spot_img
Home Blog Page 803

କିଛି ଦିନରେ ବର୍ଷେ ପୂରିବ, ନିର୍ବାଚନୀ ପ୍ରତିଶୃତି ପାଳନରେ କିନ୍ତୁ ରାଜ୍ୟ ସରକାର ଫେଲ

ନନ୍ଦିଘୋଷ ବ୍ୟୁରୋ : କଣ୍ଟ ପୂରି ବର୍ଷ ପୂରିବାକୁ ଯାଉଛି। ପ୍ରତିଶୃତି ପାଳନ ପାଣିର ଗାର ପାଲଟିଛି। ସରକାର ଗଠନର ୨୪ ଘଣ୍ଟାରେ କ୍ଷତିଗସ୍ତଙ୍କୁ ନାଁ ମିଳିଲା ଚିଟଫଣ୍ଡ ଟଙ୍କା କି ଶାସନର ୧୦ମାସ ପରେ ବି ଲୋକଙ୍କ ମିଳିଲାନି ମାଗଣାରେ ୩୦୦ ୟୁନିଟ ବିଜୁଳି। ବରଂ ପୂର୍ବ ସରକାରଙ୍କ ଯୋଜନାର ନାଁ ପରିବର୍ତ୍ତନ କରି ବାହାବା ନେବା ସହ ରଙ୍ଗ ବଦଳାଇବା ନୀତିରେ ସଫଳ ହୋଇଛି ଡବଲ ଇଞ୍ଜିନ ସରକାର । ୨୦୨୪ ସାଧାରଣ ନିର୍ବାଚନରେ ଓଡିଶାବାସୀଙ୍କୁ ମଥ୍ୟା ପ୍ରତିଶୃତି ଦେଇ ବିଜେପି କ୍ଷମତା ଦଖଲ କଲା। ଶହେ ଦିନରେ ନିର୍ବାଚନୀ ପ୍ରତିଶୃତି ପାଳନ କରିବା ନାରା ଦେଇ ଲୋକଙ୍କୁ ଠକିଦେଇଛନ୍ତି ରାଜ୍ୟ ସରକାର ।

ସରକାର କେବଳ ମିଥ୍ୟା ପ୍ରଚାର ଓ ପ୍ରସାରରେ ମାତିଛନ୍ତି ବୋଲି ମୁଖ୍ୟ ବିରୋଧୀ ବିଜେଡି ଅଭିଯୋଗ କରିଛି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଅଭିଯୋଗ କରିଛନ୍ତି ଯେ ବିଜେପି ସରକାର ହେଉଛି ମିଛର ସରକାର। ବିଦେଶରୁ କଳା ଟଙ୍କା ଆଣି ପ୍ରତ୍ୟେକ ଲୋକଙ୍କ ଖାତାକୁ ୧୫ ଲକ୍ଷ ଟଙ୍କା ଦେବା ପରି ଓଡିଶାରେ ବିଜେପି ନିର୍ବାଚନୀ ପ୍ରତିଶୃତି ଦେଇଥିଲା । ବର୍ଷ ପୂର୍ତ୍ତିରେ ବିଜେପି ଦେଇଥିବା ନିର୍ବାଚନୀ ପ୍ରତିଶୃତି କେତେ ପାଳନ କରିଛି ତାହାର ଶ୍ବେତପତ୍ର ଜାରୀ କରିବାକୁ ବିଜେଡି ଦାବି କରିଛି । ପ୍ରମିଳା ମଲ୍ଲିକ ଯୁକ୍ତି ହେଉଛି ବିଜେପି ଶାସନ କରିବା ଦିନଠାରୁ ଗାଁ ଗାଁରେ ବିକାଶ କାମ ସଂପୂର୍ଣ୍ଣ ଠପ ହୋଇଯିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି । ଦରଦାମରେ ଆକାଶ ଛୁଆଁ ହୋଇଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି ।

