spot_img
Home Blog Page 822

ପହଲଗାଓଁ ନରସଂହାର: ପର୍ଯ୍ୟଟକଙ୍କ ପାଖରେ ପହଞ୍ଚିବାକୁ ଆତଙ୍କବାଦୀ ବ୍ୟବହାର କରିଥିଲେ ସ୍ବତନ୍ତ୍ର ମୋବାଇଲ ଆପ୍

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣକୁ ନେଇ ନୂଆ ନୂଆ ତଥ୍ୟ ମିଳିବାରେ ଲାଗିଛି । ତଦନ୍ତକାରୀ ସଂସ୍ଥାଙ୍କ ଯାଞ୍ଚ ଯେତେ ଆଗଉଛି ନୂଆ ନୂଆ ତଥ୍ୟ ମିଳିବାରେ ଲାଗିଛି । ଆତଙ୍କବାଦୀମାନେ ଏକ ସ୍ବତନ୍ତ୍ର ଆପ୍ ବ୍ୟବହାର କରି ପହଲଗାଓଁର ଘଞ୍ଚ ଜଙ୍ଗଲ ଦେଇ ବୈସାରନ୍ ପହଞ୍ଚିବାକୁ ସକ୍ଷମ ହୋଇଥିଲେ । ସେଠାରେ ପହଞ୍ଚିବା ପରେ ଆତଙ୍କବାଦୀମାନେ ଧର୍ମ ପଚାରି ୨୮ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ । ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ପାଖରେ ପହଞ୍ଚିବାକୁ ଆଲପାଇନ୍ କ୍ବେଷ୍ଟ ଆପ୍ଲିକେଶନ ବ୍ୟବହାର କରିଥିଲେ । ଏହା ପୂର୍ବରୁ ମଧ୍ୟ ଜମ୍ମୁର ଜଙ୍ଗଲୀ ଅଞ୍ଚଳରେ ଆକ୍ରମଣ ପାଇଁ ଆତଙ୍କବାଦୀ ଏହି ଆପ୍ ବ୍ୟବହାର କରିଥିଲେ । ଆଉ ଏଥିରେ ସହାୟତା କରିଥିଲା ପାକିସ୍ତାନ ସେନ ।

ମିଳିଥିବା ସୂଚନା ଅନୁସାରେ, ସୁରକ୍ଷା ଏଜେନ୍ସି ସତର୍କତାର ସହ ଏହି ଆପକୁ ଟ୍ରାକ୍ କରୁଥିଲେ । ହେଲେ ଆତଙ୍କବାଦୀମାନେ ସୁରକ୍ଷା ଏଜେନ୍ସିଙ୍କ ନଜରରୁ ହଟିବାକୁ ଏହି ଆପର ବ୍ୟବହାର ପହଲଗାଓଁର ଘଞ୍ଚ ଜଙ୍ଗଲରେ କରିଥିଲେ । ପାକିସ୍ତାନ ସେନା ଆତଙ୍କବାଦୀଙ୍କ ଏହି ଆପ୍ ବ୍ୟବହାର କରି ଟ୍ରାକିଂରୁ ବଞ୍ଚିବାକୁ ସହାୟତା କରିଥିଲା । ସୂଚନାଯୋଗ୍ୟ, ପାକିସ୍ତାନ ସେନା ଏହି ଆପକୁ ଡେଭଲପ୍ କରିଛି ।

ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇବା ସହ ପରିବାରକୁ ସହାୟତା ଘୋଷଣା କଲେ ରାଜ୍ୟ ସରକାର

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ମୃତ ବାଲେଶ୍ବର ଇସାଣୀ ଗାଁର ପ୍ରଶାନ୍ତ ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଇସାଣୀ ଗାଁରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମୃତ ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ । ଏହାସହ ପ୍ରଶାନ୍ତଙ୍କ ପରିବାରକୁ ସମବେଦନା ଜଣାଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଶାନ୍ତଙ୍କ ପରିବାର ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହାସହ ମୃତକଙ୍କ ପତ୍ନୀଙ୍କୁ ଚାକିରି ଓ ପୁଅର ପାଠପଢ଼ା ସହ ଅନ୍ୟାନ୍ୟ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

