spot_img
Home Blog Page 866

ବିଜେପି ବିରୋଧରେ ଆରପାର ଲଢ଼େଇ ; ସଂକଳ୍ପ, ସଂଘର୍ଷ ଓ ସମର୍ପଣକୁ ନେଇ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ବର : କଂଗ୍ରେସର ନୂଆ ସଂକଳ୍ପ । ମହାଅଧିବେଶନରେ ନେତାଙ୍କୁ ମିଳିଛି ଗୁରୁମନ୍ତ୍ର । ଏଣିକି ବିଜେପି ବିରୋଧରେ ଲଢେଇ ଆରପାର । ଖୁବଶୀଘ୍ର ରାସ୍ତାକୁ ଓହ୍ଲାଇବ ଦଳ । ଜାତିଭିତ୍ତିକ ଜନଗଣନା, ବେକାରୀ ସମସ୍ୟା, ଦଳିତ ଆଦିବାଦୀଙ୍କୁ ସୁରକ୍ଷା, ଦରଦାମ ବୃଦ୍ଧି, ମହିଳାଙ୍କୁ ନିର୍ଯାତନା ପ୍ରସଙ୍ଗକୁ ନେଇ ବିଜେପି ସରକାରକୁ ଘେରିବ କଂଗ୍ରେସ। ଅହମ୍ମଦାବାଦରେ ଅନୁଷ୍ଠିତ କଂଗ୍ରେସର ମହାଅଧିବେଶନରେ ଏନେଇ ପ୍ରସ୍ତୁତ ହୋଇଛି ଲମ୍ବା ଖସଡ଼ା । ତେଲେଙ୍ଗାନା ପରି କଂଗ୍ରେସ ଶାସିତ ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରାଯାଇ ଯାହାର ସଂଖ୍ୟା ଯେତେ ତାହା ଭାଗ ସେତେ ଦାବିପୂରଣ କରିବ କଂଗ୍ରେସ । ତେଲେଙ୍ଗାନା ପରି ଓଡିଶାରେ ଜାତିଭିତ୍ତିକ ଜନଗଣନା ଲାଗି ରାଜ୍ୟ ସରକାର ଉପରେ ଚାପ ପକାଇବ କଂଗ୍ରେସ ।

ଏହାସହ ରାଜ୍ୟରେ ଦଳିତ, ଆଦିବାସୀଙ୍କ ଉପରେ ବଢିଚାଳିଥିବା ଅତ୍ୟାଚାର ବିରୋଧରେ ମଧ୍ୟ ସ୍ବର ଉଠାଇବ ଦଳ।ପେଶା ଆଇନ ଲାଗି ସହ ଆଦିବାସୀମାନଙ୍କୁ ଜଙ୍ଗଲ, ଜମି ଅଧିକାର ଦେବାକୁ କଂଗ୍ରେସ ବିଜେପିକୁ ଦାବି କରିବ । ୯ ମାସର ବିଜେପି ସରକାରରେ ରାଜ୍ୟ ମହିଳା ଓ ନାବାଳିକା ଅସୁରକ୍ଷିତ । ସେମାନଙ୍କୁ ସୁରକ୍ଷା ଦେବାକୁ କଂଗ୍ରେସର ଲମ୍ବା ଲଢେଇ ଜାରି ରହିବ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ।

ବର୍ଷକୁ ୨ କୋଟି ନିଯୁକ୍ତି ଦେବାର ସ୍ବପ୍ନ ଦେଖାଇ ବିଜେପି ସରକାର ଯୁବପିଢିଙ୍କୁ ଠକିଥିବା ଅଭିଯୋଗ କରିଛି କଂଗ୍ରେସ। ବେକାରୀ ବୃଦ୍ଧି ପାଉଥିବାରୁ ଦାଦନ ସଂଖ୍ୟା ମଧ୍ୟ ବଢିଛି।ତେଣୁ ବିଜେପିର ନିର୍ବାଚନୀ ପ୍ରତିଶୃତି କୁଆଡେ ଗଲା ବୋଲି ଗାଁକୁ ଗାଁ ବୁଲି ଆନ୍ଦୋଳନ ମାଧ୍ୟମରେ ପ୍ରଶ୍ନ କରିବ କଂଗ୍ରେସ । ଦରଦାମ ବୃଦ୍ଧିରୁ ହନ୍ତସନ୍ତ ହେଉଛନ୍ତି ଲୋକେ।ଏହା ବିରୋଧରେ କଂଗ୍ରେସ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି। ପ୍ରତିବାଦ କଲେ ବିଜେପି ସରକାର ମାମଲା ରୁଜୁ କରୁଛି। ଏହା ବିରୋଧରେ ଆଗାମୀ ଦିନରେ ସ୍ବର ଉତ୍ତୋଳନ କରାଯିବ।

AICC ମହାଅଧିବେଶନରେ ଓଡ଼ିଶା କଂଗ୍ରେସର ୪୮ ଜଣ ସଦସ୍ୟ ଗୁରୁମନ୍ତ୍ର ନେଇ ଓଡିଶା ଫେରିଛନ୍ତି । ଆସନ୍ତା ୧୫ରେ କଂଗ୍ରେସ ବ୍ଲକ ଘେରାଉ ଓ ୨୧ ତାରିଖରେ ଜିଲ୍ଲାପାଳ ଅଫିସ ଘେରାଉ କରି ମହିଳାମାନଙ୍କୁ ନ୍ୟାୟ ଦେବାକୁ ଦାବି କରିବ ଦଳ।

ନବୀନଙ୍କ ଶାସନରେ ହୋଇଥିଲା IOCL, କିଛି ନକରି ମାଗଣାରେ ଶ୍ରେୟ ନେବାକୁ ଚେଷ୍ଟା କରୁଛି ବିଜେପି

ଭୁବନେଶ୍ବର: ପ୍ରକଳ୍ପ ନବୀନ ପଟ୍ଟନାୟକଙ୍କ ସରକାର ଅମଳର। ୨୦୧୯ରେ ଆଇଓସିଏଲର ୧ ଲକ୍ଷ କୋଟି ପୁଞ୍ଜିନିବେଶଙ୍କୁ ମିଳିଥିଲା ଗ୍ରୀନ ସିଗନାଲ। ସବୁଜ ସଙ୍କେତ ସହ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ ତତ୍କାଳୀନ ବିଜେଡି ସରକାର। ଏଥିରେ ପାରାଦୀପ ରିଫାଇନାରୀ ପ୍ରକଳ୍ପର ଉତ୍ପାଦନ ୧୫ ଏମଟିପିଏରୁ ୨୫ ଏମଟିପିଏ ପାଇଁ ସଂପ୍ରସାରଣ ସାଙ୍ଗକୁ ନାଫଥା କ୍ରାକର ୟୁନିଟ ଏବଂ ପଲିପ୍ରପଲିନ ୟୁନିଟ ପ୍ରତିଷ୍ଠା ହୋଇଥାନ୍ତା । ପୁଞ୍ଜି ନିବେଶର ସମସ୍ତ ପ୍ରକ୍ରିୟା ନବୀନ ପଟ୍ଟନାୟକଙ୍କ ସରକାର ଅମଳରୁ ସରିଥିଲେ ବି ପ୍ରଚାର ସର୍ବସ୍ବ ବିଜେପି ସରକାର ଏବେ ଦିଲ୍ଲୀରେ ନୂଆ ଚୁକ୍ତିନାମା ସ୍ବାକ୍ଷର କରି ବାହାବା ନେବାକୁ ଚେଷ୍ଟା କରିଛି । ଏହାକୁ ନେଇ ମୁଣ୍ଡ ଟେକିଛି ନୂଆ ବିବାଦ। ନବୀନ ସରକାରଙ୍କ ପ୍ରୟାସ, ଯୋଜନା ଓ ନିଷ୍ପତ୍ତିକୁ ବିଜେପି ସରକାର ନିଜ ନାଁରେ କରିବାକୁ ଉଦ୍ୟମ କରିଛି ବୋଲି ବିଜେଡି ଅଭିଯୋଗ କରିଛି । ରଙ୍ଗ ବୋଳା ସରକାରରେ କିଛି ନକରି ଆଉ ଏକ ବାହାବା ନେବାକୁ ଉଦ୍ୟମ କରୁଛି ବୋଲି ବିଜେଡି କହିଛି । ଅଯଥା ଶ୍ରେୟ ନେବାକୁ ବିଜେପି ସରକାର ଉଦ୍ୟମ କରିବା ସହ ରାଜ୍ୟବାସୀଙ୍କୁ ଅନ୍ଧାରରେ ରଖିଛି । ଏହାକୁ ବିଜେଡି କଟାକ୍ଷ କରିବା ସହ ରାଜ୍ୟବାସୀ ସବୁ ଜାଣୁଛନ୍ତି ଓ ବୁଝୁଛନ୍ତି ବୋଲି କହିଛି।

