେ ମିତ୍ତଲ ଓ ଜଗତସିଂହପୁରରେ ଜେଏସ୍ଡ଼ବ୍ଲୁ କାମ ଆଗଉଛି ବୋଲି ମନ୍ତ୍ରୀ କହିଛନ୍ତି ।
ଶିଳ୍ପାୟନ ପାଇଁ ସାରା ଦେଶରେ ଜଣାଶୁଣା ଓଡ଼ିଶାକୁ ପୁଞ୍ଜିନିବେଶ ଆସୁଛି । କେବଳ ଧାତବ ଶିଳ୍ପ ନୁହେଁ ବରଂ ଆଇଟି, ଆଇଟିଇଏସ୍, ଖାଦ୍ୟ ପ୍ରକ୍ରିୟାକରଣ, ଗାରମେଣ୍ଟସ୍, ପେଟ୍ରୋ-କେମିକାଲ କ୍ଷେତ୍ରରେ ମଧ୍ୟ ଅନେକ ପୁଞ୍ଜିନିବେଶ ଆସୁଥିବା ବେଳେ ଏହାକୁ ବାସ୍ତବ ରୂପ ଦେବା ପାଇଁ ଆନ୍ତରିକ ଉଦ୍ୟମର ଆବଶ୍ୟକତା ରହିଛି ।