ସୂଚନାଯୋଗ୍ୟ, ଗତ ୨୨ ତାରିଖରେ ଜମ୍ମୁ ଓ କାଶ୍ମୀରର ପହଲଗାଓଁରେ ପର୍ଯ୍ୟଟକଙ୍କୁ ଆକ୍ରମଣ କରି ନରସଂହାର କରିଥିଲେ ଆତଙ୍କବାଦୀ । ଏଥିରେ ୨୮ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ବାଲେଶ୍ବର ଇସାଣୀ ଗାଁର ପ୍ରଶାନ୍ତ ଜଣେ । ତିନିଦିନ ପୂର୍ବେ ପତ୍ନୀ ଓ ପୁଅ ସହ ପ୍ରଶାନ୍ତ ଜମ୍ମୁ ଓ କାଶ୍ମୀର ବୁଲିବାକୁ ଯାଇଥିଲେ ।

ପହଲଗାଓଁ ନରସଂହାରକୁ ନେଇ ଆଜି ସର୍ବଦଳୀୟ ବୈଠକ

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣକୁ ନେଇ ଆଜି ବସିବ ସର୍ବଦଳୀୟ ବୈଠକ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ବୈଠକ ଡକାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଦେଶକୁ ଓ ସମସ୍ତ ରାଜନୈତିକ ଦଳକୁ ସେ ପହଲଗାଁଓ ଆକ୍ରମଣ ସମ୍ପର୍କରେ ଅବଗତ କରାଇବେ ।

ଏହାସହ କେନ୍ଦ୍ର ସରକାର କ’ଣ ପଦକ୍ଷେପ ନେଇଛନ୍ତି, ଆଗକୁ କ’ଣ ପଦକ୍ଷେପ ନେବେ ସେ ନେଇ ମଧ୍ୟ ଅବଗତ କରାଇବେ ରାଜନାଥ ସିଂହ । ସମସ୍ତ ଦଳ ସହିତ ଏ ନେଇ ନିଜେ ରାଜନାଥ ସିଂହ ଓ ଅମିତ ଶାହା ଗତକାଲି କଥା ହୋଇଥିଲେ । ଆତଙ୍କବାଦ ବିରୋଧରେ ଲଢେଇ କରିବାକୁ ସାରା ଦେଶ ଏକଜୁଟ୍ ଅଛି। ସେହି ସନ୍ଦେଶ ଦେବାକୁ ଏହି ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ସେପଟେ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ।

ଜନ୍ମାମାଟିରେ ପହଞ୍ଚିଲା ପହଲଗାଓଁ ମୃତକ ପ୍ରଶାନ୍ତ ଶତପଥୀଙ୍କ ମରଶରୀର

ନନ୍ଦିଘୋଷ ବ୍ୟୁରୋ: ସାରା ଅଞ୍ଚଳ ସ୍ତବ୍ଧ । କାନ୍ଦ ବୋବେଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ସମସ୍ତଙ୍କ ଆଖିରୁ ଝରି ଯାଉଛି ଲୁହ । କାରଣ ପରିବାର ସହ ହସି ହସି ଜମ୍ମୁ ଓ କାଶ୍ମୀରର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଯାଇଥିବା ପ୍ରଶାନ୍ତ ଶତପଥୀ ଶବ ହୋଇ ଫେରିଛନ୍ତି । ଆତଙ୍କବାଦୀଙ୍କ ଗୁଳି ତାଙ୍କ ଛାତି ଭେଦ କରି ଜୀବନ ନେଇ ଯାଇଛି ।

ଶ୍ରୀନଗରରୁ ସ୍ବତନ୍ତ୍ର ବିମାନରେ ପ୍ରଶାନ୍ତଙ୍କ ମର ଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚି ଥିଲା । ସେଠାରୁ ତାଙ୍କୁ ଜନ୍ମମାଟି ବାଲେଶ୍ବର ଇସାଣୀ ଗାଁକୁ ନିଆଯାଇଛି । ଆଜି ପ୍ରଶାନ୍ତର ହେବ ଅନ୍ତିମ ସତ୍କାର ।

ତିନିଦିନ ପୂର୍ବେ ପ୍ରଶାନ୍ତ ପତ୍ନୀ ଓ ପୁଅ ସହ ପହଲଗାଓଁ ବୁଲିବାକୁ ଯାଇଥିଲେ । ସେଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲେ । ଏହି ଆକ୍ରମଣରେ ପ୍ରଶାନ୍ତଙ୍କ ସମେତ ୨୮ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି ।

ପାକିସ୍ତାନରେ ମରୁଡ଼ି କରାଇବ ଭାରତ

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣାରେ କଡ଼ା ପଦକ୍ଷେପ ସ୍ଵରୂପ ସିନ୍ଧୁ ଜଳ ଚୁକ୍ତିକୁ ବାତିଲ କରିଛି ଭାରତ। ତେବେ କଣ ଏହି ସିନ୍ଧୁ ଜଳ ଚୁକ୍ତି ଓ ଏହାର ଗୁରୁତ୍ଵ କଣ। ୧୯୬୦ ମସିହା ସେପଟେମ୍ଵର ୧୯ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିଶ୍ଵ ବ୍ୟାଙ୍କର ମଧ୍ୟସ୍ଥତାରେ ସିନ୍ଧୁ ନଦୀ ଓ ଏହାର ଶାଖା ନଦୀଗୁଡ଼ିକର ଜଳ-ବଣ୍ଟନ ପାଇଁ ଏହି ଚୁକ୍ତି ହୋଇଥିଲା। ତତକାଳୀନ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ତତ୍କାଳୀନ ପାକିସ୍ତାନୀ ରାଷ୍ଟ୍ରପତି ଫିଲ୍ଡ ମାର୍ଶାଲ ଆୟୁବ ଖାନଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା ଏହି ଚୁକ୍ତି। ଏହି ଚୁକ୍ତି ଅନୁସାରେ ପୂର୍ବ ଦିଗକୁ ପ୍ରବାହିତ ହେଉଥିବା ବ୍ୟାସ, ରବି ଏବଂ ସତଲେଜର ପାଣି ଭାରତ ବ୍ୟବହାର କରିବ। ଏହି ତିନି ନଦୀରେ ବାର୍ଷିକ ହାରାହାରି ୪୧ ବିଲିୟନ ଘନମିଟର ପାଣି ମିଳିଥାଏ।

ସେହିପରି ପଶ୍ଚିମ ଦିଗକୁ ପ୍ରବାହିତ ହେଉଥିବା ସିନ୍ଧୁ, ଚେନାବ ଏବଂ ଝେଲମର ପାଣି ବ୍ୟବହାର କରିଥାଏ ପାକିସ୍ତାନ। ଏହା ଦ୍ଵାରା ପାକିସ୍ତାନକୁ ମିଳିଥାଏ ବାର୍ଷିକ ହାରାହାରି ୯୯ ବିଲିୟନ ଘନମିଟର ପାଣି। ଭାରତରେ ଅବସ୍ଥିତ ସିନ୍ଧୁ ନଦୀ ପ୍ରଣାଳୀର ମୋଟ ପାଣିର ମାତ୍ର ୩୦ ପ୍ରତିଶତ ଭାରତ ବ୍ୟବହାର କରୁଥିବା ବେଳେ ବାକି ୭୦ ପ୍ରତିଶତ ବ୍ୟବହାର କରୁଥିଲା ପାକିସ୍ତାନ। ଯଦିଓ ଭାରତ ପାଖରେ ଅଧିକାର ଥିଲା ଅଧିକ ପାଣି ବ୍ୟବହାର କରିବାର ଓ ପୁରା ସିନ୍ଧୁ ନଦୀ ପ୍ରଣାଳୀ ଉପରେ ଭାରତର ନିୟନ୍ତ୍ରଣ ଥିଲା, ତେବେ ସଦଭାବନା ଦୃଷ୍ଟିରୁ ପାକିସ୍ତାନକୁ ଦିଆଯାଉଥିଲା ଅଧିକ ପାଣି। ଯଦି ଭାରତ ଚାହିଁବ ଏହି ନଦୀ ଦ୍ଵାରା ପାକିସ୍ତାନର ଉଭୟ ମରୁଡ଼ି ଓ ବନ୍ୟା ବି କରିପାରିବ। ପାକିସ୍ତାନ ଅନେକ ବଦମାସି କରିବା ସତ୍ତ୍ଵେ , ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ସତ୍ତ୍ଵେ ଆଜି ପର୍ଯ୍ୟନ୍ତ ଭାରତ ଏହାକୁ ଅସ୍ତ୍ର ଭାବେ ବ୍ୟବହାର କରିନଥିଲା ଏବଂ ଚୁକ୍ତିକୁ ସମ୍ମାନ ଦେଇଥିଲା। କିନ୍ତୁ ଏଥର ଭାରତର ଧୈର୍ଯ୍ୟର ବନ୍ଧ ଭାଙ୍ଗିଛି । ତା’ ସହିତ ଭାଙ୍ଗିଛି ସିନ୍ଦୁ ନଦୀ ଚୁକ୍ତି। ଏବେ ଆଉ ସିନ୍ଧୁ, ଝେଲମ, ଚେନାବ, ରବି, ବ୍ୟାସ୍ ଓ ସତଲେଜ ନଦୀର ଆଦୌ ପାଣି ପାଇବ ନାହିଁ ପାକିସ୍ତାନ। ପାକିସ୍ତାନରେ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହେବ।

ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ : ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତର ବଡ଼ ପଦକ୍ଷେପ। ଦୁଇ ଦେଶ ମଧ୍ୟରେ ନେହେରୁ ସରକାରଙ୍କ ସମୟରେ ସ୍ବାକ୍ଷରିତ ସିନ୍ଧୁଜଳ ଚୁକ୍ତିକୁ ରଦ୍ଦ କରାଯାଇଛି । ଏହା ସହିତ ଓ୍ବାଘା-ଅଟାରୀ ସୀମାକୁ ବନ୍ଦ କରିଦିଆଯାଇଛି । ପାକିସ୍ତାନୀଙ୍କ ଭିସା ରଦ୍ଦ ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି (ସିସିଏସ) ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଆତଙ୍କୀଙ୍କୁ ଦୃଢ ଜବାବ ଦେବାକୁ ପ୍ରସ୍ତୁତ ଏହି ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ କେନ୍ଦ୍ର ବୈଦେଶିକ ସଚିବ ବିକ୍ରମ ମିସ୍ରି ସରକାରଙ୍କ ନିଷ୍ପତ୍ତି ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।  ସିସିଏସ ବୈଠକରେ ନିଆଯାଇଥିବା ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ପାକିସ୍ତାନ ସହ ସିନ୍ଧୁ ଜଳ ବୁଝାମଣା ରଦ୍ଦ କରାଯାଇଛି । ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବାକୁ ପାକିସ୍ତାନ ନାଗରିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପାକିସ୍ତାନ ନାଗରିକଙ୍କ ସମସ୍ତ ଭିସା ବାତିଲ । ୭ ଦିନ ମଧ୍ୟରେ ଭାରତ ଛାଡ଼ିବେ ପାକିସ୍ତାନ ହାଇକମିଶନରେ ଥିବା ସେନା ଅଧିକାରୀ । ମେ ପହିଲାରୁ ହାଇକମିଶନରେ କର୍ମଚାରୀ ସଂଖ୍ୟା ୫୫ରୁ ୩୦କୁ ହ୍ରାସ କରାଯାଇଛି । ଇସଲାମାବାଦରୁ ମଧ୍ୟ ଭାରତ ନିଜର ସେନାଅଧିକାରୀଙ୍କୁ ପ୍ରତ୍ୟାହାର କରିବ । ଆତଙ୍କବାଦୀଙ୍କ ବିରୋଧରେ ନିଆଯିବ ଜିରୋ ଟଲରାନ୍ସ ପଦକ୍ଷେପ । ଅଟାରୀ ସୀମା ଚେକ୍ ପୋଷ୍ଟକୁ ବନ୍ଦ କରିବାକୁ ନିଷ୍ପତ୍ତି । ଭାରତୀୟ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ  ।

ଯେଉଁମାନେ ଘଟଣାରେ ସଂପୃକ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଏହା ସହିତ, ଭାରତ ପାକିସ୍ତାନରୁ ଏହାର କୂଟନୀତିଜ୍ଞଙ୍କୁ ଫେରାଇ ନେଉଛି ଓ ପାକିସ୍ତାନୀ ଉଚ୍ଚାୟୁକ୍ତଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟର ସମସ୍ତ ୧୪୭ ବିଧାନସଭା କ୍ଷେତ୍ରରେ ନିଜର ଚାପ୍ଟର ଖୋଲିବ ବ୍ୟବସାୟୀ ମହାସଂଘ