ସେପଟେ କଂଗ୍ରେସ ମଧ୍ୟ ବିଜେପିର ଡବଲ ଇଂଜିନ ସରକାର ଉପରେ ବର୍ଷଛି । ଓଡିଆ ଅସ୍ମିତାର ନାରା ଦେଇ ସରକାରକୁ ଆସିଥିବା ବିଜେପି ଓଡିଆମାନଙ୍କ ମନକୁ କଠୋର ଆଘାତ ଦେଉଛି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରଶ୍ନ କରିଛନ୍ତି ଓଡ଼ିଆ ଅସ୍ମିତା ଆଜି କେଉଁଠି ? ଓଡ଼ିଶାରେ ଓଡ଼ିଆ ଲୋକ ରହିବାକୁ ଚାହୁଛନ୍ତି । ହେଲେ ପଡୋଶୀ ରାଜ୍ୟ ସେ ଅଧିକାର ଛଡ଼ାଇ ନେଉଛନ୍ତି । ବିଜେପି ସରକାରରେ ମହିଳା ଓ ନାବାଳିକାମାନେ ଅସୁରକ୍ଷିତ ହୋଇ ପଡିଥିବା ବେଳେ ସୁଭଦ୍ରା ଯୋଜନାରେ ଲୋଭ ଦେଖାଇ ମହିଳାଙ୍କୁ ଠକିଛନ୍ତି ରାଜ୍ୟ ବିଜେପି ସରକାର । ତେଣୁ ବର୍ଷପୂର୍ତ୍ତିରେ ଓଡ଼ିଶାବାସୀଙ୍କ ପାଖରେ ଶ୍ୱେତପତ୍ର ଜାରି କରନ୍ତୁ ବୋଲି କଂଗ୍ରେସ ଦାବି କରିଛି । ବିଜେଡି ବିଧାୟକ ମାଧବ ଧଡା କହିଛନ୍ତି ବିଜେପି ସରକାର କେବଳ କଥା କୁହା ସରକାର । ଯାହାର ଜବାବ ଦେଇଛି ବିଜେପି ।

ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ ସୟିଦର ଗୁପ୍ତ ଆଡ୍ଡାସ୍ଥଳୀ ଠାବ

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନର ସବୁଠୁ ବଡ଼ ଆତଙ୍କବାଦୀ ତଥା ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ ସୟିଦର ଗୁପ୍ତ ଆଡ୍ଡାସ୍ଥଳୀ ଠାବ। ପାକିସ୍ତାନର ଲାହୋରରେ ହାଫିଜ ସୟିଦର ଆଡ୍ଡାସ୍ଥଳୀ ଠାବ ହୋଇଛି। ହାଇସିକ୍ୟୁରିଟିରେ ରହୁଛି ହାଫିଜ ସୟିଦ। ପହଲଗାଓଁ ସମେତ ଭାରତର ଅନେକ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି  ହାଫିଜ। ସେ ଲାହୋରରେ ଏକ ଜନଗହଳିପୂର୍ଣ୍ଣ ଇଲାକାରେ ରହୁଛି। ଭାରତ ପାଇଁ ସେ ହେଉଛି ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ।

ନିକଟରେ କିଛି ସାଟେଲାଇଟ୍ ଚିତ୍ର ଏବଂ ଭିଡିଓ ଜରିଆରେ ହାଫିଜ ସୟିଦ ଲାହୋରରେ ଥିବା ଜଣାପଡିଛି ।  ଏହି ଫଟୋ ଗୁଡିକରେ ହାଫିଜର ଘର ସ୍ପଷ୍ଟ ଭାବେ ଦେଖାଯାଉଛି । ହାଇସିକ୍ୟୁରିଟି ଭିତରେ ଜନଗହଳି ପୂର୍ଣ୍ଣ ଇଲାକାରେ ଆରମରେ ଜୀବନ ବିତାଉଛି ଏହି ଆତଙ୍କବାଦୀ । କୁହାଯାଉଛି ଯେ ହାଫିଜର ୩ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀୟ ତାର ବ୍ୟକ୍ତିଗତ ସୁରକ୍ଷା କର୍ମୀ ମଧ୍ୟ ୨୪ ଘଣ୍ଟା ସଜାଗ ରହୁଛନ୍ତି । ଯେଉଁଥିରେ ସେ ନିଜ ପରିବାର ସହ ଏକ କୋଠାରେ ରହୁଥିବା ଦେଖିବାକୁ ମିଳିଛି ।

