spot_img
Home Blog Page 836

ମହାରାଷ୍ଟ୍ର ରାଜନୀତିରେ ନୂଆ ଟୁଇଷ୍ଟ; ଏକାଠି ହୋଇପାରନ୍ତି ଶିବସେନା ୟୁବିଟି ଓ ନବନିର୍ମାଣ ସେନା

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବା ପରି ଲାଗୁଛି । ଏକାଠି ହୋଇପାରନ୍ତି ଶିବସେନା(ୟୁବିଟି) ଓ ନବନିର୍ମାଣ ସେନା । ୨୦୦୫ରେ ଠାକରେ ପରିବାରର ସଦସ୍ୟ ତଥା ଉଦ୍ଧବ ଠାକରେଙ୍କ ପୁତୁରା ରାଜ ଠାକରେ ଗଠନ କରିଥିଲେ ନବ ନିର୍ମାଣ ସେନା । ଦୀର୍ଘ ଦିନ ଧରି ରାଜନୈତିକ ବିଫଳତା ପରେ ଖୁବ୍ ଶୀଘ୍ର ରାଜ ଠାକରେ ନୂଆ ନିଷ୍ପତ୍ତି ଗ୍ରହଣ କରିବା ସମ୍ଭାବନା ରହିଛି ।

ମହାରାଷ୍ଟ୍ରର ଭାଷାଗତ ଓ ସାଂସ୍କୃତିକ ସ୍ବାର୍ଥକୁ ଅଗ୍ରାଧିକାର ଦେବା ଲକ୍ଷ୍ୟରେ ଦୁଇ ନେତା ଏକାଠି ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି । ରାଜନୈତିକ ସ୍ବାର୍ଥ ଅପେକ୍ଷା ମହାରାଷ୍ଟ୍ରର ସ୍ବାର୍ଥକୁ ଦୁଇ ନେତା ଅଗ୍ରାଧିକାର ଦେବା ଦେଖାଯାଇଛି । ଏକ ସାକ୍ଷାତକାରରେ ରାଜ ଠାକରେ କହିଛନ୍ତି, ଉଦ୍ଧବଙ୍କ ସହ ତାଙ୍କର ମାମୁଲି ମତପାର୍ଥକ୍ୟ ରହିଛି । ମାତ୍ର ମହାରାଷ୍ଟ୍ରର ସ୍ବାର୍ଥ ସର୍ବାଗ୍ରେ ରହିଛି । ମହାଠାମାନଙ୍କ ବୃହତ ସ୍ବାର୍ଥ ଦୃଷ୍ଟିରୁ ସେ ବିକଳ୍ପ ପଦକ୍ଷେପ ନେବାର ସମ୍ଭାବନା ରହିଛି ।

୨୦୨୨ରେ ମୂଳ ଶିବସେନାରୁ ଏକନାଥ ସିନ୍ଦେ ଅଲଗା ହୋଇ ଯିବା ପରେ ଶିବସେନା ଦୁର୍ବଳ ହୋଇପଡିଥିଲା । ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଦଳ ଆଶାନୁରୂପ ପ୍ରଦର୍ଶନ କରିପାରି ନଥିଲା । ରାଜ ଠାକରେ କହିଛନ୍ତି, ତାଙ୍କ ସହ ଶିବସେନା ବିଧାୟକ ଓ ସାଂସଦମାନେ ଥିବାବେଳେ ସେ ଶିବସେନା ପରିତ୍ୟାଗ କରିଥିଲେ । ସେ ବାଲ ଠାକରେଙ୍କ ବ୍ୟତୀତ ଅନ୍ୟ କାହା ନିକଟରେ କାମ କରିବାକୁ ଚାହିଁ ନଥିଲେ । ଏବେ ଉଦ୍ଧବଙ୍କ ସହ କାମ କରିବାରେ ତାଙ୍କର କିଛି ଆପତ୍ତି ନାହିଁ । ସେପଟେ ଉଦ୍ଧବ କହିଛନ୍ତି, ମହାରାଷ୍ଟ୍ରର ସ୍ବାର୍ଥ ଲାଗି ସମସ୍ତ ମହାରାଷ୍ଟ୍ରବାସୀ ଏକ ହୁଅନ୍ତୁ । ବର୍ତ୍ତମାନ ଗୁଜରାଟକୁ ବୃହତ ଶିଳ୍ପଗୁଡିକୁ ନିଆଯାଉଛି । ଯଦି ମହାରାଷ୍ଟ୍ରବାସୀ ଏକାଠି ହେବେ ତେବେ ଏହା ଘଟିବ ନାହିଁ । ମହାରାଷ୍ଟ୍ରର ସ୍ବାର୍ଥ ଲାଗି ଯିଏ ଆସିବେ ତାଙ୍କୁ ସେ ଗ୍ରହଣ କରିବେ । ମହାରାଷ୍ଟ୍ରରେ ସମସ୍ତ ମରାଠୀ ଓ ଇଂରାଜୀ ମିଡିୟମ ସ୍କୁଲରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ଯାଏ ହିନ୍ଦିକୁ ବାଧ୍ୟତାମୂଳକ ବିଷୟ କରାଯାଇଛି । ଏହାକୁ ନେଇ ରାଜନୀତି ଜୋର ଧରିଛି । ଏହାକୁ ଉଭୟ ରାଜ ଠାକରେ ଓ ଉଦ୍ଧବ ଠାକରେ ବିରୋଧ କରୁଛନ୍ତି ।

ମାଲାୟାଲମ ଅଭିନେତା ସାଇନ ଟମ୍ ଚାକୋ ଗିରଫ

ନନ୍ଦିଘୋଷ ବ୍ୟୁରୋ: ଡ୍ରଗ୍ସ ସେବନ ଅଭିଯୋଗରେ ମାଲାୟାଲମ ଅଭିନେତା ସାଇନ ଟମ୍ ଚାକୋ ଗିରଫ । ଗିରଫ ପରେ ତାଙ୍କୁ ଜାମିନ ମିଳି ଯାଇଛି । ତାଙ୍କ ବିରୋଧରେ ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟନ୍ସ (NDPS) ଆଇନର ଧାରା ୨୭ (ଯେକୌଣସି ନିଶାଦ୍ରବ୍ୟ କିମ୍ବା ମାନସିକ ପଦାର୍ଥ ସେବନ) ଏବଂ ୨୯ ( ପ୍ରୋତ୍ସାହନ ଓ ଅପରାଧିକ ଷଡଯନ୍ତ୍ର)ର ଦଫା ଲାଗିଥିଲା ।