ଭୁବନେଶ୍ୱର: ରାଜ୍ୟର ସମସ୍ତ ୧୪୭ ବିଧାନସଭା କ୍ଷେତ୍ରରେ ନିଜର ଚାପ୍ଟର ଖୋଲିବ ବ୍ୟବସାୟୀ ମହାସଂଘ । ରାଜ୍ୟର ବ୍ୟବସାୟୀ, ଖାଉଟି ଓ କୃଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଯୋଜନାବଦ୍ଧ ଭାବେ ଲଢେଇ କରାଯିବ । ଯେଉଁ ଯୋଜନାକୁ ସଫଳ କରିବା ପାଇଁ ଓଡ଼ିଶାରେ ଏକାଠି ହେବେ ସାରା ଦେଶର ବ୍ୟବସାୟୀ । ରାଜ୍ୟର ବ୍ୟବସାୟୀ, ଖାଉଟି ଓ ଚାଷୀଙ୍କ ସମସ୍ୟା ନେଇ ସମ୍ମିଳନୀରେ ଆଲୋଚନା ହେବ। ସାରା ଦେଶର ଶତାଧିକ ବ୍ୟବସାୟୀ ନେତାଙ୍କ ସହ ବହୁ ସାଂସଦ ଓ ବିଭିନ୍ନ ବର୍ଗର ଲୋକେ ଏଥିରେ ଯୋଗ ଦେବେ। ଆସନ୍ତା ୨୫ ଓ ୨୬ ରେ ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀ ପାଇଁ ବ୍ୟବସାୟୀ ମହାସଂଘ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏ ନେଇ ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ବ୍ୟବସାୟୀଙ୍କ ସହ ଚାଷୀ, ଖାଉଟି ସମସ୍ତେ ସଶକ୍ତ ହେବେ ବୋଲି କୁହାଯାଇଛି । ଦୁଇଦିନିଆ ବ୍ୟବସାୟୀ ସମ୍ମିଳନୀରେ ରାଜ୍ୟର ଚାଷୀ କିଭଳି ଆତ୍ମନିର୍ଭରଶୀଳ ହେବେ, ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପାଇବେ ଓ ଅଭାବୀ ବିକ୍ରି ହେବ ନାହିଁ ସେ ନେଇ ଫୋକସ ରହିବ। ଏପରିକି ସେଥିପାଇଁ ରାଜ୍ୟର ଅଧିକରୁ ଅଧିକ ଯୁବପୀଢ଼ିଙ୍କୁ ସ୍ୱାବଲମ୍ବୀ ଓ ଉଦ୍ୟୋଗୀ କରିବାକୁ ଯୋଜନା ହୋଇଛି।
ଏବେ କର୍ପୋରେଟ ହାଉସ ଯେଭଳି ଭାବେ ଏକଚାଟିଆ କାର୍ଯ୍ୟ କରୁଛନ୍ତି ଓ ବ୍ୟବସ୍ଥାକୁ ନଷ୍ଟ କରୁଛନ୍ତି ତା ଉପରେ ରୋକ ଲଗାଇବାକୁ ପ୍ରସ୍ତୁତ ହେବ ଯୋଜନା। ବ୍ୟବସାୟୀଙ୍କ ସୁବିଧା ଅସୁବିଧା ଆଦି ସମ୍ପର୍କରେ ସମ୍ମିଳନୀରେ ଦିଆଯିବ ଗୁରୁତ୍ୱ। ଓଡ଼ିଶାର ଉଦ୍ୟୋଗୀଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଉ ବୋଲି ସରକାରଙ୍କ ନିକଟରେ ଦାବି କରାଯିବ। ଏହି ସମ୍ମିଳନୀ ଓଡିଶା ପାଇଁ ଏକ ନୂଆ ଜାଗୃତି ଆଣିବ ବୋଲି କୁହାଯାଇଛି । ଲୋକଙ୍କ ସ୍ୱର ସରକାରଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମକୁ ଜୋରଦାର କରାଯିବ । ସମ୍ମିଳନୀରେ ବ୍ୟବସାୟୀଙ୍କ ଉନ୍ନତି ସହ ସବୁ ବର୍ଗଙ୍କୁ ଗୁରୁତ୍ୱ ଦିଆଯିବ। ଖାଉଟିଙ୍କ ସୁବିଧାକୁ ଫୋକସ କରାଯିବ । ମଲଟି ଲାଇସେନ୍ସ, ବ୍ୟାଙ୍କର ଗୁପ୍ତ ଚାର୍ଜ ଆଦି ଉପରେ ଆଲୋଚନା ହେବ । ସରକାରଙ୍କ ନିୟମ କାନୁନ ବ୍ୟବସ୍ଥାକୁ ନଷ୍ଟ କରୁଛି। ତେଣୁ କେମିତି ଏସବୁକୁ ସରଳ କରାଯିବ ତାକୁ ଗୁରୁତ୍ୱ ଦିଆଯିବ। ଗୋଟିଏ ପ୍ଲାଟଫର୍ମରେ ସମସ୍ତେ ଏକାଠି ହେବେ ।
ରାଜ୍ୟରେ ଦରଦାମ ବୃଦ୍ଧି ଓ ଖାଉଟି କୃଷକ ଓ ବ୍ୟବସାୟୀଙ୍କ ଅସନ୍ତୋଷ ବ୍ୟାପକ ହେଉଥିବା ବେଳେ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି । ଏପରିକି କୌଣସି ବର୍ଗ ସହ ଆଲୋଚନା ମଧ୍ୟ କରୁନାହାନ୍ତି । ତେଣୁ ଓଡ଼ିଶାର ବ୍ୟବସାୟୀ ଓ ଗ୍ରାହକଙ୍କ ସୁବିଧା ପାଇଁ ସାରା ଦେଶର ବ୍ୟବସାୟୀ ଏକାଠି ହେଲେ ସରକାରଙ୍କ ଉପରେ କେତେଦୂର ପ୍ରଭାବ ପକାଉଛି ତା ଉପରେ ରହିବ ନଜର।