ବିଜେପି ସରକାର ରାଜ୍ୟରେ କ୍ଷମତାକୁ ଆସିବା ପରେ ସବୁ ଜାଗାରେ ନିଜ ଦଳର ରଙ୍ଗ ବୋଳିବା ସହ ନବୀନ ସରକାରଙ୍କ ଯୋଜନାର ନାଁ ବଦଳାଇବାକୁ ପ୍ରୟାସ କରୁଛି । ଲକ୍ଷ୍ମୀ ବସକୁ ମୁଖ୍ୟମନ୍ତ୍ରୀ ବସ୍ ସେବା କରି ଗେରୁଆ ରଙ୍ଗ କରିଛି । ସରକାର କୋଠାବାଡ଼ିର ରଙ୍ଗ ମଧ୍ୟ ବଦଳିଛି । ରାସ୍ତାଘାଟରେ ପୂର୍ତ୍ତ ବିଭାଗ ପକ୍ଷରୁ ଲାଗିଥିବା ହୋର୍ଡିଂ ବି ଗେରୁଆ ରଙ୍ଗରେ ପରିଣତ ହୋଇଛି । ନବୀନ ପଟ୍ଟନାୟକଙ୍କ ଅମଳରେ ପାରାଦୀପରେ ଇଣ୍ଡିଆନ ଅଏଲ ରିଫାଇନାରୀ ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ, ସବୁ ପ୍ରକାର ସହଯୋଗ ଦେଇଥିଲେ ବିଜେଡି ସରକାର । ପ୍ରକଳ୍ପର ସଂପ୍ରସାରଣ ସାଙ୍ଗକୁ ନୂଆ ୟୁନିଟ୍ ପାଇଁ ମଧ୍ୟ ନବୀନ ନିଷ୍ପତ୍ତି ନେଇ କାର୍ଯ୍ୟକାରୀ କରିଥିଲେ ।

ହେଲେ ବିଜେପି କିଛି ନ କରି କେବଳ ବାହାବା ନେବାକୁ ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଛି ବିଜେଡି । ଅପ୍ରତ୍ୟାଶିତ ଭାବେ କ୍ଷମତାକୁ ଆସିଥିବା ବିଜେପି ଏବେ ଶୁଖିଲା ଶ୍ରେୟ ନେବା ଚକ୍କରରେ ରହିଛି । ରାଜ୍ୟ ଓ ରାଜ୍ୟବାସୀଙ୍କ ପାଇଁ କିଛି ନ କରି ପୁରୁଣା ସରକାରଙ୍କ ସଫଳତାକୁ ନିଜ ନାଁରେ ପ୍ରଚାର କରିବାକୁ ଚଳାଇଥିବା ପ୍ରୟାସକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।

ତାମିଲନାଡ଼ୁ ରାଜନୀତିରେ ନୂଆ ସମୀକରଣ ; ଏଆଇଡିଏମକେ ସହ ମେଣ୍ଟ କଲା ବିଜେପି

ନନ୍ଦିଘୋଷ ବ୍ୟୁରୋ: ତାମିଲନାଡୁ ରାଜନୀତିରେ ନୂଆ ସମୀକରଣ । ତାମିଲନାଡୁର ଶାସକ ଦଳକୁ ହରାଇବା ପାଇଁ ନୂଆ ଗୋଟି ଚାଲନା କରିଛି ବିଜେପି ।ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲନାଡୁର ଆଞ୍ଚଳିକ ଦଳ ଏଆଇଡିଏମକେ ସହିତ ମେଣ୍ଟ କରିଛି ବିଜେପି । ଉଭଳ ଦଳ ଏନେଇ ଘୋଷଣା କରିଛନ୍ତି । ଷ୍ଟାଲିନ ସରକାର ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ବିଜେପି ନୂଆ ଯୋଜନା ଆରମ୍ଭ କରିଛି । ଷ୍ଟାଲିନ ସରକାରଙ୍କ ସହ ଲଢେଇ କରିବା ପାଇଁ ଏଆଇଡିଏମକେ ସହିତ ହାତ ମିଳାଇଛି । ସଂସଦୀୟ କ୍ଷେତ୍ର ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ବି ଷ୍ଟାଲିନ ଅଣବିଜେପି ଶାସିତ ରାଜ୍ୟ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଦଳକୁ ଏକାଠି କରି ବିଜେପି ବିରୋଧରେ ବିଦ୍ରୋହ ଚେତାବନୀ ଦେଇଛନ୍ତି।

ମେଣ୍ଟ ଘୋଷଣା ସମୟରେ ଶାହା କହିଛନ୍ତି ଆଗାମୀ ଲୋକସଭା ଏବଂ ବିଧାନସଭା ନିର୍ବାଚନ ରାଜ୍ୟରେ ଇ. ପଲାନିସ୍ୱାମୀଙ୍କ ନେତୃତ୍ୱରେ ଲଢ଼ାଯିବ, ଯେତେବେଳେ ଜାତୀୟ ସ୍ତରରେ ମେଣ୍ଟର ଚେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେବେ। ୧୯୯୮ ମସିହାରୁ ଜୟଲଳିତା ଏବଂ ଅଟଳଜୀଙ୍କ ସମୟରେ, ଆମେ ଏକାଠି ନିର୍ବାଚନ ଲଢ଼ି ଆସୁଛୁ। ଗୋଟିଏ ସମୟ ଥିଲା ଯେତେବେଳେ ଆମେ ଏକାଠି ୩୯ଟି ଲୋକସଭା ଆସନରୁ ୩୦ଟି ଜିତିଥିଲୁ। ବିଜେପି ଏବଂ ଏଆଇଏଡିଏମକେ ମଧ୍ୟରେ ମେଣ୍ଟ କେବଳ ରାଜନୈତିକ ନୁହେଁ ବରଂ ବିଶ୍ୱାସ ଏବଂ ବିଚାରଧାରା ଉପରେ ଆଧାରିତ। ଶାହ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଥିବା ସମ୍ପର୍କକୁ ମଧ୍ୟ ମନେ ପକାଇ କହିଛନ୍ତି ଯେ ଦୁଇ ନେତା ସର୍ବଦା ତାମିଲନାଡୁର ବିକାଶ ପାଇଁ ଏକାଠି କାମ କରିଛନ୍ତି।

ଶାହା ସ୍ପଷ୍ଟ କରିଛନ୍ତି ଯେ ବିଜେପି ସରକାର ଏଆଇଡିଏମକେର ଆଭ୍ୟନ୍ତରୀଣ ବ୍ୟାପାରରେ କୌଣସି ହସ୍ତକ୍ଷେପ କରିନାହିଁ। ଏହି ମେଣ୍ଟ ଉଭୟ ଦଳ ପାଇଁ ଉପଯୋଗୀ ଏବଂ ଏକାଠି ନିର୍ବାଚନ ଲଢ଼ିବ। ମନ୍ତ୍ରୀଙ୍କ ସଂଖ୍ୟା ଏବଂ ଆସନ ବଣ୍ଟନ ସମ୍ପର୍କରେ ନିଷ୍ପତ୍ତି ଉପଯୁକ୍ତ ସମୟରେ ନିଆଯିବ। ବର୍ତ୍ତମାନ, NDAର ମୁଖ୍ୟ ଲକ୍ଷ୍ୟ ହେଉଛି ରାଜ୍ୟରେ ଦୁର୍ନୀତିଗ୍ରସ୍ତ DMK ସରକାରଙ୍କୁ ହଟାଇବା।

ଶାହା ଷ୍ଟାଲିନ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଡିଏମକେ ଜାଣିଶୁଣି ସନାତନ ଧର୍ମ ଏବଂ ଭାଷା ଭଳି ପ୍ରସଙ୍ଗ ଉଠାଇଛି ଯାହା ଦ୍ଵାରା ଏହା ଅସଲ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇପାରିବ। ସେ କହିଛନ୍ତି ଯେ ତାମିଲନାଡୁ ନିର୍ବାଚନରେ ​​ସବୁଠାରୁ ବଡ଼ ପ୍ରସଙ୍ଗ ହେବ ଦୁର୍ନୀତି, ଏବଂ ଲୋକମାନେ ଏଥର ବିକାଶ ଏବଂ ସ୍ୱଚ୍ଛତାକୁ ବାଛିବେ। ଅଟଳ ବିହାରୀ ବାଜପେୟୀ ଏବଂ ଜୟଲଳିତାଙ୍କ ସମୟରେ ଥିବା ମେଣ୍ଟକୁ ମନେ ପକାଇ ସେ କହିଛନ୍ତି ଯେ ବିଜେପି ଏବଂ ଏଆଇଏଡିଏମକେ ମିଳିତ ଭାବରେ ଅତୀତରେ ମଧ୍ୟ ବଡ଼ ସଫଳତା ହାସଲ କରିଛନ୍ତି।

ଆଗାମୀ ତାମିଲନାଡୁ ବିଧାନସଭା ନିର୍ବାଚନ ସମ୍ପର୍କରେ ଅମିତ ଶାହ ଏକ ବଡ଼ ବୟାନ ଦେଇଛନ୍ତି ଏବଂ ଡିଏମକେ ସରକାରଙ୍କ ବିରୁଦ୍ଧରେ ଦୁର୍ନୀତିର ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଶାହା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସରକାର ଏପର୍ଯ୍ୟନ୍ତ ପ୍ରାୟ ୩୯,୦୦୦ କୋଟି ଟଙ୍କାର ଘୋଟାଲା କରିଛି, ଯେଉଁଥିରୁ ମଦ ଘୋଟାଲା ଏବଂ ମନରେଗା ଘୋଟାଲା ପ୍ରମୁଖ। ଆମେ ଡିଏମକେ ସରକାରଙ୍କ ଘୋଟାଲାର ପର୍ଦ୍ଦାଫାସ କରିବୁ। ଏହି ଦୁର୍ନୀତି ପାଇଁ ତାମିଲନାଡୁର ଲୋକମାନେ ଷ୍ଟାଲିନ ଏବଂ ଉଦୟନିଧିଙ୍କୁ କେବେ କ୍ଷମା କରିବେ ନାହିଁ।

ଆୟୁଷ୍ମାନକୁ ନେଇ ବିଜେଡିର ପ୍ରଶ୍ନ ; କେମିତି କଟିଲେ ୫ଲକ୍ଷ ହିତାଧିକାରୀ ହିସାବ ଦିଅନ୍ତୁ ସରକାର

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରର ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି। ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜୁ ଜନତା ଦଳ। ଯୋଜନାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି ବିଜେଡି। ବିଜୁ ଜନତା ଦଳର ସରକାର ସମୟରେ BSKYରେ ରାଜ୍ୟର ୩ କୋଟି ୫୬ ଲକ୍ଷ ହିତାଧିକାରୀଙ୍କୁ ଚିକିତ୍ସା ସେବା ଯୋଗାଇ ଆସୁଥିଲେ ତତ୍କାଳୀନ ସରକାର । କିନ୍ତୁ ଆଜିଠାରୁ ରାଜ୍ୟର ବିଜେପି ସରକାର ଲାଗୁ କରିଥିବା ଆୟୁଷ୍ମାନ ଭାରତ ଯୋଜନାରେ ବାଦ ପଡିଛନ୍ତି ୫ ଲକ୍ଷ ହିତାଧିକାରୀ ।ମୋଟ ୩ କୋଟି ୫୧ ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଅନେକ ଲୋକ ଯୋଜନାରୁ ବାଦ ପଡିଛନ୍ତି । କେମିତି କାଟିଲେ ତାର ହିସାବ ବିଜେପି ସରକାର ଦେଉ ବୋଲି ଦାବି କରିଛି ବିଜେଡି ।

ଆୟୁଷ୍ମାନ ଯୋଜନାରେ କେନ୍ଦ୍ରରୁ ଟଙ୍କା ପାଇବାରେ ବିଳମ୍ବ ହେଲେ ସ୍ୱାସ୍ଥ୍ୟସେବା ବ୍ୟାଘାତ ହେବ। ତେଣୁ ସ୍ୱାସ୍ଥ୍ୟସେବା ଯେପରି ବ୍ୟାଘାତ ନହେବ ସେନେଇ ବିଜେପି ସରକାର ପ୍ରତିଶ୍ରୁତି ଦେବେ କି ବୋଲି ଦାବି କରିଛି ବିଜେଡି । ୨୦୧୧ ଜନଗଣନାକୁ ଆଧାରକୁ ନେଲେ ରାଜ୍ୟର ଜନସଂଖ୍ୟା ଏବେ ବଢ଼ିଛି । ଅନେକ ବର୍ଗ କମିବା ସହିତ ବଢ଼ିଛନ୍ତି । ତେଣୁ ଜନସଂଖ୍ୟା ଏହି ଆଧାରରେ ଦେବେ ନା ଆଉ କେଉଁ ଆଧାରରେ ଦେବେ। କେଉଁ ମାନଦଣ୍ଡରେ ଏହି କାର୍ଡ ଦିଆଯିବ ସରକାର ସ୍ପଷ୍ଟ କରନ୍ତୁ । ବିଏସକେୱାଇକୁ ନ୍ୟୁନ ଦେଖାଇବାକୁ ଚେଷ୍ଟା କରାଯାଇଛି । ରଥଯାତ୍ରା ପୂର୍ବରୁ ଆୟୁଷ୍ମାନ ଭାରତ ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମୁଣ୍ଡପିଛା ୧୦ ଲକ୍ଷ ଓ ମହିଳାଙ୍କୁ ୧୫ ଲକ୍ଷ ଟଙ୍କା ସ୍ଵାସ୍ଥ୍ୟ ସହାୟତା ଦାବି କରିଛି ବିଜେଡି ।

ମହାପ୍ରଭୁଙ୍କ ଦୟଣା ଚୋରି ନୀତି, ଜାଣନ୍ତୁ ଏହାର ପରମ୍ପରା

ପୁରୀ: ଶ୍ରୀମନ୍ଦିରରେ ଆଜି ଚତୁର୍ଦ୍ଦଶୀ ତିଥିରେ ସକାଳ ଧୂପ ନୀତି ପରେ ମହାପ୍ରଭୁଙ୍କ ନିକଟରେ ଦୟଣା ଲାଗି ନୀତି ସମ୍ପର୍ଣ୍ଣ ହୋଇଛି । ପରମ୍ପରା ଅନୁସାରେ ଗତକାଲି ଚୈତ୍ର ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥିରେ ଜଗନ୍ନାଥ ବଲ୍ଳଭ ମଠରେ ଦୟଣା ଚୋରି ନୀତି ସମ୍ପର୍ଣ୍ଣ ହୋଇଥିବାବେଳେ ଅଧିବାସ ଦୟାଣାକୁ ଆଜି ଲାଗି କରାଯାଇଛି । ମହାପ୍ରଭୁଙ୍କର ଏହି ଅନନ୍ୟ ଦୟଣା ଚୋରି ଓ ଦୟଣା ଲାଗି ନୀତି ବେଶ ପ୍ରାଚୀନ । ଏହା ଦମନକ ଯାତ୍ରା ଭାବେ ବେଶ ଜଣାଯାଏ  ।

ପବିତ୍ର ଚୈତ୍ରମାସ ଶୁକ୍ଳ ପକ୍ଷ ଚତୁର୍ଦଶୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ଦୟଣା ଲାଗି ନୀତି  । ଶ୍ରୀମନ୍ଦିରରେ ଏହାକୁ ଦମନକ ଯାତ୍ରା ଭାବେ ମଧ୍ୟ କୁହାଯାଏ । ମହାପ୍ରଭୁଙ୍କର ଦୟଣା ଅତି ପ୍ରିୟ ହୋଇଥିବାବେଳେ ଏହା ଶ୍ରୀଜିୟୁଙ୍କ ଲାଗି ହେବାର ପରମ୍ପରା ରହିଛି  । ତ୍ରୟୋଦଶୀରେ ଅଧିବାସ ହୋଇ ରହିଥିବା ଦୟାଣାକୁ ଚତୁର୍ଦ୍ଦଶୀରେ ବେଢା ପରିକ୍ରମା କରିବା ପରେ ପରମ୍ପରା ଅନୁସାରେ ସକାଳ ଧୂପ ନୀତି ପରେ ଶ୍ରୀଜିୟୁଙ୍କୁ ଲାଗି କରାଯାଇଥିଲା  । ଛଅ ମୂର୍ତ୍ତି ଅଳଙ୍କାର ବିଜେ ହେବା ସହ ଏହି ଦୟଣା ନୀତି ଲାଗି ନୀତି ସମ୍ପର୍ଣ୍ଣ ହୋଇଥିବାବେଳେ ୧୩ ଯାତ୍ରା ମଧ୍ୟରୁ ଏହା ଅନ୍ୟତମ ଯାତ୍ରା ପ୍ରମୁଖ ଯାତ୍ରା ଭାବେ ଜଣାଯାଏ  ।

ପରମ୍ପରା ଅନୁସାରେ ରାମ ଓ କୃଷ୍ଣ ପାଲିଙ୍କିରେ ଶ୍ରୀମନ୍ଦିରରୁ ଆସି ଜଗନ୍ନାଥ ଭଲ୍ଲବ ମଠରେ ବିଜେ କରିଥିଲେ  । ସେଠାରେ ଭୋଗ ପ୍ରସାଦ ଲାଗି ହେବା ପରେ ମୁଦିରସ୍ତ ଭିତରଚ୍ଛ ଓ ଅନାନ୍ୟ ସେବାୟତଙ୍କ ଦ୍ୱାରା ଆଳତୀ ବନ୍ଦାପନା ଆଲଟ ଚାମର ଲାଗି ଆଦି ନୀତି ସମ୍ପାଦନ ହୋଇଥିଲା  । ପରେ ରାମ ଓ କୃଷ୍ଣ ଜଗନ୍ନାଥ ଭଲ୍ଲଭ ମଠ ପରିସରରେ ଥିବା ପ୍ରମୋଦ ଉଦ୍ୟାନକୁ ଯାଇ ଦୟାଣା ଚୋରି ନୀତି ସମ୍ପାଦନ କରିଥିବାବେଳେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତ କରିଥିଲେ । ଏହି ଦିବ୍ୟ ଓ ନିଆରା ପରମ୍ପରାରେ ସାମିଲ ହୋଇ ନିଜକୁ କୃତାର୍ଥ ମଣିଛନ୍ତି ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ତୁଳସୀ ଯେତିକି ପ୍ରିୟ ଦୟଣା ମଧ୍ୟ ସେତିକି ପ୍ରିୟ । ତେଣୁ ଦୟଣା ଲାଗି ପରେ ପ୍ରଭୁ ସନ୍ତୁଷ୍ଟ ହୁଅନ୍ତି ବୋଲି କହିଛନ୍ତି ଗବେଷକ ।

ଗରମରୁ ମିଳିବ ଆଶ୍ବସ୍ତି; କାଳବୈଶାଖୀ ପ୍ରଭାବରେ ଆଗାମୀ ୭ ଦିନ ଭିଜିବ ଓଡିଶା

ଭୁବନେଶ୍ବର: କାଳ ବୈଶାଖୀ ଜନିତ ବର୍ଷାରେ ଭିଜୁଛି ଓଡିଶା  । ଖରା ଗରମରୁ ମିଳିବ ମୁକ୍ତି  । ବିଭିନ୍ନ ଜିଲାରେ ବର୍ଷା ହେବା କାରଣରୁ ଗରମରୁ ଟିକେ ଆଶ୍ୱସ୍ତି ମିଳିବ ବୋଲି କହିଛି ପାଣିପାଗ କେନ୍ଦ୍ର  । ମୟୁରଭଞ୍ଜରେ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି  । ବଲାଙ୍ଗିର ଜିଲ୍ଲାରେ ୪୦.୮ ଡିଗ୍ରୀ ଅଧିକ ତାପମାତ୍ରା ରେର୍କଡ କରାଯାଇଛି । ରାଜ୍ୟର ଆହୁରି ଦୁଇଟି ସ୍ଥାନରେ ସମାନ ତାପମାତ୍ରା ୪୦ ଡିଗ୍ରୀ ରହିଛି  । ସେପଟେ ଆଗାମୀ ୭ ଦିନ ପାଇଁ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର  ।

ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ଶା କନ୍ଧମାଳ, ଗଞ୍ଜାମ, ରାୟଗଡା, କୋରାପୁଟ, ମାଲାକନଗିରି, ଆଦି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି  । କାଳବୈଶାଖୀ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି  । ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି କନ୍ଧମାଳ ଜିଲା ମାନଙ୍କରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ସହିତ ୫୦ ରୁ ୬୦ ଡିଗ୍ରୀ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି ବୋଲି ସୂଚନା ଦେଇଛନ୍ତି ଆଞ୍ଛଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ  ।

ପ୍ରେମିକକୁ ଘରକୁ ଡାକି ହତ୍ୟା କଲା ପ୍ରେମିକା, ପେଟ୍ରୋଲରେ ଜାଳିଦେଲା ମୃତଦେହ

ନନ୍ଦିଘୋଷ ବ୍ୟୁରୋ: ୟୁପି ବାଗପତରେ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା  । ଯେଉଁଠାରେ ଜଣେ ପ୍ରେମିକା ତାଙ୍କ ଭଉଣୀ ଏବଂ ଭିଣୋଇଙ୍କ ସହିତ ମିଶି ତାଙ୍କ ପ୍ରେମିକଙ୍କୁ ହତ୍ୟା କରିଛନ୍ତି । ଅଭିଯୁକ୍ତମାନେ ସଚିନ ଶର୍ମାଙ୍କୁ ଏକ ବାଡ଼ିରେ ପିଟି ହତ୍ୟା କରିଥିଲେ ଏବଂ ତା’ପରେ ମୃତଦେହକୁ ଶ୍ମଶାନକୁ ନେଇ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲେ। ପୋଲିସ ମାତ୍ର ଚାରି ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । ପ୍ରଥମେ ପ୍ରେମିକା ତାଙ୍କ ଭଉଣୀ ଏବଂ ଭାଇଙ୍କ ସହ ମିଶି ଯୁବକଙ୍କୁ ବାଡ଼ିରେ ପିଟି ହତ୍ୟା କରିଥିଲେ। ପରେ ଅଭିଯୁକ୍ତ ମହିଳାଙ୍କ ଭାଇ ତାଙ୍କ ସାଥୀଙ୍କ ସହ ମିଶି ଯୁବକଙ୍କ ମୃତଦେହକୁ ଶ୍ମଶାନକୁ ନେଇ ପେଟ୍ରୋଲ ଢାଳି ଜାଳି ଦେଇଥିଲେ। ଯୁବକଙ୍କ ବାଇକ୍‌କୁ ନିୱାଡାର ଯମୁନା ଖାଦରକୁ ନିଆଯାଇ ପୋଡ଼ି ଦିଆଯାଇଥିଲା। ପୋଲିସ ମାତ୍ର ଚାରି ଘଣ୍ଟା ମଧ୍ୟରେ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ମାମଲାର ସମାଧାନ କରିଛି

ବାରାଉତ କୋତୱାଲି ଅଞ୍ଚଳର ତ୍ୟୌଦି ଗ୍ରାମର ବାସିନ୍ଦା ବିଟ୍ଟୁ ଶର୍ମାଙ୍କ ପୁଅ ୨୯ ବର୍ଷୀୟ ସଚିନ ଶର୍ମା ଚାଷ ସହିତ ଅନ୍ୟ ଚାଷୀଙ୍କ ପାଇଁ ଗହମ ଏବଂ ସୋରିଷ ଏକ ଥ୍ରେସିଂ ମେସିନ୍ ସାହାଯ୍ୟରେ ଚଳୁଥିଲେ । ପୀଡିତଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ଏପ୍ରିଲ ୭ ତାରିଖ ରାତିରେ ଗାଁର ଚାଷୀ ରାଜୁଙ୍କ କ୍ଷେତରେ ଖଳା ମେସିନରୁ ସୋରିଷ ବାହାର କରାଯାଉଥିଲା । ରାତି ୧୦ଟାରେ, ସଚିନ ତାଙ୍କ ଭାଇ ଅମିତ କୁମାର ଏବଂ ଶ୍ରମିକମାନଙ୍କୁ ଖାଦ୍ୟ ଦେଇଥିଲେ ଏବଂ ଜନ୍ମଦିନ ପାର୍ଟିକୁ ଯାଉଥିବା କହି ତାଙ୍କ ବାଇକରେ ଚାଲିଯାଇଥିଲେ। ସେହି ରାତି ୧୦.୨୩ ଏବଂ ୧୧.୧୭ ସମୟରେ ସଚିନ ଅମିତ କୁମାରଙ୍କୁ ଫୋନ୍ କରି କହିଲେ ଯେ ଟ୍ରାକ୍ଟର ଏବଂ ଝାଡ଼ି ମେସିନ୍ ଧୀରେ ଧୀରେ ଘରକୁ ନେଇଯାଅ ଯେମିତିକି ଏହା ଓଲଟି ନପଡ଼େ । ରାତି ୧୨ଟାରେ ଅମିତ ସଚିନଙ୍କୁ ଫୋନ୍ କରିବା ସମୟରେ ତାଙ୍କ ମୋବାଇଲ୍ ବନ୍ଦ ଥିବା ଦେଖିବାକୁ ମିଳିଥିଲା। ସାରା ରାତି ସେ ଘରକୁ ନ ଫେରିବାରୁ ଖୋଜାଖୋଜି କରାଯାଇଥିଲା କିନ୍ତୁ ସଚିନଙ୍କୁ କୌଣସି ସ୍ଥାନରେ ପାଇନଥିଲେ। ଏପ୍ରିଲ ୯ ତାରିଖରେ ସେ ବାରୋଟ ପୋଲିସ ଷ୍ଟେସନରେ ପହଞ୍ଚି ଏକ ଅଭିଯୋଗ ଦାଖଲ କରିଥିଲେ ।

