spot_img
Home Blog Page 806

ଯେକୌଣସି ମୁହୂର୍ତ୍ତରେ ସେନା ନେଇପାରେ ବଡ଼ ପଦକ୍ଷେପ

ନନ୍ଦିଘୋଷ ବ୍ୟୁରୋ: ଯେକୌଣସି ମୁହୂର୍ତ୍ତରେ ସେନା ନେଇପାରେ ବଡ଼ ପଦକ୍ଷେପ। ଆକ୍ସନ ପାଇଁ ସେନାକୁ ଦିଆଯାଇଛି ପୂରା କ୍ଷମତା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ସେନାକୁ ଏଭଳି କ୍ଷମତା ଦେଇଥିବା ସୂଚନା ମିଳିଛି। ଆତଙ୍କବାଦକୁ କଡା ଜବାବ ଦିଆଯିବ। ସେନା ସ୍ଥିର କରିବ କେତେବେଳେ କଣ କରାଯିବ। କିପରି ଜବାବ ଦିଆଯିବ ସେନେଇ ସେନା ନିଷ୍ପତ୍ତି ନେବ। ଆତଙ୍କବାଦକୁ ନିପାତ କରାଯିବ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବୈଠକ ବସିଥିଲା। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ, CDS ଅନୀଲ ଚୌହ୍ବାନ ଉପସ୍ଥିତ ଥିଲେ। ବୈଠକ ପରେ ଗୃହମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସବିଶେଷ ଆଲୋଚନା କରିଛନ୍ତି। ପହଲଗାଓଁ ଆକ୍ରମଣ ପରିପ୍ରେକ୍ଷୀରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଆସନ୍ତାକାଲି ସିସିଏସ ବୈଠକ ବସିବ । ତାପୂର୍ବରୁ ପହଲଗାଓଁ ଆକ୍ରମଣ ନେଇ ବିସ୍ତୃତ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି।

ନାହିଁ ନାହିଁରେ ଚାଲିଛି ବରଗଡ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ

ନନ୍ଦିଘୋଷ ବ୍ୟୁରୋ: ବାହାର ଚକାଚକ ଭିତର ଫମ୍ପା । ନାହିଁ ନାହିଁରେ ଚାଲିଛି ବରଗଡ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ । ମେଡିକାଲରେ ନା ଅଛନ୍ତି ଆବଶ୍ଯକୀୟ ଡାକ୍ତର ନା କର୍ମଚାରୀ । ଅନ୍ଯାନ୍ଯ ବ୍ଯବସ୍ଥା କଥା ତ ନ କହିଲେ ଚଳେ । ଅନେକ ସମୟରେ ଗୁରୁତର ରୋଗୀଙ୍କୁ ଖେଦାପାଲିକୁ ରେଫର କରିଦିଆଯାଉଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ନାହିଁ ନାହିଁରେ ଚାଲିଛି ମେଡିକାଲ । ନିର୍ମାଣ ହୋଇଛି ୭ ମହଲା ବିଶିଷ୍ଟ ବିରାଟକାୟ କୋଠା । ବାହାର ଚକାଚକ । ହେଲେ ନା ମେଡିକାଲରେ ଅଛନ୍ତି ଆବଶ୍ଯକୀୟ ଡାକ୍ତର ନା କର୍ମଚାରୀ । ଏ ହେଉଛି ବରଗଡ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ । ମେଡିକାଲରେ ଆବଶ୍ଯକୀୟ ଡାକ୍ତର ନଥିବା ବେଳେ ରୋଗୀଙ୍କ ପାଇଁ ବେଡ ମଧ୍ଯ ନାହିଁ । ବେଡ ଅଭାବରୁ ରୋଗୀ ତଳେ ଗଡୁଛନ୍ତି । ସେହିପରି ସରକାରୀ ଔଷଧ ମଧ୍ଯ ମିଳୁନି । ସାଲାଇନ ଲଗାଇବାକୁ ଷ୍ଟାଣ୍ଡ ପାଇଁ ରୋଗୀଙ୍କୁ ହନ୍ତସନ୍ତ ହେବାକୁ ପଡୁଛି । ଅନେକ ସମୟରେ ଗୁରୁତର ରୋଗୀଙ୍କୁ ଖେଦାପାଲିକୁ ରେଫର କରିଦିଆଯାଉଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଲାଣି ।

