spot_img
Home Blog Page 831

ମହାକାଳପଡାରେ ତେଜୁଛି ବିଜେପି ଗୋଷ୍ଠୀ କନ୍ଦଳ

ନନ୍ଦିଘୋଷ ବ୍ୟୁରୋ: ମହାକାଳପଡାରେ ତେଜୁଛି ବିଜେପି ଗୋଷ୍ଠୀ କନ୍ଦଳ । ରାମନଗର ଠାରେ ଚାଲିଥିବା ଜମ୍ବୁଦ୍ବୀପ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାକୁ ନେଇ ପଦାକୁ ଆସିଲା ଅନ୍ତଃକନ୍ଦଳ। ମହୋତ୍ସବ ପାଇଁ ଚାରିଆଡେ ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର ଏବଂ ହୋଡିଙ୍ଗ ଲଗାଯାଇଥିବା  ବେଳେ କାହିଁକି ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କନକ ବର୍ଦ୍ଧନ ସିଂଦେଓ ଏବଂ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ପୋଷ୍ଟର ଲଗାଗଲାନାହିଁ ବୋଲି କିଛି ନେତା ପ୍ରଶ୍ନ କରିଛନ୍ତି । ଏହାସହ ମହୋତ୍ସବ ପ୍ରସ୍ତୁତି ବୈଠକକୁ କିଛି ପୁରୁଖା ନେତାଙ୍କୁ ଡକାଯାଇନଥିବା ଅଭିଯୋଗ ବାଢିଛନ୍ତି ବିଜେପି ନେତା ପବିତ୍ର ପରିଡା । ଏନେଇ ସେ କିଛି ଫଟୋ ଓ ଲେଖା ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମହାକାଳପଡା ବିଧାୟକଙ୍କ ଦୁଇ ଜଣ ସମର୍ଥକ ପ୍ରବିତ୍ରଙ୍କୁ ଭେଟି ସେହି ପୋଷ୍ଟକୁ ହଟାଇବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ପବିତ୍ର ।

ଗତ ୧୯ ତାରିଖ ରାତି ନଅଟା ସମୟରେ ପବିତ୍ର ପରିଡା ନିଜ ମୋଟରସାଇକେଲରେ ଘରକୁ ଫେରୁଥିବା ବେଳେ ରାମଚଣ୍ଡୀ ପୋଲ ପୂର୍ବରୁ ତାଙ୍କୁ ଛଅ ଗୋଟି ମଟର ସାଇକେଲରେ  ୧୦ରୁ ୧୨ ଜଣ ବ୍ୟକ୍ତି ଅଟକାଇ ବିଧାୟକଙ୍କ ନାମରେ ଫେସବୁକ ପୋଷ୍ଟ ହଟାଇବାକୁ ଧମକ ଦେଇଥିଲେ । ଜଣେ ପବିତ୍ରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିବା ବି ଅଭିଯୋଗ ହୋଇଛି । ଏନେଇ ଗତକାଲି ବିଜେପି ନେତା ପବିତ୍ର ପରିଡା ଜମ୍ବୁ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବିଜେପି ଦଳର ଭିତିରି କନ୍ଦଳ ପଦାକୁ ଆସିଛି । ନିଜ ଜୀବନ ପ୍ରତି ବିପଦ ଥିବା ସେ ଏଫଆଇଆରରେ ଅଭିଯୋଗ କରିଛନ୍ତି । ତେବେ ଏନେଇ ମହାକାଳପଡା ବିଧାୟକ କିମ୍ବା ତାଙ୍କ ସମର୍ଥକଙ୍କ ପ୍ରତିକ୍ରିୟା ମିଳିପାରିନି।

