spot_img
Home Blog Page 912

ଭେଳିକି ସାଜିଛି ବର୍ଦ୍ଧିତ ଭତ୍ତା: ଶତ ପ୍ରତିଶତ ଦିବ୍ୟାଙ୍ଗଙ୍କୁ ମିଳୁନି ଭତ୍ତା, ସରକାରୀ ଅଫିସକୁ ଧାଇଁ ଧାଇଁ ନିରାଶ

ଡୁଙ୍ଗୁରିପାଲି: ନିର୍ବାଚନୀ ଇସ୍ତାହାର ବେଳେ ୮୦ ପ୍ରତିଶତରୁ ଉର୍ଦ୍ଧ୍ଵ ଦିବ୍ୟାଙ୍ଗଙ୍କୁ ୩ ହଜାର ୫ ଶହ ଟଙ୍କା ଭତ୍ତା ଦେବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ହେଲେ ସରକାରକୁ ଆସିବା ପରେ ପ୍ରତିଶ୍ରୁତି ପାଣିରଗାର ପାଲଟିଛି । ଖୋଦ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଶତ ପ୍ରତିଶତ ପିଲାକୁ ବର୍ଦ୍ଧିତ ଭତ୍ତା ମିଳୁନଥିବା ଅଭିଯୋଗ । ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ହରଭଙ୍ଗା ଗ୍ରାମର ଦିବ୍ୟାଙ୍ଗ ଅଂଶୁମାନ ସାହୁଙ୍କ ପାଇଁ ବର୍ଦ୍ଧିତ ଭତ୍ତା ସତେ ଯେପରି ସାତସପନ ପାଲଟିଛି । ଭତ୍ତା ଟିକକ ପାଇଁ ଅଂଶୁମାନଙ୍କୁ ନେଇ ଗରିବ ପିତା ମାତା ଗାଡି ଭଡା କରି ଅନେକ ବାର ଏ ଅଫିସରୁ ସେ ଅଫିସକୁ ଧାଇଁ ନୟାନ୍ତ ହୋଇଗଲେଣି । ହେଲେ କୌଣସି ସୁଫଳ ମିଳିପାରୁନାହିଁ । ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ନିକଟରେ ଦ୍ଵାରସ୍ତ ହୋଇ ଲିଖିତ ଅଭିଯୋଗ କରିଛନ୍ତି ।

ସ୍ମାର୍ଟଫୋନରେ ବର୍ଷକରେ ୧.୧ ଲକ୍ଷ କୋଟି ଘଣ୍ଟା ବିତାଇଲେ ଭାରତୀୟ: କମ୍ପାନୀମାନଙ୍କୁ ହେଲା ୨.୫ ଲକ୍ଷ କୋଟିର ଲାଭ

ଆଜିକାଲି ସ୍ମାର୍ଟଫୋନ ସଭିଙ୍କର ଜୀବନର ଏକ ଅଙ୍ଗ ପାଲଟି ଯାଇଛି । ତେବେ ସ୍ମାର୍ଟଫୋନରେ ଭାରତୀୟମାନେ କେତେ ସମୟ ବିତାଉଛନ୍ତି, ତାହା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । କିଛି ଲୋକ ଫୋନରେ ରିଲ୍ସ, ଫିଲ୍ମ ଦେଖିବା ଫଳରେ ଆଉ କିଛି ଲୋକ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଏନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି । ସେଥିରେ କୁହାଯାଇଛି, ଭାରତୀୟମାନେ ସ୍ମାର୍ଟଫୋନରେ ୧.୧ ଲକ୍ଷ ଲକ୍ଷ କୋଟି ଘଣ୍ଟାରୁ ଅଧିକ ସମୟ ବିତାଇଛନ୍ତି । ଏହାର ଫାଇଦା ଏଣ୍ଟରଟେନମେଣ୍ଟ ମିଡ଼ିଆ ଓ ଗେମିଂ କମ୍ପାନୀମାନେ ଉଠାଇଛନ୍ତି ।

ଭାରତୀୟମାନେ ୨୦୨୪ରେ ୧.୧ ଲକ୍ଷ କୋଟିରୁ ଅଧିକ ଘଣ୍ଟା ଫୋନ ଚଲାଇଥିଲେ । ଶସ୍ତା ଇଣ୍ଟରନେଟ କାରଣରୁ ଲୋକମାନେ ଖୁବ୍ ଫୋନ ଚଳାଇଥିଲେ । ଦେଶର ଲୋକମାନେ ୫ ଘଣ୍ଟା ଦୈନିକ ଆଭରେଜରେ ଫୋନ ଚଳାଇଥିଲେ । ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ଲୋକ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ, ଭିଡିଓ ପ୍ଲାଟଫର୍ମ ଓ ଗେମିଂରେ ଫୋନ୍ ବ୍ୟବହାର କରିଥିଲେ । ୨୦୨୪ରେ ଲୋକମାନେ ବହୁଳ ମାତ୍ରାରେ ଫୋନ ବ୍ୟବହାର କରିବା ଫଳରେ ମିଡ଼ିଆା ଓ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିକୁ ୨.୫ ଲକ୍ଷ କୋଟିର ଫାଇଦା ହୋଇଛି । ଟେଲିଭିଜନ ଅପେକ୍ଷା ଫୋନ ଚଳାଉଥିବା ଲୋକଙ୍କ କାରଣରୁ କମ୍ପାନୀମାନଙ୍କୁ ପ୍ରଚୁର ଫାଇଦା ହୋଇଛି ।

OERC ଅଧ୍ୟକ୍ଷ ହେଲେ ପ୍ରଦୀପ ଜେନା: ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କୁ ନୂଆ ଦାୟିତ୍ବ

ଭୁବନେଶ୍ବର: ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ମିଳିଛି ବଡ଼ ଦାୟିତ୍ବ । ଶ୍ରୀ ଜେନାଙ୍କୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଖୁବଶୀଘ୍ର ଶ୍ରୀ ଜେନା ଏହି ନୂଆ ପଦରେ କାର୍ଯ୍ୟଭାର ସମ୍ଭାଳିବେ । ସୁରେଶ ମହାପାତ୍ରଙ୍କ ଅବସର ପରଠାରୁ ଏହି ପଦ ଖାଲି ପଡିଥିଲା  ।

ନବଜାତକକୁ ନେଇ ଚାଲିଛି ସଉଦା: ଏକ ହଜାର ଟଙ୍କା ନଦେଲେ ପରିବାର ବର୍ଗଙ୍କୁ ମିଳୁନି ନବଜାତ ଶିଶୁ

ସୁନ୍ଦରଗଡ଼: ନବଜାତକକୁ ନେଇ ଚାଲିଛି ସଉଦା । ପ୍ରସବ ପରେ ହଜାରେ ଟଙ୍କା ନଦେଲେ ପରିବାର ବର୍ଗଙ୍କୁ ମିଳୁନି ନବଜାତ ଶିଶୁ । ନବଜାତ ଶିଶୁକୁ ହାତରେ ଧରି ସିଧାସଳଖ ସଉଦା କରୁଛନ୍ତି ନର୍ସ ଓ ସେବିକା । ଟଙ୍କା ଦିଅ ଶିଶୁ ନିଅ, ଟଙ୍କା ନଦେଲେ ଘଣ୍ଟା ଘଣ୍ଟା ଧରି ନବଜାତକକୁ ଲେବର ରୁମ ଭିତରେ ରଖି ଦେଉଛନ୍ତି । ଆଉ ଟଙ୍କା ମିଳିଗଲେ ହସ୍ତାନ୍ତର କରୁଛନ୍ତି । ଝିଅ ହେଲେ ୧ ହଜାର ଆଉ ପୁଅ ହେଲେ ୨ ରୁ ୩ ହଜାର ଟଙ୍କା ନେଉଛନ୍ତି । ସୁନ୍ଦରଗଡ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଅଧିନରେ ଥିବା ଜିଲ୍ଲା ମାତୃ ଓ ଶିଶୁ ମେଡିକାଲ ବା ଏମସିଏଚରେ ଏଭଳି କିଛି କାରବାର ଚାଲିଥିବା ନେଇ ଅଭିଯୋଗ ଆସିଛି । ଘଟଣା ସଂପର୍କରେ ଗୁରୁତର ଅଭିଯୋଗ ଆଣିଛନ୍ତି କେତେକ ପରିବାର ବର୍ଗ ଓ ଆଶାକର୍ମୀ ।

ସୁନ୍ଦରଗଡ ଏମସିଏଚରେ ଲେଫ୍ରିପଡା ଅଚଂଳର ଗୁଲବଦନ ଓରାମ ଓ ପ୍ରୟଙ୍କା ମୁଣ୍ଡାଙ୍କ ଏକ ପୁତ୍ର ସନ୍ତାନ ହୋଇଥିଲା । ଠିକ୍ ସେହିଭଳି ଲହୁରାଢିପା ଅଚଂଳର ମାଘନୀ ଓରାମ୍ ଓ ରାଜେନ୍ଦ୍ର ଓରାମ୍ ଙ୍କ ମଧ୍ୟ ଏକ ପୁତ୍ର ସନ୍ତାନ ହୋଇଥିଲା । ଦୁହିଁଙ୍କ ପରିବାରକୁ ଲେବର ରୁମ କମଚାରୀମାନେ ୧ ହଜାର ଟଙ୍କା ଦିଅ ତାହାଲେ ଯାଇ ମାଆ ମାନଙ୍କୁ ନବଜାତ ଶିଶୁକୁ ଦିଆଯିବ ବୋଲି କହିଥିଲେ । ହେଲେ ଗରିବ ପରିବାର ସେମାନଙ୍କୁ ପଇସା ଦେଇପାରିନଥିଲେ । ପାଖାପାଖି ୨ ଘଣ୍ଟା ଧରି ଶିଶୁ ନପାଇବା ପରେ ୧ ହଜାର ଲେଖାଏଁ ଟଙ୍କା ଦେଇ ନବଜାତ ଶିଶୁ ମାନଙ୍କୁ ମା କୋଳକୁ ଆଣିଥିଲେ ପରିବାର ବର୍ଗ । ଏହି ଘଟଣା ସୁନ୍ଦରଗଡ ଏମସିଏଚରେ ନୂଆ ନୁହେଁ ବୋଲି କହିଛନ୍ତି ଆଶାକର୍ମୀ । ଅନ୍ୟପଟେ ତଦନ୍ତ ଆରମ୍ଭ ପରେ ସତ ମାନିଛନ୍ତି ମେଡିକାଲ ଏଡିଏମଓ । ଯେଉଁମାନେ ଟଙ୍କା ନେଇଥିଲେ ସେମାନେ ଫେରାଇ ଦେଇଛନ୍ତି ବୋଲି କହି ଘଟଣାକୁ ସ୍ୱୀକାର କରିଛନ୍ତି ।

ମିଆଁମାର ଏବଂ ଥାଇଲାଣ୍ଡର ଭୂକମ୍ପ ପୀଡ଼ିତଙ୍କ ପାଇଁ ଚିନ୍ତାପ୍ରକଟ କଲେ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ: ମିଆଁମାର ଏବଂ ଥାଇଲାଣ୍ଡରେ ଆସିଥିବା ଭୟଙ୍କର ଭୂକମ୍ପକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଭୂକମ୍ପରେ ଜୀବନ ହରାଇଥିବା ମୃତକଙ୍କ ପରିଜନଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

 

ଜଷ୍ଟିସ ଯଶବନ୍ତ ବର୍ମାଙ୍କ ଟ୍ରାନ୍ସଫରକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ, ଘରୁ ଅଧାପୋଡ଼ା ନୋଟ ମିଳିବା ପରେ ବିବାଦରେ ଥିଲେ ଜଜ୍

ନୂଆଦିଲ୍ଲୀ: ଘରୁ ଅଧାପୋଡ଼ା ନୋଟ ମିଳିବା ପରେ ବିବାଦ ଘେରରେ ରହିଥିଲେ ଜଷ୍ଟିସ ଯଶବନ୍ତ ବର୍ମା  । ଏବେ ନୂଆ ସ୍ଥାନକୁ ଯିବେ ଜଷ୍ଟିସ ବର୍ମା । ତାଙ୍କର ଟ୍ରାନ୍ସଫରକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ଦେଇଛନ୍ତି । ଏବେ ଜଷ୍ଟିସ ବର୍ମା ଆହ୍ଲାବାଦ ହାଇକୋର୍ଟର ଜଜ୍ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ । ଏଥିସହିତ ଦିଲ୍ଲୀ ହାଇକୋର୍ଟର ଅନ୍ୟ ଜଣେ ଜଜ ଜଷ୍ଟିସ ଚନ୍ଦ୍ରଧାରୀ ସିଂହଙ୍କ ଟ୍ରାନ୍ସଫର ମଧ୍ୟ ଆହ୍ଲାବାଦ ହାଇକୋର୍ଟକୁ କରାଯାଇଛି । ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ ଆଧାରରେ କେନ୍ଦ୍ର ସରକାର ଏହି ମଞ୍ଜୁରୀ ଦେଇଛନ୍ତି । ଜଷ୍ଟିସ ବର୍ମାଙ୍କ ଘରୁ ବହୁମାତ୍ରାରେ ଅଧାପୋଡ଼ା ନୋଟ ମିଳିବା ବିବାଦ ମଧ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ ଯେ, ଘରୁ କ୍ୟାଶ ମିଳିବା ମାମଲାର ଯାଞ୍ଚ ପାଇଁ ଭାରତର ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନା ମାର୍ଚ୍ଚ ୨୨ରେ ଜଷ୍ଟିସ ବର୍ମାଙ୍କ ବିରୋଧରେ ତିନି ସଦସ୍ୟ ବିଶିଷ୍ଟ ଅନ୍ତରୀଣ ଯାଞ୍ଚ ଆରମ୍ଭ କରିଥିଲେ । ଜଷ୍ଟିସ ବର୍ମାଙ୍କ ସରକାରୀ ବାସଭବନ ପରିସରରେ ନୋଟର ବିଡ଼ା ମିଳିଥିଲା, ଯେଉଁଠାରେ କି ମାର୍ଚ୍ଚ ୧୪ରେ ନିଆଁ ଲାଗିଥିଲା । ଉକ୍ତ ନୋଟ ବିଡ଼ା ଷ୍ଟୋର ରୁମରେ ରହିଥିବା ଅଗ୍ନିଶମ ବାହିନୀ ଦେଖିବାକୁ ପାଇଥିଲେ । ନିଆଁ ଲାଗି ଅନେକ ନୋଟ ଜଳିଯାଇଥିଲା ।

କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଉପହାର: ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କୁ ସରକାର ଦେଇଛନ୍ତି ଏକ ବଡ଼ ଉପହାର । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୨ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରୀ ମିଳିଛି । ଏହି ବୃଦ୍ଧି ଫଳରେ ଏବେ କେନ୍ଦ୍ର କର୍ମଚାରୀ ଓ ପେନସନଧାରୀଙ୍କ ଡିଏ ଓ ପେନସନଧାରୀଙ୍କ ମହଙ୍ଗା ଆଶ୍ବସ୍ତି ((ଡିଆର) ୫୩ ପ୍ରତିଶତରୁ ବଢ଼ି ୫୫ ପ୍ରତିଶତ ହୋଇଯିବ । କେନ୍ଦ୍ର କ୍ୟାବିନେଟରେ ସରକାରଙ୍କ ତରଫରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ସପ୍ତମ ବେତନ କମିଶନ ଅନୁସାରେ ଏହି ବୃଦ୍ଧି ଘୋଷଣା କରାଯାଇଛି ।

ଗତ ବର୍ଷ ଜୁଲାଇରେ ଶେଷଥର ପାଇଁ ଡିଏ ବଢ଼ିଥିଲା । ସେ ସମୟରେ ଡିଏ ୫୦ ପ୍ରତିଶତରୁ ବଢ଼ି ୫୩ ପ୍ରତିଶତରେ ପହଞ୍ଚିଥିଲା ।  ଏବେ ୨ ପ୍ରତିଶତ ଡିଏ ବଢ଼ିବା ଫଳରେ କର୍ମଚାରୀଙ୍କ ବେସିକ ସାଲାରୀରେ ୨ ପ୍ରିତିଶତ ଡିଏକୁ ଯୋଡ଼ାଯିବ । ଚଳିତ ବର୍ଷ ଜାନୁଆରୀ ପହିଲାରୁ ଏହି ବୃଦ୍ଧି ପିଛିଲା ଭାବେ ଲାଗୁ ହେବ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ କୋଟି କୋଟି କର୍ମଚାରୀ ଓ ପେନସନଧାରୀଙ୍କୁ ଫାଇଦା ମିଳିବ । ଯଦି ଜଣଙ୍କର ବେସିକ ସାଲାରୀ ୫୦ ହଜାର ଟଙ୍କା ହୋଇଥାଏ, ତେବେ ୫୩ ପ୍ରତିଶତ ଡିଏ ହିସାବରେ ସେ ୨୬,୫୦୦ ଟଙ୍କା ଡିଏ ପାଇବେ । ମାତ ୫୫ ପ୍ରତିଶତ ଡିଏ ହିସାବରେ ସେ ୨୭,୫୦୦ ଟଙ୍କା ଡିଏ ପାଇବେ । ଅର୍ଥାତ କର୍ମଚାରୀଙ୍କ ବେତନରେ ୧ ହଜାର ଟଙ୍କା ବୃଦ୍ଧି ହେବ । ୭୦ ହଜାର ବେସିକ ସାଲାରୀ ଓ ୧ ଲକ୍ଷ ବେସିକ ସାଲାରୀ ଥିବା କର୍ମଚାରୀ ଯଥାକ୍ରମେ ୧,୪୦୦ ଓ ୨ ହଜାର ଟଙ୍କା ପ୍ରତି ମାସରେ ବେନିଫିଟ୍ ପାଇବେ ।

ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି କରିବାକୁ ଦାବି କଲେ ପ୍ରମିଳା ମଲ୍ଲିକ

ନନ୍ଦିଘୋଷ ବ୍ୟୁରୋ : ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି କରିବାକୁ ଗୃହରେ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଶୂନ୍ୟକାଳରେ ଏହି ଦାବି ଉଠାଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ବିଧାୟକ ଦରମା ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ବିଧାନସଭା କମିଟି ସୁପାରିସ କରିଛି । ସେଥିପାଇଁ ଦରମା ବୃଦ୍ଧି କରାଯାଉ । ୨୦୧୭ ମସିହାରେ ଦରମା ବୃଦ୍ଧି ପାଇଥିଲା । ସାଂସଦମାନଙ୍କ ଦରମା ବୃଦ୍ଧି ପାଇଥିଲା ତେଣୁ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି କରାଯାଉ । ସେହିପରି ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ଦାବି କରିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ।

ବରିଷ୍ଠ ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଗୃହରେ ଦାବି କରିଛନ୍ତି। ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ନେଇ ଗୃହରେ ଶାସକ ଓ ବିରୋଧୀ ଏକ ହୋଇ ସ୍ଵର ଉଠାଇଥିଲେ।ବିଧାୟକଙ୍କ ଦରମା ବୃଦ୍ଧି ନେଇ ବିଧାନସଭା କମିଟିର ଅଧ୍ୟକ୍ଷ ଭାସ୍କର ମଢେଇ ଦରମା ବୃଦ୍ଧି ସପକ୍ଷରେ ଶୂନ୍ୟକାଳରେ ଦାବି କରିଥିଲେ । ପୂର୍ବତନ ବିଧାୟକମାନେ ଭଲ ସ୍ଥିତିରେ ନାହାନ୍ତି  । ବଜାର ଦର ବୃଦ୍ଧି ପାଇଛି । ତେଣୁ ସମାଜର ନେତୃତ୍ୱ ନେଉଥିବା ବିଧାୟକମାନେ କାହା ପାଖରେ ହାତ ପତେଇବେନି  । ଦରମା ବୃଦ୍ଧି ନେଇ କମିଟି ସୁପାରିସ କରିଛି । ସାଂସଦଙ୍କ ଦରମା ବି ବୃଦ୍ଧି ପାଇଛି । ତେଣୁ ବିଧାୟକଙ୍କ ଦରମା ବୃଦ୍ଧି ହେଉ । କମିଟି ଯାହା ସୁପାରିସ କରିଛି ତାହା କାର୍ଯ୍ୟକାରୀ କରାଯାଉ ।

ସେହିପରି ବରିଷ୍ଠ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ବିଧାୟକଙ୍କ ଦରମା ବୃଦ୍ଧି ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି କରିବାକୁ ଦାବି କରିଛନ୍ତି  । ସପ୍ତମ ବେତନ କମିଶନ ଅନୁସାରେ ପିଅନ, ଶିକ୍ଷକ, ଅଧ୍ୟାପକଙ୍କ ଦରମା ଠାରୁ ବିଧାୟକଙ୍କ ଦରମା କମ୍ ରହିଛି । ତେଣୁ ବିଧାୟକଙ୍କ ଦରମା ବୃଦ୍ଧି କରାଯାଉ । କମିଟି ଯାହା ସୁପାରିଶ କରିଛି ତାହାକୁ କାର୍ଯ୍ୟକାରୀ କରିବାକୁ ଦାବି କଲେ ପଦ୍ମଲୋଚନ ପଣ୍ଡା ।

ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ପୂର୍ବରୁ ସିଏଚଏସଇର ବଡ଼ ନିଷ୍ପତ୍ତି ; ଛାତ୍ରଛାତ୍ରୀଙ୍କୁ ମିଳିବ ବଡ଼ ଆସ୍ୱସ୍ତି

ନନ୍ଦିଘୋଷ ବ୍ୟୁରୋ : ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଆରମ୍ଭ ପୂର୍ବରୁ ସିଏଚଏସଇର ବଡ଼ ନିଷ୍ପତ୍ତି । ଏଥର ମାଲ ପ୍ରାକ୍ଟିସ ବା ଏମପିରେ ବୁକ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ବଡ଼ ଆସ୍ୱସ୍ତି । ତ୍ରୁଟିପୂର୍ଣ୍ଣ ଭାବେ ଏମପିରେ ବୁକ ହୋଇଥିବା ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ସାଧାରଣ ପରୀକ୍ଷାର୍ଥୀଙ୍କ ସହ ଏକାସାଙ୍ଗରେ ପ୍ରକାଶ ପାଇବ । କାଉନସିଲ ଦ୍ୱାରା ଗେଠିତ ସ୍ୱତନ୍ତ୍ର କମିଟିର ଯାଞ୍ଚରେ ଏମପିରେ ବୁକ ହୋଇଥିବା ଛାତ୍ରଛାତ୍ରୀ ନିଜର ପକ୍ଷ ରଖିବେ। ଯଦି ସେମାନେ ତ୍ରୁଟିପୂର୍ଣ୍ଣ ବୁକ ହୋଇଥିବେ ତାହେଲେ ସେମାନଙ୍କ ପରୀକ୍ଷା ଫଳ ସ୍ୱାଭାବିକ ଭାବେ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡା। ଚଳିତ ବର୍ଷ ଠାରୁ ଏହି ନୂଆ ନିୟମ ଲାଗୁ ହେବ। ପୂର୍ବରୁ ଭୁଲରେ ଏମପିରେ ବୁକ ହେଉଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ସାଧାରଣ ପିଲାଙ୍କ ପରୀକ୍ଷା ଫଳ ବାହାରିବାର ତିନି ମାସ ପରେ ବାହାରୁଥିଲା। ଯେଉଁଥିପାଇଁ ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ଥରିଲା ମିଆଁମାର, ଭାଙ୍ଗିଲା ବଡ଼ ବଡ଼ କୋଠା

ନନ୍ଦିଘୋଷ ବ୍ୟୁରୋ :  ଲଗାତାର ଦୁଇଟି ଭୂକମ୍ପରେ ଥରିଲା ମିଆଁମାର। ଭୂକମ୍ପର ଝଟକାରେ ବ୍ଯାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ବ୍ୟାଙ୍କକରେ ଜାରି ହୋଇଛି ଜରୁରୀକାଳୀନ ପରିସ୍ଥିତି। ମିଆଁମାରର ଇରାବାଡି ନଦୀ ଉପରେ ଥିବା ଐତିହାସିକ ଆଭା ବ୍ରିଜ ଧସିଯାଇଥିବା ସୂଚନା ମିଳିଛି। ମିଆଁମାରର ସାଗାଇଙ୍ଗ ରହିଥିଲା ଭୂକମ୍ପର କେନ୍ଦ୍ରସ୍ଥଳ। ଅନେକ ସ୍ଥାନରେ ଜଳ ପ୍ଲାବନ ମଧ୍ୟ ବୃଦ୍ଧି ପାଉଥିବା ସୂଚନା ମିଳିଛି। ମିଆଁମାର, ଥାଇଲାଣ୍ଡ ସମେତ ଚୀନର ଦକ୍ଷିଣ ପଶ୍ଚିମ ଅନ୍ତର୍ଗତ ୟୁନାନ ପ୍ରଜାତନ୍ତ୍ର ବି କ୍ଷତିଗ୍ରସ୍ତ ହୋଇଛି। ଭୂକମ୍ପ ଯୋଗୁ ଏହି ସବୁ ଦେଶରେ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି। ମିଆଁମାରରେ ଭୂକମ୍ପର ତୀବ୍ରତା ଥିଲା ୭.୭। ଭୂକମ୍ପ ପରେ ବହୁତଳ ପ୍ରାସାଦଗୁଡିକ ଦୋହଲିଥିବା ଜଣାଯାଇଛି। ଭୂକମ୍ପର ଗଭୀରତା ୧୦ କିଲୋମିଟରରେ ଥିଲା ବୋଲି ପ୍ରକାଶ କରିଛି ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି। ଭୂକମ୍ପ ପରେ ଜରୁରୀ ବୈଠକ ଡାକିଛନ୍ତି ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପେତୋଙ୍ଗତାର୍ଣ୍ଣ ସିନାବାତ୍ରା। ବିଭିନ୍ନ ସ୍ଥାନରେ ବିଭିନ୍ନ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।