କୋଚିର ଏକ ହୋଟେଲରେ ନାର୍କୋଟିକ୍ସ ଟିମ୍ ଚଢାଉ ବେଳଏ ସେ ପଳାଇ ଯାଇଥିଲେ । ପରେ  ତାଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ତାର କିଛି ଘଣ୍ଟା ଭିତରେ ହିଁ ଟମଙ୍କୁ ମିଳିଛି ଜାମିନ । ୨୦୧୪ର ସର୍ବାଧିକ ଆୟ କରିଥିବା ମାଲାୟଲମ ଫ୍ୟାଣ୍ଟାସି କମେଡି ଚଳଚ୍ଚିତ୍ର ‘ଇତିହାସ’ ପାଇଁ ବେଶ ଚର୍ଚ୍ଚାକୁ ଆସିଥିଲେ ଟମ୍ । ଏକ ଇନଷ୍ଟାଗ୍ରାମ ଭିଡିଓରେ, ଭିନ୍ସି ତାଙ୍କର ଅଭିଜ୍ଞତା ସେୟାର କରି କହିଛନ୍ତି ଯେ ସେ ଆଉ ମଦ୍ୟପାନ କିମ୍ବା ଡ୍ରଗ୍ସ ଭଳି ପଦାର୍ଥର ଅପବ୍ୟବହାର କରୁଥିବା ବ୍ୟକ୍ତିଙ୍କ ସହିତ କାମ କରିବେ ନାହିଁ ।

୩୦ ଘଣ୍ଟିଆ ଅସ୍ତ୍ର ବିରତି ଘୋଷଣା କଲେ ପୁଟିନ

ନନ୍ଦିଘୋଷ ବ୍ୟୁରୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ଼ ଘୋଷଣା । ୩୦ ଘଣ୍ଟିଆ ଅସ୍ତ୍ର ବିରତି ଘୋଷଣା କଲେ । ଶନିବାର ରାତି ୮.୩୦ରୁ ରବିବାର ସରିବା ଯାଏଁ ଏହି ଅସ୍ତ୍ର ବିରତି ଘୋଷଣା ହୋଇଛି ।

ଋଷ ପରି ୟୁକ୍ରେନ ବି ସମଧରଣ ପଦକ୍ଷେପ ନେବ ବୋଲି ଆଶା ପ୍ରକାଶ କରିଛନ୍ତି ପୁଟିନ । ତେବେ ଏହି ଅସ୍ତ୍ର ବିରତି ଅବସରରେ ରୁଷ ସୈନ୍ୟବାହିନୀ ପୂର୍ବ ପରି ନିଜ ସ୍ଥାନରେ ରହିବେ ବୋଲି ଋଷର ସାମରିକ ମୁଖ୍ୟ ଭାଲେରି ଗ୍ରେସିମୋଭଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁଟିନ । ଇଷ୍ଟରକୁ ଦୃଷ୍ଟିରେ ରଖି ପୁଟିନ ଏହି ଘୋଷଣା କରିଛନ୍ତି । ମାନବିକତା ଦୃଷ୍ଟିରୁ ଏହି ଘୋଷଣା କରାଯାଇଛି ବୋଲି କହିଛନ୍ତି ପୁଟିନ । ଋଷ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଉଦ୍ୟମ ଜାରି ରହିଥିବାବେଳେ ପୁଟିନ ଏହି ପଦକ୍ଷେପ ନେଇଛନ୍ତି ।

ରାଜ୍ୟପାଳଙ୍କ ପୁରୀ ଗସ୍ତ ବେଳେ ପାଓ୍ବାର କଟ୍, ଅନ୍ଧାରରେ ବୁଲିଲେ

ପୁରୀ: ଜଗନ୍ନାଥ ଧାମ ପୁରୀରେ ଶକ୍ତି ବିଭାଗର ଅପାରଗତା । ଅନ୍ଧାରରେ ବୁଲିଲେ ରାଜ୍ୟପାଳ । ରାଜ୍ୟପାଳଙ୍କ ଗସ୍ତବେଳେ ହେଲା ପାୱାର କଟ୍ । ଅନ୍ଧାରରେ ଘଣ୍ଟେ କାଳ ବୁଲିଲେ ରାଜୃପାଳ କେ. ହରିବାବୁ କମ୍ଭମପାଟି ।

ଏଭଳି ଘଟଣା ଘଟିଛି ପୁରୀ ଭିଆଇପି ରୋଡସ୍ଥିତ ବୈଷ୍ଣବ ଦେବୀ ଗଳିରେ । ଆଜି ରାଜ୍ୟପାଳ ପୁରୀରେ ବିଭିନ୍ନ ଉନ୍ନୟନମୂଳକ କାମ ସମୀକ୍ଷା କରିବା ପରେ ପ୍ରଧାନମନ୍ତ୍ରୀ ଆବାସିକ ଯୋଜନା ମାଧ୍ୟମରେ ପାଇଥିବା ହିତାଧିକାରୀଙ୍କ ଘର ପରିଦର୍ଶନ କରିବାକୁ ଯାଇଥିଲେ । ରେଣୁବାଳା ପଣ୍ଡା ଓ ରାଧାରାଣୀ ଦେବନାଥଙ୍କ ଘର ବୁଲିବା ସମୟରେ ପାୱାର କଟ୍ ହୋଇଥିଲା । ରାଜ୍ୟପାଳ ପୁରୀରେ ସମୀକ୍ଷା କରୁଥିବାରୁ ସବୁ ବଡ଼ବଡ଼ିଆ ସହରରେ ଉପସ୍ଥିତ ଥିଲେ । ତଥାପି କିଭଳି ପାୱାର କଟ ହେଲା ତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ବାଙ୍କୀ ନବୋଦୟ ହଷ୍ଟେଲରେ ଛାତ୍ରଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖି ରଙ୍ଗମିସ୍ତ୍ରୀ ଗିରଫ, କେତେ ସୁରକ୍ଷିତ ଛାତ୍ରାବାସ ?