ଭଦ୍ରକ ଖଣ୍ଡତଡ଼ା ପଞ୍ଚାୟତରେ ଚାଞ୍ଚଲ୍ୟ : ୧୦ ଫୁଟ ମାଟି ଖୋଳିଲେ ବାହାରୁଛି କିରୋସିନ୍ ଗନ୍ଧ

ନନ୍ଦିଘୋଷ ବ୍ୟୁରୋ: ଭଦ୍ରକ ଖଣ୍ଡତଡ଼ା ପଞ୍ଚାୟତରେ ଚାଞ୍ଚଲ୍ୟ । ୧୦ ଫୁଟ ମାଟି ଖୋଳିଲେ ବାହାରୁଛି କିରାସିନର ଗନ୍ଧ । କିରାସିନ ଗନ୍ଧ ବାହାରିବା ସହ ଆଖପାଖ ଅଞ୍ଚଳରେ ଗନ୍ଧ ଖେଳିଯାଇଛି । ଘଟଣା ପ୍ରଘଟ ହେବା ପରେ ଅଞ୍ଚଳରେ ଲୋକଙ୍କ ଭିଡ଼ ଜମୁଛି । ପଞ୍ଚାୟତର ନୂତନ ଗୃହ ନିର୍ମାଣ ପାଇଁ ପିଲାର ପାଇଁ ଗାତ ଖୋଳାଯାଉଥିଲା । ୧୦ ଫୁଟ ଗଭୀରର ପିଲାର ଖୋଲିବା ପରେ ଗାତ ଭିତରୁ ଆସିଥିଲା କିରାସିନର ଉତ୍କଟ ଗନ୍ଧ । ଏପରିକି ଭିତରୁ ଯାହାବି ମାଟି ବାହାରୁଥିଲା ତାହା କିରାସିନ ଗନ୍ଧ କରିବା ସହିତ ତେଲ ଚିକିଟା ମାଟି ବାହାରୁଛି । ଏପରିକି ଭିତରୁ ବାହାରୁଥିବା ପାଣିରୁ ମଧ୍ୟ କିରାସିନ ଗନ୍ଧ ବାହାରୁଛି । ଆଖପାଖ ଅଞ୍ଚଳ କିରାସିନ ଗନ୍ଧ ବାରିହେଉଛି । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଆଖପାଖ ଅଞ୍ଚଳରୁ ଏହାକୁ ଦେଖିବାକୁ ଲୋକଙ୍କ ଧାଡ଼ି ଛୁଟୁଛି । ଯାହାକୁ ନେଇ ମାଟିତଳେ କିରାସିନ ଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଥିବା ବେଳେ ଘଟଣାର ସରକାରୀ ଯାଞ୍ଚ କରିବାକୁ ଦାବି କରିଛନ୍ତି ।

ଡବଲ ଇଞ୍ଜିନ ସରକାରରେ ଘୋଷଣା ବେଶୀ, ମିଳୁଛି କମ୍

ନନ୍ଦିଘୋଷ ବ୍ୟୁରୋ: ଡବଲ ଇଞ୍ଜିନ ସରକାରରେ କେନ୍ଦ୍ରଠାରୁ ଅଧିକ ଅର୍ଥ ଆସିବ କଣ ରାଜ୍ୟକୁ ମିଳୁଛି କମ୍ ଆବଣ୍ଟନ ଓ ଅନୁଦାନ । ୨୦୨୪-୨୫ ଆର୍ଥିକ ବର୍ଷର ଜାନୁଆରୀ ମାସରେ କେନ୍ଦ୍ର ଅନୁଦାନ ୧୭ ପ୍ରତିଶତ କମ୍ ମିଳିଛି । ଖୋଦ ଅର୍ଥ ବିଭାଗର ତଥ୍ୟ କହୁଛି, ପୂର୍ବ ନବୀନ ସରକାର ସମୟରେ ଯାହା ମିଳିଥିଲା ତାଠୁ କମ୍ ମିଳିଛି । ରାଜ୍ୟ ଆୟ କମୁଛି । ଋଣଭାର ବଢୁଛି । ସେପଟେ କେନ୍ଦ୍ର ଦେଉଛି କମ୍ । ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଓ ଆର୍ଥିକ ବିଶେଷଜ୍ଞ । ଅଭିଯୋଗ କରିଛନ୍ତି ଏପରି ଚାଲିଲେ ଓଡ଼ିଶା ପୁଣି ଥରେ ଆର୍ଥିକ ଦୁଃସ୍ଥିତି ଆଡ଼କୁ ଚାଲିଯିବ ।