୧୯ ଗୋଟି ୱାର୍ଡ଼ ବିଶିଷ୍ଟ ବରଗଡ଼ ସହରରେ ୧ ଲକ୍ଷ ୧୬ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି । ହେଲେ ଜିଲ୍ଲା ଚିକିତ୍ସାଳୟରେ ଏଭଳି ଅବସ୍ଥା କାରଣରୁ ରୋଗୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାଧ୍ୟ ହୋଇ ଉନ୍ନତ ଚିକିତ୍ସା ପାଇଁ  ଲୋକମାନେ ଘରୋଇ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି । ଯଦି ବରଗଡ଼ ଜିଲ୍ଲା ମୁଖ୍ୟାଳୟ ଠାରେ ସ୍ୱାସ୍ଥ୍ୟ ସେବାର ଏପରି ନଗ୍ନ ନମୁନା ଦେଖିବାକୁ ମିଳୁଛି ତେବେ ଗ୍ରାମାଞ୍ଚଳରେ କିପରି ରହିଥିବ ସ୍ୱାସ୍ଥ୍ୟ ସେବା ତାହା ସହଜରେ ଅନୁମାନ କରାଯାଇପାରେ l ଏପଟେ ସ୍ଥାନୀୟ ବିଧାୟକ କହିଛନ୍ତି, ଆଗାମୀ ୬ ମାସ ମଧ୍ୟରେ ସ୍ବାସ୍ଥ୍ୟ ସେବାରେ ଅନେକ ଗୁଡ଼ିଏ ପରିବର୍ତ୍ତନ ଅଣାଯିବ । ଅବହେଳିତ ସ୍ୱାସ୍ଥ୍ୟ ସେବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଆନ୍ଦୋଳନ ମୁହାଁ ହେଲେଣି ଲୋକେ l

ଯୁଦ୍ଧ ଭୟରେ ହସପିଟାଲରେ ସରିଫ ?

ନନ୍ଦିଘୋଷ ବ୍ୟୁରୋ: ଭାରତର ଆକ୍ରମଣ ଭୟ ଭିତରେ ଚର୍ଚ୍ଚା ହେଉଛି ଯେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ପ୍ରକୃତରେ ସେ କାହିଁକି ହସପିଟାଲରେ ଭର୍ତ୍ତି ହୋଇଛନ୍ତି, ତାହା ସ୍ପଷ୍ଟ ହୋଇନଥିଲେ ମଧ୍ଯ ଭାରତର ଆକ୍ରମଣ ଭୟରେ ସେ ଏପରି ଅଭିନୟ କରୁଥିବା ଚର୍ଚ୍ଚା ହେଉଛି। ଗତକାଲି ବଡ଼ଭାଇ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ତାଙ୍କୁ ପରାମର୍ଶ ଦେଇଥିଲେ, ଭାରତ ସହିତ ଲାଗନି, ଫସିଯିବ।  ସେପଟେ ଆଉ ଏକ ବଡ଼ କଥା ହେଲା କିଛି ଦିନ ହେଲାଣି ପାକିସ୍ତାନ ଆର୍ମି ଚିଫ୍ ଙ୍କ ପତ୍ତା ମିଳୁନି। ମାନେ କୌଣସି ସରକାର କାର୍ଯ୍ୟକ୍ରମ କି ବୈଠକରେ ତାଙ୍କୁ ଦେଖିବାକୁ ମିଳୁନି। ଚର୍ଚ୍ଚା ହେଉଛି, ସେ ଦେଶ ଛାଡ଼ି ପଳାଇଲେଣି। ଏପରିକି ପାକିସ୍ତାନରେ ସୋସିଆଲ ମିଡିଆରେ ଟ୍ରେଣ୍ଡ ଚାଲିଛି ମୁନିର୍ ଇଜ୍ ଆଉଟ୍ । ଆଗରୁ ସେ ନିଜ ପରିବାରକୁ ପାକିସ୍ତାନରୁ ବିଦେଶକୁ ପଠାଇ ଦେଇଥିଲେ। ଏବେ ନିଜେ ମଧ୍ୟ ପାକିସ୍ତାନ ଛାଡ଼ି ପଳାଇଛନ୍ତି ବୋଲି ଚର୍ଚ୍ଚା ହେଉଛି।