ନନ୍ଦିଘୋଷ ବ୍ୟୁରୋ: ବାଙ୍କୀ ନବୋଦୟ ବିଦ୍ୟାଳୟ ହଷ୍ଟେଲରୁ ଆସିଲା ସାଂଘାତିକ ଅଭିଯୋଗ । ଛାତ୍ରାବାସରେ ପଶି ଜଣେ ଛାତ୍ରଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ରଙ୍ଗମିସ୍ତ୍ରୀ । ଘଟଣା ପ୍ରଘଟ ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ ହଷ୍ଟେଲର ସୁରକ୍ଷା ବ୍ୟବସ୍ଥା ନେଇ ଉଠିଛି ପ୍ରଶ୍ନ । ଛାତ୍ରାବାସରେ ଘଟିଥିବା ଏହି ଲଜ୍ଜାଜନକ ଘଟଣା ପରେ ଏଠାର ଅନ୍ତେବାସୀ ଛାତ୍ରଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ଓ ଅଭିଭାବକ । ଏଥିପାଇଁ ପ୍ରିନ୍ସପାଲ ଓ ହଷ୍ଟେଲ ୱାର୍ଡେନଙ୍କ ଅବହେଳାକୁ ଦାୟୀ କରାଯାଉଛି ।

କେତେ ସୁରକ୍ଷିତ ଛାତ୍ର ହଷ୍ଟେଲ ? ଛାତ୍ରାବାସରେ ରାତିରେ ପଶୁଛନ୍ତି ଅପରାଧୀ । ଅଧ୍ୟକ୍ଷ ଓ ୱାର୍ଡେନଙ୍କ ନିକଟରେ ନାହିଁ ଖବର । ଛାତ୍ରଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖି ରଙ୍ଗମିସ୍ତ୍ରି ଗିରଫ । ଏମିତି ଏକ ସାଂଘାତିକ ଅଭିଯୋଗ ଆସିଛି ବାରଙ୍ଗ ଥାନା ମୁଣ୍ଡଳି ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ଛାତ୍ରାବାସରୁ । ରାତିରେ ହଷ୍ଟେଲ ଭିତରେ ପଶି ଜଣେ ରଙ୍ଗ ମିସ୍ତ୍ରୀ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଏହି ଘଟଣା ପରେ ହଷ୍ଟେଲରେ ଛାତ୍ରଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ । ପ୍ରିନ୍ସପାଲ ଓ ହଷ୍ଟେଲ ୱାର୍ଡେନଙ୍କ ଦାୟିତ୍ବହୀନତା କାରଣରୁ ଏପରି ଘଟିଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ଓ ଅଭିଭାବକ । ଘଟଣା ପରେ ଉଭୟ ଅଧିକାରୀଙ୍କ ବିରୋଧରେ ସେମାନେ କାର୍ଟ୍ରାନୁଷ୍ଠାନ ଦାବି କରିଛନ୍ତି ।

୪ ଦିନ ତଳେ ଘଟିଥିଲା ଏପରି ଘଟଣା । ଠିକା ସଂସ୍ଥା ପକ୍ଷରୁ ହଷ୍ଟେଲରେ ମରାମତି କାର୍ଯ୍ୟ ଚାଲିଛି । ଅଭିଯୁକ୍ତ ରଙ୍ଗମିସ୍ତ୍ରୀ ନାବାଳକଙ୍କୁ ପ୍ରଲୋଭିତ କରିବା ସହ ଅସୁସ୍ଥତା ଦର୍ଶାଇ ହଷ୍ଟେଲରେ ରହିଥିବା ଅଭିଯୋଗ ହୋଇଛି । ଘଟଣା ପରେ ଛାତ୍ର ଜଣକ ମାନସିକ ଓ ଶାରୀରିକ ସ୍ତରରେ ଅସୁସ୍ଥ ହୋଇ ଜଣେ ସାଙ୍ଗଙ୍କୁ ଘଟଣା ସମ୍ପର୍କରେ କହିବା ପରେ କଥା ସାମ୍ନାକୁ ଆସିଥିଲା । ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ ହେବା ପରେ ଅଭିଯୁକ୍ତ ରଙ୍ଗ ମିସ୍ତ୍ରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ସେପଟେ ଅଧ୍ୟକ୍ଷଙ୍କ କହିବା କଥା, ଅସୁସ୍ଥତା ଦର୍ଶାଇ ଶ୍ରମିକ ରହିବାକୁ ଅନୁମତି ମାଗିଥିଲେ । ଛାତ୍ର ଓ ଶ୍ରମିକ ଗୋଟିଏ ଜିଲ୍ଲାର ଥିବାରୁ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ହୋଇଥିଲା । ତେବେ ଘଟଣା ପରେ ଆମେ ପୋଲିସକୁ ଜଣାଇଛୁ । ସିକ୍ୟୁରିଟି ନେଇ କୌଣସି କମ୍ପ୍ରମାଇଜ କରାଯାଏ ନାହିଁ ।

ଏଠି ପ୍ରଶ୍ନ ଉଠୁଛି । ଘଟଣା ସମ୍ପର୍କରେ କିପରି ଜାଣି ପାରିଲେନି କର୍ତ୍ତୃପକ୍ଷ ? ଜାଣିବା ପରେ ଲୁଚାଇବାକୁ ଉଦ୍ୟମ କରାଯାଇଛି କି ? ଟାଇଟ୍ ସିକ୍ୟୁରିଟି ଭିତରେ ଏପରି ଲଜ୍ଜାଜନକ ଘଟଣା ଘଟିଲା କିପରି ? ଶିକ୍ଷା ବିଭାଗ ଘଟଣାକୁ ଗୁରତର ସହ ନେଇ ଛାତ୍ରଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବାକୁ ଦାବି ହୋଇଛି ।