କ୍ଷମତା ବଦଳିଲା ହେଲେ ବଦଳିଲାନି କେନ୍ଦ୍ରର ଆଭିମୁଖ୍ଯ । କମିବାରେ ଲାଗିଛି କେନ୍ଦ୍ରୀୟ ଅନୁଦାନ । ବିଜେଡି ଅମଳ ଅପେକ୍ଷା ଡବଲ ଇଞ୍ଜିନରେ ଅଧିକ ନିରାଶା ।.. ..ବିଜେପିର ଦାବିଥିଲା ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲେ କେନ୍ଦ୍ରଠାରୁ ଅଧିକ ଅର୍ଥ ଆସିବ । କିନ୍ତୁ ୨୦୨୪-୨୫ ଆର୍ଥିକ ବର୍ଷର ହିସାବ ଅଲଗା କାହାଣୀ ବଖାଣୁଛି । ଅଙ୍କ ସବୁ ଗଡ଼ବଡ଼ । ଖୋଦ ଅର୍ଥ ବିଭାଗ ଉପଲବ୍ଧ କରିଥିବା ଆୟ ତାଲିକାରୁ ଜଣାପଡ଼ିଛି, ଗତ ଆର୍ଥିକ ବର୍ଷରେ କେନ୍ଦ୍ର ଅନୁଦାନ ବାବଦରେ ବଜେଟ୍ ଅର୍ଥଠାରୁ କମ ମିଳିଛି । ୨୦୨୪-୨୫ ବର୍ଷରେ କେନ୍ଦ୍ର ଅନୁଦାନ ବାବଦରେ ରାଜ୍ୟକୁ ମିଳିବା କଥା ୩୭ ହଜାର ୭୬୮ କୋଟି ୨୪ ଲକ୍ଷ ଟଙ୍କା । ହେଲେ ଗତ ଜାନୁଆରୀ ସୁଦ୍ଧା ମିଳିଛି ମାତ୍ର ୧୨ ହଜାର ୯୯୮ କୋଟି ୯ ଲକ୍ଷ ଟଙ୍କା । ଯାହାକି ୧୬.୯୧ ପ୍ରତିଶତ କମ୍ । ଅଥଚ ସମାନ ସମୟରେ ପୂର୍ବବର୍ଷ ନବୀନ ସରକାରଙ୍କ ସମୟରେ ଆସିଥିଲା ଅଧିକ ଅର୍ଥ । ୨୦୨୩-୨୪ ଆର୍ଥିକ ବର୍ଷ ୩୨ ହଜାର ୭୪୮ କୋଟି ୮୨ ଲକ୍ଷରୁ ମିଳିଥିଲା ୧୫ ହଜାର ୬୪୩ କୋଟି ୬୮ ଲକ୍ଷ ଟଙ୍କା । ପୂର୍ବତନ ମୁଖ୍ୟମନ୍ତ୍ରୀ ସିଙ୍ଗଲ ଇଞ୍ଜିନ ହୋଇ କେନ୍ଦ୍ରଠାରୁ ଅଧିକ ଅର୍ଥ ଟାଣିପାରୁଥିଲେ । ଏବେ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଡବଲ ଇଞ୍ଜିନ ହୋଇ ଅର୍ଥ କାହିଁକି ଆସୁନି ବୋଲି ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ । ଅଭିଯୋଗ କରିଛନ୍ତି ଗୋଟିଏ ପଟେ ରାଜ୍ୟର ରାଜସ୍ବ ଆୟ କମୁଛି । ଋଣଭାର ବଢୁଛି । ବୋଝ ଉପରେ ନଳିତା ବିଡ଼ା ଭଳି ବିଭିନ୍ନ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରିବାକୁ ରାଜ୍ୟ ଉପରେ ଅର୍ଥ ବୋଝ ଲଦାଚାଲିଛି । ଏପରି ଜାରି ରହିଲେ ରାଜ୍ୟ ପୁଣି ଥରେ ନିଅଣ୍ଟିଆ ସ୍ଥିତିକୁ ଚାଲିଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ।

ରାଜ୍ୟରେ ବିଜେପି ସରକାର ଆସିବା ପରଠୁ ବଜେଟ୍ ଆକାର ବଢୁଛି । ହେଲେ ବିଭିନ୍ନ ବିଭାଗ ପାଇଁ ବଜେଟ୍ ଅର୍ଥ ଖର୍ଚ୍ଚ ହୋଇପାରିନି । ଓଡ଼ିଶାଠାରୁ ଛୋଟ ରାଜ୍ୟମାନେ କମ୍ ପରିମାଣର ବାର୍ଷିକ ବଜେଟ୍ କରି ରାଜ୍ୟ ଘରୋଇ ଉତ୍ପାଦ ଅଧିକ ଲକ୍ଷ୍ୟ ରଖୁଛନ୍ତି । କିନ୍ତୁ ଖଣିଜ ସମ୍ପଦ ଭରା ରାଜ୍ୟ ହୋଇ ରାଜ୍ୟ ଘରୋଇ ଉତ୍ପାଦ ଲକ୍ଷ୍ୟ କମ ରଖିଛି । ପୂର୍ବ ସରକାରଙ୍କ ସମୟରେ ହୋଇଥିବା ଭିତ୍ତିଭୂମି ବିକାଶର ସୁଫଳ ଏବର ସରକାର ଅମଳ କରୁଛନ୍ତି । ୧୦ ମାସର ସରକାରରେ ରାଜ୍ୟର ଋଣବୋଝ ଯେତିକି ବଢିଲାଣି ବିଗତ ସରକାରରେ ଏତେ ପରିମାଣର ହୋଇନଥିଲା । ୨୦୩୬ ବେଳକୁ ଓଡ଼ିଶା ହେବ ୫୦୦ ବିଲିୟନ ଡଲାର ଅର୍ଥନୀତି । କିନ୍ତୁ ରାଜସ୍ବ ଆୟର ଗତି ଯଦି ଏପରି ମନ୍ଥର ରହିବ ତାହେଲେ ଏହି ଲକ୍ଷ୍ୟ ହାସଲ କେବଳ ସ୍ଲୋଗାନ୍ ହୋଇ ରହିଯିବ ।

ଗାଁ ଶ୍ମଶାନରେ ହେଲା ଆଶୀର୍ବାଦର ଅନ୍ତିମ ସଂସ୍କାର

ନନ୍ଦିଘୋଷ ବ୍ୟୁରୋ: ଗାଁ ଶ୍ମଶାନରେ ଆଶୀର୍ବାଦର ଅନ୍ତିମ ସଂସ୍କାର କରାଯାଇଛି। ପୋଷ୍ଟମୋର୍ଟମ ପରେ ଆମ୍ବୁଲାନସରେ ମୃତଦେହକୁ ଗାଁକୁ ନେଇଥିଲା ପୋଲିସ ଓ ସ୍ଥାନୀୟ ପ୍ରଶାସନ। ହଜାର ହଜାର ଲୋକ ଶୋଭାଯାତ୍ରାରେ ନେଇ ଗାଁ ପରିକ୍ରମା କରିବା ପରେ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କଲେ। ଶୋଭାଯାତ୍ରା ବେଳେ ଉତ୍ତ୍ୟକ୍ତ ଲୋକଙ୍କ ସ୍ଲୋଗାନ ଥିଲା ଅଭିଯୁକ୍ତକୁ ଫାଶୀ ଦିଅ। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା। ଏକ ଶୋକାକୂଳ ପରିବେଶ ମଧ୍ୟରେ ଆଶୀର୍ବାଦକୁ ଅନ୍ତିମ ବିଦାୟ ଦିଆଯାଇଥିଲା।ଏହି ଅବସରରେ ପରିବାରକୁ ଆର୍ଥିକ କ୍ଷତିପୂରଣ ସହ ଗାଁରୁ ନିଶା କାରବାରକୁ କଠୋର ହସ୍ତରେ ଦମନ କରିବାକୁ ଗାଁ ଲୋକେ ଦାବି କରି ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଏଥିସହିତ ଅଭିଯୁକ୍ତ ବାପି ସାହୁ ଆଶୀର୍ବାଦ ସହ ଅପ୍ରାକୃତିକ ଯୌନ ସଂପର୍କ ରଖିବା ପରେ ତାଙ୍କୁ ହତ୍ୟା କରିଛି ବୋଲି ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି। ଏହି ଘଟଣାରେ ଡେଲାଙ୍ଗ ଓକିଲ ସଂଘ ମଧ୍ୟ ବାପି ପକ୍ଷରୁ କେସ ଲଢିବେ ନାହିଁ ବୋଲି ନିଷ୍ପତ୍ତି ନେଇଛି।

ପୋଲିସ ଡିଜିଙ୍କୁ ଭେଟିଲା ବିଜେଡି ଟିମ୍

ନନ୍ଦିଘୋଷ ବ୍ୟୁରୋ: ପୋଲିସ ଡିଜିଙ୍କୁ ଭେଟିଲା ବିଜେଡି ଟିମ୍ । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ପୋଲିସ ଡିଜିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ବିଜେଡିର ବରିଷ୍ଠ ନେତା । ଟିମରେ ବିଜେଡି ୯ ଜଣ ବରିଷ୍ଠ ନେତା ଓ ଅନ୍ୟ ବିଜେଡି କର୍ମୀ ସାମିଲ୍ ହୋଇଥିଲେ । ବିଜୁ ଜନତା ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ପ୍ରତାପ ଜେନା, ଅତନୁ ସବ୍ୟସାଚୀ, ବିଭୂତି ବଳବନ୍ତରାୟ, ଲେନିନ ମହାନ୍ତି, ବିଧାୟକ ଅରୁଣ ସାହୁ, ବିଧାୟକ ବିଶ୍ଵରଞ୍ଜନ ମଲ୍ଲିକଙ୍କ ସହ ଦଳୀୟ କର୍ମୀମାନେ କ୍ୟାମ୍ପ ଅଫିସରେ ପୋଲିସ ଡିଜିଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି । ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଆଇଶୃଙ୍ଖଳା ପରିସ୍ଥିତି । ଯାଜପୁର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପରଠାରୁ ୧୦ ମାସ ମଧ୍ୟରେ ୮ଟି ଆପରାଧିକ ମାମଲା ଘଟି ସାରିଲାଣି । ବିଧାୟକଙ୍କ ପ୍ରରୋଚନାରେ ଆପରାଧିକ କାର୍ଯ୍ୟ ହେଉଥିବା ବେଳେ, ଜିଲ୍ଲା ପୋଲିସ ନୀରବ ଦ୍ରଷ୍ଟା ସାଜିଛି । ଏଯାଏଁ ପୂର୍ବତନ ବିଧାୟକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଜଣେ ହେଲେ ଅପରାଧୀଙ୍କୁ ଗିରଫ କରାଯାଇନାହିଁ । ଯାଜପୁର ଜିଲ୍ଲା ପୋଲିସ ପ୍ରଶାସନ ଓ ଏସପିଙ୍କ ଆଭିମୁଖ୍ୟ ବିରୁଦ୍ଧରେ ପୋଲିସ ଡିଜିଙ୍କୁ ଭେଟି ବିଜୁ ଜନତା ଦଳ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି ।

ବ୍ୟାଙ୍କ ଠକେଇ ମାମଲାରେ ୪ ଜଣ ଠକଙ୍କୁ ଗିରଫ କଲା ଇଓଡବ୍ଲୁ

ନନ୍ଦିଘୋଷ ବ୍ୟୁରୋ: ବ୍ୟାଙ୍କ ଠକେଇ ମାମଲାରେ ୪ ଜଣ ଠକଙ୍କୁ ଗିରଫ କରିଛି ଇଓଡବ୍ଲୁ । ଗିରଫମାନେ ହେଲେ ଜଗତସିଂହପୁରର ସ୍ମୃତି ରଞ୍ଜନ ସେଠୀ, ଏମ୍. ଦିବ୍ୟଶ୍ରୀ ଜ୍ୟୋତି ରଞ୍ଜନ, ଭୁବନେଶ୍ୱର ନୟାପଲ୍ଲୀର ନିରଞ୍ଜନ ବେହେରା ଓ ଦେବାଶିଷ ବେହେରା । ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରିବ ଇଓଡବ୍ଲୁ । ଗିରଫ ଅଭିଯୁକ୍ତମାନେ ଭୁବନେଶ୍ଵର ସ୍ଥିତ ଜୟଦେବ ବିହାର ଓ ଡମଣା ଷ୍ଟେଟ୍ ବ୍ୟାଙ୍କ ଶାଖାରୁ ଜାଲ ଡକ୍ୟୁମେଣ୍ଟ ଦେଇ ୮କୋଟି କୋଟି ୧ ଲକ୍ଷ ଟଙ୍କାର ୨୩୪ ଟି ଏକ୍ସପ୍ରେସ୍ କ୍ରେଡିଟ୍ ଋଣ ନେଇଥିଲେ । ୨୦୨୧ରୁ ଜାନୁଆରୀ ୨୦୨୩ ମଧ୍ୟରେ ବିଭିନ୍ନ ସଂଗଠନର କର୍ମଚାରୀ ଭାବରେ ଜାଲ/ନକଲି ନିଯୁକ୍ତି ରେକର୍ଡ ପ୍ରସ୍ତୁତ କରିଥିଲେ । ଭୁବନେଶ୍ଵର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆଞ୍ଚଳିକ ପରିଚାଳକ ଶିବ ସୁନ୍ଦର ସାହୁଙ୍କ ଲିଖିତ ଅଭିଯୋଗ କରିଥିଲେ । ଏତଲା ଆଧାରରେ ତଦନ୍ତ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ଇଓଡବ୍ଲୁ । ସେମାନେ ବିଭିନ୍ନ ସଂସ୍ଥା ନାଁରେ କାର୍ଯ୍ୟକରିଥିବା ଅଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ନକଲି ନିଯୁକ୍ତି ପମାଣପତ୍ର ସହିତ ନକଲି ଦରମା ପ୍ରମାଣ ପତ୍ର, ନକଲି ବ୍ୟାଙ୍କ ତଥ୍ୟ ଏବଂ ନକଲି କେୱାସି ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ୨୩୪ଟି ଏକ୍ସପ୍ରେସ୍ କ୍ରେଡିଟ୍ ଋଣ ହାସଲ କରିଥିଲେ । ଗିରଫ ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ଲାପଟପ୍ ଏବଂ ୫ଟି ମୋବାଇଲ୍ ଫୋନ୍ ଭଳି ଅନେକ ଆପରାଧିକ ସାମଗ୍ରୀ ଜବତ କରି ତଦନ୍ତ ଜାରି ରଖିଛି ଇଓଡବ୍ଲୁ ।

ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ହତାଶ ହେଲେ ଅଭିଯୋଗକାରୀ !