ମୃତ ପ୍ରଶାନ୍ତଙ୍କ ବଡଭାଇଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର: ମୃତ ପ୍ରଶାନ୍ତଙ୍କ ବଡଭାଇ ସୁଶାନ୍ତ ଶତପଥୀଙ୍କ ସହ କଥା ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ନବୀନ ପଟ୍ଟନାୟକ। ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ସେ ପ୍ରତିଶ୍ରୃତି ଦେଇଛନ୍ତି। ପ୍ରଶାନ୍ତଙ୍କ ବିୟୋଗରେ ମର୍ମାହତ ହୋଇଛନ୍ତି ନବୀନ । ମୃତକଙ୍କ ପରିବାର ସହ ସେ ଅଛନ୍ତି ବୋଲି କହିଛନ୍ତି ।

ପହଲଗାଓଁରେ ଆତଙ୍କୀ ଆକ୍ରମଣରେ ନିହତ ୨୬ଜଣଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛି ବିଜୁ ଜନତା ଦଳ

ଭୁବନେଶ୍ୱର : ବିଜେଡିର ଶ୍ରଦ୍ଧାଞ୍ଜଳି । ଜାମ୍ମୁ କାଶ୍ମୀର ପହଲଗାଓଁରେ ଆତଙ୍କୀ ଆକ୍ରମଣରେ ନିହତ ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ସମେତ ସମସ୍ତ ୨୬ଜଣଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛି ବିଜୁ ଜନତା ଦଳ । ଶଙ୍ଖ ଭବନ ପରିସରରେ ଦଳର ନେତା ଓ କର୍ମୀ କ୍ୟାଣ୍ଡେଲ ଜଳାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦେଶରୁ ସମ୍ପୂର୍ଣ୍ଣ ଭାବେ ସନ୍ତ୍ରାସବାଦର ମୂଳୋତ୍ପାଟନ ଲାଗି ସ୍ୱର ଉଠାଇବା ସହ ଘଟଣାକୁ ନିନ୍ଦା କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର, ଅଶୋକ ଚନ୍ଦ୍ର ପଣ୍ଡା,ରାଜ୍ୟସଭା ସାଂସଦ ସୁଲତା ଦେଓ,ମେୟର ସୁଲୋଚନା ଦାଶ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା,ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ,ବିଜେଡି ମୁଖପାତ୍ର ଲେଲିନ ମହାନ୍ତି, ଯୁବ ନେତା ମନ୍ମଥ ରାଉତରାୟଙ୍କ ସମେତ ବହୁ କର୍ପୋରେଟର, ବିଜେଡି ନେତା ଓ କର୍ମୀମାନେ ଏହି ଘଟଣାକୁ ନିନ୍ଦା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସିସିଏସ ବୈଠକ

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣକୁ ନେଇ ସୁରକ୍ଷା ସଂପର୍କିତ କ୍ୟାବିନେଟ କମିଟିର ବୈଠକ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ବସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି।
ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବୈଦେଶିକ ମନ୍ତ୍ରୀ ଜୟଶଙ୍କର, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭଲ ପ୍ରମୁଖ ଉପସ୍ଥିତ ଅଛନ୍ତି। ଆତଙ୍କୀଙ୍କୁ ଦୃଢ ଜବାବ ଦେବାକୁ ପ୍ରସ୍ତୁତ ଏହି ବୈଠକରେ କିଛି ଠୋସ୍ ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।