ଅକ୍ଷୟ ତୃତୀୟା ଅବସରରେ ରଥଯାତ୍ରା ପାଇଁ ଅନୂକୂଳ ହେଲା ରଥକାମ

ନନ୍ଦିଘୋଷ ବ୍ୟୁରାେ : ବୈଶାଖ ଶୁକ୍ଳ ତୃତୀୟା, ପବିତ୍ର ଅକ୍ଷୟ ତୃତୀୟା । ବିଶ୍ବ ପ୍ରଶିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ହେଲା ଶୁଭାରମ୍ଭ । ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଛନ୍ତି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଗୋଟିଏ ଧଉରା କାଠରେ ସୁନା କୁରାଢି ସ୍ପର୍ଶ କରାଯାଇଛି ।

ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥିଲା । ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣ ବନଯାଗ ବିଧିରେ ରଥ ନିର୍ମାଣର ଅନୁକୂଳ କରିଛନ୍ତି । ରୂପକାର, କମାର, ଚିତ୍ରକର, ଭୋଇ, ଅମୀନସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳିତ ହୋଇଥିଲା । ଚତୁର୍ଥୀଠାରୁ ଶ୍ରୀନଅର ସମ୍ମୁଖ ଚାଳିଆରେ ୩ଟି ରଥ ତିଆରିର ଶୁଭାରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ଚକ ପାଇଁ ତୁମ୍ଭ ନିର୍ମାଣ କରିବେ ମହାରଣା ସେବାୟତ । ଏଥିପାଇଁ ଶ୍ରୀନଅର ସାମ୍ନାରେ ପ୍ରସ୍ତୁତ ରଥଖଳାରେ ଆସି ପହଞ୍ଚି ସାରିଛି କାଠ । ପରବର୍ତ୍ତୀ ପର୍ଯ୍ୟାୟରେ ରଥ ନିର୍ମାଣ ପାଇଁ ଆବଶ୍ୟକ ଥିବା କାଠ ପହଞ୍ଚିବ ।

ଢେଙ୍କାନାଳ ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରୀଷ୍ଣା ନାୟକ ଗିରଫ

ନନ୍ଦିଘୋଷ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଜିଲ୍ଲା ଅବକାରୀ ଅଧୀକ୍ଷକ । ୩ଲକ୍ଷ ଟଙ୍କା ସହ ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକଙ୍କୁ କାବୁ କଲା ଭିଜିଲାନ୍ସ। ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଆଗରୁ ଧରିଛି ଭିଜିଲାନ୍ସ। ନିଶା ବେପାରୀଙ୍କୁ ଅନୁକମ୍ପା ଦେଖାଇବା ପାଇଁ ଲାଞ୍ଚ ଟଙ୍କା ନେଇଥିଲେ ଅବକାରୀ ଅଧୀକ୍ଷକ ଜଣକ । ପୂର୍ବରୁ ତାଙ୍କ ନାଁରେ ଭିଜିଲାନ୍ସ ନିକଟରେ ପିଟିସନ ପଡିଥିବା ସୂଚନା ମିଳିଛି।

ଆୟଭିର୍ଭୂତ ସମ୍ପତ୍ତି ଅଭିଯୋଗରେ ଢେଙ୍କାନାଳ ଅବକାରୀ ଅଧୀକ୍ଷକଙ୍କୁ କ୍ରୀଷ୍ଣା ନାୟକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କଲା ଭିଜିଲାନ୍ସ। ନିଜ ସ୍କର୍ପିଓ ଗାଡ଼ିରେ ବେନାମୀ ଟଙ୍କା ନେଇ ଅଫିସରୁ ଘରକୁ ଯାଉଥିବା ବେଳେ ମାଡି ବସିଥିଲ ଭିଜିଲାନ୍ସ। ଗତକାଲି ପାଞ୍ଚଟି ସ୍ଥାନରେ ଚଢାଉ କରିବା ସହ ଦୁଇଟି ପୁରୀ ଓ କଟକ ରେ ବହୁତଳ କୋଠା, ଆଠଟି ଦାମୀ ପ୍ଲଟ୍ ଶହ ଦୁଇଟି ବେନାମୀ କାର ଜବତ ହୋଇଛି । ଏନେଇ ସୂଚନା ଦେଇଛନ୍ତି  ଭିଜିଲାନ୍ସ ଏସପି ଏମ ରାଧାକୃଷ୍ଣ।