ନନ୍ଦିଘୋଷ ବ୍ୟୁରୋ: ପ୍ରହସନ ପାଲଟିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ହତାଶ ହୋଇ ଦୁଃଖରେ ଫେରିଯାଇଛନ୍ତି ଅଭିଯୋଗକାରୀ । ଭୁବନେଶ୍ଵର ଛାଡ଼ି ସମ୍ବଲପୁରରେ ପ୍ରଥମଥର ପାଇଁ ଜନ ଅଭିଯୋଗ ଶୁଣିବାକୁ ଆସିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହିତ ୧୧ ଜଣ ମନ୍ତ୍ରୀ ଓ ୧୩ ଜଣ ସଚିବ ମଧ୍ୟ ଆସିଥିଲେ । ତେଣୁ ଲୋକଙ୍କ ଆଶାଥିଲା ଯେଉଁ ଅଭିଯୋଗ ଭୁବନେଶ୍ୱର ଯାଇ କରିପାରୁନଥିଲେ, ସେମାନେ ଏଠାରେ କରିବେ । କିନ୍ତୁ ଜନ ଅଭିଯୋଗ ଶୁଣାଣିରେ ମୁଖ୍ୟମନ୍ତ୍ରୀ କଥା ଶୁଣିଲେନାହିଁ । ଏଠାରେ କାମ ହୋଇପାରିବ ନାହିଁ, ଭୁବନେଶ୍ୱର ଆସନ୍ତୁ ବୋଲି ଅଭିଯୋଗକାରୀଙ୍କୁ କହି ଫେରାଇଦେଲେ ଅଧିକାରୀ । ତେବେ ଭୁବନେଶ୍ୱରରେ ଯଦି ଅଭିଯୋଗ ଶୁଣିବାର ଥିଲା, ତେବେ ସମ୍ବଲପୁରରେ କାହିଁକି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ବୋଲି ପ୍ରଶ୍ନ କରିଛନ୍ତି ଅଭିଯୋଗକାରୀ । ଅନ୍ୟପଟେ ଅନେକ ଅଭିଯୋଗକାରୀ କହିଛନ୍ତି ଯେ ତାଙ୍କର ଅଭିଯୋଗକୁ ଜିଲ୍ଲାପାଳଙ୍କ ନିକଟକୁ ପଠାଇ ଦିଆଯାଉଛି । ସବୁଠାରୁ ବଡ଼ କଥା ହେଲା ଯଦି ସରକାର ଏଭଳି ଲୋକଙ୍କୁ ଭୁଆଁ ବୁଲାଇବେ, ତାହେଲେ ଲୋକେ ବିଶ୍ୱାସ କରିବେ ତ ? ଶେଷରେ ଅଭିଯୋଗର ଶୁଣାଣି ହୋଇପାରିନଥିବାରୁ ହତାଶ ହୋଇ ଘରକୁ ଫେରିଛନ୍ତି ଅନେକ ଅଭିଯୋଗକାରୀ ।

ନାହିଁ ନାହିଁରେ ଚାଲିଛି ସ୍ବାସ୍ଥ୍ୟସେବା : ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜରେ ଖାଲି ପଡ଼ିଛି ଡାକ୍ତର ପଦବୀ

ନନ୍ଦିଘୋଷ ବ୍ୟୁରୋ: ସ୍ବାସ୍ଥ୍ୟ ସେବା ଦେଇପାରୁନି ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ । ରେଫେରେଲ୍ ମେଡିକାଲ ପାଲଟିଛି ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ  ହସପିଟାଲ । ଡାକ୍ତର ନଥିବାରୁ ନାହିଁ ନାହିଁ ଚାଲିଛି ସ୍ବାସ୍ଥ୍ୟସେବା । ଏଥିପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରୁଥିବେଳେ ବାଧ୍ଯହୋଇ ଲୋକେ ଆନ୍ଧ୍ର ମେଡିକାଲ ଉପରେ ନିର୍ଭର କରୁଛନ୍ତି ।

ନାହିଁ ନାହିଁରେ ଚାଲିଛି ସ୍ବାସ୍ଥ୍ୟସେବା । ନାହାନ୍ତି ଡାକ୍ତର, ହନ୍ତସନ୍ତ ଗୁରୁତର ରୋଗୀ । ଆନ୍ଧ୍ର ହସପିଟାଲ ଉପରେ ନିର୍ଭର କରୁଛନ୍ତି ରୋଗୀ । କୋରାପୁଟ ଜିଲ୍ଲାର ସହିଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ହସପିଟାଲ । ଏଠାରେ ୯୫ଟି ଡାକ୍ତର ପଦବୀ ଖାଲି ପଡିଛି । ମେଡିକାଲ କଲେଜରେ ପିଜି ପାଠ୍ୟକ୍ରମ ଆଜି ଯାଏଁ ଆରମ୍ଭ ହୋଇପାରିଲା ନାହିଁ । ମାତ୍ର ୬ଟି ଆଇସିୟୁରେ ଚାଲିଛି ମେଡିକାଲ କଲେଜ । ସିଟି ସ୍କାନ ସୁବିଧା ମଧ୍ଯ ନାହିଁ । ଡାକ୍ତର ନଥିବାରୁ ଅନ୍ଯ ହସପିଟାଲକୁ ରେଫର ହେଉଛନ୍ତି ରୋଗୀ ।