ହଜାରେ ହେକ୍ଟର ଜମିରେ ଟ୍ବିନସିଟିରେ ନିର୍ମାଣ ହେବ ନୂଆ ଆଇଟି ପାର୍କ

ନନ୍ଦିଘୋଷ ବ୍ୟୁରୋ: ଟ୍ୱିନ ସିଟିରେ ହେବ ନୂଆ ଆଇଟି ପାର୍କ । ହଜାରେ ହେକ୍ଟର ଜମିରେ ତିଆରି ହେବ ନୂଆ ଆଇଟି ପାର୍କ । ଆଇଟି ଶିଳ୍ପ ପାଇଁ ରାଜ୍ୟରେ ତିଆରି ହେବ ପ୍ଲଗ ଆଣ୍ଡ ପ୍ଲେ ସୁବିଧା ଥିବା ୫୦ ନିୟୁତ ବର୍ଗ ମିଟରର ବିଲ୍ଟ ଅପ୍ ଏରିଆ । ଭୁବନେଶ୍ୱରର ସତ୍ୟନଗର ଓ ୟୁନିଟ-୨ ଅଞ୍ଚଳରେ ଆଇଟି ଶିଳ୍ପ ପାଇଁ ଚଳିତବର୍ଷ ୧୦ ନିୟୁତ ବର୍ଗ ମିଟରର ବିଲ୍ଟ ଅପ୍ ଏରିଆ ତିଆରି ଆରମ୍ଭ ହେବ ।

ଆଗାମୀ ୫ ବର୍ଷରେ ଓଡ଼ିଶାରେ ସଡ଼କ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା । ଏଥିରୁ NHAI ୧ ଲକ୍ଷ ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଥିବା ବେଳେ ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ୧ ଲକ୍ଷ ୨୫ ହଜାର କୋଟି । ବ୍ରହ୍ମପୁରରୁ ଜୟପୁର ମଧ୍ୟରେ ନିର୍ମାଣ ହେବ ଗ୍ରୀନ ଫିଲ୍ଡ କରିଡର । ଏବେ ଏହି ଦୁଇ ସହର ମଧ୍ୟରେ ଯାତାୟାତ ପାଇଁ ୮ ଘଣ୍ଟା ସମୟ ଲାଗୁଥିବା ବେଳେ ଏହି ପ୍ରକଳ୍ପ ସରିବା ପରେ ମାତ୍ର ସାଢ଼େ ୩ ଘଣ୍ଟା ଲାଗିବ । ରାଜ୍ୟର ୫ଟି ବଡ଼ ସହର ସମେତ ୧୧ଟି ସହରରେ ତିଆରି ହେବ ରିଙ୍ଗ ରୋଡ । ବିକଶିତ ଓଡ଼ିଶାରେ ୨୦୩୬ ସୁଦ୍ଧା ରାଜ୍ୟ ଅର୍ଥନୀତି ୦.୫ ଟ୍ରିଲିୟନ ଡଲାରରେ ପହଞ୍ଚିବ । ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଅର୍ଥନୀତି ହେବ ଓଡ଼ିଶା । ଆଗାମୀ ୫ ବର୍ଷରେ ରାଜ୍ୟରେ ଆଉ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା କରାଯିବ । ୨୦୩୬ ବିକଶିତ ଓଡିଶା ପାଇଁ ରାଜ୍ୟ ସରକାର ଏପରି ଖସଡ଼ା ପ୍ରସ୍ତୁତ କରିଛନ୍ତି । ବିକଶିତ ଓଡ଼ିଶା- ୨୦୩୬ ନେଇ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ-ଆଇସିସିର ଜାତୀୟ ଆଲୋଚନାଚକ୍ରରେ ଭାଗ ନେଇ ମନ୍ତ୍ରୀ ଓ ସଚିବମାନେ ସରକାରଙ୍କ ବ୍ଲୁ ପ୍ରିଣ୍ଟ ବାବଦରେ ଏପରି କହିଛନ୍ତି ।

ବିଜେପି ସରକାରଙ୍କ ଶାସନରେ ଅଣନିଃଶ୍ବାସୀ କି ସରକାରୀ ବାବୁ ?

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଆଇଏଏସ ମରୁଡି ଦେଖା ଦେଇଥିବା ବେଳେ ଦକ୍ଷ ଅଫିସରମାନେ ଓଡ଼ିଶା ଛାଡୁଛନ୍ତି । ୧୦ ମାସରେ ମୋହନ ସରକାରରେ ସିଏମଓରୁ ୨ ଜଣ ଚର୍ଚ୍ଚିତ ଅଧିକାରୀଙ୍କୁ ଦାୟିତ୍ବରୁ ହଟାଇ ଦିଆଯିବା ପରେ ପାଓ୍ବାର କରିଡରରେ ହଲଚଲ ସୃଷ୍ଟି ହୋଇଛି । ସରକାର ଠିକ ଚାଲୁ ନଥିବାରୁ ଅଧିକାରୀମାନେ ଅସନ୍ତୋଷ ପ୍ରକାଶ କରି ଓଡିଶା ଛାଡ଼ିବାକୁ ଚାହୁଁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ରାଜ୍ୟରେ ଆଇଏଏସ ସଙ୍କଟ ଥିବା ବେଳେ ବିଜେପି ଶାସନର ୧୦ ମାସରେ ଦକ୍ଷ ଅଧିକାରୀମାନେ ଓଡିଶା ଛାଡୁଛନ୍ତି । ଶାସନ କଳରେ ଯେତିକି ସଂଖ୍ୟକ ଅଫିସର ଦରକାର, ତା’ଠାରୁ କମ ସଂଖ୍ୟକ ଅଧିକାରୀରେ ଚାଲିଛି କାମ । ଏହାରି ଭିତରେ ବିଜେପି ସରକାରଙ୍କ ଶାସନରେ ଅଣନିଃଶ୍ବାସୀ ହୋଇପଡ଼ିଛନ୍ତି ସରକାରୀ ବାବୁ । ସବୁଠାରୁ ବଡ଼ କଥା ହେଉଛି ସିଏମଓରୁ ୨ ଜଣ ଚର୍ଚ୍ଚିତ ଅଧିକାରୀ ଅନ୍ୟ ସ୍ଥାନକୁ ବଦଳି ହେବା କଥା ହଜମ ହେଉନି । ରାଜ୍ୟ ସରକାରଙ୍କ ଗୁଡ ବୁକରେ ଥିବା ଅଧିକାରୀଙ୍କୁ ହଠାତ କାହିଁକି ସିଏମଓରୁ ହଟାଇ ଦିଆଗଲା ତାହାକୁ ନେଇ ପ୍ରଶ୍ନ ଉଠଛି । ମୁଖ୍ୟ ବିରୋଧୀ ବିଜେଡି ଅଭିଯୋଗ କରିଛି, ସରକାର ଠିକ ସେ ଚାଲୁ ନଥିବାରୁ ଅଫିସରମାନେ ଠିକସେ କାମ କରିପାରୁନାହାଁନ୍ତି । ସରକାରୀ କଳରେ ବହୁ ଅଧିକାରୀ ପଦ ଖାଲିପଡ଼ିଥିବା ବେଳେ ଅଫିସରମାନେ ସ୍ବେଚ୍ଛାକୃତ ଅବସର ନେବା, ଡେପୁଟେସନକୁ ଯିବା ମୋହନ ସରକାର ବିଫଳତାକୁ ପଦାରେ ପକାଇଛି । ସରକାର ଏଥିରୁ ଚେତିଯିବା ଦରକାର ବୋଲି ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ।

ରାଜ୍ୟରେ ୬୬ ଆଇଏଏସ ଓ ୬୯ ଆଇପିଏସ ପଦବୀ ଖାଲି ପଡିଛି । ରାଜ୍ୟରେ ୨୪୮ଟି ଆଇଏଏସ ପଦବୀ ପାଇଁ ଅନୁମୋଦନ ମିଳିଥିବା ବେଳେ ୧୮୧ ଜଣ କାର୍ଯ୍ୟରତ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣକ ପରେ ଜଣେ କେନ୍ଦ୍ରୀୟ ଡେପୁଟସନକୁ ଯିବା ପରେ ରାଜ୍ୟରେ ପ୍ରଶାସନିକ କଳ ଉପରେ ଚାପ ସୃଷ୍ଟି ହୋଇଛି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ରାଜ୍ୟରେ ଶାସନ ଚାଲିଛି ବୋଲି ଲୋକେ ଅନୁଭବ କରିପାରୁନାହାନ୍ତି । ସରକାରୀ ଅଧିକାରୀମାନେ ସରକାରଙ୍କ କାର୍ଯ୍ୟଶୈଳୀରେ ଅସନ୍ତୋଷ ଅଛନ୍ତି । ଫଳରେ ଓଡ଼ିଶା କ୍ୟାଡର ଅଧିକାରୀମାନେ ଓଡିଶା ଛାଡିବାକୁ ବାଧ୍ୟ ହେଉଛନ୍ତି । ୧୦ ମାସ ମଧ୍ୟରେ ୨ଜଣ ଓଡିଆ ଅଧିକାରୀ ସରକାରରୁ ବଦଳି ହେବା ଓଡିଆ ଅସ୍ମିତା କି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ସେହିପରି ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ମୁଦୁଲି ମଧ୍ୟ ଏ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅନ୍ୟପଟେ ବିଜେପି ବିଧାୟକ ସରୋଜ ପାଢି ପ୍ରସଙ୍ଗକୁ ନେଇ ବିତଣ୍ଡା ଯୁକ୍ତି ବାଢିଛନ୍ତି ।

ଆଇଏଏସ ନୁହେଁ, ୧୦ ମାସ ମଧ୍ୟରେ ବହୁ ଆଇପିଏସ ଅଫିସରଙ୍କୁ ମଧ୍ୟ ବାରମ୍ବାର ବଦଳି କରାଯାଉଛି । ଯାହାକୁ ନେଇ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ଦୁଇ ବିରୋଧୀ ।

ଘରୋଇ କମ୍ପାନୀ ଦେଉଛନ୍ତି ରିହାତି, ଲୁଟିବାରେ ବ୍ଯସ୍ତ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ

ନନ୍ଦିଘୋଷ ବ୍ୟୁରୋ: ବିଚିତ୍ର ସ୍ଥିତି ସୃଷ୍ଟି କଲେଣି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ । ଅଶୋଧିତ ତୈଳ ଦର କମି ୬୦ ଡଲାରରୁ ୭୦ ଡଲାର ଭିତରେ ରହୁଛି । ହେଲେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ପେଟ୍ରୋଲ ଓ ଡିଜେଲର ଖୁଚୁରା ଦର କମାଉ ନାହାନ୍ତି । ସେପଟେ ଘରୋଇ ତୈଳ ବିପଣନ କମ୍ପାନୀ ରିଲାଏନ୍ସର ଜିଓ ଟାଙ୍କିରେ ଅଫର ଚାଲିଛି । ଡିଜେଲ ଲିଟର ପିଛା ୩ ଟଙ୍କା ରିହାତି ଘୋଷଣା କରିଛନ୍ତି । ଯାହା ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଙ୍କ ଖୁଚୁରା ବେପାରକୁ ପ୍ରଭାବିତ କଲାଣି । ନା କେନ୍ଦ୍ର ସରକାର ମୁଣ୍ଡ ପୂରାଉଛନ୍ତି ନା ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଙ୍କ ଖାତିର ଅଛି ବୋଲି ଅଭିଯୋଗ କରିଛି ଡିଲର ଆସୋସିଏସନ୍ । ପୁଳା ପୁଳା ଟିକସରେ ଭରି ଯାଉଛି ଟ୍ରେଜେରୀ । ସେପଟେ ଶୀଘ୍ର କିଲୋ ପିଛା ୨ଟଙ୍କାରୁ ୪ ଟଙ୍କା ବଢିବାକୁ ଯାଉଛି ସିଏନଜି ଗ୍ୟାସ ଦର ।

ସାଧାରଣ ଖାଉଟିଙ୍କ ପାଇଁ ଖୁଚୁରା ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ରିହାତି ନାହିଁ । କୁଆଡ଼େ ଗଲା ପେଟ୍ରୋଲିୟମ ମନ୍ତ୍ରୀଙ୍କ ସ୍ଥିର ଦର ଥିଓରୀ ? ଅଶୋଧିତ ତୈଳଦର ସ୍ଥିର ରହିଲେ ଖୁଚୁରା ପେଟ୍ରୋଲ ଓ ଡିଜେଲ ଦର କମିବ । ଏବେ ଦୁଇ ସପ୍ତାହ ଉପରେ ହେଲାଣି ଅଶୋଧିତ ତୈଳ ଦର ୬୦ରୁ ୭୦ ଡଲାର ଭିତରେ ରହୁଛି । ହେଲେ ସାଧାରଣ ଗ୍ରାହକଙ୍କୁ ୧୦୧ ଟଙ୍କାରେ ପେଟ୍ରୋଲ ବିକି ଶୋଷି ଚାଲିଛନ୍ତି ରାଷ୍ଟ୍ରାୟତ୍ତ କମ୍ପାନୀ । ଏବେ ରିଲାଏନ୍ସସ ଜିଓ ଟାଙ୍କିରେ ଡିଜେଲ ଲିଟର ପିଛା ୩ ଟଙ୍କା ରିହାତି ଅଫର ଚାଲିଲାଣି । ଖୁଚୁରା ଗ୍ରାହକ ସିନା ପାଖରେ ଜିଓ ଟାଙ୍କି ପାଉନାହାନ୍ତି । କିନ୍ତୁ ବଡ଼ ଠିକାଦର ହୁଅନ୍ତୁ କି କମ୍ପାନୀ ଯାହାର ମୋଟ ପରିମାଣରେ ଡିଜେଲ ଆବଶ୍ୟକ ରିହାତି ଦରରେ ଘରୋଇ କମ୍ପାନୀଙ୍କଠୁ ଡିଜେଲ କିଣୁଛନ୍ତି ।

ଉତ୍ପାଦ ଶୁଳ୍କ ବଢାଇ କେନ୍ଦ୍ର ଲକ୍ଷାଧିକ କୋଟି ଲାଭ କଲାଣି । ଖୁଚୁରା ବେପାର ମାନ୍ଦା ଧରିଲାଣି । ୨୦୨୨ରୁ ବନ୍ଦ ଥିବା ଡାଇନାମିକ ପ୍ରାଇସ ମେକାନିଜିମ କାହିଁକି ପୁଣି ଥରେ ଚାଲୁ ହେଉନି ? କ’ଣ ପାଇଁ ଚୁପ କେନ୍ଦ୍ର ସରକାର ଓ ତୈଳ କମ୍ପାନୀ ? କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଙ୍କ ଆଗରେ ଲୋକଙ୍କ ସ୍ବାର୍ଥ ବଡ଼ ନୁହେଁ । ଖାଲି ଆମଦାନୀ ଚିନ୍ତା ? ଏ ନେଇ ପ୍ରଶ୍ନ ଉଠାଇଛି ଖୋଦ ପେଟ୍ରୋଲିୟମ ଡିଲର ଆସୋସିଏସନ୍ । ସେପଟେ ଭାରତୀୟ ତୈଳ କ୍ଷେତ୍ରରୁ ସିଏନଜି ଗ୍ୟାସ କମ୍ ବାହାରୁଥିବାରୁ ଚାହିଦା ପୂରଣ ପାଇଁ ବିଦେଶରୁ ଆମଦାନୀ କରିବାକୁ ପଡ଼ିବ । ଏଥିପାଇଁ କିଲୋ ପ୍ରତି ୨ରୁ ୪ ଟଙ୍କା ବଢିବା ସମ୍ଭାବନା ଦେଖାଦେଇଛି ।

ପେଟ୍ରୋଲର ବେସ୍ ପ୍ରାଇସ ୫୨ ଟଙ୍କା ୮୪ ପଇସା ଓ ଡିଜେଲର ବେସ୍ ପ୍ରାଇସ୍ ୫୩ ଟଙ୍କା ୭୬ ପଇସା । କେନ୍ଦ୍ର ସରକାରଙ୍କ ଉତ୍ପାଦ ଶୁଳ୍କ ଓ ରାଜ୍ୟ ସରକାରଙ୍କ ଭାଟ ଟିକସ ମିଶି ଶତ ପ୍ରତିଶତ ଟିକସ ଯୋଗୁଁ ଭାରତରେ ଚଢ଼ା ଦରରେ ପେଟ୍ରୋଲ ଓ ଡିଜେଲ ବିକ୍ରି ହେଉଛି । କେନ୍ଦ୍ର ଓ ରାଜ୍ୟ ବର୍ଷକୁ ସାଢ଼େ ୭ ଲକ୍ଷ କୋଟି ଟଙ୍କା ଟିକସ ନେଉଛନ୍ତି । ଏହା ବ୍ୟତୀତ ତୈଳ ବିପଣନ କମ୍ପାନୀ ବାର୍ଷିକ ଦେଢ଼ ଲକ୍ଷ କୋଟି ଲାଭ କରୁଛନ୍ତି । ଯେଉଁଠି ସମାନ ଦରରେ ଘରୋଇ କମ୍ପାନୀ କିଣି ରିଫାଇନିଂ କରି ଗ୍ରାହକଙ୍କୁ ରିହାତି ଦେଇପାରୁଛନ୍ତି ସେଠି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ କାହିଁକି ଲୋକଙ୍କୁ ଦେଇପାରିବେନି ? କିନ୍ତୁ ସାଧାରଣ ଲୋକ ଆଦୌ ବି ପ୍ରତିକ୍ରିୟାଶୀଳ ହେଉ ନଥିବାରୁ  ସରକାର ଓ କମ୍ପାନୀଙ୍କୁ ଚଢା ଦର ନେବାକୁ ସୁବିଧା ମିଳୁଥିବା କହିଛନ୍ତି ଆର୍ଥନୀତି ବିଶେଷଜ୍ଞ ରାଜ ନାରାୟଣ ତ୍ରିପାଠୀ ।

ଅଶୋଧିତ ତୈଳ ଦର ଆହୁରି କମିବ । କେବେ ବି ଅନ୍ତରାଷ୍ଟ୍ରୀୟ ବଜାରରେ ତୈଳ ଦର ସ୍ଥିର ରହିବନି । ଏହାର ଅର୍ଥ କେନ୍ଦ୍ର ସରକାରଙ୍କ ଭାଷାରେ ଖୁଚୁରା ଦର କେବେ ବି କମିବନି । ତୈଳ ଦର କମିବନି ଅର୍ଥ ମହଙ୍ଗା ବଜାରରୁ ଲୋକଙ୍କୁ ମୁକ୍ତି ମିଳିବନି ।

ଓଡ଼ିଶାର ହକ୍ ପାଇଁ ଲଢ଼େଇ କରିବାକୁ ନବୀନଙ୍କ ଆହ୍ଵାନ ପରେ ଫୁଲ୍ ଜୋସରେ ବିଜେଡି

ଭୁବନେଶ୍ବର: ଓଡ଼ିଶାର ହକ୍ ପାଇଁ ଲଢ଼େଇ ଜାରି ରଖିବାକୁ ଆହ୍ଵାନ ଦେଇଛନ୍ତି ନବୀନ ପଟ୍ଟନାୟକ । ନବମ ଥର ବିଜୁ ଜନତା ଦଳର ସଭାପତି ହେବା ପରେ ସେ ଏହି ଆହ୍ଵାନ ଦେଇଛନ୍ତି । ତାଙ୍କର ଏହି ଆହ୍ଵାନ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଭରି ଦେଇଛି ନୂତନ ଉତ୍ସାହ ଓ ବିଶ୍ଵାସ । ସେମାନେ ଏବେ ଫୁଲ୍ ଜୋସରେ । ସଂଗଠନକୁ ଆଗେଇ ନେବା ସହିତ ବିଜେପି ସରକାରର ମିଥ୍ୟା ପ୍ରଚାରକୁ ପ୍ରତିହତ କରିବାକୁ ରଣନୀତି ପ୍ରସ୍ତୁତିରେ ଲାଗି ପଡ଼ିଲେଣି ବିଜେଡି ନେତା । ଘର ଘର ବୁଲି ନବୀନଙ୍କ ସେବାର ବାର୍ତ୍ତା ପହଞ୍ଚାଇବାକୁ ଅଣ୍ଟା ଭିଡ଼ିଲେଣି ।

ବିଜେପିର ମିଥ୍ୟା ପ୍ରଚାର ବିରୋଧରେ ଲଢ଼େଇ କରିବାକୁ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ଆହ୍ଵାନ । ଏହାପରେ ଫୁଲ୍ ଜୋସରେ ଦଳର ସମସ୍ତ ନେତା ଓ କର୍ମୀ । ଓଡ଼ିଶାର ସ୍ଵାର୍ଥ ଓ ସ୍ଵାଭିମାନ ପାଇଁ କାମ କରିବାକୁ ସେମାନେ ପ୍ରତିଶ୍ରୁତିବଦ୍ଧ । ନିର୍ବାଚନ ପୂର୍ବରୁ ବିଜେଡି ବିରୋଧରେ ବିଜେପି ଯେପରି ମିଛ କହୁଥିଲା, ଆଜି ବି ତାହା ଜାରି ରହିଛି । ସୋସିଆଲ ମିଡିଆରୁ ଆରମ୍ଭ କରି ବିଭିନ୍ନ ଫୋରମରେ ଏହାକୁ କାଉଣ୍ଟର କରିବା ପାଇଁ ମାର୍ଗଦର୍ଶନ ଦେଇଛନ୍ତି ନବୀନ । ବିଜେପି ସରକାରର ମିଥ୍ୟା ପ୍ରତିଶୃତିର ତାଲିକା ବେଶ୍ ଲମ୍ବା । ୩୦୦ ୟୁନିଟ ମାଗଣା ବିଜୁଳି ହେଉ କି ସୁଭଦ୍ରା ପ୍ରହେଳିକା, ଧାନ କଟନୀ ଛଟନୀ ହେଉ କି ଏମଏସପି ବୃଦ୍ଧି ନ କରିବା ପରି ପ୍ରସଙ୍ଗ,  ଅବା ବିପର୍ଯ୍ୟସ୍ତ ଆଇନ ଶୃଂଖଳା ପରିସ୍ଥିତି, ଭତ୍ତା ବୃଦ୍ଧିରେ ଟାଳଟୁଳ ନୀତି, ଏପରି ଅନେକ ପ୍ରସଙ୍ଗରେ ଲୋକଙ୍କୁ ସଚେତନ କରାଇବେ ବିଜେଡି ନେତା । ଓଡ଼ିଶାର ସ୍ଵାର୍ଥ ଓ ସ୍ଵାଭିମାନ ପାଇଁ ଲଢେଇ ଜାରି ରଖିବ ବିଜୁ ଜନତା ଦଳ ।

ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିଜେଡି ରାଜ୍ୟ ସ୍ଵାର୍ଥ ପାଇଁ ଲଢେଇ କରି ଆସୁଛି । ୟୁପିଏ ହେଉ ବା ଏନଡିଏ, ଓଡ଼ିଶା ସବୁ ସମୟରେ କେନ୍ଦ୍ର ଅବହେଳାର ଶିକାର ହୋଇ ଆସୁଛି । ଏହା ବିରୋଧରେ ବିଜେଡି ସବୁବେଳେ ପ୍ରତିବାଦ କରିଛି । ପୋଲାଭରମ ଓ ମହାନଦୀରେ ଓଡ଼ିଶାକୁ ଏନଡିଏ କନ୍ଦାଇ ଚାଲିଛି । ହେଲେ ବିଜେପି ସରକାର ପାଟି ଫିଟାଉନି । ଏକ ଦାୟିତ୍ଵବାନ ବିରୋଧୀ ଦଳ ଭାବେ ଓଡ଼ିଶାବାସୀଙ୍କ ଜାଗ୍ରତ ପ୍ରହରୀ ହେବାକୁ ନବୀନଙ୍କ ନିର୍ଦ୍ଦେଶ ପରେ ଲଢେଇ କରିବାକୁ ଦଳୀୟ ନେତା ଆଗେଇ ଆସିଛନ୍ତି ।

ରାଜ୍ୟର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ କ’ଣ ଦରକାର, ଏହାର ଉତ୍ତର ବିଜେପି ପାଖରେ ନାହିଁ । କେବଳ ପୂର୍ବ ସରକାରକୁ ଦାୟୀ କରିବା ଓ ବରପୁତ୍ରମାନଙ୍କୁ ଅପମାନ ଛଡ଼ା ଆଉ କିଛି କରୁନାହିଁ ରାଜ୍ୟର ବିଜେପି ସରକାର । ଏଥିରୁ ନିବୃତ ରହି ରାଜ୍ୟର ବିକାଶ ପାଇଁ କାମ କରିବାକୁ ସରକାରଙ୍କୁ ଅନେକ ସମୟରେ ପରାମର୍ଶ ବି ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ଅନଲାଇନ୍ ବେପାର ସାପ୍ତାହିକ ହାଟ ଉପରେ ପଡୁଛି ଭାରି