ବାରଙ୍ଗରେ ମାତିଛନ୍ତି ମୋରମ ମାଫିଆ

ନନ୍ଦିଘୋଷ ବ୍ୟୁରୋ: ବାରଙ୍ଗରେ ସକ୍ରିୟ ମୋରମ ମାଫିଆ, ନିଷ୍କ୍ରିୟ ପୋଲିସ । ବେଧଡକ ଲୁଟୁଛନ୍ତି ଲଘୁ ଖଣିଜ ସଂପଦ । ରାଜସ୍ଵ ହରାଉଛନ୍ତି ସରକାର । ପ୍ରଶାସନ ନିକଟରେ ଅଭିଯୋଗ ପରେ ବି ହେଉନି କାର୍ଯ୍ଯାନୁଷ୍ଠାନ । ସେପଟେ ଖଣି ବନ୍ଦ କରିବା ପରିବର୍ତ୍ତେ ମାଫିଆଙ୍କୁ ବାରଙ୍ଗ ପୋଲିସ ସୁରକ୍ଷା ଦେଉଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ ।

ବାରଙ୍ଗରେ ମାତିଛନ୍ତି ମୋରମ ମାଫିଆ । ବେଧଡକ ଲୁଟୁଛନ୍ତି ଲଘୁ ଖଣିଜ ସଂପଦ । ଦିନ ରାତି ଶହ ଶହ ଟ୍ରିପ ମୋରମ ଓ ମାଟି, ବାଲି ଖୁଲମଖୁଲା ଚୋରା ଚାଲାଣ ହେଉଛି । ରାଜସ୍ଵ ହରାଉଛନ୍ତି ସରକାର । ହେଲେ ସବୁ ଜାଣି ଚୁପ ବସିଛି ପ୍ରଶାସନ । କଟକ ଜିଲ୍ଲା ବାରଙ୍ଗ ତହସିଲ ଅନ୍ତର୍ଗତ ରାମଦାସପୁର , ଗୋବିନ୍ଦପୁର , ତ୍ରିଶୂଳିଆ , ବେଲଗଛିଆ ଆଦି ବିଭିନ୍ନ ଅଞ୍ଚଳରୁ ପ୍ରତ୍ଯେକ ଦିନ ମୋରମ, ମାଟି ଓ ବାଲି ଲୁଟୁଛନ୍ତି ମାଫିଆ । ଥରେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ କିଭଳି ରାତିରେ ବେଆଇନ ଭାବେ ମେସିନ ଲଗାଇ ଉଠାଯାଉଛି ମୋରମ । ସେପଟେ ମୋରମ ନେବା ପାଇଁ ଧାଡ଼ି ବାନ୍ଧି ଛିଡା ହୋଇଛି ହାଇୱା । ଏହି ଚିତ୍ରରୁ ଆପଣମାନେ ସ୍ପଷ୍ଟ ଜାଣିପାରୁଥିବେ କିଭଳି ଚାଲିଛି ମୋରମ ଚୋରା ଚାଲାଣ ।

ବାରଙ୍ଗ ଅଞ୍ଚଳରେ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ହେଉଥିବା ନେଇ ସ୍ଥାନୀୟ ଲୋକମାନେ ବାରମ୍ବାର ଜିଲ୍ଲା ପ୍ରଶାସନ, ଖଣି ବିଭାଗ, ବାରଙ୍ଗ ତହସିଲ ଓ ଥାନାରେ ଅଭିଯୋଗ କରିଛନ୍ତି ହେଲେ ଫଳ ଶୂନ । ଏଠି ପ୍ରଶ୍ନ ଉଠୁଛି- କାହିଁକି ହେଉନି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ? ଖଣି ମାଫିଆଙ୍କ ପଛରେ ରହିଛି କି ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ? ଯଦିବି କେହି ପ୍ରଭାବଶାଳୀ ବ୍ୟକ୍ତି ଅଛନ୍ତି ତେବେ କିଏ ସେହି ବ୍ୟକ୍ତି  ? କାହିଁକି ଚୁପ ବସିଛି ପୋଲିସ । ଏସବୁର ତଦନ୍ତ କରାଯାଇ ଲଘୁ ଖଣିଜ ସଂପଦ ଲୁଟ ଉପରେ ରୋକ ଲଗାଇବାକୁ ଦାବି ହୋଇଛି । ଏପଟେ ଜିଲ୍ଲାପାଳ କହିଛନ୍ତି, ଅଭିଯୋଗ ଆସିଲେ ତା ଉପରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ।

ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ହେଉଥିବାରୁ, ଚୋରିରେ ରୋକ ଲଗାଇବାକୁ କିଛି ଦିନ ପୂର୍ବରୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ପୋଲିସ ଡ଼ିଜି Y.B ଖୁରାନିଆ ବେଆଇନ ଖଣି ଉପରେ ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ବାରଙ୍ଗରେ ତାହା ପାଳନ ହେଉନି । ବେଆଇନ ଖଣି ଉପରେ କେବେ ଚଢ଼ାଉ କରାଯାଉଛି ତାହା ଦେଖିବାକୁ ବାକି ରହିଲା ।

’ଟେନସନ ଦେଉଛି ଆୟୁଷ୍ମାନ ଯୋଜନା’

ନନ୍ଦିଘୋଷ ବ୍ୟୁରୋ: ଟେନସନ ଦେଉଛି ଆୟୁଷ୍ମାନ ଯୋଜନା । ଆୟୁଷ୍ମାନ କାର୍ଡ ନଥିବାରୁ ମିଳିଲାନି ମାଗଣା ଚିକିତ୍ସା । ବାଧ୍ଯ ହୋଇ ରାଜ୍ଯ ବାହାରୁ ଘରକୁ ଫେରିଲେ କ୍ଯାନସର ପୀଡିତା । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ଗାଁରୁ ଆସିଲା ସଙ୍ଗୀନ ଅଭିଯୋଗ । ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ।

ଭଲ ଥିଲା ବିଏସକେଓ୍ବାଇ । ଚିନ୍ତା ବଢ଼ାଉଛି ଆୟୁଷ୍ମାନ ଯୋଜନା । ଆୟୁଷ୍ମାନ କାର୍ଡ ନଥିବାରୁ ମିଳିଲାନି ମାଗଣା ଚିକିତ୍ସା । ବାଧ୍ଯ ହୋଇ ରାଜ୍ଯ ବାହାରୁ ଘରକୁ ଫେରିଲେ କ୍ଯାନସର ପୀଡିତା । ଏଭଳି କିଛି ସଙ୍ଗୀନ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ଗାଁରୁ । ଗାଁର କୁଶ ସରାବୁଙ୍କ ସ୍ତ୍ରୀ ଜମ୍ବୁ ବତି ଜଣେ କ୍ଯାନସର ପୀଡିତା । ସେ ବିଏସକେଓ୍ବାଇ କାର୍ଡ ଜରିଆରେ ଆନ୍ଧ୍ରପ୍ରଦେଶ ବିଶାଖାପାଣାର ଆପୋଲୋ କ୍ୟାନସର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏବେ ସେହି କାର୍ଡ ରଦ୍ଧ ହେବା ପରେ ସେ ଚିକିତ୍ସା ନପାଇ ବାଧ୍ଯ ହୋଇ ଘରକୁ ଫେରିଛନ୍ତି ।

ଜମ୍ବୁ ବତି ସରାବୁଙ୍କ ସ୍ଵାମୀ କୁଶ ସରାବୁ ଦୁର୍ଘଟଣାରେ ଗୋଟେ ଗୋଡ ହରାଇ ବସିଛନ୍ତି । ପେଶାରେ ଜଣେ ବଣିକ । ପୂର୍ବରୁ ସ୍ବାମୀ ସ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କାର୍ଡରେ ଚିକିତ୍ସା ସେବା ପାଉଥିଲେ । ଏବେ ତାଙ୍କ ନାଁରେ ଆୟୁଷ୍ମାନ କାର୍ଡ ନଆସିଥିବାରୁ ମାଗଣା ଚିକିତ୍ସା ପାଇ ପାରୁନାହାଁନ୍ତି । ସମସ୍ଯା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ସାଂସଦଙ୍କୁ ଜଣାଇଥିଲେ ବି ଏଯାଏଁ କୌଣସି ସୁଫଳ ପାଇ ପାରି ନାହାନ୍ତି ।

ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଗର୍ଜନ

ନନ୍ଦିଘୋଷ ବ୍ୟୁରୋ: ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚାଷୀ ପୋଲିସ ମୁହାଁମୁହିଁ । ଚାଷୀଙ୍କ ଅନୁପସ୍ଥିତିରେ ଚାଲିଲା ଡିଏଲପିସି ବୈଠକ  l ରବି ଫସଲ ପାଇଁ ଜିଲ୍ଲା ପ୍ରଶାସନ ଓ ଚାଷୀଙ୍କୁ ନେଇ ଡିଏଲପିସି ବୈଠକ ଥିବାବେଳେ ଚାଷୀମାନେ ବିଭିନ୍ନ ସମସ୍ୟା ନେଇ ସ୍ୱର ଉତ୍ତୋଳନ କରିଥିଲେ । ଯାହାକୁ ବିରୋଧ କରିଥିଲେ ଉପସ୍ଥିତ ପୋଲିସ । ଫଳରେ ବୈଠକ କରିନପାରି ଫେରି ଯାଇଛନ୍ତି ଚାଷୀ । ପୋଲିସର ଏହି ଦାଦାଗିରିକୁ ଚାଷୀ ସଂଗଠନ ତୀବ୍ର ବିରୋଧ କରିଛନ୍ତି l

ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଗର୍ଜନ । ପୋଲିସ-ଚାଷୀ ମୁହାଁମୁହିଁ । DLPC ବୈଠକ ବର୍ଜନ କଲା ଚାଷୀ ସଂଗଠନ । ପୋଲିସର ଗୁଣ୍ଡାଗର୍ଦ୍ଦିକୁ ନିନ୍ଦା । ରବି ଧାନ ସଂଗ୍ରହ ପାଇଁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ ଥିବାବେଳେ ଚାଷୀଙ୍କ ଉପରେ ଜୁଲୁମ । ସମସ୍ୟା ନେଇ ସ୍ବର ଉଠାଇବାରୁ ପୋଲିସ ବିରୋଧ କରିଛି । ଫଳରେ ବୈଠକ ଛାଡ଼ି ଫେରି ଯାଇଛି ଚାଷୀ ସଂଗଠନ । ଚାଷୀଙ୍କ ସମସ୍ଯାର ସମାଧାନ କରିବାର ପ୍ରତିଶ୍ରୁତି ଦେଇ ରାଜ୍ଯରେ ଆସିଛି ବିଜେପି ସରକାର । କିନ୍ତୁ ଗତ ଖରିଫ ସମୟରେ ସରକାର ଚାଷୀଙ୍କ କୌଣସି କଥା ଶୁଣି ନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଚାଷୀ ବିରୋଧ କରିଥିଲେ । ହେଲେ ଏହି ସମୟରେ ପୋଲିସ ପହଞ୍ଚି ଚାଷୀମାନଙ୍କ ସହ ଯେଉଁଭଳି ବ୍ୟବହାର କରିଥିଲା ଯାହାକୁ ତୀବ୍ର ବିରୋଧ କରିଛି ଚାଷୀ ସଂଗଠନ । କାହା ଚାପରେ ପୋଲିସ ଚାଷୀଙ୍କୁ ବୈଠକକୁ ଛାଡ଼ିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଚାଷୀ ।

ସବୁଠାରୁ ବଡ଼କଥା ହେଲା ଏହି ଗୁରୁତ୍ଵପୂର୍ଣ୍ଣ ବୈଠକରେ ଚାଷୀଙ୍କୁ ଦେଖିବାକୁ ମିଳିନଥିଲା । ଯାହାକୁ ନେଇ ସ୍ୱର ଉତ୍ତୋଳନ କରିଥିଲେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ବିଧାୟକ ସୁଦର୍ଶନ ହରିପାଲ । ଚାଷୀଙ୍କ ବୈଠକରେ ଚାଷୀ ନଆସିଲେ କୌଣସି ସମାଧାନ ହୋଇ ପାରିବ ନାହିଁ ବୋଲି କହିଥିଲେ ଉଭୟ ନେତା । ଅନ୍ଯପଟେ ଖରିଫ ସମୟରେ ଚାଷୀ ଶୋଷଣର ଶିକାର ହୋଇଥିବା ନେଇ ସ୍ବର ଉଠାଇଲେ ପୋଲିସ ନାଲିଆଖି ଦେଖାଉଥିବା ଚାଷୀ ସଂଗଠନ ଅଭିଯୋଗ କରିଛି ।

 

ପ୍ରଧାନମନ୍ତ୍ରୀଙ୍କ ଘରେ ଚାଲିଛି ବଡ଼ ବୈଠକ

ନନ୍ଦିଘୋଷ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଉଚ୍ଚସ୍ତରୀୟ ବୈଠକ ଜାରି ରହିଛି । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ସାମିଲ । ରାଜନାଥଙ୍କ ସହ ଏନଏସଏ ଅଜିତ ଡୋଭାଲ, ସିଡିଏସ୍‌ ଓ ତିନି ସେନା ମୁଖ୍ୟ ମଧ୍ୟ ରହିଛନ୍ତି । ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ କେନ୍ଦ୍ର ସରକାରଙ୍କ ଘନଘନ ବୈଠକ । ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିଛି ବଡ଼ ବୈଠକ । ଯାହାର ଅଧ୍ୟକ୍ଷତା କରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ମୋଦୀ । ଏଥିରେ ଆଲୋଚନା ପରେ ନିଆଯାଇପାରେ ବଡ଼ ନିଷ୍ପତ୍ତି ।

ଦିଘା ଜଗନ୍ନାଥ ମନ୍ଦିରର ଆସନ୍ତାକାଲି ଶୁଭ ଉଦଘାଟନ

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗ ଦିଘା ଜଗନ୍ନାଥ ମନ୍ଦିରର ଆସନ୍ତାକାଲି ଶୁଭ ଉଦଘାଟନ। ମନ୍ଦିରଟି ପୁରୀ ଜଗନ୍ନାଥ ମନ୍ଦିର ଆକୃତିରେ ନିର୍ମାଣ କରାଯାଇଛି।ଏହି ମନ୍ଦିରଟି ଏକ ଗୁରୁତ୍ୱପୂର୍ଣ୍ଣ ତୀର୍ଥ ଏବଂ ପର୍ଯ୍ୟଟନ କେନ୍ଦ୍ର ଭାବେ ପରିଗଣିତ ହେବାକୁ ଯାଉଛି।ପାରମ୍ପରିକ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ, ଏହି ବିଶାଳ ଢାଞ୍ଚା ରାଜସ୍ଥାନର ଉନ୍ନତ ଗୋଲାପି ପଥରରେ ତିଆରୀ ହୋଇଛି। ୨୦ ଏକର ପରିମିତ ଏହି ମନ୍ଦିରକୁ ରାଜ୍ୟ ସରକାର ୨୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ରାଜସ୍ଥାନର ୮୦୦ ରୁ ଅଧିକ କୁଶଳୀ କାରିଗର ଏହି ମନ୍ଦିରକୁ ଜୀବନ୍ତ କରିବା ପାଇଁ ସେମାନଙ୍କର ଦକ୍ଷତା ଉତ୍ସର୍ଗ କରିଛନ୍ତି। ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଏହି ଜଗନ୍ନାଥ ମନ୍ଦିରକୁ ପ୍ରତିଷ୍ଠା କରାଯିବ। ଏନେଇ ଆଜିଠୁ ଆରମ୍ଭ ହୋଇଯାଇଛି ହୋମଯଜ୍ଞ । ୨  କ୍ବିଣ୍ଟାଲ ଘିଅ ଏବଂ ୧୦୦ କ୍ବିଣ୍ଟାଲ ଆମ୍ବ ଓ ବେଲ କାଠରେ ଏହି ଯଜ୍ଞ କରାଯିବ । ଏନେଇ ପୁରୀରୁ ୫୭ ଜଣ ଜଗନ୍ନାଥ ପୂଜକ ଏବଂ ୧୭ ଜଣ ଇସ୍କନ ସନ୍ଥଙ୍କୁ ଏହି ହୋମଯଜ୍ଞରେ ସାମିଲ କରାଯାଇଛି।

ଭୁବନେଶ୍ୱରର ଅପନା ଘର ଚକ୍ଷୁ ସ୍କ୍ରିନିଂ ଏବଂ ଚେକଅପ୍ ଶିବିର ଆୟୋଜିତ

ନନ୍ଦିଘୋଷ ବ୍ୟୁରୋ: ଆର୍ଥିକ ଅନଗ୍ରସର ଶ୍ରେଣୀରେ ଥିବା ଲୋକ ମାନଙ୍କ ପାଇଁ ସହାୟତା ହାତ ବଢ଼ାଇଛି ଅପନା ଘର । ଓଡ଼ିଶାରେ କର୍କଟରେ ପୀଡିତ ହୋଇ ଅନେକ ରୋଗୀଙ୍କର ଦୃଷ୍ଟି ଜନିତ ସମସ୍ୟା ଦେଖାଦେଇଥାଏ , ହେଲେ ସେହି ବ୍ୟକ୍ତି ମାନେ ଆର୍ଥିକ ସ୍ଵଚ୍ଛଲତା ଅଭାବରୁ ନିଜର ଚିକିତ୍ସା ଉଚିତ୍ ସମୟରେ କରିପାରନ୍ତି ନାହିଁ, ଯେଉଁଥି ପାଇଁ ସେମନେ ନିଜର ଦୃଷ୍ଟି ଶକ୍ତି ହରାଇ ଥାନ୍ତି  । ହେଲେ ସେହି ଭଲି କିଛି ଅସହାୟ ବ୍ୟକ୍ତି ଙ୍କୁ ସହାୟତାର ହାତ ବଢାଇଛି ଅପନା ଘର  । ବରିଷ୍ଠ ଡାକ୍ତର ମାନଙ୍କ ଦ୍ଵାରା ପରୀକ୍ଷା କରି ରୋଗୀ ମାନଙ୍କ ଚକ୍ଷୁର ପରୀକ୍ଷା କରାଯାଇ ସେମାନଙ୍କୁ ଯୋଗାଇ ଦିଆଯାଇଛି ସ୍ଵତନ୍ତ୍ର ଚଷମା  । ଅନେକ ରୋଗୀ ମାନଙ୍କର ବି ମୋତିଆବିନ୍ଦୁ ଥିବା ଜଣାପଡିବା ପରେ ସେମାନଙ୍କର ବି ମାଗଣାରେ ଚିକିତ୍ସା ସେବା ପ୍ରଦାନ କରାଯାଇଥିଲା  । ଭୁବନେଶ୍ୱର କଳିଙ୍ଗ ବିହାର ନିକଟରେ ଅପନା ଘର ଫାଉଣ୍ଡେସନର ଡାକ୍ତରମାନଙ୍କ ସହଯୋଗରେ ରୋଟାରୀ କ୍ଲବ ସଦସ୍ୟମାନଙ୍କ ଦ୍ୱାରା ଏକ ଚକ୍ଷୁ ସ୍କ୍ରିନିଂ ଶିବିର ଓ ମାଗଣା ଚଷମା ବଣ୍ଟନ କାର୍ଯ୍ୟକ୍ରମ ଅୟୋଜିତ ହୋଇଥିଲା । ଶିବିରଟି ସକାଳ ୧୦ଟା ରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅନେକ ରୋଗୀ ମାନେ ବେଶ ଉପକୃତ ହୋଇଛନ୍ତି  । ଆପ୍ନାଘରର ମାନସିକ ପରାମର୍ଶଦାତା ଅତସୀ ରଥ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ହାଇକୋର୍ଟରେ ପହଞ୍ଚିଲା ଯାତ୍ରା ଅଭିନେତ୍ରୀ ସୋନାଲୀ ପଣ୍ଡା ଓ ସ୍ବାମୀଙ୍କ ବିବାଦ

ନନ୍ଦିଘୋଷ ବ୍ୟୁରୋ: ହାଇକୋର୍ଟରେ ପହଞ୍ଚିଲା ଯାତ୍ରା ଅଭିନେତ୍ରୀ ସୋନାଲୀ ପଣ୍ଡା ଓ ତାଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାରଙ୍କ ବିବାଦ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର ଶ୍ରୀକ୍ଷେତ୍ର ନିଜକୁ ସୋନାଲୀଙ୍କ ସ୍ବାମୀ ବୋଲି ଦାବି କରୁଥିଲେ । ଏପରିକି ସୋନାଲୀ ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁଙ୍କ ଦ୍ବାରା ପ୍ରଭାବିତ ହୋଇ ଘର ଛାଡି ଚାଲିଯାଇଛନ୍ତି ବୋଲି ଶ୍ରୀକ୍ଷେତ୍ର ଅଭିଯୋଗ କରିଥିଲେ । ଏହି ଘଟଣାରେ ସୋନାଲୀ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ । ପ୍ରଶ୍ନ କରିଥିଲେ ଏତେ ଦିନ ପରେ କାହିଁକି ସ୍ବାମୀଙ୍କର ମନେ ପଡିଲା । ତେବେ ଆଜି ସୋନାଲୀଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି ଯେ, ସୋନାଲୀ ନାବାଳିକା ଥିବା ସମୟରେ ସ୍ବାମୀ ବୋଲି ଦାବି କରୁଥିବା ଶ୍ରୀକ୍ଷେତ୍ର ସେନାଲୀଙ୍କୁ ଦୁଷ୍କର୍ମ କରିଥିଲେ। ଏପରିକି ସୋନାଲୀଙ୍କୁ ଯେତେବେଳେ ୧୪ ବର୍ଷ ହୋଇଥିଲା ସେତେବେଳେ ବଳପୂର୍ବକ ବ୍ଲାକମେଲ କରି ଶ୍ରୀକ୍ଷେତ୍ର ସୋନାଲୀଙ୍କୁ ବିବାହ କରିଥିଲେ। ଏବେ ସୋସିଆଲ ମିଡିଆରେ ସୋନାଲୀଙ୍କୁ ବଦନାମ କରୁଛନ୍ତି ଶ୍ରୀକ୍ଷେତ୍ର । ତେଣୁ ତାଙ୍କ ବିରୋଧରେ ଆଜି ହାଇକୋର୍ଟରେ ଅପିଲ କରିଛନ୍ତି ସୋନାଲୀ ।