ଗୁରୁବାର ଅପରାହ୍ନ ପ୍ରାୟ ୧୨ଟାରେ, ପୋଲିସ ସୂଚନା ପାଇଲା ଯେ ସନ୍ତୋଷପୁର ଗ୍ରାମର ଶ୍ମଶାନରେ ଜଣେ ଯୁବକଙ୍କ ପୋଡ଼ାଯାଇଥିବା ମୃତଦେହ ପଡ଼ିଛି। ଏଏସପି ନରେନ୍ଦ୍ର ପ୍ରତାପ ସିଂ, ବାଗପାଟ ଏବଂ ବାରୁତ କୋଟୱାଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଯୁବକଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ମୁହଁ ଏବଂ ଶରୀର ପେଟ୍ରୋଲରେ ପୋଡ଼ି ଯାଇଥିବା ଦେଖିବାକୁ ମିଳିଥିଲା। ତାଙ୍କ ପକେଟରୁ ଏକ ପୋଡ଼ିଯାଇଥିବା ମୋବାଇଲ୍ ଫୋନ୍, ଡେବିଟ୍ କାର୍ଡ, ଆଙ୍ଗୁଠିରେ ଦୁଇଟି ମୁଦି ଏବଂ ଅନ୍ୟାନ୍ୟ ଜିନିଷପତ୍ର ଉଦ୍ଧାର କରାଯାଇଥିଲା। ଯୁବକଙ୍କୁ ତାଙ୍କ ଡେବିଟ୍ କାର୍ଡ ମାଧ୍ୟମରେ ଚିହ୍ନଟ କରାଯାଇଥିଲା।

ଏଏସ୍ ପି ​​ନରେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ ତଦନ୍ତ ସମୟରେ ଜଣାପଡିଥିଲା ​​ଯେ ସଚିନ ଶର୍ମା ତାଙ୍କ ଗାଁର ଅନୁସୂଚିତ ଜାତିର ଜଣେ ବିବାହିତ ମହିଳା ମୀନାକ୍ଷୀଙ୍କ ସହିତ ସମ୍ପର୍କ ଥିଲା। ଏହି କାରଣରୁ, ମୀନାକ୍ଷୀଙ୍କର ତାଙ୍କ ସ୍ୱାମୀଙ୍କ ସହିତ ବିବାଦ ହୋଇଥିଲା। ମୀନାକ୍ଷୀ ତାଙ୍କ ବାପାମାଆଙ୍କ ଘରେ ରହିବା ଆରମ୍ଭ କଲେ । ସଚିନ ମୀନାକ୍ଷୀଙ୍କ ଉପରେ ବିଭିନ୍ନ ପ୍ରକାରର ଚାପ ପ୍ରୟୋଗ କରୁଥିଲେ। ସଚିନ ମୀନାକ୍ଷୀ ଏବଂ ତାଙ୍କ ଭଉଣୀ ସୁମନଙ୍କୁ ହଇରାଣ କରିବା ଆରମ୍ଭ କଲେ। ଏପ୍ରିଲ ୭ ତାରିଖରେ, ଏକ ଯୋଜନାବଦ୍ଧ ଭାବରେ, ସୁମନ ସଚିନଙ୍କୁ ତାଙ୍କ ଶ୍ୱଶୁର ଘର ଗାଁ ସିସାନାକୁ ଡକାଇଥିଲେ । ଏଠାରେ ମୀନାକ୍ଷୀ, ସୁମନ ଏବଂ ବୀରେନ୍ଦ୍ର (ସୁମନଙ୍କ ସ୍ୱାମୀ) ମିଶି ତାଙ୍କୁ ଏକ ବାଡ଼ିରେ ଆଘାତ କରି ହତ୍ୟା କରିଥିଲେ। ବୀରେନ୍ଦ୍ର, ତାଙ୍କ ବନ୍ଧୁ ଶାହନୱାଜ, ଯିଏ କି ବାଗପତର କୋର୍ଟ ରୋଡ୍‌ର ହନୁମାନ ମନ୍ଦିର ୱାଲି ଗାଲିର ବାସିନ୍ଦା, ତାଙ୍କ ବାଇକ୍‌ରେ ସଚିନଙ୍କ ମୃତଦେହକୁ ସନ୍ତୋଷପୁରର ଶ୍ମଶାନ ଭୂମିକୁ ନେଇ ଯାଇଥିଲେ। ବାଇକ୍‌ରୁ ପେଟ୍ରୋଲ ବାହାର କରି ସଚିନଙ୍କ ଶରୀର ପୋଡ଼ି ଦେଇଥିଲେ। ପରେ ବାଇକ୍‌ଟିକୁ ନିୱାଡାର ଯମୁନା ଖାଦରକୁ ନେଇ ପୋଡ଼ି ଦେଇଥିଲେ। ଆଜି ସମସ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଘଟଣାରେ ବ୍ୟବହୃତ ବାଡ଼ି ଏବଂ ସଚିନଙ୍କ ପୋଡ଼ିଯାଇଥିବା ବାଇକ୍ ମଧ୍ୟ ଜବତ କରାଯାଇଛି।

ସରକାର ବଦଳିବା ପରେ ବ୍ୟାରେଜ କାମ ବନ୍ଦ : ବାତିଲ ହେଲା ISS ପ୍ରୋଜେକ୍ଟ ଫେରିଗଲା ୧୨ ଶହ କୋଟି ଟଙ୍କା

ବଲାଙ୍ଗୀର: ଟିଟିଲାଗଡ଼ ନିର୍ବାଚନମଣ୍ଡଳିରେ ବହି ଯାଉଥିବା ବିଭିନ୍ନ ନଦୀ ଉପରେ ବ୍ୟାରେଜ ନିର୍ମାଣ ହେବ ଓ ଚାଷୀ ମାନଙ୍କୁ ଜଳସେଚନ ବ୍ୟବସ୍ଥା ଯୋଗାଇ ଦିଆଯିବ । ଏହି ଉଦ୍ଦେଶ୍ୟ ରଖି ପୂର୍ବ ସରକାର ୭ଟି ପ୍ରକଳ୍ପର ଟେଣ୍ଡର ଆହ୍ଵାନ କରିଥିଲେ । ହେଲେ ସରକାର ବଦଳିଯିବା ପରେ ଏବେ ପ୍ରକଳ୍ପ ବନ୍ଦ ହୋଇଯାଇଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଟିଟିଲାଗଡ଼ ନିର୍ବାଚନୀମଣ୍ଡଳିର ବିଭିନ୍ନ ନଦୀ ଉପରେ ନିର୍ମାଣ ହୋଇଥାନ୍ତା ବ୍ୟାରେଜ । ଏଥିପାଇଁ ଯୋଜନା ପ୍ରସ୍ତୁତ କରି ଟେଣ୍ଡର ଆହ୍ଵାନ କରିଥିଲେ ପୂର୍ବ ସରକାର । ଚାଷ ଜମିକୁ ଜଳସେଚନ ଉଦ୍ଦେଶ୍ୟରେ ୭ଟି ଆଇଏସଏସ ପ୍ରକଳ୍ପକୁ ଅନୁମୋଦନ କରିଥିଲେ । ଗୁଡ଼ଭେଲା, କୁରଶୁଡ, ସଇଁତଳା, ଟିଟିଲାଗଡ଼ ବ୍ଲକର ବିଭିନ୍ନ ନଦୀ ଓ ନାଳ ଉପରେ ବ୍ୟାରେଜ ନିର୍ମାଣ ହୋଇ ଜଳ ସଂରକ୍ଷଣ ହୋଇଥାନ୍ତା । ହେଲେ ଏବେର ସରକାର ଏହି ସମସ୍ତ ପ୍ରକଳ୍ପ ଉପରେ ଗୁରୁତ୍ଵ ଦେଉନାହାନ୍ତି । ଯାହାପାଇଁ ପ୍ରକଳ୍ପ ଗୁଡ଼ିକ ଏକର ପ୍ରକାର ବନ୍ଦ ହୋଇଯାଇଛି । ଯାହା ଫଳରେ ଚାଷୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ବ୍ୟାରେଜ ନିର୍ଣାଣ ହୋଇଥିଲେ ଟିଟିଲାଗଡ଼ ଚାଷୀଙ୍କ ଜଳସେଚନ ସମସ୍ୟାର ସମାଧାନ ହୋଇଥାନ୍ତା । ଫସଲକୁ ପାଣି ମିଳିପାରିଥାନ୍ତା । ହେଲେ ପ୍ରକଳ୍ପ ବନ୍ଦ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟିକା ଟୁକୁନି ସାହୁ । ଟିଟିଲାଗଡ଼ ନିର୍ବାଚନମଣ୍ଡଳୀର ୭ଟି ସ୍ଥାନରେ ବ୍ୟାରେଜ ନିର୍ମାଣ ପାଇଁ ୧୨୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ବନ୍ଦ ଯୋଗୁଁ ଫେରିଯାଇଛି ୧୨ ଶହ କୋଟି ଟଙ୍କା । ନୂଆ ସରକାର କେବଳ ରଙ୍ଗ ବଦଳା ରାଜନୀତି କରୁଛନ୍ତି ଓ ପିସି କାରବାରରେ ଲିପ୍ତ ଅଛନ୍ତି ବୋଲି ଅଭିଯୋଗ କରିବା ସହିତ ଅଞ୍ଚଳର ବିକାଶ ଉପରେ କାର୍ଯ୍ୟ କରିବାକୁ ଆହ୍ଵାନ ଦେଇଛନ୍ତି । ଅନ୍ୟପଟେ ଯାନ୍ତ୍ରିକ ତ୍ରୁଟିରୁ ପ୍ରୋଜେକ୍ଟ ବନ୍ଦ ହୋଇଛି ବୋଲି କହିଛନ୍ତି ଅଧିକ୍ଷକ ଯନ୍ତ୍ରୀ ।

ଚାଷୀଙ୍କ ସୁବିଧା ପାଇଁ ଜମିକୁ ଜଳସେଚନ ପାଇଁ ଅନେକ ଯୋଜନା ପ୍ରସ୍ତୁତ କରିଥିଲେ ପୂର୍ବ ସରକାର । ହେଲେ ଯୋଜନାକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାରଙ୍କ ବିଫଳତା ଯୋଗୁଁ ଜଳସେଚନ ସୁବିଧାରୁ ବଞ୍ଚିତ ରହିଛନ୍ତି ଟିଟିଲାଗଡ଼ ଚାଷୀ ।

ପାଣି ସମସ୍ୟା ପାଇଁ ମିଳୁନି ଝିଅ ; ଅବିବାହିତ ଅବସ୍ଥାରେ ଅଧିକାଂଶ ଯୁବକ

ନବରଙ୍ଗପୁର: ପାଣି ନାହିଁ ତ ଝିଅ ନାହିଁ । ଏପରି କିଛି ସମସ୍ୟା ସହ ଜୀବନ କାଟୁଛନ୍ତି ପାପଡାହାଣ୍ଡି ବ୍ଲକର ବଡବାର୍ଲି ଗାଁ’ର ଯୁବଗୋଷ୍ଠୀ । ଗାଁରେ ପାଣି ସମସ୍ୟା ଏତେ ମାତ୍ରାରେ ଉତ୍କଟ ରୂପ ଧାରଣ କରିଛି ଯେ ଗାଁକୁ ବୋହୂ ମିଳୁନି । ବର୍ତ୍ତମାନସୁଦ୍ଧା ଗାଁରେ ୫୦ରୁ ଅଧିକ ଯୁବକ ଅବିବାହିତ ରହିଛନ୍ତି । ଏମିତିକି ପାଣି କସରତ ପାଇଁ ବିବାହ କରିବା ପରେ ସ୍ତ୍ରୀ ଛାଡିକି ଚାଲି ଯାଉଥିବା ଅଭିଯୋଗ ହୋଇଛି ।

ପାଣି ସମସ୍ୟା ପାଇଁ ମିଳୁନି ଝିଅ । ଅବିବାହିତ ଅବସ୍ଥାରେ ଅଧିକାଂଶ ଯୁବକ । ଏକଥା ଅଜବ ଲାଗୁଥିଲେ ମଧ୍ୟ ସତ । ଗାଁରେ ପାନୀୟ ଜଳ ଯୋଗାଣ ପାଇଁ ନିର୍ମାଣ ହୋଇଛି ପାଣି ଟାଙ୍କି । ଘରକୁ ଘର ବିଛାଯାଇଛି ପାଇପ । ହେଲେ ଆଜିଯାଏଁ ଲୋକଙ୍କୁ ପାଣି ମୁନ୍ଦାଏ ମିଳୁନି । ଯେଉଁ ତିନୋଟି ନଳକୂପ ରହିଛି ତାହା ଅଚଳ ହୋଇପଡିଛି । ଏମିତିକି ବିଦ୍ୟାଳୟ ପରିସରରେ ଥିବା ନଳକୂପ ଶିକୁଳି ସାହାଯ୍ୟରେ ବନ୍ଧା ହୋଇପଡିଛି । ଏଭଳି ସ୍ଥିତିରେ ଜଳକଷ୍ଟ ଭୋଗୁଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସାନବାର୍ଲି ପଞ୍ଚାୟତ ଅନ୍ତର୍ଗତ ବଡବାର୍ଲି ଗାଁ ଲୋକେ । ଗାଁରେ ୨୧୮ଟି ଆଦିବାସୀ ପରିବାର ବସବାସ କରୁଛନ୍ତି । ହେଲେ ପାନୀୟ ଜଳ ସମସ୍ୟା ଗ୍ରାମବାସୀଙ୍କ ପାଇଁ ଏବେ ଅଭିଶାପ ପାଲଟିଯାଇଛି । ଯାହାର ସିଧାସଳଖ ପ୍ରଭାବ ଗାଁର ଯୁବକଙ୍କ ବିବାହ ଉପରେ ପଡୁଛି । ଗାଁ ନାଁ ଶୁଣିଲେ ହିଁ ଭାଙ୍ଗିଯାଉଛି ବାହାଘର । ଯଦି କୌଣସି କାରଣରୁ ବାହାଘର ହୋଇଯାଉଛି ତାହା ମଧ୍ୟ ଅଧିକ ଦିନ ତିଷ୍ଠିପାରୁନି । ଶାଶୁଘର ଛାଡି ବାପଘରକୁ ବୋହୂ ଫେରିଯାଉଥିବା ନେଇ ଅଭିଯୋଗ ହୋଇଛି ।

ଲୋକଙ୍କ ଭରସା ପାଲଟିଛି ଗାଁ ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ପାହାଡି ଝରଣା । ଝରଣା ପାଣିକୁ ପାଇପ ଲଗାଇ ଦୀର୍ଘ ଦିନ ହେଲା ଲୋକେ ସଂଗ୍ରହ କରି ଚଳୁଛନ୍ତି । ସମସ୍ୟା ସଂପର୍କରେ ଗ୍ରାମବାସୀ ଅନେକ ଥର ଜିଲ୍ଲା ପ୍ରଶାସନ ଓ ନେତାଙ୍କ ନିକଟରେ ଜଣାଇଥିଲେ ବି ଫଳ ଶୂନ । ବାଧ୍ୟ ହୋଇ ଏବେ ଆନ୍ଦୋଳକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଅପରପକ୍ଷେ ଗାଁକୁ ଏବେଠାରୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ ଏବଂ ୧୫ ତାରିଖ ସୁଦ୍ଧା ପାନୀୟ ଜଳ ପ୍ରକଳ୍ପରୁ ପାଣି ଯୋଗାଇ ଦିଆଯିବ ବୋଲି ବିଡ଼ିଓ କହିଛନ୍ତି ।

ଓ୍ବାକଫ ବିଲକୁ ନେଇ କାହିଁକି ବିଜେପିର ଏତେ ଆଗ୍ରହ ? କ’ଣ ରହିଛି ଉଦ୍ଦେଶ୍ୟ ?

ନନ୍ଦିଘୋଷ ବ୍ୟୁରୋ: ୱାକଫ ସଂଶୋଧନ ଆଇନକୁ ନେଇ ବିଜେପି ଏବଂ ମୁସଲିମ ସଂଗଠନ ମଧ୍ୟରେ ଛକାପଞ୍ଛା । ମୁସଲିମ ସଂଗଠନଗୁଡ଼ିକ ୱାକଫ ଆଇନ ବିରୋଧରେ ମୋର୍ଚ୍ଚା ଖୋଲି ୱାକଫ ଆଇନର ତ୍ରୁଟି ଗଣୁଥିବା ବେଳେ, ବିଜେପି ଏହି ଆଇନରେ ମୁସଲମାନମାନଙ୍କର ଫାଇଦା ବାବଦରେ ଅବଗତ କରେଇବା ପାଇଁ ‘ୱାକଫ ଜାଗରଣ ଅଭିଯାନ’ ଆରମ୍ଭ କରିଛି ଯାହା ମୁସଲମାନମାନଙ୍କ ସନ୍ଦେହ ଦୂର କରିବା ଏବଂ ସେମାନଙ୍କ ବିଶ୍ୱାସ ଜିତିବା ପାଇଁ ଏକ ରଣନୀତି ଭାବରେ ବିବେଚନା କରାଯାଉଛି।

‘ୱାକଫ ଜାଗରଣ ଅଭିଯାନ’ରେ ବିଜେପି ନେତାମାନଙ୍କୁ ନେଇ ଏକ ଦଳ ଗଠନ କରିଛି । ବିଜେପି ଏକ କର୍ମଶାଳା ମାଧ୍ୟମରେ ମୁସଲିମ ନେତା ଏବଂ କର୍ମୀମାନଙ୍କୁ ୱାକଫ ସଂଶୋଧନ ଆଇନର ବିସ୍ତୃତ ବିବରଣୀ ବୁଝାଇଝି । ଏହିପରି ଭାବରେ, ପ୍ରଶିକ୍ଷିତ ବିଜେପି କର୍ମୀମାନେ ମୁସଲିମ ସମ୍ପ୍ରଦାୟ ମଧ୍ୟରେ ଯିବେ ଏବଂ ୱାକଫ ସଂଶୋଧନ ଆଇନ ଉପରେ ସେମାନଙ୍କ ଦ୍ବନ୍ଦ ଦୂର କରିବେ। ଏହିପରି ଭାବରେ ବିଜେପି ମୁସଲିମ ସମ୍ପ୍ରଦାୟଙ୍କ ମନରେ ୱାକଫ ଆଇନ ସମ୍ପର୍କରେ ଥିବା ଦ୍ୱନ୍ଦ୍ୱକୁ ଦୂର କରିବାକୁ ଚେଷ୍ଟା କରିବ। ତେବେ ଏପରି ପରିସ୍ଥିତିରେ ସମସ୍ତଙ୍କ ମନରେ ବଡ ପ୍ରଶ୍ନ ଉଠୁଛି ଯେ ବିଜେପିକୁ ୱାକଫ ଆଇନରେ କ’ଣ ଫାଇଦା ? କାହିଁକି ବିଜେପି ଏହାର ଏତେ ମାତ୍ରାରେ ପ୍ରଚାର ପ୍ରସାର କରୁଛି ? ଏହା ପଛରେ ବିଜେପିର ଉଦ୍ଦେଶ୍ୟ କ’ଣ ?

ଦ୍ବନ୍ଦ ଦୂର ପାଇଁ ବଡ ଯୋଜନା

ମୁସଲିମ ସମ୍ପ୍ରଦାୟ ମଧ୍ୟରେ ୱାକଫ ସଚେତନତା ଅଭିଯାନ ଚଳାଇବା ପାଇଁ ବିଜେପି ଦେଶର ପ୍ରତ୍ୟେକ ରାଜ୍ୟରେ ସଂଯୋଜକ ନିଯୁକ୍ତ କରିଛି । ଏହି ସମସ୍ତ ସଂଯୋଜକ ପାଇଁ ଏକ କର୍ମଶାଳା ଆୟୋଜନ କରାଯାଇଥିଲା, ଯେଉଁଥିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ କିରେନ ରିଜିଜୁଙ୍କ ସମେତ ଗୁରୁତ୍ୱପୂର୍ଣ୍ଣ ଦଳୀୟ ନେତାମାନେ ଅଂଶଗ୍ରହଣ କରିଥିଲେ। ବିଜେପି ନେତାମାନେ ସଂଖ୍ୟାଲଘୁ ନେତାମାନଙ୍କୁ ଲୋକଙ୍କ ପାଖରେ ସେମାନଙ୍କର ବାର୍ତ୍ତା କିପରି ପହଞ୍ଚାଇବେ ତାହା କହିଥିଲେ। ଜେପି ନଡ୍ଡା ମୁସଲିମ ନେତାମାନଙ୍କୁ କହିଥିଲେ ଯେ ୱାକଫ ସଂଶୋଧନ ଆଇନ କିପରି ମୁସଲିମ ସମ୍ପ୍ରଦାୟର ହିତରେ ଅଛି ଏବଂ ଏହି ଆଇନ ବିଷୟରେ କିପରି ଭ୍ରମ ପ୍ରସାରିତ ହେଉଛି ତାହା ମଧ୍ୟ ଆଲୋଚନା କରିଥିଲେ, ଯାହାକୁ ପ୍ରତିହତ କରିବାକୁ ପଡିବ ଏବଂ ମୁସଲିମ ସମ୍ପ୍ରଦାୟକୁ ସତ୍ୟ କହିବାକୁ ପଡିବ।

ବିଜେପିର ନେତାମାନେ ମୁସଲିମ ସମ୍ପ୍ରଦାୟଙ୍କ ପାଖକୁ ଯିବେ ଏବଂ ସେମାନଙ୍କୁ କହିବେ ଯେ ନୂତନ ଆଇନ ପୁରୁଣା ୱାକଫ ସମ୍ପତ୍ତିକୁ ପ୍ରଭାବିତ କରିବ ନାହିଁ ଏବଂ ୱାକଫ ସମ୍ପତ୍ତିର କାଗଜପତ୍ର ମଧ୍ୟ ଲୋଡାଯିବ ନାହିଁ। ନୂତନ ଆଇନ ସହିତ, ୱାକଫ ସମ୍ପତ୍ତିର ଲାଭ କେବଳ କିଛି ମୁସଲମାନଙ୍କ ବଦଳରେ ସମସ୍ତଙ୍କୁ ମିଳିବ। ବିଶେଷକରି ମୁସଲିମ ମହିଳା ଏବଂ ପାସ୍ମାଣ୍ଡା ମୁସଲମାନମାନେ ମଧ୍ୟ ୱାକଫର ଲାଭ ପାଇବେ, ଯାହା ସେମାନଙ୍କୁ ଏପର୍ଯ୍ୟନ୍ତ ମିଳୁନଥିଲା। ବିଜେପି ନେତା କହିଛନ୍ତି ଯେ ଆମର କର୍ମୀମାନେ ମୁସଲିମ ଗାଁ ଏବଂ ଅଞ୍ଚଳକୁ ଯିବେ ଏବଂ ଲୋକମାନଙ୍କୁ କହିବେ ଯେ ୱାକଫ୍ ଆଇନ ଯୋଗୁଁ କୌଣସି ଦୁର୍ନୀତି ହେବ ନାହିଁ ଏବଂ ସେମାନଙ୍କୁ କହିବେ ଯେ ଏହି ଆଇନ କିପରି ସମସ୍ତଙ୍କ ହିତରେ ଅଛି ।

ବିଜେପିକୁ କି ଲାଭ ?

ୱାକଫ ଆଇନ ପ୍ରଚଳନ ହେବା ପରଠାରୁ, ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ, ଜାମିଆତ୍ ଉଲେମା-ଏ-ହିନ୍ଦ, ଜମାତ-ଏ-ଇସଲାମି ହିନ୍ଦ ଭଳି ଅନେକ ମୁସଲିମ୍ ସଂଗଠନ ମୋଦି ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି। ମୁସଲିମ ସଂଗଠନଗୁଡ଼ିକ ୱାକଫ ଆଇନ ବିରୋଧରେ ପ୍ରତିବାଦ କରୁଛନ୍ତି ଏବଂ ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ଚଳାଇଛନ୍ତି। ଏହି ସମୟରେ, ମୁସଲିମ ସଂଗଠନଗୁଡ଼ିକ ମୁସଲମାନମାନଙ୍କୁ କହୁଛନ୍ତି ଯେ ସରକାର ନୂତନ ଆଇନ ସହିତ ୱାକଫ ସମ୍ପତ୍ତିକୁ ଛଡ଼ାଇ ନେବେ। ସରକାର ଆମର ଶରିଆରେ ହସ୍ତକ୍ଷେପ କରୁଛନ୍ତି ଏବଂ ଇସଲାମର ନୀତିଗୁଡ଼ିକୁ ସମାପ୍ତ କରି ହିନ୍ଦୁତ୍ୱର ଚିନ୍ତାଧାରା ମୁସଲିମ ଉପରେ ଲଦି ଦେବାକୁ ଚାହୁଁଛନ୍ତି।

ବିଜେପି ସହଯୋଗୀଙ୍କୁ ବିପଦ

ଯଦିଓ ୱାକଫ୍ ଆଇନ ପ୍ରଚଳନ ଦ୍ୱାରା ବିଜେପି ସିଧାସଳଖ ପ୍ରଭାବିତ ନ ହୋଇପାରେ, ତଥାପି ବିଜେପିର ସହଯୋଗୀ ଦଳଗୁଡ଼ିକ ବିରୁଦ୍ଧରେ ମୁସଲମାନମାନଙ୍କ ଅସନ୍ତୋଷ ବୃଦ୍ଧି ପାଉଛି। ମୁସଲିମ ନେତା ମାନେ ଜେଡିୟୁ, ଏଲଜେପି ଏବଂ ଆରଏଲଡି ଦଳ ଛାଡୁଛନ୍ତି । ମୁସଲିମ ନେତାଙ୍କ ଧାରା ଜାରି ରହିଛି। ସେଥିପାଇଁ ବିଜେପି ୱାକଫ୍ ଆଇନ ଉପରେ ଏକ

ଆନ୍ଦୋଳନ CAA ପରି ହେବା ଉଚିତ୍ ନୁହେଁ

CAA-NRC ସମୟରେ ମୁସଲିମ ସମ୍ପ୍ରଦାୟର ଲୋକମାନେ ରାସ୍ତାକୁ ଓହ୍ଲାଇଥିଲେ। ଦିଲ୍ଲୀର ଶାହିନ ବାଗରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ସାରା ଦେଶରେ ବ୍ୟାପି ଯାଇଥିଲା, ଯାହା ଯୋଗୁଁ ମୋଦି ସରକାରଙ୍କୁ ପଛକୁ ହଟିବାକୁ ପଡିଲା। ଦେଶରେ NRC ଲାଗୁ ହେବ ନାହିଁ ବୋଲି ମୋଦି ସରକାର ସ୍ପଷ୍ଟ କରିଥିଲେ। ମୁସଲିମ ସଂଗଠନ ଏବଂ ବିରୋଧୀ ୱାକଫ ଆଇନକୁ ନେଇ ଏକ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ଏବଂ ସେମାନଙ୍କର ଆନ୍ଦୋଳନକୁ ତୀବ୍ର କରିଛନ୍ତି। ଏପରି ପରିସ୍ଥିତିରେ, ବିଜେପି ୱାକଫ ଆଇନ ଉପରେ ଏକ ଅଭିଯାନ ଚଲାଇ ମୁସଲିମ ସମ୍ପ୍ରଦାୟକୁ ବୁଝାଇବାକୁ ନିଷ୍ପତ୍ତି ନେଇଛି ଯେ ଏହି ଆଇନ କିପରି ସେମାନଙ୍କ ସ୍ୱାର୍ଥରେ ଏବଂ ବିରୋଧୀଙ୍କ ଦ୍ୱାରା ଭ୍ରମିତ ନହେବା ପାଇଁ। ସରକାର ୱାକଫ ଆଇନ ବିରୁଦ୍ଧରେ କୌଣସି ଆନ୍ଦୋଳନ ହେବାକୁ ଦେବାକୁ ଚାହୁଁନାହାଁନ୍ତି।

ମୋଦିଙ୍କ ସାଉଦି ଆରବ ଗସ୍ତ

ପ୍ରଧାନମନ୍ତ୍ରୀ ମୋଦୀ ଏପ୍ରିଲ ମାସରେ ସାଉଦି ଆରବ ଗସ୍ତରେ ଯାଉଛନ୍ତି, ଯେଉଁଠାରେ ସେ ବାଣିଜ୍ୟ, ନିବେଶ, ଶକ୍ତି ଏବଂ ପ୍ରତିରକ୍ଷା ସହଯୋଗ ଉପରେ ଆଲୋଚନା କରିବେ। ଏହି ଗସ୍ତ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର (IMEC) ଉପରେ ମଧ୍ୟ ଧ୍ୟାନ ଦେବ। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ ହୋଇଛି ଏବଂ ବାଣିଜ୍ୟରେ ନିରନ୍ତର ଅଭିବୃଦ୍ଧି ଘଟିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଉଦି ଆରବ ଗସ୍ତକୁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଏପରି ପରିସ୍ଥିତିରେ, ମୋଦି ସରକାର ଏବଂ ବିଜେପି ଚାହାଁନ୍ତି ନାହିଁ ଯେ ପ୍ରଧାନମନ୍ତ୍ରୀ ସାଉଦି ଆରବରେ ଥିବା ସମୟରେ ଭାରତରେ ମୁସଲିମ ୱାକଫ ପ୍ରସଙ୍ଗରେ ପ୍ରତିବାଦ କରନ୍ତୁ। ଏହି ପରିପ୍ରେକ୍ଷୀରେ ସରକାର ମଧ୍ୟ ଚାହାଁନ୍ତି ଯେ ମୁସଲିମ ସଂଗଠନ ମାଧ୍ୟମରେ କରାଯାଉଥିବା ଆନ୍ଦୋଳନକୁ ମୁସଲିମ ସମ୍ପ୍ରଦାୟର ସମର୍ଥନ ନମିଳୁ।

ଗତ କିଛି ବର୍ଷ ମଧ୍ୟରେ, ଭାରତ ଏବଂ ସାଉଦି ଆରବ ମଧ୍ୟରେ ସମ୍ପର୍କ ବହୁତ ମଜବୁତ ହୋଇଛି। ଏହି ଉପସାଗରୀୟ ଦେଶରେ ପ୍ରାୟ ୨୬ ଲକ୍ଷ ଭାରତୀୟ ବାସ କରନ୍ତି ଏବଂ ଏହାକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବରେ ବିବେଚନା କରାଯାଏ। ଭାରତ-ସାଉଦି ଆରବ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଖୋଲିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏପ୍ରିଲ 2016 ରେ ରିୟାଦ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଥିଲା। ଏହିପରି, ୱାକଫ ଆଇନ ପରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଉଦି ଆରବ ଗସ୍ତକୁ ରାଜନୈତିକ ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ନିର୍ବାଚନୀ ରାଜ୍ୟଗୁଡ଼ିକରେ ଜିତିବା ପାଇଁ ଏକ ପ୍ରୟାସ

୨୦୨୫ ଶେଷରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ଯେତେବେଳେ ୨୦୨୬ରେ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ପଶ୍ଚିମବଙ୍ଗ, କେରଳ ଏବଂ ଆସାମ ଅନ୍ତର୍ଭୁକ୍ତ, ଯେଉଁଠାରେ ମୁସଲିମ ସମ୍ପ୍ରଦାୟର ଜନସଂଖ୍ୟା ଯଥେଷ୍ଟ ଅଧିକ। ବିହାରରେ ୧୮ ପ୍ରତିଶତ, କେରଳରେ ୨୭ ପ୍ରତିଶତ, ଆସାମରେ ୩୦ ପ୍ରତିଶତ ଏବଂ ପଶ୍ଚିମବଙ୍ଗରେ ୩୨ ପ୍ରତିଶତ ମୁସଲିମ ଭୋଟର ଅଛନ୍ତି। ନୂତନ ୱାକଫ ଆଇନ ମାଧ୍ୟମରେ, ବିଜେପି ମୁସଲିମ ସମ୍ପ୍ରଦାୟକୁ ଏହା କିପରି ସେମାନଙ୍କ ସ୍ୱାର୍ଥରେ ଅଛି ତାହା ଜଣାଇବାକୁ ଚେଷ୍ଟା କରୁଛି। ସଂସଦରେ ବିଲ୍ ଉପରେ ଆଲୋଚନା ସମୟରେ, ବିଜେପି ସାଂସଦମାନେ ନୂତନ ୱାକଫ୍ ଆଇନ ଦ୍ୱାରା ସାଧାରଣ ମୁସଲମାନମାନେ କିପରି ଲାଭ ପାଇବେ ତାହା ବୁଝାଇବାକୁ ଚେଷ୍ଟା କରିଥିଲେ। ବିଜେପିର ଧ୍ୟାନ ପାସ୍ମାଣ୍ଡା ଏବଂ ମୁସଲିମ ମହିଳାମାନଙ୍କ ଉପରେ। ମୋଦି ସରକାର କହୁଛନ୍ତି ଯେ ୱାକଫ ଆଇନ ଏହି ଦୁଇଜଣଙ୍କ ସ୍ୱାର୍ଥରେ। ଆସାମ, ବିହାର, କେରଳ ଏବଂ ପଶ୍ଚିମବଙ୍ଗରେ ମୁସଲମାନମାନଙ୍କ ମଧ୍ୟରେ ପାସମାଣ୍ଡା ମୁସଲମାନମାନଙ୍କର ଏକ ବଡ଼ ଜନସଂଖ୍ୟା ଅଛି। ଏହିପରି ଭାବରେ, ସରକାର ପାସମାଣ୍ଡା ମୁସଲମାନ ଏବଂ ମୁସଲମାନ ମହିଳାଙ୍କ ସ୍ୱାର୍ଥ ପାଇଁ ୱାକଫ ଆଇନକୁ ପ୍ରଚାର ପ୍ରସାର କରି ସେମାନଙ୍କ ସହିତ ଯୋଡ଼ି ହେବାକୁ ପ୍ରୟାସ କରୁଛି ।