ଗୁଣପୁର: ଅନଲାଇନ୍‌ରେ କିଣାବିକା କରିବାକୁ ପସନ୍ଦ କରୁଛନ୍ତି ଗ୍ରାହକ ଓ ଯୁବପୀଢ଼ି । ଏହାର ସିଧାସଳଖ ପ୍ରଭାବ ପଡ଼ିଛି ଗ୍ରାମାଞ୍ଚଳର ସାପ୍ତାହିକ ହାଟ ଉପରେ । ଲୋକେ ପୂର୍ବଭଳି ଗ୍ରାମଞ୍ଚଳ ସାପ୍ତାହିକ ହାଟକୁ ଆସୁନାହାନ୍ତି । ବଡ଼ ବଡ଼ ବ୍ୟବସାୟୀ ମଧ୍ୟ ହାଟକୁ ଆସିବା କମାଇ ଦେଲେଣି । ଗୁଣପୁର ଉପଖଣ୍ଡରେ ଥିବା ଏହି ସାପ୍ତାହିକ ହାଟ ଗୁଡ଼ିକରେ ବ୍ୟବସାୟ କମି ଯାଇଛି । ୫ ବର୍ଷରେ ୫୦ ପ୍ରତିଶତ ବ୍ୟବସାୟ ଖସିଥିବା କହୁଛନ୍ତି ବ୍ୟବସାୟୀ ।

ଫାଙ୍କା ଫାଙ୍କା ଗାଁର ସପ୍ତାହିକ ହାଟ । ନାଁ ଆସୁଛନ୍ତି ଆଗପରି ଗ୍ରହକ, ନା ବ୍ୟବସାୟୀ । ବନ୍ଦ ହେବାକୁ ବସିଛି ରାୟଗଡ଼ା ଜିଲ୍ଲାର ଗୁଣପୁର ଉପଖଣ୍ଡରେ ଥିବା ବିଭିନ୍ନ ସପ୍ତାହିକ ହାଟ । ଗ୍ରାହକ ହାଟକୁ ଆସୁ ନଥିବାରୁ ବଡ଼ ବଡ଼ ବ୍ୟବସାୟୀ ଓ ଚାଷୀ ମଧ୍ୟ ଆସିବା ବନ୍ଦ କରିଦେଇଛନ୍ତି । ଗାଈଗୋରୁ, ରାସନ, ପନିପରିବା, ପୋଷାକ ଓ ଘରକରଣା ଜିନିଷ ପାଇଁ ସାପ୍ତାହିକ ହାଟରେ ନିର୍ଭର କରୁଥିଲେ ଅଞ୍ଚଳବାସୀ । ବାହାଘର, ବ୍ରତଘର ସମୟରେ ଆବଶ୍ୟକୀୟ ସାମଗ୍ରୀ ମଧ୍ୟ କିଣୁଥିଲେ । ଏବେ ଅନଲାଇନରେ କିଣାବିକା ଯୋଗୁଁ ଏହାର ସିଧାସଳଖ ପ୍ରଭାବ ପଡ଼ିଛି ଏହି ସାପ୍ତାହିକ ହାଟ ଉପରେ । ପୂର୍ବରୁ ସପ୍ତାହିକ ହାଟ ଗୁଡିକରେ ଦିନ ୫୦ ଲକ୍ଷ ଟଙ୍କାର ବ୍ୟବସାୟ ହେଉଥିବା ବେଳେ ପୂଜା ପର୍ବାଣୀରେ କୋଟିଏ ଟଙ୍କା ବି ଟପି ଯାଉଥିଲା ବ୍ୟବସାୟ । ଏବେ କେତେକ ହାଟ ବନ୍ଦ ହୋଇଯାଇଥିବା ବେଳେ ଚାଲୁଥିବା ହାଟଗୁଡ଼ିକ ମଧ୍ୟ ସଙ୍କଟ ଦେଇ ଗତି କରୁଛି ।

ଆଧୁନିକ ସଭ୍ୟତା ମଧ୍ୟରେ ଅନଲାଇନ ମାର୍କେଟିଂ ବଢ଼ିଥିବା ବେଳେ ହାଟରୁ ମୁହଁ ଫେରାଉଛନ୍ତି ଗ୍ରାହକ । ଗୁଣପୁର ଉପଖଣ୍ଡରେ ନିୟନ୍ତ୍ରିତ ବଜାର କମିଟି ଦ୍ଵାରା ପରିଚାଳିତ ମୁନିଖଲ, ଦହିଖାଲ, ପଦ୍ମପୁର ହାଟ ବନ୍ଦ ହୋଇଯାଇଛି । ୫ ବର୍ଷରେ ୫୦ ପ୍ରତିଶତ ବ୍ୟବସାୟ ଖସିଥିବା ବେଳେ କମିଛି ନିୟନ୍ତ୍ରିତ ବଜାର କମିଟିର ରାଜସ୍ଵ । ୨୦୧୮-୧୯ରେ ୩୯ ଲକ୍ଷ ୫୨ ହଜାର ୩୩୭ ଟଙ୍କା, ୨୦୧୯-୨୦ରେ ୧୪ ଲକ୍ଷ ୬୩ ହଜାର ୪୮୧ ଟଙ୍କା,  ୨୦୨୦-୨୧ରେ ୧୯ ଲକ୍ଷ ୪୪ ହଜାର ୮୭୪ ଟଙ୍କା, ୨୦୨୧-୨୨ରେ ୩୦ ଲକ୍ଷ ୩ ହଜାର ୪୩୫ ଟଙ୍କା ଓ ୨୦୨୨-୨୩ରେ ୨୧ ଲକ୍ଷ ୭୨ ହଜାର ୧୨୯ ଟଙ୍କାକ ରାଜସ୍ଵ ପାଇଥିଲା  ନିୟନ୍ତ୍ରିତ ବଜାର କମିଟି । ସାପ୍ତାହିକ ହାଟକୁ ଗ୍ରାମୀଣ ହାଟ କରିବାକୁ ସରକାରଙ୍କଠାରୁ ମତାମତ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ କରୁଣାକର ସାହୁ ।

ସାପ୍ତାହିକ ହାଟ ଓ ଗାଁ ହାଟ ଗୁଡ଼ିକ ଏକ ପ୍ରକାର ସଙ୍କଟ ଦେଇ ଗତି କରୁଛି । ଆଗକୁ ସରକାର ଓ ନିୟନ୍ତ୍ରୀତ ବଜାର କମିଟିର ପଦକ୍ଷେପ ଉପରେ ନିର୍ଭର କରୁଛି ଚାଷୀ ଓ ବ୍ୟବସାୟୀଙ୍କ ଭାଗ୍ୟ ।