ଡବଲ ଇଞ୍ଜିନ ସରକାରରେ ଡବଲ ଅବହେଳା ; ଅନ୍ତ୍ୟୋଦୟରେ ଘର ନିର୍ମାଣ ପାଇଁ ମିଳୁନି ପ୍ରଥମ କିସ୍ତି ଟଙ୍କା

ନନ୍ଦିଘୋଷ ବ୍ୟୁରୋ : ଡବଲ ଇଞ୍ଜିନ ସରକାରରେ ଡବଲ ଅବହେଳା । ଅନ୍ତ୍ୟୋଦୟରେ ଘର ନିର୍ମାଣ ପାଇଁ ମିଳିଛି କାର୍ଯ୍ୟାଦେଶ । ହେଲେ ୨୮ ଦିନ ବିତିଯାଇଥିଲେ ବି ମିଳୁନି ପ୍ରଥମ କିସ୍ତି ଟଙ୍କା । ହିତାଧିକାରୀଙ୍କୁ ଏବେ ସରକାରଙ୍କ ଘୋଷଣା ଲାଗୁଛି ଦିବା ସ୍ବପ୍ନ । ଭିନ୍ନକ୍ଷମ ଓ ବିଧବା ମାନଙ୍କୁ ରହିବା ସୁବିଧା କରିବା ପାଇଁ ସରକାର ମାର୍ଚ୍ଚ ମାସ ୩୦ ତରିଖ ଦିନ ରାଜ୍ୟର ସମସ୍ତ ବ୍ଲକରେ ଅନ୍ତୋଦୟ ଆବାସ ଯୋଜନରେ କାର୍ଯ୍ୟଦେଶ ବଣ୍ଟନ କରିଥିଲେ । ଏଥିରେ ସମସ୍ତ ହିତାଧିକାରୀ ଖୁସି ହୋଇ ପଡିଥିଲେ | ନବରଙ୍ଗପୁର ଜିଲ୍ଲାରେ ଥିବା ଦଶ ଗୋଟି ବ୍ଲକରେ ୨ ହଜାର ୬୨ ଜଣ ଙ୍କୁ ତାଲିକା ଭୁକ୍ତ କରି କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । କିନ୍ତୁ ବିଡମ୍ବନା ର ବିଷୟ କାର୍ଯ୍ୟଦେଶ ଦେବାର ୨୫ ଦିନ ପରେ ମଧ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଆବାସ ଯୋଜନା ବାବଦରେ ପ୍ରଥମ କିସ୍ତି ଟଙ୍କା ଜମା ହୋଇନାହିଁ । ଯାହାକୁ ନେଇ ମାନସିକ ଅଶାନ୍ତିରେ ହିତାଧିକାରୀ ।

ପାପଡାହାଣ୍ଡି ବ୍ଲକ ସଦର ପଞ୍ଚାୟତର ଲେମ୍ବୁଧର ଅମାନାତ୍ୟ ଓ ମଧୁ ପୂଝରୀ କାର୍ଯ୍ୟାଦେଶ ପାଇବା ପରେ ଘର କାମ ପାଇ ବାଲି, ଇଟା, ପଥର, ଜମା କରିଛନ୍ତି । ଏହି ସାମଗ୍ରୀ ବାବଦକୁ ମାଲିକକୁ ଟଙ୍କା ଦେବାର ଅଛି । କିନ୍ତୁ ନିଜ ପାଖରେ ଟଙ୍କା ନାହିଁ | ଅନ୍ୟପଟେ ହିତାଧିକାରୀ ନିଜ କୁଡ଼ିଆ ଭାଙ୍ଗି ଦେଇ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି | ପ୍ରଥମ କିସ୍ତି ଟଙ୍କା କାର୍ଯ୍ୟାଦେଶ ଦେବା ପରେ ସଙ୍ଗେ ସଙ୍ଗେ ପାସବୁକ କୁ ଟଙ୍କା ଆସିବା କଥା, କିନ୍ତୁ ଟଙ୍କା ନଆସିବାରୁ ହିତାଧିକାରୀ ହତାଶ ହୋଇ ପଡିଛି । କାର୍ଯ୍ୟାଦେଶ ମିଳିବାର ୧୨୦ଦିନ ଭିତରେ ଘର କାମ ଶେଷ କଲେ ସରକାର ହିତାଧିକାରୀଙ୍କୁ ବୋନସ ବାବଦରେ ୨୦ ହଜାର ଟଙ୍କା ଦେଇଥାନ୍ତେ । ହେଲେ ଏପର୍ଯ୍ୟନ୍ତ ପ୍ରଥମ କିସ୍ତି ମିଳିନଥିବା ବେଳେ କିଭଳି ଶୀଘ୍ର ଘର କାମ ସାରିବେ ସେନେଇ ଚିନ୍ତାରେ ହିତାଧିକାରୀ ।

ବରଗଡ଼ ଜିଲ୍ଲା ପଦ୍ମପୁରରେ ଅଘଟଣ : ବଜ୍ରପାତ ନେଲା ୨ ଜଣଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ : ବରଗଡ଼ ଜିଲ୍ଲା ପଦ୍ମପୁରରେ ଅଘଟଣ। ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ। ଲଖମରା ଗାଁରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ
ଆଶିଷ ମେହେର ଓ ତାଙ୍କର ବଡ଼ମା ମମତା ମେହେର। ଆଜି ସକାଳୁ ବର୍ଷା ପାଗ ଲାଗି ରହିଥିବା ବେଳେ ବଡ଼ମା ଓ ପୁତୁରା ଚାଷ ଜମିକୁ ଯାଇଥିଲେ। ବିଲରେ କାମ କରୁଥିବା ବେଳେ ବର୍ଷା ସହିତ ଘଡଘଡି ହେବାରୁ ସେଠାରେ ନିର୍ମିତ ଅସ୍ଥାୟୀ ଘରେ ଆଶ୍ରୟ ନେଇଥିଲେ। ସେହି ସମୟରେ ବଜ୍ରାଘାତ ହୋଇଥିଲା। ମମତା ମେହେର ସଂପୂର୍ଣ୍ଣ ଜଳିଯାଇଥିଲେ। ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଆଶିଷ ମେହେରଙ୍କୁ ଗୁରୁତର ଅବସ୍ଥାରେ ପଦ୍ମପୁର ହସପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ଆଶିଷଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ବଡ଼ମାଁ ଓ ପୁତୁରାଙ୍କ ମୃତ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଦେଶରେ ହେବ ଜାତିଭିତ୍ତିକ ଜନଗଣନା,କ୍ୟାବିନେଟ ବୈଠକ ପରେ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

ନନ୍ଦିଘୋଷ ବ୍ୟୁରୋ : ଏଥରକ କେନ୍ଦ୍ର ସରକାର କରିବେ ଜାତିଭିତ୍ତିକ ଜନଗଣନା। ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଜନଗଣନାରେ ଜାତି ଆଧାରରେ ଜନଗଣନା କରାଯିବ। ଜାତିଭିତ୍ତିକ ଜନଗଣନା ପାଇଁ ପୂର୍ବରୁ ବିଜେଡି ସମେତ ଅନ୍ୟ ରାଜନୈତିକ ଦଳ ଦାବି କରି ଆସୁଥିଲେ। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଜାତିଭିତ୍ତିକ ଜନଗଣନା ପାଇଁ ବିଜେଡି ପକ୍ଷରୁ ଦାବି ହୋଇ ଆସୁଥିଲା। ଗତ ବିଧାନସଭା ଅଧିବେଶନରେ ୪ ଦିନ ଧରି ଏ ସମ୍ପର୍କରେ ଆଲୋଚନା ଦାବି କରିଥିଲା ବିଜେଡି। ବିଧାନସଭା ପରିକ୍ରମା କରିବା ସହ ଏଜି ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲା ବିଜେଡି। ଜାତିଭିତ୍ତିକ ଜନଗଣନା ହେଲେ ପ୍ରକୃତରେ କିଏ ପଛୁଆ ବର୍ଗ ଓ କିଏ ଆର୍ଥିକ ଅନଗ୍ରସର ଅଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଇ ପାରିବ।

ପାକିସ୍ତାନ ସୀମାରେ ପଞ୍ଜାବ ସରକାରଙ୍କ ତରଫରୁ ଲାଗିଲା ଆଣ୍ଟି ଡ୍ରୋନ୍ ସିଷ୍ଟମ

ନନ୍ଦିଘୋଷ ବ୍ୟୁରୋ : ଭାରତ-ପାକିସ୍ତାନ ସୀମାରେ ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାରଙ୍କ ବଡ଼ ନିଷ୍ପତ୍ତି ।  ପାକିସ୍ତାନ ସୀମାରେ ପଞ୍ଜାବ ସରକାରଙ୍କ ତରଫରୁ ଲାଗୁ କରାଯାଇଛି ଆଣ୍ଟି ଡ୍ରୋନ୍ ସିଷ୍ଟମ । ପାକିସ୍ତାନର ଡ୍ରୋନ୍ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୀମା ସେପଟୁ ଭାରତ ଭିତରକୁ ଅସ୍ତ୍ରଶସ୍ତ୍ର ଓ ଡ୍ରଗସ ଚାଲାଣକୁ ପ୍ରତିହତ କରିବାକୁ ଏହି ପଦକ୍ଷେପ ନିଆଯାଇଛି। ପାକିସ୍ତାନର ଡ୍ରୋନକୁ ଏବେ ତୁରନ୍ତ କରାଯାଇପାରିବ ଚିହ୍ନଟ ଏବଂ ଦେଖିବା ମାତ୍ରେ ଗୁଳି କରି ତାକୁ ଖସାଇ ଦିଆଯିବ। ଏହା ଦ୍ଵାରା ବିଫଳ ହେବ ପାକିସ୍ତାନର ଷଡ଼ଯନ୍ତ୍ର।

ପଞ୍ଜାବ ସିଏମଓଙ୍କ ସୂଚନା ଅନୁଯାୟୀ, ଡ୍ରୋନ ବିରୋଧୀ ସିଷ୍ଟମ ନିୟୋଜିତ ହେବା ପରେ, ପାକିସ୍ତାନରୁ ଆସୁଥିବା ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ପଠାଇବାର ଷଡ଼ଯନ୍ତ୍ର ପଣ୍ଡ ହୋଇଯିବ ଏବଂ ଅନ୍ୟ ଡ୍ରୋନଗୁଡ଼ିକୁ ମଧ୍ୟ ଗୁଳି କରି ଖସାଇ ଦିଆଯାଇପାରିବ। ଏହି ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ, ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ଏବେ ଅନୁପ୍ରବେଶକାରୀ ପାକିସ୍ତାନୀ ଡ୍ରୋନଗୁଡ଼ିକୁ ତୁରନ୍ତ ଟ୍ରାକ୍ ଏବଂ ନଷ୍ଟ କରାଯାଇପାରିବ।

ଅନ୍ୟପକ୍ଷରେ ପହଲଗାଓଁ ଆକ୍ରମଣ ପରେ, ଗତ କିଛି ଦିନ ଧରି ନିୟନ୍ତ୍ରଣ ସୀମାରେ ପାକିସ୍ତାନ ପକ୍ଷରୁ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରହିଛି। ଭାରତୀୟ ସେନାର ସୂଚନା ଅନୁଯାୟ, ୨୯ ଏବଂ ୩୦ ଏପ୍ରିଲ ମଧ୍ୟରାତ୍ରିରେ, ପାକିସ୍ତାନ ସେନା ଜମ୍ମୁ ଏବଂ କାଶ୍ମୀରର ବିଭିନ୍ନ ସେକ୍ଟରରେ LoC ପାର ହୋଇ ଛୋଟ ଅସ୍ତ୍ରଶସ୍ତ୍ରରୁ ଗୁଳିଚାଳନା ଆରମ୍ଭ କରିଥିଲା, ଯାହା ପରେ ଭାରତୀୟ ସେନା ତୁରନ୍ତ ଉପଯୁକ୍ତ ଜବାବ ଦେଇଥିଲା

ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ ପୁନର୍ଗଠନ, ଆଲୋକ ଯୋଶୀ ନୂଆ ଅଧ୍ୟକ୍ଷ

ନନ୍ଦିଘୋଷ ବ୍ୟୁରୋ : ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ ପୁନର୍ଗଠନ କରିଛନ୍ତି କେନ୍ଦ୍ର ସରକାର। ଆଲୋକ ଯୋଶୀ ହେଲେ ନୂଆ ଅଧ୍ୟକ୍ଷ। RAWର ପୂର୍ବତନ ମୁଖ୍ୟ ହେଉଛି ଆଲୋକ ଯୋଶୀ। ଏହି ୭ ଜଣିଆ କମିଟିର ଅନ୍ୟ ସଦସ୍ୟ ହେଲେ ଏୟାର ମାର୍ଶାଲ ପିଏମ୍ ସିହ୍ନା, ଲେଫଟନାଣ୍ଟ ଜେନେରାଲ ଏକେ ସିଂହ, ରିଅର୍ ଆଡମିରାଲ ମଣ୍ଟି ଖାନ୍ନା, ପୂର୍ବତନ ଆଇପିଏସ୍ ଅଧିକାରୀ ରାଜୀବ ରଂଜନ ଓ ମନମୋହନ ସିଂହ, ପୂର୍ବତନ IFS ଅଧିକାରୀ ବି. ଭେଙ୍କଟେଶ ବର୍ମା। ପହଲଗାଓଁ ଆକ୍ରମଣ ପରବର୍ତ୍ତୀ ପରିସ୍ଥିତିରେ ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡର ପୁନର୍ଗଠନ କରିଛନ୍ତି କେନ୍ଦ୍ର ସରକାର।

ଟୁଇନସିଟିରେ କଡା ସୁରକ୍ଷା ବ୍ୟବସ୍ଥା, ସ୍ପେଶାଲ ସର୍ଭେଲାନ୍ସରେ ଭୁବନେଶ୍ବର

ଭୁବନେଶ୍ବର: ପହଲଗାଓଁ ଘଟଣା ପରେ ଟୁଇନସିଟିରେ କଡା ସୁରକ୍ଷା । ସ୍ପେଶାଲ ସର୍ଭେଲାନ୍ସରେ ରାଜ୍ୟର ରାଜଧାନୀ ଭୁବନେଶ୍ବର। ସିକ୍ୟୁରିଟି ବ୍ୟବସ୍ଥାକୁ କଡାକଡି କରାଯାଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର । ସାଦା ପୋଷାକରେ ପୋଲିସର ସ୍ପେଶାଲ ଅଫିସର ନିରୀକ୍ଷଣ କରୁଛନ୍ତି । ସନ୍ଦିଗ୍ଧଙ୍କ ଉପରେ କଡା ନଜର ରହିଛି । ସିସିଟିଭି ସବୁ ଯାଞ୍ଚ କରାଯାଉଛି । ପୂର୍ବାପେକ୍ଷା  ଆହୁରି କଡାକଡି ଭାବେ ସହରର ପ୍ରବେଶ ଓ ପ୍ରସ୍ଥାନ ପଥରେ ପୋଲିସ ମୁତୟନ କରାଯାଇଛି । ସମ୍ବେଦନଶୀଳସ୍ଥାନ ଓ ଜନଗହଳି ପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ କମିଶନରେଟ ପୋଲିସ ପ୍ରସ୍ତୁତ ଥିବା କହିଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ।