spot_img
Home Blog Page 810

ଆତଙ୍କବାଦୀ ଆକ୍ରମଣ ନେଇ ଏନଆଇଏର ବଡ଼ ଖୁଲାସା ; ସହଯୋଗୀ ଥିଲେ ୧୦ ସ୍ଥାନୀୟ ବାସିନ୍ଦା

ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ନେଇ ବଡ଼ ଖୁଲାସା କରିଛି ତଦନ୍ତକାରୀ ସଂସ୍ଥା ଏନଆଇଏ । ହମଲାକାରୀଙ୍କୁ ୧୦ ଜଣ ସ୍ଥାନୀୟ ବାସିନ୍ଦା ସାହାଯ୍ୟ କରିଛନ୍ତି ବୋଲି ଏନଆଇଏ ତଦନ୍ତବେଳେ ଜାଣିବାକୁ ପାଇଛି । ୨୨ ତାରିଖ ହମଲା ଦିନ ଏମାନେ ରିଅଲ ଟାଇମରେ ହମଲାକାରୀଙ୍କ ସହ ଯୋଗାଯୋଗରେ ଥିଲେ । ଏମାନେ ସାଂକେତିକ ଆପ ବ୍ଯବହାର କରି ବାର୍ତ୍ତା ବିନିମୟ କରିଥିବା ଏନଆଇଏ ଜାଣିପାରିଛି । ଏମାନଙ୍କୁ କାଶ୍ମୀର ଓଭରଗ୍ରାଉଣ୍ଡ ୱାର୍କର-ଓଜିଡବ୍ଲ୍ୟୁ ବୋଲି କୁହାଯାଉଛି । ଏହି ୧୦ ଜଣ ସିଧାସଳଖ ଆତଙ୍କବାଦୀଙ୍କ ସହ ଯୋଗଯୋଗରେ ଥିଲେ । ଏମାନଙ୍କ ସହଯୋଗରେ ଆତଙ୍କବାଦୀମାନେ ସମସ୍ତ ତଥ୍ଯ ପାଉଥିଲେ ବୋଲି ସୂଚନା ଦେଇଛି ଏନଆଇଏ । ଆତଙ୍କବାଦୀ ଆକ୍ରମଣରେ ୨୬ ମୃତ୍ୟୁ ହୋଇଥିଲା । ଏଥିରେ ଜଣେ ନେପାଳୀ ବାସିନ୍ଦା ଥିଲେ । ୨୩ ତାରିଖରୁ ଏନଆଇଏ ସେଠାରେ ତଦନ୍ତ କରୁଛି ।

ଭାରତ-ପାକ ସୀମାରେ ପୁଣି ଲଗାତାର ଚତୁର୍ଥ ଦିନ ଲାଗି ଫାୟାରିଂ, ସାରା ରାତି ଗୁଳିବିନିମୟ

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ସୀମାରେ ପୁଣି ପାକିସ୍ତାନର ଗୁଳିମାଡ଼। ଲଗାତାର ଚତୁର୍ଥ ଦିନ ଲାଗି ଏଲଓସିରେ ଅସ୍ତ୍ର ବିରତି ଉଲ୍ଲଂଘନ ହୋଇଛି। ପାକ୍ ସେନାକୁ କଡ଼ା ଜବାବ ଦେଉଛନ୍ତି ଭାରତୀୟ ସେନା। ପାକ୍ ଆର୍ମି ପୋଷ୍ଟରୁ ଗୁଳିମାଡ କରାଯାଉଛି। ରାତି ତମାମ ଚାଲିଛି ଫାୟାରିଂ। ପାକିସ୍ତାନୀ ସୈନ୍ୟମାନେ ନିୟନ୍ତ୍ରଣ ରେଖାରେ ଲଗାତାର ଚତୁର୍ଥ ରାତି ପାଇଁ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି।

କୁପୱାଡା ଏବଂ ପୁଞ୍ଚ ଜିଲ୍ଲା ସୀମାନ୍ତ ପାକିସ୍ତାନ ସେନା ପୋଷ୍ଟରୁ ଗୁଳିମାଡ଼ କରାଯାଉଛି। ନିୟନ୍ତ୍ରଣ ରେଖା ପାରକରି ବିନା ପ୍ରରୋଚନାରେ ଗୁଳି ଚଳାଇଥିଲେ। ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଉଛି। ପ୍ରଥମଥର ଲାଗି ପାକିସ୍ତାନ ସେନା ପୁଞ୍ଚ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଗତ ମଙ୍ଗଳବାର ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହେବା ପରେ ଭାରତ ଏବଂ ପାକିସ୍ତାନୀ ସୈନ୍ୟଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ପୁଲୱାମା ଘଟଣା ପରେ ଜମ୍ମୁ ଏବଂ କାଶ୍ମୀରରେ ହୋଇଥିବା ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନରେ ଥିବା ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବା ସହ ଜଡିତ ଆତଙ୍କୀ ସଂଗଠନ ଟିଆରଏଫର ଭୂମିକା ସାମ୍ନାକୁ ଆସିବା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହୋଇଛି।

ଜାମୁ ଓ କାଶ୍ମୀର ବିଧାନସଭାର ଚାଲିଛି ସ୍ବତନ୍ତ୍ର ଅଧିବେଶନ, ଆତଙ୍କବାଦ ବିରୋଧରେ ଗୃହୀତ ହୋଇପାରେ ପ୍ରସ୍ତାବ

ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ଆକ୍ରମଣ ଘଟଣାକୁ ନେଇ ଆଜି ଜାମୁ ଓ କାଶ୍ମୀର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଚାଲିଛି । ଅଧିବେଶନରେ ପହଲଗାଓଁ ଆକ୍ରମଣ ପ୍ରସଙ୍ଗ ଆଲୋଚନା କରାଯାଇଛି। ମୃତକଙ୍କ ଅମର ଆତ୍ମାର ସଦଗତି ଲାଗି ନୀରବ ପ୍ରାର୍ଥନା କରାଯାଇଛି। ଆତଙ୍କବାଦ ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି। ଗୃହରେ ବିଭିନ୍ନ ଦଳର ନେତାମାନେ ଆତଙ୍କବାଦ ହମଲା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଅଧିବେଶନ କାଳରେ ଅନ୍ୟ କୌଣସି ପ୍ରସଙ୍ଗ ଆଲୋଚନା ହୋଇ ନାହିଁ। ଜାମୁ ଓ କାଶ୍ମୀର ପୁନର୍ଗଠନ ଆଇନ ୨୦୧୫ ଅନୁସାରେ ଏହି ଅଧିବେଶନ ଡକାଯାଇଛି।

କ୍ୟାବିନେଟର ଅନୁରୋଧ କ୍ରମେ ଅଧିବେଶନ ଆହୂତ କରିଥିଲେ ଏଲଜି। ପହଲଗାଓଁ ହମଲାରେ ୨୬ ଜଣଙ୍କ ମୃତ୍ଯୁ ଘଟିବା ପରେ ସାରା ଜାମୁ ଓ କାଶ୍ମୀରରେ କ୍ଷୋଭ ପ୍ରକାଶ ପାଇଛି। ବିଭିନ୍ନ ସ୍ଥାନରେ କରାଯାଉଛି ବିକ୍ଷୋଭ। ଗତ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ସ୍ବତନ୍ତ୍ର ଅଧିବେଶନ ଡାକିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଗତ ଏପ୍ରିଲ ୯ରେ ବିଧାନସଭାର ବଜେଟ ଅଧିବେଶନକୁ ସାଇନଡାଏ ଘୋଷଣା କରାଯାଇଥିଲା।

ଆଖଣ୍ଡଳମଣିଙ୍କ ରୋଷଶାଳାରୁ ଖସିଲା ପ୍ଲାଷ୍ଟର ଖଣ୍ଡ, ଅଳ୍ପକେ ବର୍ତ୍ତିଗଲେ ସେବାୟତ

ନନ୍ଦିଘୋଷ ବ୍ୟୁରୋ : ଆରଡି ଆଖଣ୍ଡଳମଣିଙ୍କ ରୋଷଶାଳ ଛାତରୁ ଖସିଲା ପ୍ଲାଷ୍ଟର ଖଣ୍ଡ। ଅଳ୍ପକେ ବର୍ତ୍ତିଗଲେ ରୋଷେୟାଙ୍କ ସହ ୧୦ ସେବାୟତ। ନୀତିଭୋଗ ରୋଷେଇ ବାଧାପ୍ରାପ୍ତ ହୋଇଛି। ବାବା ଆଖଣ୍ଡଳମଣିଙ୍କ ରୋଷଶାଳରେ ୧୦ରୁ ୧୨ ଜଣ ରୋଷେୟାଙ୍କ ସହ ସେବାକାରୀ ସକାଳ ନୀତିଭୋଗ ଓ ବଡଭୋଗ ପ୍ରସ୍ତୁତି କରୁଥିଲେ। ଏହି ସମୟରେ ହଠାତ ରୋଷଶାଳ ଛାତରୁ ଏକ ବଡ ପ୍ଳାଷ୍ଟର ଖଣ୍ଡ ଖସିଥିଲା। ଫଳରେ ରୋଷେୟାଙ୍କ ସହ ୧୦ ସେବାୟତ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ନୀତିଭୋଗ ହଣ୍ଡା ଉପରେ ପଡିବାରୁ ବହୁ ନୀତିଭୋଗ ନଷ୍ଟ ହୋଇଯାଇଥିଲା। ଏହି କାରଣରୁ ସକାଳ ୯ଟାରେ ହେବାକୁ ଥିବା ପହଡଖିଆ ଅନ୍ନ ନୀତିଭୋଗ ୧ଘଣ୍ଟା ବିଳମ୍ବରେ ହୋଇଥିଲା। ରୋଷଶାଳା ଛାତ ବିପଦରେ ଥିବାରୁ ମଧ୍ଯାହ୍ନ ଧୂପ ନୀତିଭୋଗ ପାଇଁ ମଧ୍ୟ ରୋଷେଇ କରୁଛନ୍ତି ସେବାୟତ।

ଭିସୁଟର ଶହେ ଛାତ୍ରଛାତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ନନ୍ଦିଘୋଷ ବ୍ୟୁରୋ : ଭିସୁଟର ଶହେ ଛାତ୍ରଛାତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ । ବିଶୃଙ୍ଖଳିତ ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଭିନ୍ନ ଖେଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଛାତ୍ରଛାତ୍ରୀଙ୍କ ଉପରେ କଟକଣା ଲଗାଯାଇଛି । ମେଡାଲ ଏକାଡେମୀ ପୁରସ୍କାର ସହ ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଭାରତରେ ବ୍ୟାନ୍ ହେଲା ଏଇସବୁ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନ ଉପରେ ପୁଣି ଭାରତର ଡିଜିଟାଲ ଷ୍ଟ୍ରାଇକ୍ । ଭାରତରେ ବ୍ୟାନ ହେଲା ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ । ୧୬ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରିଛି ଭାରତ ସରକାର । ପୂର୍ବରୁ ସୋସିଆଲ୍ ମିଡିଆ ଏକ୍ସକୁ ବନ୍ଦ କରିଥିଲା ଭାରତ । ତେଣୁ ଭାରତ ସରକାରଙ୍କ ଏହି ନିଷ୍ପତ୍ତି ଅନୁସାରେ ଭାରତୀୟ ୟୁଟ୍ୟୁବ୍ ୟୁଜର୍ସ ଆଉ ସୋଏବ ଅଖତର, ଆରଜୁ କାଜମୀ ଏବଂ ସୌୟଦ ମୁଜାମ୍ମିଲ ଶାହଙ୍କ ପରି ଅନେକ ପାକିସ୍ତାନୀ ଚ୍ୟାନେଲ ଆଉ ଦେଖିପାରିବେ ନାହିଁ । ଏବେ ଚ୍ୟାନେଲ ଗୁଡିକ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଭାରତ ବିରୋଧରେ ଗୁଜବ ପ୍ରସାର, ମିଥ୍ୟା ଖବର ପ୍ରସାରଣ ନେଇ ସୂଚନା ମିଳିବା ପରେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ଜମ୍ମୁ-କାଶ୍ମୀର ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଏବେ ଭାରତ ସରକାର ପାକିସ୍ତାନ ବିପକ୍ଷରେ ନୂତନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଯାହାକୁ ଡିଜିଟାଲ୍ ଷ୍ଟ୍ରାଇକ୍ ବୋଲି କୁହାଯାଉଛି । ଏପରି ନିଷ୍ପତ୍ତି ନେଇ କେନ୍ଦ୍ରସରକାର ଅନେକ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେକୁ ନିଷିଦ୍ଧ କରିଛନ୍ତି । ଏହି ନିଷ୍ପତ୍ତି ସହିତ ୧୬ଟି  ପାକିସ୍ତାନୀ ଚ୍ୟାନେଲକୁ ଭାରତ ପକ୍ଷରୁ ବ୍ୟାନ୍ କରାଯାଇଛି ।

ଭାରତର ଏହି କାର୍ଯ୍ୟାନୁଷ୍ଠାନ ପରେ ଏହି ପାକିସ୍ତାନୀ ଚ୍ୟାନେଲକୁ ସର୍ଚ୍ଚ କଲେ ଏକ ପୃଷ୍ଠାରେ ଲେଖାଥିବା ଦେଖାଉଛି ଯେ, ଜାତୀୟ ସୁରକ୍ଷା କିମ୍ୱା ସାର୍ବଜନୀନ ବ୍ୟବସ୍ଥା ସହିତ  ଜଡିତ ସରକାରୀ ନିର୍ଦ୍ଦେଶ ଯୋଗୁଁ ଏହି ବିଷୟବସ୍ତୁ ବର୍ତ୍ତମାନ ଏହି ଦେଶରେ ଉପଲବ୍ଧ ନାହିଁ । ଅଧିକ ସୂଚନା ପାଇଁ ଗୁଗୁଲ୍ ପାରଦର୍ଶିତା ରିପୋର୍ଟରେ ସର୍ଚ୍ଚ କରନ୍ତୁ ।

ଏହା ସହି ପାକିସ୍ତାନର କିଛି ନ୍ୟୁଜ୍ ଚ୍ୟାନେଲକୁ ମଧ୍ୟ ଭାରତ ବ୍ୟାନ୍ କରିଛି । ଯେଉଁଥିରେ  ଡ୍ରନ୍ ନ୍ୟୁଜ୍, ଜିଓ ନ୍ୟୁଜ୍, ସମା ଟିଭି, ବୋଲ୍ ନ୍ୟୁଜ୍ ପରି ଅନେକ ଚ୍ୟାନେଲକୁ ବ୍ୟାନ୍ କରାଯାଇଛି । ଗୃହ ମନ୍ତ୍ରଳାୟର ସୁପାରିଶ କ୍ରମେ, ସେନା ଓ ସୁରକ୍ଷା ଏଜେନ୍ସିଙ୍କ ବିରୁଦ୍ଧରେ ଉତ୍ତେଜନାପୂର୍ଣ୍ଣ ଏବଂ ସାମ୍ପ୍ରଦାୟିକ ଭାବେ ସମ୍ୱେଦନଶୀଳ ବିଷୟବସ୍ତୁ , ମିଥ୍ୟା ଏବଂ ଭ୍ରମିତ ବିବୃତ୍ତି  ତଥା ଭୂଲ ସୂଚନା ପ୍ରସାରଣ କରୁଥିବା ଚ୍ୟାନେଲ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି  ଭାରତ ସରକାର ପାକିସ୍ତାନୀ ଚ୍ୟାନେଲ ଗୁଡିକୁ ବ୍ୟାନ୍ କରିଛି ।

ସୁନା ଦୋକାନୀଙ୍କୁ ଆକ୍ରମଣ କରି ଲୁଟ୍

ନନ୍ଦିଘୋଷ ବ୍ୟୁରୋ : ସୁନା ଦୋକାନୀଙ୍କୁ ଆକ୍ରମଣ କରି ଲୁଟ୍। କେନ୍ଦୁଝର ଜିଲ୍ଲା ଟାଉନ ଥାନା ନରଣପୁରଠାରେ ସାହୁ ଜୁଏଲାରୀ ୱାର୍କସପ ମାଲିକ ଦୀପକ ସାହୁଙ୍କୁ ମାଡମାରି ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ। ଦୀପକ ଦୋକାନ ବନ୍ଦ କରି ମୋଟର ସାଇକେଲରେ ଘରକୁ ଫେରୁଥିବା ସମୟରେ ହୋଇଥିଲା ଆକ୍ରମଣ। ଘର ନିକଟରେ ୫ ଜଣ ଦୁର୍ବୃତ୍ତ ୨ଟି ମୋଟର ସାଇକେଲରେ ଆସି ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡ ଓ ହାତକୁ ଆଘାତ ଦେବାରୁ ସେ ତଳେ ପଡିଯାଇଥିଲେ। ଦୁର୍ବୃତ୍ତମାନେ ତାଙ୍କ ମୋଟର ସାଇକେଲ ଡିକିରୁ ସୁନାରୁପା ଭର୍ତ୍ତି ବ୍ୟାଗ ଧରି ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ। ଖବର ପାଇ ଟାଉନ ପୋଲିସ ଆଖପାଖରେ ଲାଗିଥିବା ସିସି ଟିଭି ଫୁଟେଜ ସଂଗ୍ରହ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ଡୁଲିଙ୍ଗା କୋଇଲା ଖଣି ଭିତରେ ଦୁର୍ଘଟଣା, ବସ୍ ଓଲଟି ଜଣଙ୍କର ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ସୁନ୍ଦରଗଡ଼ ଡୁଲିଙ୍ଗା କୋଇଲା ଖଣି ଭିତରେ ଦୁର୍ଘଟଣା । ବସ୍ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ରୁ ଅଧିକ ଗୁରୁତର ହୋଇଛନ୍ତି। ସିଫ୍ଟ ଚେଞ୍ଜ ସମୟରେ ଅପରେଟର ମାନଙ୍କୁ ନେଇ ଯାଉଥିବାବେଳେ ଖଣି ଭିତରେ ଓଲଟିଲା ବସ୍। ବସରେ ଥିଲେ ୩୦ରୁ ଅଧିକ ଅପରେଟର । ମୃତକ ଜଣକ ହେଲେ ପୁଡ଼ାପାଲି ଅଞ୍ଚଳର ନିତ୍ୟାନନ୍ଦ ପ୍ରଧାନ । ଗୁରୁତର ମାନଙ୍କୁ ବ୍ରଜରାଜନଗରର ଏକ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଏନଟିପିସି ଡୁଲିଙ୍ଗା କମ୍ପାନୀ ବାହାରେ ଅପରେଟର ଓ ଶ୍ରମିକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।

ଭାରତ ଓ ଫ୍ରାନ୍ସ ମଧ୍ୟରେ ୨୬ ସାମୁଦ୍ରିକ ରାଫେଲ-ଏମ୍ ବିମାନ କିଣିବାକୁ ହେବ ଚୁକ୍ତି

ନନ୍ଦିଘୋଷ ବ୍ୟୁରୋ : ଆଜି ଭାରତ-ଫ୍ରାନ୍ସ ରାଫେଲା ଚୁକ୍ତି। ଉଭୟ ଦେଶ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ ପାଇଁ ଚୁକ୍ତି ସ୍ୱାକ୍ଷର କରିବେ। ୬୩ ହଜାର କୋଟି ଟଙ୍କାର ଏହି ଚୁକ୍ତି ହେବ। ରାଫେଲ ଏମ ଜେଟ୍ ଆଇଏନଏସ ବିକ୍ରାନ୍ତରୁ କାର୍ଯ୍ୟ କରିବ। ମିଗ-୨୯କେ ଫ୍ଲିଟର ପରିପୂରକ ହେବ ରାଫେଲ ଏମ ଜେଟ୍।ଭାରତୀୟ ବାୟୁସେନାରେ ୨୦୧୬ରେ ୩୬ଟି ରାଫେଲ ଜେଟ୍ ବିମାନର ଏକ ଫ୍ଲିଟ୍ ପରିଚାଳନା କରୁଛି।

ଏହି ବିମାନଗୁଡ଼ିକ ଅମ୍ବାଲା ଏବଂ ହାସିମାରାରେ ବେସରେ ଅବସ୍ଥିତ। ଏହି ନୂତନ ଚୁକ୍ତି ଦ୍ୱାରା ଭାରତରେ ରାଫେଲ ଜେଟ୍ର ମୋଟ ସଂଖ୍ୟା ୬୨କୁ ବୃଦ୍ଧି ପାଇବ। ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ମଧ୍ୟରେ ଭାରତ ଏବଂ ଫ୍ରାନ୍ସ ଆଜି ଦିଲ୍ଲୀରେ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ ପାଇଁ ୬୩ ହଜାର କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କରିବେ। ଏହି କାର୍ଯ୍ୟକ୍ରମରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀ ଏବଂ ଭାରତରେ ଫ୍ରାନ୍ସ ରାଷ୍ଟ୍ରଦୂତ ଉଭୟ ପକ୍ଷର ପ୍ରତିନିଧିତ୍ୱ କରିବେ। ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଭାରତୀୟ ପକ୍ଷର ପ୍ରତିନିଧିତ୍ୱ କରିପାରନ୍ତି। ଫ୍ରାନ୍ସ ଏବଂ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ଭର୍ଚୁଆଲ୍ ଭାବରେ ଯୋଗ ଦେଇପାରନ୍ତି।

ପୂର୍ବରୁ, ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ନିଜେ ସ୍ୱାକ୍ଷର ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ବ୍ୟକ୍ତିଗତ କାରଣରୁ ତାଙ୍କୁ ତାଙ୍କର ଗସ୍ତ ବାତିଲ କରିବାକୁ ପଡିଛି। ଭାରତ ଏବଂ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ଏହି ଡିଲ ପାଇଁ ଖର୍ଚ୍ଚ ହେବ ୬୩ ହଜାର କୋଟି ।ଭାରତୀୟ ନୌସେନାର ୨୨ ସିଙ୍ଗଲ-ସିଟର ଏବଂ ଚାରିଟି ଟୁଇନ-ସିଟର ବିମାନ କିଣିବ ଭାରତ। ଏହି ଚୁକ୍ତି ଭାରତୀୟ ନୌସେନାର କ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହେବ।ରାଫେଲ-ଏମ୍ ଜେଟ୍‌ଗୁଡ଼ିକ ଫ୍ରାନ୍ସର ଡାସଲ୍ଟ ଏଭିଏସନ୍ କମ୍ପାନୀ ଦ୍ୱାରା ନିର୍ମିତ ଭାରତୀୟ ବାୟୁସେନାର ରାଫେଲ୍ ବିମାନ ପରି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ କ୍ଷମତାରେ ସଜ୍ଜିତ। ସାମୁଦ୍ରିକ ଅଂଚଳରେ କାର୍ଯ୍ୟ କରିବାର କ୍ଷମତା ବୃଦ୍ଧି ପାଇବ। ପାକିସ୍ତାନ ଭଳି ଶକ୍ତି ବିରୁଦ୍ଧରେ ଭାରତ ଆହୁରି ଶକ୍ତିଶାଳୀ ହେବ। ଏହି ଚୁକ୍ତି କେବଳ ପ୍ରତିରକ୍ଷା କ୍ଷେତ୍ର ପାଇଁ ନୁହେଁ ବରଂ ଏହା ଭାରତୀୟ କୂଟନୈତିକ ସ୍ତରରେ ମଧ୍ୟ ନୂତନ ଦିଗଦର୍ଶନ ଦେବ।

ଭାରତ ଛାଡ଼ିବାକୁ କଡ଼ା ଚେତାବନୀ ପରେ ଅଟ୍ଟାରୀ ଦେଇ ଫେରିଲେଣି ୫୩୭ ପାକିସ୍ତାନୀ

ନନ୍ଦିଘୋଷ ବ୍ୟୁରୋ :  ଡଲାଇନ ସରିବା ପରେ ପାକିସ୍ତାନୀଙ୍କୁ କଡା ଚେତାବନୀ। କଡ଼ା ଚେତାବନୀ ଦେଇଛନ୍ତି କେନ୍ଦ୍ର ସରକାର। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ପହଲଗାମ୍‌ ଆକ୍ରମଣ ପରେ ପାକିସ୍ତାନୀମାନଙ୍କୁ ଭାରତ ଛାଡ଼ି ଚାଲିଯିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ଦେଶ ନଛାଡ଼ିଲେ ୩ ବର୍ଷ ଜେଲ ନଚେତ ୩ ଲକ୍ଷ ଜରିମାନା ଧାର୍ଯ୍ୟ କରାଯାଇଛି। କିମ୍ବା ଏକକାଳୀନ ୩ ବର୍ଷ ଜେଲ ସହ ୩ ଲକ୍ଷ ଜରିମାନା ଧାର୍ଯ୍ୟ କରିଛନ୍ତି ସରକାର। ସେହି ଅନୁଯାୟୀ ୨୪ରୁ ଅଦ୍ୟାବଧି ଅଟ୍ଟାରୀ-ଓ୍ବାଘା ସୀମା ଦେଇ ୫୩୭ ପାକିସ୍ତାନୀ ନାଗରିକ ଭାରତ ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ୯ ଜଣ କୂଟନୀତିଜ୍ଞ ରହିଛନ୍ତି। ମା’ଙ୍କୁ ଛାଡ଼ି ପିଲାଙ୍କୁ ପାକିସ୍ତାନ ଫେରିଯିବାକୁ ହେଉଥିବାରୁ ସୀମାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

ଆକ୍ରମଣକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଦେଖାଦେଇଥିବାବେଳେ ଭାରତରେ ରହିଥିବା ପାକିସ୍ତାନୀଙ୍କ ଭିଜା ରଦ୍ଦ କରାଯାଇଥିଲା। ସାର୍କ ଭିଜାଧାରୀଙ୍କ ପାଇଁ ସମୟସୀମା ଏପ୍ରିଲ ୨୬ ରଖାଯାଇଥିଲାବେଳେ ମେଡିକାଲ ଭିଜାଧାରୀଙ୍କ ପାଇଁ ଏହା ଏପ୍ରିଲ ୨୯ ରହିଛି। ୧୨ ପ୍ରକାରର ସ୍ବଳ୍ପମିଆଦୀ ଭିଜାଧାରୀଙ୍କୁ ରବିବାର ସୁଦ୍ଧା ଦେଶ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଏହା ପରେ ଯେଉଁମାନେ ରହିବେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଯେଉଁମାନେ ଦୀର୍ଘମିଆଦୀ ବା କୂଟନୈତିକ ଭିଜା ପାଇଛନ୍ତି, ସେମାନଙ୍କୁ ‘ଭାରତ ଛାଡ଼’ ନିର୍ଦ୍ଦେଶନାମାରୁ ବାଦ୍‌ ଦିଆଯାଇଛି। ତଦନୁଯାୟୀ ଅଟ୍ଟାରୀ-ଓ୍ବାଘା ସୀମା ଦେଇ ୨୫ ତାରିଖରେ ୧୯୧ ଜଣ ଏବଂ ୨୬ରେ ୮୧ ଜଣ ପାକିସ୍ତାନୀ ଭାରତ ଛାଡ଼ିଛନ୍ତି।

ସେହିପରି ବର୍ତ୍ତମାନ ସୁଦ୍ଧା ପାକିସ୍ତାନରୁ ୧୪ ଜଣ କୂଟନୀତିଜ୍ଞ ଓ ଅଫିସରଙ୍କ ସମେତ ୮୫୦ ଜଣ ଭାରତୀୟ ଅନ୍ତର୍ଜାତୀୟ ସୀମା ଦେଇ ପାକିସ୍ତାନରୁ ପଳାଇଆସିଲେଣି ।ପଞ୍ଜାବ ସୀମା ଦେଇ ୧୧ ବର୍ଷୀୟ ଜୈନାବ ଏବଂ ୮ ବର୍ଷୀୟା ଜେନିଶଙ୍କୁ ପାକିସ୍ତାନ ପଠାଇ ଦିଆଯାଇଛି।  ସେମାନେ ଦିଲ୍ଲୀରେ ସେମାନଙ୍କ ମାଆଙ୍କୁ ଛାଡ଼ି ଯାଉଥିବାରୁ ଦୁଃଖରେ ଭାଙ୍ଗିପଡ଼ିଥିବା ଦେଖାଯାଇଥିଲା। ମା’ଙ୍କୁ ଛାଡ଼ି ଯିବା ବହୁତ କଷ୍ଟ ବୋଲି ଜୈନାବ ଗଣମାଧ୍ୟମକୁ କାନ୍ଦିକାନ୍ଦି କହୁଥିବା ଦେଖାଯାଇଛି। ସେହିପରି ପାକିସ୍ତାନୀ ନାଗରିକ ସରିତା କନଓ୍ବେରଙ୍କୁ ତାଙ୍କ ଭାରତୀୟ ନାଗରିକ ମା’ ପ୍ରିୟା କନଓ୍ବେରଙ୍କୁ ଛାଡ଼ିବାକୁ ପଡ଼ିଛି।