spot_img
Home Blog Page 845

LOCରେ ଗୁଳି ଚଳାଇଛି ପାକିସ୍ତାନ, ଭାରତୀୟ ସେନା ଦେଲେ ଉଚିତ ଜବାବ

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପରୁ ନିବୃତ୍ତ ହେଉନାହିଁ। ଗୋଟିଏ ପଟେ, ପହଲଗାମରେ ହୋଇଥିବା ଭୟଙ୍କର ଆକ୍ରମଣ ପରେ ଭାରତ କ୍ରୋଧିତ ହୋଇଛି । ଅନ୍ୟପକ୍ଷରେ, ପାକିସ୍ତାନ ପୁଣିଥରେ ନିୟନ୍ତ୍ରଣ ରେଖାରେ ଗୁଳିମାଡ଼ କରିଛି। ଜଣେ ପ୍ରତିରକ୍ଷା ଅଧିକାରୀ ଶନିବାର କହିଛନ୍ତି ଯେ, ପାକିସ୍ତାନ କାଶ୍ମୀର ଉପତ୍ୟକାର ନିୟନ୍ତ୍ରଣ ରେଖାରେ ଗୁଳିଚାଳନା କରି ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

ପାକିସ୍ତାନର ଏହି କାର୍ଯ୍ୟାନୁଷ୍ଠାନର ଉଚିତ ଜବାବ ଦେଇଛି ଭାରତ। ଶ୍ରୀନଗରର ଜଣେ ପ୍ରତିରକ୍ଷା ଅଧିକାରୀଙ୍କ ଅନୁସାରେ, ଏପ୍ରିଲ ୨୫-୨୬ ରାତିରେ, କାଶ୍ମୀରର ନିୟନ୍ତ୍ରଣ ରେଖା ଆରପାରିରେ ପାକିସ୍ତାନୀ ସେନାର ପକ୍ଷରୁ ଗୁଳି ଚଳାଇଥିଲା। ଭାରତୀୟ ସେନା ଏହି ଗୁଳିଚାଳନାର ଉପଯୁକ୍ତ ଜବାବ ଦେଇଛନ୍ତି। ଏଥିରେ କୌଣସି କ୍ଷତି ହୋଇଥିବାର ରିପୋର୍ଟ ନାହିଁ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।

ପହଲଗାମ ଆତଙ୍କବାଦୀ ଆକ୍ରମଣର ମାତ୍ର ତିନି ଦିନ ପରେ ଶୁକ୍ରବାର ଦିନ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ସମାନ ଘଟଣା ଘଟିଥିଲା। ଭାରତ ମଧ୍ୟ ଏହାର ଜବାବ ଦେଇଥିଲା। ନିକଟରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ପାକିସ୍ତାନ ଆତଙ୍କବାଦୀ ଆକ୍ରମଣ କରିଥିଲା । ଏହି ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା, ଯେଉଁଥିରେ ଦୁଇଜଣ ବିଦେଶୀ ପର୍ଯ୍ୟଟକ ମଧ୍ୟ ଥିଲେ। ଏହା ବ୍ୟତୀତ ୨୦ ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ୨୦୧୯ ପୁଲୱାମା ଆକ୍ରମଣ ପରେ ଏହି ଆକ୍ରମଣକୁ କାଶ୍ମୀର ଘାଟିରେ ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ବୋଲି ବିବେଚନା କରାଯାଉଛି। ଏହି ଆକ୍ରମଣ ପରେ ଭାରତ ପକ୍ଷରୁ ପାକିସ୍ତାନ ବିରୋଧରେ ଅନେକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ।

ଅତୀତର ତିନିଟି ଯୁଦ୍ଧ ପରି ପୁଣି ଏକ ଯୁଦ୍ଧ ଲାଗି ଯୋଜନା କରୁଛି କି ପାକିସ୍ତାନ ?

ନନ୍ଦିଘୋଷ ବ୍ୟୁରୋ : ଭାରତ ସହ ଯୁଦ୍ଧ କରିବା ଲାଗି ପାକିସ୍ତାନ ପ୍ରସ୍ତୁତ କି ? ଅତୀତର ତିନିଟି ଯୁଦ୍ଧ ପରି ପୁଣି ଏକ ଯୁଦ୍ଧ ଲାଗି ଯୋଜନା କରୁଛି କି ପାକିସ୍ତାନ ? ଦୁଇ ଦେଶ ମଧ୍ୟରେ ତିକ୍ତତା ବଢୁଥିବା ବେଳେ ଏବେ ଯୁଦ୍ଧ ହେବ କି ନାହିଁ ସେନେଇ କଳ୍ପନାଜଳ୍ପନା ଜାରି ରହିଛି । ତେଣେ ପ୍ରକୃତରେ ଭାରତ ସହ ଯୁଦ୍ଧ ଲାଗି ପାକିସ୍ତାନ ଅସମର୍ଥ ବୋଲି ଜଣାଯାଇଛି । ଅର୍ଥନୈତିକ ଦେବାଳିଆ ଅବସ୍ଥାରେ ଥିବା ପାକିସ୍ତାନର ଋଣ ପରିମାଣ ବର୍ତ୍ତମାନ ରହିଛି ୨୨ ବିଲିୟନ ଡଲାର । ଦେଶର ଗଚ୍ଛିତ ବୈଦେଶିକ ମୁଦ୍ରା ପରିମାଣ ବି ନଗଣ୍ୟ ୮ ବିଲିୟନ ଡଲାର ରହିଛି । ଆମଦାନୀ ଲାଗି ଏହି ଅର୍ଥ ମାତ୍ର ଦେଢ ମାସର ଭରଣା କରିବ । ଯଦି ଯୁଦ୍ଧ ହୁଏ ତେବେ ଋଣ କରିବାକୁ ପାକିସ୍ତାନ ବାଧ୍ୟ ହେବ ଯାହା ବର୍ତ୍ତମାନ ସ୍ଥିତିରେ ସମ୍ଭବ ନୁହେଁ । ସେପଟେ ପାକିସ୍ତାନୀ ମୁଦ୍ରାର ଘୋର ଅବମୂଲ୍ୟାୟନ ହୋଇଛି । ଡଲାର ତୁଳନାରେ ପାକ୍ ଟଙ୍କାର ମୂଲ୍ୟ ରହିଛି ୩୦୮ । ଖୁବ୍ ଶୀଘ୍ର ଏହା 400ରେ ପହଞ୍ଚିବ ବୋଲି ଆଶଙ୍କା କରାଗଲାଣି । ଏହା ଯୋଗୁ ଆମଦାନୀ ଉପରେ ନିର୍ଭର କରୁଥିବା ଇନ୍ଧନ, ଔଷଧ, ଖାଦ୍ୟପଦାର୍ଥର ଦର ଆକାଶଛୁଆଁ ହେବାରେ ଲାଗିଛି । ତେଣେ କଠୋର ସର୍ତ୍ତରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି। ଯେଉଁ ୩ ବିଲିୟନ ଡଲାର ଦେଇଛି ତାହାକୁ ଜଗିରଖି ଖର୍ଚ୍ଚ କରିବା ପାକିସ୍ତାନ ଲାଗି ବଡ଼ ଚାଲେଞ୍ଜ ହେବ । ସର୍ତ୍ତରେ ଉଲ୍ଲଂଘନ ହେଲେ ଆଇଏମଏଫ ବି ଆଉ ସହାୟତା ଦେବ ନାହିଁ । ତେଣେ ଆର୍ମି ଚିଫ ଜେନେରାଲ ଆସିମ ମୁନୀରଙ୍କ ଯୁଦ୍ଧବାଦୀ ଆଭିମୁଖ୍ୟ ଦେଶକୁ ବିପଦରେ ପହଞ୍ଚାଇପାରେ । ଯୁଦ୍ଧ ହେଲେ ଯେ ପାକିସ୍ତାନର ଆଣବିକ ଚାବି ଆତଙ୍କୀଙ୍କ ହାତକୁ ଚାଲିଯିବାର ଆଶଙ୍କା ରହିଛି । ସେହିପରି ଯୁଦ୍ଧ ହେଲେ ଚୀନ, ସାଉଦିଆରବ ଓ ୟୁଏଇ ଆର୍ଥିକ ସହାୟତା ବନ୍ଦ କରିବେ । ଯୁଦ୍ଧ ହେଲେ ୨ ବିଲିୟନ ଡଲାରର ଭାରତ-ପାକିସ୍ତାନ ବାଣିଜ୍ୟ ବାଧାପ୍ରାପ୍ତ ହେବ । ଭାରତରୁ ଆମଦାନୀ ହେଉଥିବା ଔଷଧ, ରାସାୟନିକ ପଦାର୍ଥ ଅଭାବରେ ପାକିସ୍ତାନ ଗଭୀର କ୍ଷତି ସହିବ । ସେହିପରି ପାକିସ୍ତାନର ସାମୁଦ୍ରିକ ବାଣିଜ୍ୟ ବି କ୍ଷତିଗ୍ରସ୍ତ ହେବ । ଯୁଦ୍ଧ ହେଲେ ପାକିସ୍ତାନର ପ୍ରାୟ ୨୦ ନିୟୁତ ଲୋକ ବିସ୍ଥାପିତ ହେବା ଆଶଙ୍କା ରହିଛି । ବିଦେଶରେ ରହୁଥିବା ୮୦ ଲକ୍ଷ ପାକିସ୍ତାନୀଙ୍କ ସମ୍ପତ୍ତି ବି ସିଜ୍ ହେବା ସହ ସେମାନଙ୍କୁ ନିଜ ଦେଶକୁ ଫେରାଇଦେବା ପରି ସମସ୍ୟା ଉପୁଜିବ । ଏହା ଯୋଗୁ ପାକିସ୍ତାନକୁ ବାର୍ଷିକ ୩୧ ବିଲିୟନ ଡଲାର କ୍ଷତି ସହିବାକୁ ପଡ଼ିବ ।

ତାତିରେ ଲାଗିବ ବ୍ରେକ୍, ଆଜିଠାରୁ ଆଶ୍ବସ୍ତି ଆଣିବ କାଳବୈଶାଖୀ

ଭୁବନେଶ୍ବର : ତାତିରେ ଲାଗିବ ବ୍ରେକ୍ । ଆଜିଠାରୁ ଆଶ୍ବସ୍ତି ଆଣିବ କାଳବୈଶାଖୀ ।  ଜଳୁଛି ସାରା ଓଡିଶା। ଅହୁରୀ ୪ ଦିନ ଯାଏ ଅସହ୍ୟ ତାତି ଜାରି ରହିବ। ହେଲେ ଆସନ୍ତାକାଲିଠାରୁ କାଳବୈଶାଖୀ ବର୍ଷା ଆଣିପାରେ ତାତିରୁ ଅସ୍ବସ୍ତି । ରାଜ୍ୟରେ କାଳବୈଶାଖୀ ବର୍ଷା ସହ ପବନ ଓ ବଜ୍ରପାତ ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଏଥିପାଇଁ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲା ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ବର୍ଷା ସହ ୩୦ରୁ ୪୦ କିମି ବେଗରେ ଝଡ଼ପବନ ବହିବା ସମ୍ଭାବନା ରହିଛି । ୨୯ ତାରିଖ ଯାଏଁ କାଳବୈଶାଖୀ ପ୍ରଭାବ  ରହିବ । ବର୍ଷା ଯୋଗୁଁ ୨ ଦିନ ମଧ୍ୟରେ ୩ ରୁ ୫ ଡିଗ୍ରୀ ତାପମାତ୍ରା ହ୍ରାସ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର l

ଆଜି ସରୁଛି ଭାରତରେ ଥିବା ପାକିସ୍ତାନ ନାଗରିକଙ୍କ ଲାଗି ଡେଡଲାଇନ୍

ନନ୍ଦିଘୋଷ ବ୍ୟୁରୋ : ଆଜି ସରୁଛି ଭାରତରେ ଥିବା ପାକିସ୍ତାନ ନାଗରିକଙ୍କ ଲାଗି ଡେଡଲାଇନ। ପହଲଗାଓଁ ହମଲା ପରେ ପାକିସ୍ତାନକୁ ଜବାବ ଦେଇ ପାକ୍ ନାଗରିକଙ୍କ ଭିସା ବାତିଲ କରିଥିଲା ଭାରତ। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଭାରତରେ ଯେଉଁ ପାକିସ୍ତାନ ନାଗରିକ ରହୁଛନ୍ତି ସେମାନେ ଭିସା ଅବଧି ଶେଷ ହେବା ପୂର୍ବରୁ ସ୍ବଦେଶ ଫେରିଯିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ପାକିସ୍ତାନରେ ଥିବା ଭାରତୀୟଙ୍କୁ ତୁରନ୍ତ ଫେରିଆସିବା ଲାଗି ଦିଆଯାଇଥିଲା ପରାମର୍ଶ। ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଦା କରିବା ଲାଗି ଗତ ୨୫ ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ନିଜ ରାଜ୍ୟରେ ଥିବା ପାକ୍ ନାଗରିକଙ୍କୁ ତୁରନ୍ତ ବିଦା କରିବା ଲାଗି ସେ ନିର୍ଦ୍ଦେଶ ଦେଇଥିଲେ।

ପୋପ ଫ୍ରାନସିସଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ

ନନ୍ଦିଘୋଷ ବ୍ୟୁରୋ: ପୋପ୍ ଫ୍ରାନ୍ସିସଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ । ସମସ୍ତ ରୀତିନୀତି ସହ ଭାଟିକାନ ସିଟିରେ ଶେଷକୃତ୍ୟ ସମ୍ପନ୍ନ ହେଲା । ବିଭିନ୍ନ ଦେଶର ପ୍ରତିନିଧି, ଖ୍ରୀଷ୍ଟଧର୍ମର ଧର୍ମଯାଜକ ଓ ତୀର୍ଥଯାତ୍ରୀ ଉପସ୍ଥିତ ରହି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପସ୍ଥିତ ରହି ପୋପ ଫ୍ରାନ୍ସିସଙ୍କୁ ଶେଷ ବିଦାୟ ଜଣାଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାରା ବିଶ୍ଵର ପ୍ରାୟ ସବୁ ଦେଶର ରାଷ୍ଟ୍ର ପ୍ରତିନିଧି ଉପସ୍ଥିତ ରହି ପୋପଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

କିଛିଦିନ ଧରି ସେ ନିମୋନିଆରେ ପୀଡ଼ିତ ଥିଲେ । ଗତ ସୋମବାର ୮୮ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ଭାଟିକାନ ସିଟିର ମାରିଆ ମାଗିଓରେ ଚର୍ଚ୍ଚରେ ତାଙ୍କୁ କବର ଦିଆଯାଇଛି । ସାଧାରଣତଃ ସମସ୍ତ ପୋପଙ୍କୁ ସେଣ୍ଟ ପିଟର୍ସର ବାସିଲିକାରେ କବର ଦିଆଯାଇଥାଏ । କିନ୍ତୁ ମାରିଆ ମାଗିଓ ଚର୍ଚ୍ଚରେ କବର ପାଇଁ ଆଗରୁ ଇଚ୍ଛା ପ୍ରକାଶ କରିଥିଲେ ପୋପ୍ । ତାଙ୍କ ଇଚ୍ଛାକୁ ସମ୍ମାନ ଦେଇ ଏହି ଚର୍ଚ୍ଚରେ ତାଙ୍କୁ କବର ଦିଆଯାଇଛି । ସେଣ୍ଟ ପିଟର୍ସ ସ୍କୋୟାରରେ ପୋପଙ୍କ ପାର୍ଥିବ ଶରୀର ଅନ୍ତିମ ଦର୍ଶନ ପାଇଁ ରଖାଯାଇଥିଲା । ଏଠାରେ ସାଧାରଣ ଲୋକେ ପୋପଙ୍କ ଅନ୍ତିମ ଦର୍ଶନ କରିଥିଲେ । ଅନ୍ତିମ ଦର୍ଶନ ଲାଗି ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା ।

ନ୍ୟାସନାଲ ହେରାଲ୍ଡ ଜମି ବିବାଦ ମାମଲା: ସୋନିଆ ଓ ରାହୁଲଙ୍କୁ ସମନ ଜାରି କରିବାକୁ ମନା କଲେ ଦିଲ୍ଲୀ କୋର୍ଟ

ନନ୍ଦିଘୋଷ ବ୍ୟୁରୋ: ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିବାକୁ ମନା କଲେ ଦିଲ୍ଲୀର ଏକ କୋର୍ଟ । ନ୍ୟାସନାଲ ହେରାଲ୍ଡ ଜମି ମାମଲାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିବାକୁ ମନା କଲେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ । ମାମଲାରେ ଗତ ଏପ୍ରିଲ ୯ ତାରିଖରେ ଚାର୍ଜସିଟ ଦାଖଲ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଡକ୍ୟୁମେଣ୍ଟ ସଂଶୋଧନ ପାଇଁ ତିନି ଦିନର ସମୟ ଦେଇଥିଲେ କୋର୍ଟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ED ଦ୍ୱାରା ଦାଖଲ କରାଯାଇଥିବା ଦଲିଲରେ ତ୍ରୁଟି ଥିବା ଦର୍ଶାଇ କୋର୍ଟ ଶୁକ୍ରବାର ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟମାନଙ୍କ ପାଇଁ ନୋଟିସ ଜାରି କରିବାର ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି । ଆସନ୍ତା ମେ’ ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଇଡି ପକ୍ଷରୁ ଉପସ୍ଥିତ ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୁ ନୋଟିସ ଜାରି କରିବାକୁ କୋର୍ଟଙ୍କ ନିକଟରେ ଦାବି କରିଥିଲେ । ନ୍ୟାସନାଲ ହେରାଲ୍ଡ ମାମଲାରେ ୯୮୮ କୋଟି ଅର୍ଥ ହେରଫେର ମାମଲାରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଏବଂ ରାହୁଲଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ।

ସେପଟେ ବିରୋଧୀ ଦଳ ନେତା ରାହଲୁ ଗାନ୍ଧୀଙ୍କୁ ଆଉ ଏକ ମାମଲାରେ କୋର୍ଟ ନୋଟିସ କରିଛନ୍ତି । ସ୍ଵାଧୀନତା ସଂଗ୍ରାମୀ ଭିଡି ସାବରକରଙ୍କ ଉପରେ ମନ୍ତବ୍ୟ ନେଇ ମାନହାନି ମାମଲାରେ ପୁଣେ କୋର୍ଟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ସମନ ପଠାଇଛନ୍ତି । ସାବରକରଙ୍କ ଜଣେ ସମ୍ପର୍କୀୟ ରାହୁଲଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବା ପରେ ରାହୁଲଙ୍କୁ ଆସନ୍ତା ୯ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲଣ୍ଡନରେ ଏକ ଭାଷଣ ସମୟରେ ରାହୁଲ ଦେଇଥିବା ବୟାନରୁ ଏହି ମାମଲା ରୁଜୁ ହୋଇଛି । ଯେଉଁଥିରେ ସେ ସାବରକରଙ୍କ କାର୍ଯ୍ୟ ଓ ବିଚାରଧାରାକୁ ସମାଲୋଚନା କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ଐତିହାସିକ ବ୍ୟକ୍ତିତ୍ଵଙ୍କ ଉପରେ ମନ୍ତବ୍ୟ ସମ୍ପର୍କରେ ସୁପ୍ରିମକୋର୍ଟ କଂଗ୍ରେସ ନେତା ରାହୁଲଙ୍କୁ କୋର୍ଟ ଚେତାବନୀ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନ ଦେବା ଓ ଦେଶର ସ୍ୱାଧୀନତାରେ ସେମାନଙ୍କର ଅବଦାନର ନେଇ ଗୁରୁତ୍ୱାରୋପ କରିଥିଲେ ପୁଣେ କୋର୍ଟ ।

ରଥଯାତ୍ରା ପୂର୍ବରୁ ସରିବନି ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ୨୯ ଏପ୍ରିଲରୁ ଜୁନ ୨୭ ଯାଏଁ କାମ ବନ୍ଦ

ନନ୍ଦିଘୋଷ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତିକୁ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଛି । ୨୯ ଏପ୍ରିଲରୁ ଜୁନ ୨୭ ତାରିଖ ପର୍ଯ୍ୟନ୍ତ ବିଶେଷ ନୀତି ଥିବା କାରଣରୁ ମରାମତି କାର୍ଯ୍ୟ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ସେହିପରି ରଥଯାତ୍ରା ପରଦିନ ଠାରୁ ଭିତର ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ କରାଯାଇ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଭଣ୍ଡାର ଗୃହରେ ୯ଟି ବିମ ସ୍ଥାପନ କରାଯାଇଥିବେଳେ ଆଉ ୫ଟି ବିମ ଲଗାଯିବାକୁ ରହିଛି । ସେପଟେ କାମ ସନ୍ତୋଷ ଜନକ ଥିବା କହିଛନ୍ତି ସେବାୟତ ।

ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ବାହାର ଓ ଭିତର ଚନ୍ଦନ ଯାତ୍ରା, ସ୍ନାନଯାତ୍ରା ଓ ଅନବସର ନୀତି ଯୋଗୁଁ ୨୯ ତାରିଖରୁ ଜୁନ ୨୭ ପର୍ଯ୍ୟନ୍ତ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି  କାମ । ଜୁନ ୨୮ରୁ ପୁନଃ ମରାମତି କରାଯାଇ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଭଣ୍ଡାର ଘର ଭିତର ଓ ବାହାରେ ପ୍ରାୟ ୨୭୭ ଖଣ୍ଡ ପଥର ଲଗାଯାଇଛି । ୯ଟି ବକ୍ସ ବିମ ମଧ୍ୟ ସ୍ଥାପନ କରାଯାଇଛି l ବାକିଥିବା ଆଉ ୫ଟି ବିମ ମଧ୍ୟ ଲଗାଯିବ । ଲେଜର ସ୍କାନିଂ ରିପୋର୍ଟ ଅନୁସାରେ ବୈଷୟିକ କାର୍ଯ୍ୟ କରାଯାଉଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ରତ୍ନଭଣ୍ଡାର ଅମୁହା ଦେଉଳର ବାହାର ପାର୍ଶ୍ଵ କେମିକାଲ ୱାସିଂ କରାଯିବା ସହ ମରାମତି ନେଇ ପଦକ୍ଷେପ ନିଆଯିବ । ରଥଯାତ୍ରା ପରେ ବାକି କାମ ସାରିବାକୁ ଲକ୍ଷ୍ୟ ରଖିଛି ଏଏସଆଇ ।

ଗତବର୍ଷ ଡିସେମ୍ବର ୧୭ ତାରିଖରୁ ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଏସଆଇକୁ ବର୍ତ୍ତମାନ ସୁଦ୍ଧା ୧୯୩ ଘଣ୍ଟା ୫ ମିନିଟ ସମୟ ମିଳିଛି । ନୀତିକାନ୍ତି ହେତୁ ମରାମତି କାମ ଅନେକ ସମୟରେ ବନ୍ଦ ରହିଛି  l ସେପଟେ ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ମରାମତିକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ ।

ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ସମେତ ଦେଉଳ କରଣ, ତଡ଼ଉ କରଣ, ଭଣ୍ଡାର ମେକାପ ଆଦି ଯୋଗ ଦେଇଥିଲେ ।

ଖରା ପାଇଁ ପ୍ରଭାବିତ ଖାତାଦେଖା, ବିଳମ୍ବ ହେବ ଯୁକ୍ତଦୁଇ ରେଜଲ୍ଟ

ନନ୍ଦିଘୋଷ ବ୍ୟୁରୋ: ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ହେବାରେ ସାମାନ୍ୟ ବିଳମ୍ବ ଘଟି ପାରେ । ଖରା ଯୋଗୁଁ ଅନେ ମୂଲ୍ୟାୟନ କେନ୍ଦ୍ରକୁ ଖାତା ଦେଖିବାକୁ ଆସିପାରୁ ନାହାନ୍ତି ଅଧ୍ୟାପକ । ତେଣୁ ନିର୍ଦ୍ଧାରତି ତାରିଖ ଠାରୁ ଖାତା ଦେଖା ସରିବାରେ ଆହୁରି କିଛି ଦିନ ଲାଗିପାରେ । ସେହି କ୍ରମରେ ନିର୍ଦ୍ଧାରିତ ହୋଇଥିବା ମେ’ ୧୫ରେ ବି ଫଳ ପ୍ରକାଶ ନପାଇ ବିଳମ୍ବ ହେବାର ଆଶଂକା ରହିଛି ।

ଖରା ପାଇଁ ପ୍ରଭାବିତ ହେଉଛି ଯୁକ୍ତଦୁଇ ଖାତାଦେଖା । ନିର୍ଦ୍ଧାରିତ ସମୟରେ ବାହାରି ନପାରେ ରେଜଲ୍ଟ । ଗ୍ରୀଷ୍ମ ପ୍ରବାହ ପାଇଁ ମୂଲ୍ୟାୟନ କେନ୍ଦ୍ର ଆସିପାରୁ ନାହାନ୍ତି ଅଧ୍ୟାପକ । ବଢୁଥିବା ତାପମାତ୍ରା ଯୋଗୁଁ ମାଲକାନଗିରି ଓ ବରଗଡ଼ରେ ମୂଲ୍ୟାୟନ କେନ୍ଦ୍ର ଯିବାରେ ଅଧ୍ୟାପକମାନେ ଅସମର୍ଥ ହେଉଥିବା ଅଭିଯୋଗ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ହସ୍ତଗତ ହୋଇଛି । ଫଳରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ବିଷୟ ଗୁଡ଼ିକର ଇ-ମୂଲ୍ୟାୟନ ପାଇଁ ହୋଇଥିବା ୭୦ଟି କେନ୍ଦ୍ରରେ ମୂଲ୍ୟାୟନ ପ୍ରଭାବିତ ହୋଇଥିଲା । ମାନୁଆଲ୍ ମୂଲ୍ୟାୟନରେ ଚାଲିଥିବା କଳା ଓ ଧନ୍ଦାମୂଳକ ବିଭାଗର ଉତ୍ତର ଖାତାଦେଖା ମଧ୍ୟ ସାମାନ୍ୟ ବିଳମ୍ବ ହୋଇଥିଲା । ପୂର୍ବରୁ ଏପ୍ରିଲ ୨୮ ସୁଦ୍ଧା ଖାତା ଦେଖା ସରିବାକୁ ଧାର୍ଯ୍ୟ ହୋଇଥିଲା । ହେଲେ ଏବେ ଏହା ଏପ୍ରିଲ ୩୦ରେ ସରିବ । ତା’ପରେ ମେ’ ୫ ତାରିଖ ସୁଦ୍ଧା ଅନଲାଇନ ଅପଡେସନ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ବିଳମ୍ବ ଯୋଗୁଁ ପରୀକ୍ଷା ଫଳ ପ୍ରକାଶ କରିବାର ତାରିଖ ବି ଘୁଞ୍ଚିବା ସମ୍ଭାବନା ରହିଛି । ପୂର୍ବରୁ ମେ’ ୧୫ରେ ହି ଫଳ ପ୍ରକାଶ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ବର୍ତ୍ତମାନ ଏହା ମେ’ ୧୫ରୁ ୨୦ ଭିତରେ ପ୍ରକାଶ କରିବାକୁ ଯୋଜନା କରୁଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ଖାତା ମୂଲ୍ୟାୟନରେ ୧୬ ହଜାର ଅଧ୍ୟାପକ ଅଧ୍ୟାପିକାଙ୍କୁ ସାମିଲ କରିବାକୁ ଯୋଜନା ହୋଇଥିଲା । ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନର ଅନଲାଇନ ଖାତା ଦେଖାରେ ୩ ହଜାର ୫ ଶହ ଓ ଅଫଲାଇନ ପାଇଁ ୪ ହଜାର ୫ଶହ ମୂଲ୍ୟାୟନକାରୀଙ୍କୁ ଡକାଯାଇଥିଲା । ସେମାନଙ୍କ ମଧ୍ୟରୁ କିଛି ଜଣ ଅଧ୍ୟାପକ ଅଧ୍ୟାପିକା ବିଭିନ୍ନ କାରଣ ପାଇଁ ଅଂଶଗ୍ରହଣ କରିପାରି ନଥିଲେ । ଏପ୍ରିଲ ୧୬ରୁ ୨୮ ମଧ୍ୟରେ ୮ ହଜାର ମୂଲ୍ୟାୟନକାରୀ ଖାତାଦେଖାରେ ସାମିଲ ହୋଇଛନ୍ତି । ଚଳିତବର୍ଷ ଉଭୟ ପାର୍ଶ୍ଵରେ ୨୪ ଲକ୍ଷ ଖାତା ମୂଲ୍ୟାୟନ ହେଉଛି । ଯେଉଁଥିରେ ଅଫଲାଇନରେ ୧୫ ଲକ୍ଷ ଓ ଅନଲାଇନରେ ୯ ଲକ୍ଷ ଉତ୍ତର ଖାତା ରହିଛି । ପରୀକ୍ଷା ଫଳ ପ୍ରକାଶର ତାରିଖ ଗଡ଼ିବାରୁ ଛାତ୍ରଛାତ୍ରୀଙ୍କ ଭିତରେ ଆଶାଆଶଂକା ବଢିବ । ଯାହା ସେମାନଙ୍କୁ ମାନସିକ ସ୍ତରରେ ପ୍ରଭାବିତ କରିପାରେ ।

ଆୟୁଷ୍ମାନ କାର୍ଡକୁ ଭରସା କରି ଜୀବନ ଗଲା, ଦୂର ହେଉନି ମାଳ ମାଳ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଆୟୁଷ୍ମାନ ଯୋଜନାରେ ହଇରାଣ ହରକତ ହେଉଛନ୍ତି ଗୁରୁତର ରୋଗୀ । କାର୍ଡ଼ ଥିଲେ ବି ଜୀବନ ପାଉନାହାନ୍ତି ରୋଗୀ । ରୋଗୀଙ୍କୁ ମାରମାର କରୁଛନ୍ତି ଘରୋଇ ହସ୍ପିଟାଲ। ସଫ୍ଟଓ୍ବେର, ପରିଚାଳନାଗତ ସମସ୍ୟା ଓ ପ୍ୟାକେଜ୍ ଦରକୁ ନେଇ ଘରୋଇ ହସ୍ପିଟାଲ ସଂଘ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲା । ହେଲେ ରାଉରକେଲାରୁ ଭୁବନେଶ୍ବର ଯାଏଁ ରୋଗୀ ଚିକିତ୍ସା ପାଇଁ ଡହଳବିକଳ ହୋଇ ପ୍ରାଣବାୟୁ ଉଡ଼ିଗଲା । ବଲାଙ୍ଗୀରରେ କର୍କଟ ରୋଗୀ ବି ଆୟୁଷ୍ମାନ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି । ନ୍ୟାସନାଲ ପୋର୍ଟାଲ ଯୋଗୁଁ ସମସ୍ୟା ହେଉଛି କହି ସ୍ବାସ୍ଥ୍ୟ ବିଭାଗ ନିଜ ଦାୟିତ୍ବ ସାରିଦେଇଛନ୍ତି । ନନ୍ଦିଘୋଷ ଟିଭିରେ ଲଗାତାର ଖବର ପ୍ରସାରଣ ପରେ ସରକାରଙ୍କ ନିଦ ଭାଙ୍ଗିଲା । ଆସନ୍ତା ସୋମବାର ସ୍ବାସ୍ଥ୍ୟ ବିଭାଗ ଡାକିଛି ବୈଠକ ।

ରାଉରକେଲାର ଟି. କାମେଶ୍ବର ରାଓ । ଆୟୁଷ୍ମାନ କାର୍ଡ଼ ପାଇଥିଲେ। ହେଲେ କାର୍ଡ଼ର ପେଞ୍ଚ ତାଙ୍କ ଜୀବନ ନେଇଗଲା । କର୍କଟ ରୋଗରେ ଆକ୍ରାନ୍ତ ବଲାଙ୍ଗୀରର କୁନି ସୁନା । ଆୟୁଷ୍ମାନ କାର୍ଡ଼ ସହାୟତାରେ ଚିକିତ୍ସା ପାଇଲେନି । ରାଉରକେଲାରେ ଆୟୁଷ୍ମାନ କାର୍ଡ଼ରେ କିଡ଼ନୀ ରୋଗୀଙ୍କ ଡାଏଲିସିସି ହୋଇପାରୁନି । ଆୟୁଷ୍ମାନ କାର୍ଡ଼ ଦେଖିଲେ ଘରୋଇ ହସ୍ପିଟାଲ ରୋଗୀଙ୍କୁ ମାରମାର କରୁଛନ୍ତି । ଆୟୁଷ୍ମାନ କାର୍ଡ଼କୁ ନେଇ ଏମିତି ମାଳମାଳ ଅଭିଯୋଗ ଓ ଦୁଃଖ । କାର୍ଡ଼ ଜାରି କରି ବାହାବା ନେଇଗଲେ ଡବଲ ଇଞ୍ଜିନ ସରକାର । ଏବେ ରୋଗୀ ଭୋଗୁଛନ୍ତି ଦଶା । ରୋଗୀ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ୧୦ଟି ଓଟିପି ସମସ୍ୟା, ରୋଗୀର ବିବରଣୀ ଲେଖିଲା ବେଳକୁ ସଫ୍ଟଓ୍ବର ସିଷ୍ଟମରେ ଅପଲୋଡ଼ିଂ ସମସ୍ୟା । ଖାଲି ସେତିକି ନୁହେଁ, ପ୍ୟାକେଜ୍ ସମସ୍ୟା ସହିତ ରୋଗୀ ଡିସଚାର୍ଜ ହେଲା ବେଳକୁ ଡାକ୍ତରଙ୍କ ଫଟୋ ସାଙ୍ଗକୁ ଫିଙ୍ଗର ପ୍ରିଣ୍ଟ ବ୍ୟବସ୍ଥା ରୋଗୀର ଚିକିତ୍ସା ସେବାରେ ବାଧକ ସାଜୁଛି । ନନ୍ଦିଘୋଷ ଟିଭିରେ ବିଭିନ୍ନ ରୋଗୀଙ୍କ ଅବସ୍ଥା ନେଇ ଖବର ପ୍ରସାରଣ ପରେ ସରକାରଙ୍କ ନିଦ ଭାଙ୍ଗିଛି । ଆସନ୍ତା ସୋମବାର ବିଭିନ୍ନ ଷ୍ଟେକ ହୋଲଡ଼ରଙ୍କ ସହ ଆଲୋଚନା କରିବ ସ୍ବାସ୍ଥ୍ୟ ବିଭାଗ ।

୨୦୦୭ରେ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନାରେ ରୋଗ ପ୍ୟାକେଜ ଦର ଯାହା ଥିଲା ୧୮ ବର୍ଷ ପରେ ସେହି ଦରରେ ଅତ୍ୟାଧୁନିକ ଚିକିତ୍ସା କେମିତି ମିଳିପାରିବ । ଏତେ କମ ଦରରେ ରୋଗୀ ଚିକିତ୍ସା କରିବା ଅସମ୍ଭବ ବୋଲି ରୋକ୍ ଠୋକ୍ ଜଣାଇଛନ୍ତି ଘରୋଇ ହସ୍ପିଟାଲ। ଏହା ଭିତରେ ମୁଦ୍ରାସ୍ଫିତୀ ଯୋଗୁଁ ଟଙ୍କାର ମୂଲ୍ୟ କମିଛି । ୧୮ ବର୍ଷ ଭିତରେ ଲୋକଙ୍କ ରୋଜଗାର ବଢିଥିବା ବେଳେ ୧୮ ବର୍ଷ ତଳର ରେଟରେ କିପରି ଚିକିତ୍ସା ହୋଇପାରିବ ବୋଲି ଡାକ୍ତରମାନେ ପ୍ରଶ୍ନ କରିଛନ୍ତି । ପ୍ୟାକେଜ୍ ଦରକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁହଁ ଖୋଲୁ ନଥିବା ବେଳେ ସଫ୍ଟଓ୍ବେର ସମସ୍ୟା କଥା ସ୍ବୀକାର କରିଛନ୍ତି । ଏଥିପାଇଁ ନ୍ୟାସନାଲ ପୋର୍ଟାଲକୁ ଦୋଷ ଠେଲି ଦେଇଛନ୍ତି ।

ଆୟୁଷ୍ମାନ ଯୋଜନା ସରକାର ଆଣିବା ପରେ ଲୋକେ ଏହାକୁ ନବୀନ ସରକାରର BSKY ସହ ତୁଳନା କରିଛନ୍ତି । BSKYରେ ଥିଲା ନିଃସର୍ତ୍ତ ସ୍ବାସ୍ଥ୍ୟ ସେବା । ହେଲେ ଆୟୁଷ୍ମାନରେ ପ୍ରତି ପାହାଚରେ ଅନେକ ସର୍ତ୍ତ ଓ ଦ୍ବନ୍ଦ୍ବ । ସରକାର ଏହାର ସମାଧାନ ପାଇଁ ବୈଠକ ଡାକିଥିବାରୁ ଏହା କେତେ ଫଳପ୍ରଦ ହେଉଛି ତାକୁ ରୋଗୀ ମହଲ ଅପେକ୍ଷା କରିଛନ୍ତି ।

ମହାନଦୀ ଜଳ ବିବାଦର ସମାଧାନ କରୁ ଟ୍ରିପଲ୍ ଇଞ୍ଜିନ ସରକାର

ନନ୍ଦିଘୋଷ ବ୍ୟୁରୋ: ଏବେ ନୁହେଁ ତ କେବେ ନୁହେଁ । ମହାନଦୀ ଜଳ ବିବାଦର ସମାଧାନ କରୁ ଟ୍ରିପଲ୍ ଇଞ୍ଜିନ ସରକାର । ପ୍ରଧାନମନ୍ତ୍ରୀ ଦୁଇ ରାଜ୍ୟ ସହ ବୈଠକ କରି ସମସ୍ୟାର ସମାଧାନ କରନ୍ତୁ । ଡବଲ ଇଞ୍ଜିନ ସରକାର ଭାଷଣ ନୁହେଁ, ବାସ୍ତବତାକୁ ଆସି ମହାନଦୀ ଜଳ ବିବାଦର ସମାଧାନ କରିବାକୁ ଦାବି କରିଛି ବିଜେଡି । କଂଗ୍ରେସ ମଧ୍ୟ କହିଛି ଟ୍ରିପଲ ଇଞ୍ଜିନ ସରକାର ଯଦି ଜଳ ବିବାଦର ସମାଧାନ ନ କରିବ ତେବେ ଏହା ଆଉ କେବେ ହେବା ଆଶା କ୍ଷୀଣ । ହେଲେ ଶାସକ ବିଜେପିର ଯୁକ୍ତି, ମହାନଦୀ ଜଳ ବିବାଦ ବହୁତ ବଡ ସମସ୍ୟା ନୁହେଁ । ଅନ୍ୟପଟେ କଲମା ବ୍ୟାରେଜର ସବୁ ଫାଟକ ବନ୍ଦ ହେବା ପରେ ଟ୍ରିପଲ ଇଞ୍ଜିନ ସରକାରଙ୍କୁ ଘେରିଛନ୍ତି ବିଜେଡି ଓ କଂଗ୍ରେସ ।

ଓଡିଶା ସ୍ବାର୍ଥ ସହ ପ୍ରତାରଣା କରିଛି ବିଜେପିର ଟ୍ରିପଲ ଇଞ୍ଜିନ ସରକାର । ଛତିଶଗଡ, ଓଡିଶା ଓ କେନ୍ଦ୍ରରେ ବିଜେପି ସରକାର ଥାଇ ମଧ୍ୟ ମହାନଦୀ ଜଳ ବିବାଦର ସମାଧାନ ହୋଇପାରୁନାହିଁ । ଓଡିଶାର ଜୀବନ ରେଖା ସାଜିଥିବା ମହାନଦୀ ଏବେ ଶୁଖିଲା ପଡିଛି । କଲମା ବ୍ୟାରେଜର ସବୁ ଫାଟକ ବନ୍ଦ ହେବା ପରେ ଓଡିଶାରେ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି । ଯାହାକୁ ନେଇ ଟ୍ରିପଲ ଇଞ୍ଜିନ ସରକାରକୁ ଘେରିଛି ମୁଖ୍ୟ ବିରୋଧୀ ବିଜେଡି । ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ବିଜେପି ୨୦୨୪ ନିର୍ବାଚନରେ ଚିଲେଇ ଚିଲେଇ କହୁଥିଲା ଆମକୁ ଭୋଟ ଦେଲେ ଓଡିଶାର ସବୁ ସମସ୍ୟା ଡବଲ ଇଞ୍ଜିନ ସରକାର ଶୀଘ୍ର ସମାଧାନ କରିବ । ସରକାରକୁ ବିଜେପି ଆସିଲା ପରେ ସବୁ ଭୁଲିଗଲା । ମହାନଦୀ, ପୋଲାଭରମ ଠାରୁ ଆରମ୍ଭ କରି  ସବୁ ସମସ୍ୟାରେ ପଡୋଶୀ ଓଡିଶା ଉପରେ ଭାରି ପଡିଛନ୍ତି । ତେଣୁ ବିଜେପିର ଟ୍ରିପଲ ଇଞ୍ଜିନ ସରକାର ଆଉ ଭୂଆଁ ନବୁଲେଇ ତୁରନ୍ତୁ ଜଳ ବିବାଦର ସମାଧାନ କରୁ । ମହାନଦୀ ଜଳ ବିବାଦରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରି ତୁରନ୍ତ ଦୁଇ ରାଜ୍ୟ ସହ ବୈଠକ କରି ସମାଧାନର ବାଟ କାଢନ୍ତୁ ବୋଲି ପିସିସି ସଭାପତି ଭକ୍ତ ଦାସ ଦାବି କରିଛନ୍ତି ।

ମହାନଦୀ ଜଳ ବିବାଦ ସମାଧାନ ଲାଗି ୨୦୧୮ ମାର୍ଚ୍ଚ ୧୧ ତାରିଖରେ ଟ୍ରିବ୍ୟୁନାଲ ଗଠନ କରାଗଲା । ଟ୍ରିବ୍ୟୁନାଲର କାର୍ଯକାଳ ୨୦୨୭ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଓଡିଶାର ହକ ପାଇଁ ବିଜେଡି ନ୍ୟାୟିକ ଲଢେଇ ଜାରି ରଖିଥିବାବେଳେ ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ସ୍ବର ଶାଣିତ କରିଛି । ଓଡିଶା, ଛତିଶଗଡ ଓ କେନ୍ଦ୍ରରେ ବିଜେପି ସରକାର ଥାଇ ମଧ୍ୟ ମହାନଦୀ ଜଳ ବିବାଦର ଏଯାଏଁ ସମାଧାନ ହୋଇନାହିଁ। ୧୧ ମାସର ରାଜ୍ୟ ସରକାର ଯେତିକି ତତ୍ପରତା ଦେଖାଇବା କଥା ତାହା ଦେଖାଉ ନାହାନ୍ତି । ଛତିଶଗଡ଼ ପାଣି  ଅଟକାଉ ଥିବାରୁ ରାଜ୍ୟରେ ଚାଷୀମାନେ ହଇରାଣ ହେବା ସହ ମହାନଦୀ ମରୁଭୂମିରେ ପରିଣତ ହୋଇଛି । ମହାନଦୀ ଜଳ ବିବାଦରେ ଟ୍ରିପଲ ଇଞ୍ଜିନ ସରକାରର ବିଫଳତା ଜଳ ଜଳ କରି ସାମ୍ନାକୁ ଆସିବା ପରେ ଶାସକ ବିଜେପି ବିତଣ୍ଡା ଯୁକ୍ତି ବାଢିଛି । ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ମହାନଦୀ ଜଳ ବିବାଦ ପ୍ରତି ସରକାର ସଚେତନ ଅଛନ୍ତି । ଜଳ ବିବାଦ କୁଆଡେ ଏତେ ବଡ ବିବାଦ ନୁହେଁ ବୋଲି ସେ ବେପରୁଆ ମନ୍ତବ୍ୟ ଦେଇଛନ୍ତି ।

ମହାନଦୀ ଶୁଖିଲା ପଡିଯିବାରୁ ଓଡିଶାର ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଇଲାଣି । ଚାଷ ମଧ୍ୟ ପ୍ରଭାବିତ ହେବାରେ ଲାଗିଲାଣି । ଆଗକୁ ଏ ସମସ୍ୟା ଦ୍ବିଗୁଣିତ ହେବ । ବେଳ ଥାଉ ଥାଉ ଟ୍ରିପଲ ଇଞ୍ଜିନ ସରକାର ସମସ୍ୟାର ସମାଧାନ କରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ଦାବି କରିଛନ୍ତି । ଯାହାକୁ ନେଇ ଉଷ୍ମ ହୋଇଛି ରାଜ୍ୟ ରାଜନୀତି ।