spot_img
Home Blog Page 833

ଶ୍ରୀମନ୍ଦିରରେ ପୁଣି ପଡିଲା ରକ୍ତଛିଟା, ବଡ଼ସ୍ନାନ କଲେ ମହାପ୍ରଭୁ

ନନ୍ଦିଘୋଷ ବ୍ୟୁରୋ : ଶ୍ରୀମନ୍ଦିରରେ ହେଲା ବଡ଼ ମହାସ୍ନାନ ନୀତି । ଭିତର କାଠ ନିକଟରେ ରକ୍ତ ପଡିଥିବାରୁ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ମହାସ୍ନାନ ନୀତି ସରିବା ପରେ ସାଧାରଣ ଦର୍ଶନ ନୀତି ସ୍ବାଭାବିକ ହୋଇଛି। ଆଜି ସକାଳେ ମଙ୍ଗଳା ଆଳତୀ ପରେ ଅବକାଶ ନୀତି ହୋଇଥିଲା। ଏହି ସମୟରେ ଭିତର କାଠ ନିକଟରେ ରକ୍ତ ଛିଟା ପଡ଼ିଛିବାର ନଜରକୁ ଆସିିଥିଲା। ଜଣେ OSAP ଯବାନଙ୍କ ଗୋଡ଼ରେ କାଚ ପଶିଯିବା ଯୋଗୁଁ ରକ୍ତ ପଡ଼ିଥିଲା। ତେଣୁ କରାଯାଇଥିଲା ମହାସ୍ନାନ। ଏଥିପାଇଁ ୮ ଟା ୧୦ ରୁ ୯ଟା ୧୦ ଯାଏ” ସାଧାରଣ ଦର୍ଶନ ବନ୍ଦ ଥିଲା। ମହାସ୍ନାନ ପରେ ନୀତି ସ୍ଵାଭାବିକ ଭାବେ ଚାଲିଛି।

ଜମ୍ମୁ-କାଶ୍ମୀରରେ ଧ୍ୱଂସର ତାଣ୍ଡବଲୀଳା, ୫ଜଣଙ୍କ ମୃତ୍ୟୁ, ରାସ୍ତା ସଫା ପାଇଁ ଆହୁରି ଲାଗିବ ୪୮ଘଣ୍ଟା

ନନ୍ଦିଘୋଷ ବ୍ୟୁରୋ : ଜମ୍ମୁ-କାଶ୍ମୀରର ରାମବନ ଜିଲ୍ଲାରେ ଧ୍ୱଂସର ତାଣ୍ଡବ । ବାଦଲଫଟା ବର୍ଷାରେ ସେଠାରେ ବଡ଼ଧରଣର ଭୂସ୍ଖଳନ ହୋଇଛି । ଏକାଧିକ ଘର ଭାଙ୍ଗିଯିବା ସହ ଯାନବାହାନ ନଷ୍ଟ ହୋଇଯାଇଛି । ଅନେକ ସ୍ଥାନରେ ଘର ଗୁଡିକ କ୍ଷତିଗ୍ରସ୍ତ ହୋଇଛି ଏବଂ ଅନେକ ଲୋକ ନିଜ ଘରେ ଫସି ରହିଛନ୍ତି । ଏହି ଘଟଣାରେ ଏପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସହ କିଛି ଲୋକ ନିଖୋଜ ଥିବା କୁହାଯାଉଛି । ଅନ୍ୟପଟେ ଫସିରହିଥିବା ଲୋକଙ୍କ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରେସ୍କ୍ୟୁ ଅପରେସନ ଆରମ୍ଭ ହୋଇଯାଇଛି ।

ରାମବନ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିବାରୁ ରାସ୍ତାଘାଟ ଭାଙ୍ଗିଯାଇଛି । ଏପରିକି ଜାତୀୟ ରାଜପଥରେ ପଥରଖଣ୍ଡ ପଡିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏହି ଅଞ୍ଚଳରେ ଅନେକ ଘର, ଦୋକାନ, ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ଅଧିକାରୀ ମାନେ କହିଛନ୍ତି ଯେ ୧୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି ।

ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ୨୫୦ କିମି ଲମ୍ୱର ଜମ୍ମୁରୁ ଶ୍ରୀନଗର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏହି ରାସ୍ତାଟି କାଶ୍ମୀରର ଅନ୍ୟାନ୍ୟ ସ୍ଥାନକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା । ଏହି ରାସ୍ତାରେ ପାହାଡରୁ ପଥର ଖସି ରାସ୍ତା ଜାମ୍ ହୋଇଯାଇଛି । ଯାହା ଯୋଗଁ ଶହ ଶହ ଯାନବାହାନ ଫସି ରହିଛନ୍ତି । ଏହି ରାସ୍ତାକୁ ସଫା ସହ ଯାତାୟାତ ସ୍ୱାଭାବିକ କରିବାକୁ ଆହୁରି ୪୮ ଘଣ୍ଟା ସମୟ ଲାଗିପାରେ ବୋଲି ସୂଚନା ରହିଛି ।

ଅନ୍ୟପଟେ ଭାରତୀୟ ସେନା ପକ୍ଷରୁ ରିଲିଫ୍ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏନଏଚ୍-୪୪ରେ ଫସି ରହିଥିବା ଯାତ୍ରୀଙ୍କୁ ଖାଦ୍ୟ, ବାସସ୍ଥାନ ଏବଂ ଚିକିତ୍ସା ସହାୟତା ଯୋଗାଇବା ପାଇଁ QRT ଗୁଡିକୁ ନିୟୋଜିତ କରାଯାଇଛି । ଏହାସହ ୮ଟି ସେନାବାହିନୀ ଟିମ୍ ପ୍ରସ୍ତୁତ ଥିବା ସହ ଲୋକଙ୍କୁ ସ୍ଥାନାନ୍ତର କରିବା କାମ ଜାରି ରହିଛି ।

ମରିଗଲା ମାନବିକତା, ମେଡିକାଲ ଭିତରେ ବୃଦ୍ଧଙ୍କୁ ମାଡ଼ ମାରି ଘୋଷାରି ଘୋଷାରି ନେଲେ

ନନ୍ଦିଘୋଷ ବ୍ୟୁରୋ : ସୀମା ଟପିଲେ ଡାକ୍ତରଖାନା କର୍ମଚାରୀ । ରହିଲାନି ମାନବିକତା, ମେଡିକାଲ ଭିତରେ ବୃଦ୍ଧଙ୍କୁ ମାଡ଼ ମାରି ଘୋଷାରି ଘୋଷାରି ନେଲେ । ମଧ୍ୟପ୍ରଦେଶ ଛତରପୁରରେ ଏପରି ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଦୁଇଜଣ ବ୍ୟକ୍ତି ବୃଦ୍ଧଙ୍କୁ ଟାଣି ନେଉଥିବା ଦେଖିବାକୁ ମିଳୁଛି ।

ସୂଚନାନୁଯାୟୀ, ମଧ୍ୟପ୍ରଦେଶର ଛତରପୁର ଜିଲା ଚିକିତ୍ସାଳୟରେ ଜଣେ ୭୦ ବର୍ଷୀୟ ବୃଦ୍ଧ ଉଦ୍ଧବ ସିଂଙ୍କୁ ୨ ଜଣ ବ୍ୟକ୍ତି ଘୋଷାରି ନେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ନୌଗାଓଁ ନିବାସୀ ଉଦ୍ଧବ ଗତ ୧୭ରେ ସ୍ତ୍ରୀଙ୍କ ମେଡିକାଲ ଚେକ୍‌ଅପ୍‌ ପାଇଁ ହସ୍ପିଟାଲ ଆସିଥିଲେ। ଲମ୍ବା ସମୟ ଧରି ଠିଆ ହେବା ପରେ ତାଙ୍କୁ ହସ୍ପିଟାଲର ଡାକ୍ତର ରାଜେଶ ମିଶ୍ରା ଗୋଇଠା ଏବଂ ଚାପୁଡ଼ା ମାରିଥିବା ସେ ଅଭିଯୋଗ ଆଣିଛନ୍ତି।

ତେବେ ଉଦ୍ଧବଙ୍କ ଅଭିଯୋଗକୁ ଡାକ୍ତର ରାଜେଶ ଖଣ୍ଡନ କରିଛନ୍ତି। ହସ୍ପିଟାଲର ସିଭିଲ ସର୍ଜନ ଜି. ଏଲ୍‌ ଅହିରଓ୍ବାର କହିଛନ୍ତି, ଘଟଣାସ୍ଥଳରେ ରୋଗୀ ଏବଂ ତାଙ୍କ ପରିଜନଙ୍କ ଅତ୍ୟଧିକ ଭିଡ଼ ଥିବାବେଳେ ଉଦ୍ଧବ ଧାଡ଼ି ଭାଙ୍ଗିଥିଲେ। ତେବେ ଉଦ୍ଧବ ହସ୍ପିଟାଲରେ ଘୋଷାଡ଼ି ନିଆଯାଉଥିବାର ଭିଡିଓ ଭାଇରାଲ ହେବା ପରେ ଘଟଣାକୁ ନେଇ ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରିଛି। ଘଟଣା ସମ୍ପର୍କରେ ଅଭିଯୁକ୍ତ ଡାକ୍ତର ରାଜେଶ ମିଶ୍ରା ଏବଂ ଅନ୍ୟ ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପୋଲିସ ନୋଟିସ ଜାରି କରିଛି।

ଆମେରିକାରେ ତେଜୁଛି ଟ୍ରମ୍ପଙ୍କ ବିରୋଧରେ ବିକ୍ଷୋଭ

ନନ୍ଦିଘୋଷ ବ୍ୟୁରୋ : ଦିନକୁ ଦିନ ତୀବ୍ର ହେଉଛି ଟ୍ରମ୍ପଙ୍କ ବିରୋଧରେ ବିକ୍ଷୋଭ ।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରତ୍ୟର୍ପଣ, ଛଟେଇ, ଗାଜା ଓ ୟୁକ୍ରେନ୍‌ ଯୁଦ୍ଧ ନୀତି ବିରୋଧରେ ଓ୍ବାଶିଂଟନ୍‌, ନ୍ୟୁୟର୍କ ଓ ଶିକାଗୋ ସମେତ ଦେଶର ବିଭିନ୍ନ ସହରରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ହ୍ବାଇଟ୍‌ ହାଉସ୍‌ ବାହାରେ ବିକ୍ଷୋଭକାରୀ ଟ୍ରମ୍ପ୍‌ ପ୍ରଶାସନ ବିରୋଧୀ ଓ ଆପ୍ରବାସୀ ସପକ୍ଷବାଦୀ ସ୍ଲୋଗାନ୍‌ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀରେ ଟ୍ରମ୍ପ୍‌ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରଠୁ ଅଦ୍ୟାବଧି ୨ ଲକ୍ଷ ଲୋକଙ୍କୁ ସରକାରୀ ଚାକିରିରୁ ଛଟେଇ କରିସାରିଲେଣି। ତାଙ୍କ କଠୋର ନୀତି ବିରୋଧରେ ଲୋକେ ଦ୍ୱିତୀୟ ବଡ଼ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏପରିକି ନ୍ୟୁୟର୍କରେ ପ୍ରଦର୍ଶନକରୀମାନେ ସହରର ମୁଖ୍ୟ ପାଠାଗାର ବାହରେ ଏକତ୍ରିତ ହୋଇଥିଲେ ଏବଂ ସେମାନଙ୍କ ହାତରେ ସ୍ଲୋଗାନ ଲେଖାଥିବା ପୋଷ୍ଟର ଥିଲା  । ‘ଟ୍ରମ୍ପ ଆମେରିକାର ରାଜା ନୁହନ୍ତି’ , ‘ଏକଛତ୍ରବାଦ ଚଳିବ ନାହିଁ’ ଏହିପରି ଲେଖାଥିବା ପୋଷ୍ଟର ଧରି ବିକ୍ଷୋଭକାରୀ ମାନେ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଥିଲା  ।

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି

ନନ୍ଦିଘୋଷ ବ୍ୟୁରୋ : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ବୈଶାଖ କୃଷ୍ଣ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ନୀତି କରାଯାଇଥାଏ । ସେହିପରି ମଙ୍ଗଳବାର ରାମାଭିଷେକ ନୀତି କରାଯିବା ସହ ବୁଧବାର ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ବିଶେଷ ନୀତି ସମ୍ପାଦନକୁ ଦୃଷ୍ଟିରେ ରଖି ୨୧ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଚାରିଦିନ ପାଇଁ ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ବନ୍ଦ ରଖାଯିବ। ରତ୍ନଭଣ୍ଡାର ମରାମତି ବନ୍ଦ ରଖାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଆଜି ପଇତାଲାଗି ନୀତି ପାଇଁ ୫ ଘଣ୍ଟା ସାଧାରଣ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ । ସନ୍ଧ୍ୟାରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ପଇତାଲାଗି ବିଧି ସମ୍ପାଦିତ ହେବ। ତେଣୁ, ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ ନାହିଁ। ତେଣୁ ଦ୍ୱିତୀୟ ଭୋଗମଣ୍ଡପ ସମାପ୍ତ ହେବା ପରେ, ୫ ଘଣ୍ଟା ଧରି ସାର୍ବଜନୀନ ଦର୍ଶନ ବନ୍ଦ ରହିବ।

ପାଇଖାନା ଟାଙ୍କିରୁ ମିଳିଲା ନିଖୋଜ ନାବାଳକ ଆଶୀର୍ବାଦର ମୃତଦେହ

ନନ୍ଦିଘୋଷ ବ୍ୟୁରୋ : ମିଳିଲା ଆଶୀର୍ବାଦର ମୃତଦେହ । ପୁରୀ ପିପିଲି ଡେଲାଙ୍ଗ ରତନପୁର ଗାଁର ଘଟଣା । ୭ ଦିନ ହେଲା ନିଖୋଜ ଥିଲା ଆଶୀର୍ବାଦ । ଜଣକର ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟପଟେ ହତ୍ୟା ସନ୍ଦେହରେ ଜଣେ ଅଟକ ରଖିଛି ପୋଲିସ । ପୂର୍ବ ଶତ୍ରୁତାରୁ ନାବାଳକକୁ ହତ୍ୟା ସନ୍ଦେହ କରାଯାଉଛି ।

ରତନପୁର ଗାଁର ମାନସ ସାହୁଙ୍କ ୧୧ ବର୍ଷର ପୁଅ ଆଶୀର୍ବାଦ । ଗତ ୧୫ ତାରିଖ ସନ୍ଧ୍ୟାରୁ ନିଖୋଜ ଥିଲା । ଘର ବାରଣ୍ଡାରେ ଖେଳୁ ଖେଳୁ ଆଉ ପତ୍ତା ମିଳିନଥିଲା । ଗତ ମଙ୍ଗଳବାର ଠାରୁ ଘରୁ ନିଖୋଜ ହୋଇଥିବା ବେଳେ ପୋଲିସ ଛାନଭିନ୍ନ ପରେ ମଧ୍ୟ କିଛି ଖବର ମିଳି ନଥିବା ବେଳେ ଗତକାଲି ଆଶୀର୍ବାଦର ପରିବାର ଓ ଗ୍ରାମବାସୀ ମାନେ ଡେଲାଙ୍ଗ ଫାଣ୍ଡି ସମୁଖରେ ଧାରଣା ଦେଇଥିବା ବେଳେ ରାଜ ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଥିଲେ। ପରେ ପୁରୀ ଅତିରିକ୍ତ ଏସ୍ପିଙ୍କ ଜରିଆରେ ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ଦାବିପତ୍ର ଦେଇଥିଲେ ।

ଅନ୍ୟପଟେ ବିଳମ୍ବିତ ରାତିରେ ନାବାଳକର ମୃତଦେହକୁ ଠାବ କରିଛି ପୋଲିସ। ନାବାଳକର ମୃତଦେହ ଗ୍ରାମ ନିକଟ ଜଣେ ଜୈନିକ ବ୍ୟକ୍ତିଙ୍କ ଘରର ପଛ ପଟେ ଥିବା ପାଇଖିନା ଟାଙ୍କିରୁ ମୃତଦେହକୁ ଉଦ୍ଧାର କରିଛି ପୋଲିସ। ତେବେ କିଭଳି ଓ କିଏ ଆଶୀର୍ବାଦକୁ ହତ୍ୟା କରିଛି ଏବେ ସନ୍ଦେହ ଘେରରେ ଥିବା ବେଳେ ଘଟଣାର ତଦନ୍ତ କରୁଛି ଡେଲାଙ୍ଗ ପୋଲିସ।

ପ୍ରଥମେ ଗୁଳି କଲେ, ପରେ ପଥରରେ ଛେଚି ହତ୍ୟା

ନନ୍ଦିଘୋଷ ବ୍ୟୁରୋ : ଢେଙ୍କାନାଳରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବକ ମୃତ । ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କାରିଗର ସାହିରେ ଘଟିଛି ଘଟଣା। ମୃତକ ହେଲେ ସ୍ଥାନୀୟ ଯୁବକ ମହେଶ୍ୱର ବେହେରା ଓରଫ ଟିଟନ। ହତ୍ୟାକାଣ୍ଡ ଘଟାଇ ଦୁବୃର୍ତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି।

ସୂଚନା ଅନୁଯାୟୀ, କାରିଗର ସାହି ବାସିନ୍ଦା ଟିଟନ ରାତି ପ୍ରାୟ ୧୧ଟା ବେଳକୁ ଘରକୁ ଫେରୁଥିବା ସମୟରେ କିଛି ଦୁବୃର୍ତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଟିଟନଙ୍କ ଗୋଡରେ ୨ ରାଉଣ୍ଡ ଗୁଳି ବାଜିବାରୁ ସେ ଘଟଣାସ୍ଥଳରେ ଖସି ପଡ଼ିଥିଲେ। ଘଟଣାଟି ତାଙ୍କ ଘରଠାରୁ ଅଳ୍ପ ଦୂରରେ ଘଟିଥିବାରୁ ଗୁଳି ଶବ୍ଦ ଶୁଣି ତାଙ୍କ ସ୍ତ୍ରୀ ବାହାରକୁ ଦୌଡି ଆସିଥିଲେ। ଟିଟନ ଜୀବନ ବିକଳରେ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ସେଠାରୁ ଘୋଷାଡି ନେଇ ଅନ୍ୟ ଏକ ସ୍ଥାନରେ ପଥର ଛେଚି ହତ୍ୟା କରିଥିଲେ ଓ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ପରେ ତାଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଟାଉନ ଥାନା ପୋଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ଗୋଟିଏ ମାସ ପୂର୍ବରୁ ଟିଟନଙ୍କୁ ଆକ୍ରମଣ କରି ଦୁବୃର୍ତ୍ତ ମାନେ ତାଙ୍କ ହାତ ଭାଙ୍ଗିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।।

ଟେକ୍ନୋଲୋଜି ଓ ସୋସିଆଲ ମିଡିଆ ମାଧ୍ୟମରେ ବିଜେପି ଅପପ୍ରଚାରର ଜବାବ ଦେବ ବିଜେଡି

ନନ୍ଦିଘୋଷ ବ୍ୟୁରୋ: ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାର ସ୍ବାର୍ଥ ପାଇଁ ଲଢେଇ ଜାରି ରଖିବାକୁ ବିଜେଡି ପ୍ରସ୍ତୁତ କରୁଛି ବ୍ଲୁ-ପ୍ରିଣ୍ଟ । ବିଜେପି ସରକାରର ମିଛ ପ୍ରଚାର ବିରୋଧରେ ଆରପାର ଲଢେଇ ପାଇଁ ସଜବାଜ ବିଜେଡି ନେତା ଓ କର୍ମୀ । ଟେକ୍ନୋଲୋଜି ଓ ସୋସିଆଲ ମିଡିଆ ମାଧ୍ୟମରେ ବିଜେପିର ଅପପ୍ରଚାରର ଜବାବ ଦେବାକୁ ଦଳ ପ୍ରସ୍ତୁତ କରୁଛି ସରକାରଙ୍କ ବିଫଳତାର କଚ୍ଚାଚିଠା । ୩୦୦ ୟୁନିଟ ମାଗଣା ବିଜୁଳି, ମିଛ ଘୋଷଣା, ସୁଭଦ୍ରା ଟଙ୍କାର ପ୍ରହେଳିକା, ଅନାହାର ମୃତ୍ୟୁ, ଧାନ କଟନୀ ଛଟନୀ, ଏମଏସପି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଭତ୍ତା ବୃଦ୍ଧିରେ ଟାଳଟୁଳ ନୀତି, ପୋଲାଭରମ ଓ ମହାନଦୀ ପରି ମାଳ ମାଳ ପ୍ରସଙ୍ଗର ଏବେ ଆହୁରି ଶାଣିତ ଢଙ୍ଗରେ ସରକାରଙ୍କୁ ଘେରିବ ବିଜୁ ଜନତା ଦଳ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଜନସେବା ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି । କାରଣ ବିଜେଡି ଯେଉଁ ରାଜ୍ୟ ସ୍ବାର୍ଥ ପାଇଁ କାମ କରି ଚାଲିଛି, ତାହା ସଂଗଠିତ ହୋଇ ନେତା ଓ କର୍ମୀ ବି କରିବେ । ସବୁଠାରୁ ବଡ଼ ବିରୋଧୀ ଦଳ ଭାବେ ଉଭା ହୋଇଛି ବିଜେଡି । ରାଜ୍ୟର ସ୍ବାର୍ଥ ପ୍ରତି ଯିଏ ବି ବାଧା ଦେବ ତାହାର ମୁକାବିଲା କରାଯିବ। ଶାସନରେ ଥିବା ସମୟରେ ଦଳର ଯାହା ଲକ୍ଷ୍ୟ ଥିଲା, ଆଜି ବି ବିରୋଧୀ ଦଳ ଭାବେ ସହି ଉଦ୍ଦେଶ୍ୟ ରହିଛି । ସରକାର ଯେପରି ବିକାଶର ମୁଦ୍ଦାରୁ ମୁହଁ ଫେରାଉଛନ୍ତି, ତା ବିରୋଧରେ ବିଧାନସଭା ଭିତରେ ଓ ବାହାରେ ସ୍ବର ଉଠାଇବ ବିଜୁ ଜନତା ଦଳ । ଆବଶ୍ୟକ ପଡ଼ିଲେ ରାଜରାସ୍ତାକୁ ବି ଓହ୍ଲାଇବାକୁ ପଛାଇବେ ନାହିଁ ନବୀନ ବ୍ରିଗେଡ୍ ।

ଚଳିତ ମାସ ଶେଷ ସୁଦ୍ଧା ବିଜେଡିର ଜିଲ୍ଲା, ବ୍ଲକ, ପୌର ଓ ୱାର୍ଡ କମିଟି ଘୋଷଣା ହେବ । ସମସ୍ତଙ୍କୁ ନେଇ କମିଟି ଗଠନ କରାଯିବ । ନୂଆ ଚେହେରା ଓ ପୁରୁଖାଙ୍କୁ ନେଇ କାମକୁ ସଂଗଠିତ ଢଙ୍ଗରେ କରିବାକୁ ନବୀନଙ୍କ ନିର୍ଦ୍ଦେଶ ରହିଛି । ସମସ୍ତଙ୍କୁ ନେଇ ସରକାର ବିରୋଧରେ ନବୀନଙ୍କ ରଣହୁଙ୍କାରକୁ ତୃଣମୂଳ ସ୍ତରରୁ ଆଗେଇନେବ ବିଜେଡି ।

ଅଭାବୀ ଓଡ଼ିଶାରୁ ପ୍ରଭାବୀ ଓ ସ୍ବାବଲମ୍ବୀ ଓଡ଼ିଶା ଗଢି ତୋଳି ୨୪ ବର୍ଷର ଏକ ସୁବର୍ଣ୍ଣ ଯୁଗ ଦେଇ ପାରିବାରେ ସଫଳ ହୋଇଥିଲେ ନବୀନ । ହେଲେ ବିଜେପି ସରକାର ଏହି ୧୦ ମାସ ଭିତରେ ସବୁକିଛି ଚୁରମାର କରିଥିବା ଅଭିଯୋଗ ହେଉଛି ।

ଓଡ଼ିଶାର ଆଦିବାସୀ କଳା ଐତିହ୍ୟକୁ ବେଦାନ୍ତ ଆଲୁମିନିୟମର ପ୍ରୋତ୍ସାହନ

0

ଭବାନୀପାଟଣା: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଭବାନୀପାଟଣାର ଥୁଆମୂଳ ରାମପୁରସ୍ଥିତ ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି ଓଡ଼ିଶାର ସମୃଦ୍ଧ କଳାତ୍ମକ ଐତିହ୍ୟକୁ ପାଳନ କରିଛି। ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ଏବଂ ପାରମ୍ପରିକ କଳାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବେଦାନ୍ତର ସିଜିମାଳି ବକ୍ସାଇଟ୍ ଟିମ୍‍ ଦ୍ୱାରା ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମର ଏକ ବିଶେଷ ଆକର୍ଷଣ ଥିଲା କାଳାହାଣ୍ଡି କଳା ଓ ଗବେଷଣା ମହାବିଦ୍ୟାଳୟର ଅଧ୍ୟାପକମାନଙ୍କ ଦ୍ୱାରା ପରିଚାଳିତ ଓଡ଼ିଶାର ସର୍ବପୁରାତନ ଆଦିବାସୀ କଳା ମଧ୍ୟରୁ ଅନ୍ୟତମ ସଉରା କଳା ଉପରେ ଏକ କର୍ମଶାଳା। ସଉରା କଳାର ଉତ୍ପତ୍ତି, ପ୍ରତୀକବାଦ ଏବଂ କୌଶଳ ବିଷୟରେ ୧୨୦ ରୁ ଅଧିକ ଅଂଶଗ୍ରହଣକାରୀ ଛାତ୍ର, ଏହି ଅଞ୍ଚଳର ଦେଶୀୟ ସଂସ୍କୃତି ଏବଂ ଆଜିର ବିଶ୍ୱରେ ଏହାର ପ୍ରାସଙ୍ଗିକତା ବିଷୟରେ ସେମାନଙ୍କର ବୁଝାମଣାକୁ ଅଧିକ ଗଭୀର କରିଥିଲେ ।

ଛାତ୍ରଛାତ୍ରୀମାନେ ସେମାନଙ୍କ କଳା ମାଧ୍ୟମରେ ଲୋକକଥା ଏବଂ ଦୈନନ୍ଦିନ ଜୀବନର ଜୀବନ୍ତ ଚିତ୍ରଣକୁ ଦର୍ଶାଇ ଅପାର ଉତ୍ସାହ ଏବଂ ସୃଜନଶୀଳତା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ସ୍ଥାନୀୟ କଳା ବିଷୟରେ ଗର୍ବ ଏବଂ ସଚେତନତା ସୃଷ୍ଟି କରିବା ପାଇଁ ଏକ ମଞ୍ଚ ଭାବରେ କାର୍ଯ୍ୟ କରିଥିଲା |

ଏହି ପଦକ୍ଷେପ ସମ୍ପର୍କରେ ବେଦାନ୍ତର ବକ୍ସାଇଟ୍ ମାଇନ୍ସ ସିଇଓ ନିତିନ ତିୱାରୀ କହିଛନ୍ତି ଯେ ଆମର ଗୋଷ୍ଠୀ ବିକାଶ ପ୍ରୟାସ ଆମେ କାର୍ଯ୍ୟ କରୁଥିବା ଅଞ୍ଚଳର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏବଂ ପ୍ରୋତ୍ସାହନରେ ଗଭୀର ଭାବରେ ରହିଛି । ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଯୁବ ପିଢ଼ିକୁ ସେମାନଙ୍କ ସୃଜନଶୀଳ ସାମର୍ଥ୍ୟ ଅନ୍ୱେଷଣ କରିବା ସହିତ ସେମାନଙ୍କ ମୂଳ ସହିତ ପରିଚିତି ପାଇଁ ପ୍ରେରଣା ଦେବାକୁ ଲକ୍ଷ୍ୟ ରଖିଛୁ।

ବେଦାନ୍ତର ଉଦ୍ୟମକୁ ପ୍ରଶଂସା କରି ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟ ପ୍ରକାଶ ସତ୍ୟ କହିଥିଲେ ଯେ ଏପରି ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଆମେ ବେଦାନ୍ତ ଆଲୁମିନିୟମ ପ୍ରତି କୃତଜ୍ଞ, ଯାହା ଆମ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସାଂସ୍କୃତିକ ମୂଳ ସହିତ ଯୋଡ଼ିଥାଏ। ସଉରା କଳା କର୍ମଶାଳା କେବଳ ସେମାନଙ୍କର କଳାତ୍ମକ ଦକ୍ଷତାକୁ ସମୃଦ୍ଧ କରିନଥିଲା ବରଂ ଓଡ଼ିଶାର ଆଦିବାସୀ ଐତିହ୍ୟ ପ୍ରତି ସେମାନଙ୍କର ପ୍ରଶଂସା ମଧ୍ୟ ମଜବୁତ କରିଥିଲା। ଏହି ପଦକ୍ଷେପ ସୃଜନଶୀଳତା ଏବଂ ସାଂସ୍କୃତିକ ଗର୍ବକୁ ପୋଷଣ କରିବାରେ ଏକ ଦୀର୍ଘ ପଥରେ ସହାୟକ ହେବ।

ବେଦାନ୍ତ ଆଲୁମିନିୟମ ତୃଣମୂଳ ସ୍ତରର କ୍ରୀଡ଼ା ଏବଂ ସଂସ୍କୃତି, ଶିକ୍ଷା, ଭିତ୍ତିଭୂମି, ସ୍ୱାସ୍ଥ୍ୟ ପଦକ୍ଷେପ ଏବଂ ସାମଗ୍ରିକ ବିକାଶ ପାଇଁ ସୁଯୋଗକୁ ପ୍ରୋତ୍ସାହିତ କରି ସ୍ଥାନୀୟ ଗୋଷ୍ଠିକୁ ସଶକ୍ତ କରିବା ପାଇଁ ଉତ୍ସର୍ଗୀକୃତ । ଏହି ପ୍ରୟାସ ବେଦାନ୍ତ ଆଲୁମିନିୟମର କାର୍ଯ୍ୟକ୍ଷମ କ୍ଷେତ୍ର ମଧ୍ୟରେ ଏବଂ ବାହାରେ ପରିବର୍ତ୍ତନ ଆଣିବା, ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧି ଏବଂ ପ୍ରଗତି ଦିଗରେ ଗୋଷ୍ଠି ଯୋଗଦାନର ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧତାକୁ ରେଖାଙ୍କିତ କରେ । ଯତ୍ନ ଏବଂ ଭାଗିଦାରୀର ନୈତିକତା ଉପରେ ଆଧାରିତ ବେଦାନ୍ତର ସାମାଜିକ ପ୍ରଭାବ ପଦକ୍ଷେପଗୁଡ଼ିକ କଳାହାଣ୍ଡି ଜିଲ୍ଲାର ୬୭ଟି ଗାଁର ଦେଢ଼ ଲକ୍ଷ ଲୋକଙ୍କ ଏବଂ ଓଡ଼ିଶାର ୫ ଲକ୍ଷ ଲୋକଙ୍କ ଜୀବନରେ ଉନ୍ନତି ଆଣିପାରିଛି ।

 

ସାମ୍ବାଦିକଙ୍କ ଉନ୍ନତି ପାଇଁ ଆଇଏମଏମସ୍ ଓ ଇମକା ମିଳିତ ଭାବେ କାମ କରିବା ଆବଶ୍ୟକ

ଭୁବନେଶ୍ବର: ଭାରତୀୟ ଜନସଂଚାର ସଂସ୍ଥାନ(ଆଇଆଇଏମସି) ଏବଂ ଏହାର ପୁରାତନ ଛାତ୍ର ସଂସଦ(ଇମକା) ସାମ୍ବାଦିକଙ୍କ ଉନ୍ନତି ପାଇଁ ମିଳିତ ଭାବେ କାମ କରିବାର ଆବଶ୍ୟକତା ରହିଛି ବୋଲି ଆଇଆଇଏମସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ କହିଛନ୍ତି। ଶନିବାର ଭୁବନେଶ୍ବରସ୍ଥିତ ହୋଟେଲ ନ୍ୟୁମେରିଆନଠାରେ କନେକସନ୍ ୨୦୨୫ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ପ୍ରଫେସର ପ୍ରଧାନ ସେଣ୍ଟ୍ରାଲ କମିଟି ଓ ଆଞ୍ଚଳିକ ଶାଖାର ମିଳିତ ସହଯୋଗ କିଭଳି ଅନୁଷ୍ଠାନର ଗାରିମା ବୃଦ୍ଧି କରେ ସେ ଉପରେ ଆଲୋଚନା କରିଥିଲେ। ଏଥିସହ ଆଗାମୀ ଦିନରେ ହେବାକୁ ଥିବା ଓଡ଼ିଆ ସାମ୍ବାଦିକତା ବିଭାଗର ରୌପ୍ୟ ଜୟନ୍ତୀରେ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ଯୋଗଦାନ ପାଇଁ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ୧୯୯୩ ମସିହାରୁ ଆରମ୍ଭ କରି ୨୦୨୫ ପର୍ଯ୍ୟନ୍ତ ପ୍ରାୟ ୧୩୦ ରୁ ଉର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ସମସ୍ତେ ପୁରୁଣା ଦିନର ସ୍ମୃତି ତାଜା କରିବା ସହ ଏହି ମଞ୍ଚ ପୁଣି ଥରେ ସମସ୍ତଙ୍କୁ ଗୋଟିଏ ସ୍ଥାନରେ ବାନ୍ଧି ରଖିଥିଲା।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଟାର ପୂର୍ବତନ ଅଧ୍ୟକ୍ଷ ଉମାକାନ୍ତ ମିଶ୍ର,ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ପ୍ରଫେସର ବିରାଜ ସ୍ବାଇଁଙ୍କ ସମେତ ଜାତୀୟ କମିଟିର ପ୍ରଭାତ ପାଣ୍ଡେ,ରମେଶ ଚନ୍ଦ୍ର, ଅନିମେଶ ବିଶ୍ବାସ, ପ୍ରଭାତ ଉପାଧ୍ୟାୟ, ରାଜେଶ କୁମାର, ନୀରଜ ବାଜପେୟୀ, ରିତେଶ ବର୍ମା, ଅତୁଲ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଇମକା ଓଡ଼ିଶା କମିଟିର ସଭାପତି ସନ୍ଦୀପ ସେଠୀ, ଉପସଭାପତି ସଙ୍ଗୀତା ଅଗ୍ରୱାଲ ଓ ବ୍ୟୋମକେଶ ବିଶ୍ବାଳ ଏବଂ ପ୍ରୋମିନେଣ୍ଟ ଆଲମୁନି ଯଯାତି କରନ,ଅଶୋକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

 

ଆଇଆଇଏମସି ଏକ ଅନୁଷ୍ଠାନ ନୁହେଁ ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଭାବାତ୍ମକ ସଂଯୋଗ ଯୋଡ଼ିବା ସହ ସେମାନଙ୍କ ଜୀବନର ଏକ ମୁଖ୍ୟ ଦିଗଦର୍ଶକ। ଏହି ପୁରାତନ ଛାତ୍ର ସଂସଦ ଏକତା, ସହଭାଗିତା ଓ ପରସ୍ପର ସଫଳତା ବାଣ୍ଟିବାରେ ବିଶ୍ବାସ ରଖେ। ଏହି ଛାତ୍ରଛାତ୍ରୀଙ୍କ ସଫଳତା ହିଁ ଆଇଆଇଏମସିକୁ ଆଜି ଏକ ସଫଳ ଅନୁଷ୍ଠାନ ଭାବେ ଦେଶରେ ପରିଚିତ କରାଇପାରିଛି ବୋଲି ଅତିଥିମାନେ ପ୍ରକାଶ କରିଥିଲେ।

ସ୍ବାଗତ ଭାଷଣ ଦେଇ ସଭାପତି ସେଠୀ କହିଥିଲେ, ଓଡ଼ିଶା ଶାଖାର ହେଉଥିବା କାର୍ଯ୍ୟରେ ସେଣ୍ଟ୍ରାଲ କମିଟି ପକ୍ଷରୁ ଅଧିକ ସହଯୋଗ ଦିଆଯାଉ। ଏଥି ସହ ସେ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନର ପରିଚୟ ବୃଦ୍ଧିରେ ମିଳିତ ଭାବେ କାମ କରିବାକୁ ଆହ୍ବାନ ଦେଇଥିଲେ।

ଆଇଆଇେମସି ଢେଙ୍କାନାଳ ତାର ଉଚ୍ଚକୋଟୀର ପରିବେଶ ଓ ଉଚ୍ଚ ଶିକ୍ଷା ଗୁଣବତ୍ତା ପାଇଁ ଦେଶର ବିଭିନ୍ନ ସ୍ଥାନର ଛାତ୍ରଛାତ୍ରୀଙ୍କୁ ଆତ୍କୃଷ୍ଟ କରିଥାଏ। ଏହାର ଗାରିମାକୁ ବଜାୟ ରଖିବାକୁ ସମସ୍ତ ପୁରାତନ ଛାତ୍ରଛାତ୍ରୀ ପ୍ରତିବଦ୍ଧ।

ସଭାକାର୍ଯ୍ୟ ପରେ ନିକଟରେ ରାମନାଥ ଗୋଏଙ୍କା ସମ୍ମାନିରେ ସମ୍ମାନିତ ହୋଇଥିବା ସତ୍ୟସୁନ୍ଦର ବାରିକ ଓ ସିଲଭର ଜୁବଲି ବ୍ୟାଚଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଏହା ପରେ ଏକ ଲକି ଡ୍ର କାର୍ଯ୍ୟକ୍ରମ ହୋଇଥିଲା। ଯେଉଁଥିରେ 3ଜଣଙ୍କୁ ଆକର୍ଷଣୀୟ ଉପହାର ପ୍ରଦାନ କରାଯାଇଥିଲା।