ଜିଲ୍ଲାରେ ସ୍ବାସ୍ଥ୍ୟ ସେବାକୁ ସୁଦୃଢ କରିବାକୁ ପୂର୍ବ ସରକାରଙ୍କ ସମୟରେ କରାଯାଇଥିଲା ଯୋଜନା । ହେଲେ ରାଜ୍ଯରେ ଡବଲ ଇଞ୍ଜିନ ସରକାର ଆସିବା ପରେ ଦେଖାଦେଇଛି ଡବଲ ସମସ୍ୟା । ସ୍ବାସ୍ଥ୍ୟସେବା ନ ମିଳିବାରୁ ଆନ୍ଧ୍ର ହସପିଟାଲ ମୁହାଁ ହେଉଛନ୍ତି ରୋଗୀ । ଯାହାକୁ ନେଇ ଜିଲ୍ଲାରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି ।   ସ୍ଥିତି ସୁଧାରିବାକୁ ଜିଲ୍ଲାର ସମସ୍ତ ବିଧାୟକ ସମେତ ଜିଲ୍ଲା ପ୍ରଶାସନ ଓ ମେଡିକାଲ କଲେଜର ଡାକ୍ତର ଏକ ବୈଠକ କରି ନିଷ୍ପତ୍ତି ନେବାକୁ କହିଛନ୍ତି ବିଧାୟକ । ସେପଟେ  ଡିଏମଏଫ ଫଣ୍ଡରେ ବିଭିନ୍ନ ଡାକ୍ତର ପଦବି ପୂରଣ ପାଇଁ ପ୍ରୟାସ କରାଯାଉଛି ଏନେଇ ରାଜ୍ଯ ସରକାରଙ୍କୁ ଅବଗତ କରାଯାଇଛି ବୋଲି କହିଛନ୍ତି କୋରାପୁଟ ଜିଲ୍ଲାପାଳ । ଆବଶ୍ଯକ ବ୍ଯବସ୍ଥା ନଥିବାରୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବେ ରେଫରାଲ ହସପିଟାଲରେ ପରିଣତ ହୋଇଥିବା ଅଭିଯୋଗ କରିଛନ୍ତି ରୋଗୀ

ରେସିଙ୍ଗରେ ଦ୍ବିତୀୟ ସ୍ଥାନ ଅଧିକାର କଲେ ଅଭିନେତା ଅଜିତ କୁମାର

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତା ଅଜିତ କୁମାର ବିଦେଶରେ ଚମକିଛନ୍ତି । ବେଲଜିୟମରେ ଆୟୋଜିତ ରେସିଙ୍ଗରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ତାଙ୍କର ଏହି ବିଜୟ ପରେ ଛୁଟିଛି ପ୍ରଶଂସାର ସୁଅ । ତେବେ ସେ ଦୀର୍ଘଦିନ ଧରି ଭାରତକୁ ରେସିଙ୍ଗରେ ଭାରତକୁ ପ୍ରତିନିଧିତ୍ବ କରି ଆସୁଛନ୍ତି । ପୂର୍ବରୁ ଅନେକଥର ଆହତ ହୋଇଛନ୍ତି । ମାତ୍ର ସେ ନିଜର ପ୍ରୟାସ ଛାଡ଼ି ନଥିଲେ । ଅଜିତ କୁମାରଙ୍କ ବିଜୟ କେବଳ ତାଙ୍କ ପ୍ରଶଂସକମାନେ ପାଳନ କରି ନଥିଲେ। ପ୍ରକୃତରେ, ଶିଳ୍ପର ବନ୍ଧୁ ଏବଂ ଦଳ ମଧ୍ୟ ବହୁତ ଉତ୍ସାହ ଦେଖାଇଥିଲେ। ତାଙ୍କ ମ୍ୟାନେଜର ସୁରେଶ ଚନ୍ଦ୍ରଙ୍କ ଛାତି ଗର୍ବରେ ଫୁଲିଗଲା। ସେ ଖୁସିରେ ଫାଟି ପଡୁଥିଲେ। ସେ ନିଜେ ଏହି ଖୁସି ଖବର ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏଥିରେ ଲେଖାଯାଇଥିଲା, ‘ମୋଟରସ୍ପୋର୍ଟ ପାଇଁ ଏକ ଗର୍ବର ମୁହୂର୍ତ୍ତ।’ ଅଜିତ କୁମାର ଏବଂ ତାଙ୍କ ଦଳ ବେଲଜିୟମର ସ୍ପା ଫ୍ରାଙ୍କୋରଚାମ୍ପସ୍ ସର୍କିଟରେ ଏକ ଚମତ୍କାର P2 ପୋଡିୟମ ଫିନିଶ ହାସଲ କରିଛନ୍ତି।

ମହାରାଷ୍ଟ୍ର ରାଜନୀତିରେ ନୂଆ ଚର୍ଚ୍ଚା, ଏକାଠି ହୋଇପାରନ୍ତି ପାଓ୍ବାର ପରିବାର

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡ଼ା ଛୁଟିଥାଏ । ଏମିତି ଅନେକ ଉଦାହରଣ ପୂର୍ବରୁ ଦେଖିବାକୁ ମିଳିଛି । କେତେବେଳେ କିଏ କାହାକୁ ବିରୋଧ କରୁଛି ତ କେତେବେଳେ ସମର୍ଥନ କରୁଛି ତାହା ସ୍ପଷ୍ଠ ଜଣାପଡ଼ୁନାହିଁ । ଠାକରେ ପରିବାର ଏକାଠି ହେବା ନେଇ ଚର୍ଚ୍ଚା ହୋଇଥିବାବେଳେ ଏବେ ଆଉ ଖବର ସାମ୍ନାକୁ ଆସିଛି କି, ଏବେ ପାଓ୍ବାର ପରିବାର ଏକାଠି ହୋଇପାରନ୍ତି । ତେବେ ଏଥିରେ କେତେ ସତ୍ୟତା ରହିଛି ଯଦିଓ ଜଣା ପଡ଼ିନି ତଥାପି ଏହି କିଛିଦିନ ମଧ୍ୟ ଏକାଠି ନଜର ଆସିଛନ୍ତି ଏହି ପରିବାର । ଦାଦା ଶରଦ ପାଓ୍ବାର ଏବଂ ପୁତୁରା ଅଜିତ୍ ପାଓ୍ବାର ଗୋଟିଏ ମଞ୍ଚରେ ନଜର ଆସିଛନ୍ତି । ଏହି ମାସ ମଧ୍ୟରେ ଉଭୟ ଦୁଇଟି କାର୍ଯ୍ୟକ୍ରମରେ ଏକାଠି ନଜର ଆସିଛନ୍ତି । ସେପଟେ ସାଂସଦ ସୁପ୍ରିୟା ସୁଲେ ତଥା ଶରଦଙ୍କ ଝଅ ସୁପ୍ରିୟା ସବୁବେଳେ ଟାର୍ଗେଟ କରୁଥିଲେ ମାତ୍ରଅ ଏକାଠି ହେବାକୁ ନେଇ ସେ ଦେଇଥିବା ଏକ ପ୍ରତିକ୍ରିୟା ଏହି ଚର୍ଚ୍ଚାକୁ ଅଧିକ ବଢ଼ାଇ ଦେଇଛି । ଅଜିତ ପାଓ୍ବାରଙ୍କ ସାନପୁଅଙ୍କ ନିର୍ବନ୍ଧରେ ଉଭୟ ପରିବାର ନଜର ଆସିଥିଲେ । ଯାହାକୁ ନେଇ ସୁପ୍ରିୟା କହିଥିଲେ କି, ପରିବାର ଏକାଠି କାର୍ଯ୍ୟକ୍ରମରେ ଯୋଗଦେଲେ ସମ୍ପର୍କ ବଢ଼େ ।

ଜୁଲାଇ ୨୦୨୩ ମାସରେ ଦାଦା-ପୁତୁରାଙ୍କ ମଧ୍ୟରେ ଫାଟ ହୋଇଥିଲା । କିଛି ବିଧାୟକଙ୍କ ଧରି ଅଜିତ ପାଓ୍ବାର ମହାୟୁତି ମେଣ୍ଟରେ ଯୋଗ ଦେଇଥିଲେ । ଆରୋପ ପ୍ରତ୍ୟାରୋପ ମଧ୍ୟରେ ଏହି ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଥିଲା । କିନ୍ତୁ ଏବେ ଏକାଠି ହେବେ କି ନାହିଁ ଏହାକୁ ନେଇ ବେଶ ଚର୍ଚ୍ଚା ହେଉଛି । ସେପଟେ ରାଜ ଠାକରେ ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ମଧ୍ୟ ବୁଝାବଣା ହେଉଥିବା କୁହାଯାଉଛି । ତେବେ ଦୁଇ ରାଜନୈତିକ ପରିବାର ଯଦି ଏକାଠି ହୁଅନ୍ତି ତାହେଲେ ଆଗାମୀ ଦିନରେ ରାଜନୈତିକ ଆଭିମୁଖ୍ୟ କଣ ହେବା ତାକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା ।