spot_img
Home Blog Page 913

ଲୋକସଭାରେ ଅପ୍ରବାସୀ ଓ ବିଦେଶୀ ବିଲ-୨୦୨୫ ଗୃହୀତ

ନନ୍ଦିଘୋଷ ବ୍ୟୁରୋ : ଲୋକସଭାରେ ଅପ୍ରବାସୀ ଓ ବିଦେଶୀ ବିଲ-୨୦୨୫ ଗୃହୀତ । ବିଲ୍ ପାସ୍ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି-ଯେଉଁମାନେ ଶିକ୍ଷା, ପର୍ଯ୍ୟଟନ, ସ୍ବାସ୍ଥ୍ୟସେବା, ବ୍ୟବସାୟ ଆଦି ଲାଗି ଭାରତ ଆସିବେ ସେମାନଙ୍କୁ ସ୍ବାଗତ କରାଯିବ । ମାତ୍ର ଯେଉଁମାନେ ଦେଶ ଲାଗି ବିପଦ ସେମାନଙ୍କ କ୍ଷେତ୍ରରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ । ସେ କହିଛନ୍ତି ଭାରତ ଏକ ଧର୍ମଶାଳା ନୁହେଁ ଯେ ଯେକୌଣସି ବ୍ୟକ୍ତି କୌଣସି ବିରୋଧୀ ଆଭିମୁଖ୍ୟ ନେଇ ଭାରତ ଆସିପାରିବେ । ସେମାନଙ୍କ ପ୍ରବେଶ ରୋକିବା ଲାଗି ଏହି ବିଲ୍ ଉଦ୍ଦିଷ୍ଟ । ଯେଉଁମାନେ ଦେଶର ନିରାପତ୍ତା ଲାଗି ବିପଦ ସେମାନଙ୍କୁ ଭାରତରେ ପ୍ରବେଶ ଲାଗି ଅନୁମତି ଦିଆଯିବ ନାହିଁ ।

ରାଷ୍ଟ୍ରର ବିକାଶ ଲାଗି ଯେଉଁମାନେ ତ୍ୟାଗ କରିବାକୁ ପ୍ରସ୍ତୁତ ସେମାନଙ୍କୁ ହିଁ ଅନୁମତି ଦିଆଯିବ । ଦେଶର ନିରାପତ୍ତା, ଅର୍ଥନୀତି, ବ୍ୟବସାୟର ବିକାଶ ଲାଗି ଏହି ବିଲ୍ ଉଦ୍ଦିଷ୍ଟ । ମ୍ୟାମାର ଓ ବାଂଲାଦେଶୀ ରୋହିଁଗ୍ୟାମାନଙ୍କ ଅନୁପ୍ରବେଶ ସମ୍ପର୍କରେ ସେ କହିଛନ୍ତି- ସେମାନେ ବ୍ଯକ୍ତିଗତ ସ୍ବାର୍ଥ ଲାଗି ଭାରତରେ ପ୍ରବେଶ କରୁଛନ୍ତି ଏବଂ ଦେଶକୁ ବିପଦ ଆଡକୁ ନେଉଛନ୍ତି । ଭାରତରେ ଅସ୍ଥିରତା ସୃଷ୍ଟି ଲାଗି ସେମାନଙ୍କ ଉଦ୍ୟମକୁ ବରଦାସ୍ତ କରାଯିବ ନାହିଁ । ୨୦୪୭ ସୁଦ୍ଧା ଭାରତକୁ ସବୁଠାରୁ ବକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ଚେଷ୍ଟା କରାଯାଉଛି । ସେପଟେ ଅନୁପ୍ରବେଶକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ସେ ପଶ୍ଚିମବଙ୍ଗ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ୨ ହଜାର ୫୦୦ କିଲୋମିଟର ସୀମା ମଧ୍ୟରୁ ୪୫୦ କିଲୋମିଟରରେ ତାରବାଡ ଲଗାଯାଇପାରୁନାହିଁ । ପଶ୍ଚିମବଙ୍ଗ ସରକାର ଏଥିଲାଗି ଜମି ପ୍ରଦାନ କରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

କେବେ ଖୋଲିବ ବନ୍ଦ ଥିବା ପ୍ରାଥମିକ ସ୍କୁଲ ? ସରକାରଙ୍କୁ ଗୃହରେ ଘେରିଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟରେ ବନ୍ଦ ପଡିଥିବା ପ୍ରାଥମିକ ସ୍କୁଲକୁ ପୁଣି ଖୋଲିବା ପ୍ରସଙ୍ଗ। ନିର୍ବାଚନ ସମୟରେ ବିଜେପି ସବୁ ବନ୍ଦ ସ୍କୁଲ ଖୋଲିବାକୁ ଘୋଷଣା କରିଥିଲା। ହେଲେ ଏ ଯାଏଁ ହୋଇପାରିଲାନି। ପ୍ରଶାସନ କହୁଛି ସ୍କୁଲ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇନାହାନ୍ତି। ପୁଣି କେଉଁଠି ଖୋଲିବାକୁ ଆବେଦନ କରାଯିବ। ଏ ସବୁ ପ୍ରଶ୍ନ ଉପସ୍ଥାପନ କରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଘେରିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା।

ସେପଟେ ବିଧାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଥିଲେ ଗଣଶିକ୍ଷାମନ୍ତ୍ରୀ। କହିଥିଲେ, ବର୍ତ୍ତମାନ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ କୌଣସି ପ୍ରସ୍ତାବ ଆସିନି। ପ୍ରଥମେ ଜିଲ୍ଲା କମିଟି ଯାଞ୍ଚ କରି ରାଜ୍ୟସ୍ତରୀୟ କମିଟିକୁ ଯାଞ୍ଚ ପାଇଁ ପଠାଇବ। ରାଜ୍ୟ ସ୍ତରୀୟ କମିଟି ସ୍କୁଲ ଖୋଲିବାକୁ ସୁପାରିସ କରିବେ।ପିଲା କମ ଥିବାରୁ ପାଖ ସ୍କୁଲରେ ୫ ହଜାର ୬୩୨ସ୍କୁଲ ମିଶ୍ରଣ ହୋଇଛି।ଏନେଇ ଗତ ୨୦୨୦ ମାର୍ଚ୍ଚ ୧୧ ତାରିଖରେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା।

ସେହିପରି ୨୧୫୨ସାଟେଲାଇଟ ସ୍କୁଲକୁ ୧୦୦ ମିଟର ମଧ୍ୟରେ ଥିବା ପାଖ ସ୍କୁଲରେ ମିଶ୍ରଣ କରାଯାଇଛି। ସଂରକ୍ଷିତ ଅଞ୍ଚଳରେ ୨୦ ଓ ଅଣସଂରକ୍ଷିତ ଅଞ୍ଚଳରେ ୪୦ ପିଲା ଥିଲେ ସ୍କୁଲ ଖୋଲିବାକୁ ବିଚାର କରାଯିବ। ଏହି ପ୍ରକ୍ରିୟା ଅନୁସାରେ ଆବେଦନ କରାଯିବ ବୋଲି ଗୃହକୁ ଅବଗତ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେପଟେ ଶିକ୍ଷା ଅବ୍ୟବସ୍ଥା ନେଇ ପ୍ରଶ୍ନ କରିଥିଲେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ। ଗୋଡିପଦର ଓ ବଳରାମପୁର ପଂଚାୟତରେ ସ୍କୁଲ ନଥିବାରୁ ସୀମାନ୍ତ ଆନ୍ଧ୍ରପ୍ରଦେଶକୁ ପଢିବାକୁ ପିଲା ଯାଉଥିବା କହିଛନ୍ତି। ବ୍ଲକ ଗ୍ରାଣ୍ଟ ଓ ଅନୁଦାନପ୍ରାପ୍ତ ସ୍କୁଲରେ ଶିକ୍ଷକ ବି ନାହାନ୍ତି। ଏହାର ଉତ୍ତରେ ମନ୍ତ୍ରୀ କହିଛନ୍ତି, ଯେଉଁଠି ଶିକ୍ଷକ ନାହାନ୍ତି ସେଠାରେ ଅତିଥି ଶିକ୍ଷକ ଜରିଆରେ ପାଠ ପଢାଯାଉଛି

ସାଂସଦ ଇମରାନ ପ୍ରତାପଗଡ଼ିଙ୍କ ବିରୋଧରେ ଆଗତ ଏଫଆଇଆର ରଦ୍ଦ କଲେ ସୁପ୍ରିମକୋର୍ଟ

ନନ୍ଦିଘୋଷ ବ୍ୟୁରୋ : କଂଗ୍ରେସର ରାଜ୍ୟସଭା ସାଂସଦ ଇମରାନ ପ୍ରତାପଗଡ଼ିଙ୍କ ବିରୋଧରେ ଆଗତ ଏଫଆଇଆରକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଇନଷ୍ଟାଗ୍ରାମରେ ୟେ ଖୁନ କେ ପ୍ୟାସେ ବାତ୍ ଶୁନୋ ନାମକ ଏକ କବିତାକୁ ପୋଷ୍ଟ କରିବା ପରେ ତାଙ୍କ ବିରୋଧରେ ହୋଇଥିଲା ଏତଲା। ସୁପ୍ରିମକୋର୍ଟ କହିଛନ୍ତି- ବାକ୍ ସ୍ବାଧୀନତା ଓ ଇଚ୍ଛା ପ୍ରକାଶ କରିବାର ସ୍ବାଧୀନତାର ସୁରକ୍ଷା ଲାଗି ଅଦାଲତ ଧ୍ଯାନ ଦେବା ଦରକାର।

ଜଷ୍ଟିସ ଅଭୟ ଏସ. ଓକା ଓ ଉଜ୍ଜ୍ବଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି- ଗୁଜରାଟ ପୋଲିସର ମନମାନିକୁ ସମାଲୋଚନା କରିବା ଏକ ଅପରାଧ ନୁହେଁ। କହିବାର ଅଧିକାର ଉପରେ କଟକଣା ସବୁଠି କରାଯାଇପାରିବ ନାହିଁ। ସମ୍ବିଧାନର ଧାରା ୧୯(୧) ଅନୁସାରେ ନାଗରିକଙ୍କୁ ପ୍ରଦାନ କରାଯାଇଥିବା ସ୍ବାଧୀନତାର ଗ୍ୟାରେଣ୍ଟିକୁ ଏଡାଇଦିଆଯାଇପାରିବ ନାହିଁ। କବିତା, ନାଟକ, ଫିଲ୍ମ, ଷ୍ଟାଣ୍ଡ-ଅପ କମେଡି, ବ୍ୟଙ୍ଗ, କଳା ଆଦି କ୍ଷେତ୍ର ଜୀବନକୁ ଅଧିକ ସାକାର କରିଥାଏ।

ପ୍ରତାପଗଡ଼ୀଙ୍କ କବିତା ସାମାଜିକ ଅସ୍ଥିରତା ସୃଷ୍ଟି କରୁଛି ବୋଲି ତାଙ୍କ ବିରୋଧରେ ଗୁଜରାଟ ଜାମନଗର ପୋଲିସ ଷ୍ଟେସନରେ ଗତ ଜାନୁଆରୀ ୩ରେ ଏକ ଏଫଆଇଆର ରୁଜୁ ହୋଇଥିଲା। ଏହି ଏଫଆଇଆରକୁ ରଦ୍ଦ କରିବା ଲାଗି ଗୁଜରାଟ ହାଇକୋର୍ଟ ଅଗ୍ରାହ୍ୟ କରିବା ପରେ ସୁପ୍ରିମକୋର୍ଟ ଯାଇଥିଲେ ପ୍ରତାପଗଡ଼ୀ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମ୍ପର୍କରେ କମେଡିଆନ କୁନାଲ କାମରାଙ୍କ ବ୍ୟଙ୍ଗକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିବାବେଳେ ସୁପ୍ରିମକୋର୍ଟଙ୍କ ଏହି ରାୟ ଅନେକ ଗୁରୁତ୍ବ ବହନ କରିଛି। ସେପଟେ ସମ୍ବିଧାନର କପି ଧରି ସଂସଦରେ ପ୍ରବେଶ କରିଛନ୍ତି ପ୍ରତାପଗଡ଼ି।

ମିରଟ ଘଟଣା ପରେ ଭୟରେ ନିଜ ସ୍ତ୍ରୀକୁ ପ୍ରେମିକ ସହ ବାହା କରାଇଲା ସ୍ୱାମୀ

ନନ୍ଦିଘୋଷ ବ୍ୟୁରୋ :  ପ୍ରେମିକ ସହ ମିଶି ସ୍ତ୍ରୀ ସ୍ୱାମୀକୁ ହତ୍ୟାକରି ଡ୍ରମରେ ଭର୍ତ୍ତି କରିବା ଘଟଣା ପରେ ଭୟରେ ନିଜ ସ୍ତ୍ରୀକୁ ପ୍ରେମିକ ସହ ବାହାଘର କରାଇଲେ ଉତ୍ତରପ୍ରଦେଶର ଜଣେ ଯୁବକ । ଏ ଘଟଣା ଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଉତ୍ତରପ୍ରଦେଶର ସନ୍ଥ କବୀର ନଗର ଜିଲାରେ ବବ୍‌ଲୁ ନାମକ ଜଣେ ବ୍ୟକ୍ତି ଭୟରେ ନିଜ ସ୍ତ୍ରୀ ରାଧିକାଙ୍କୁ ତାଙ୍କ ପ୍ରେମିକ ବିଶାଲଙ୍କ ସହ ବିବାହ କରାଇଛନ୍ତି।

ନିକଟରେ ମିରଟରେ ମୁସ୍କାନ ରାସ୍ତୋଗୀ ନାମ୍ନୀ ମହିଳା ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିବା ଘଟଣା ସମ୍ପର୍କରେ ଶୁଣିବା ପରେ ବବ୍‌ଲୁ ନିଜ ସୁରକ୍ଷାକୁ ନେଇ ଏପରି ପଦକ୍ଷେପ ନେଇଛନ୍ତି । ତେଣୁ ଭୟରେ ସେ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକଙ୍କ ସହ ବିବାହ କରାଇଥିବା କହିଛନ୍ତି ବବ୍‌ଲୁ । ଏହାସହ ୨ ପିଲାଙ୍କ ଲାଳନପାଳନ କଥା ସେ ବୁଝିବେ ବୋଲି ସ୍ତ୍ରୀ ରାଧିକାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ସ୍ଥାନୀୟ ଧନଘଟା ଥାନା କତାରମିଶ୍ରା ଗ୍ରାମରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବବ୍‌ଲୁଙ୍କ ବିବାହ ୨୦୧୭ରେ ଗୋରଖପୁରର ରାଧିକାଙ୍କ ସହ ହୋଇଥିଲା। ବିବାହ ପରେ ରାଧିକାଙ୍କର ୨ ପିଲା ହୋଇଥିଲେ। ବର୍ତ୍ତମାନ ସେମାନଙ୍କର ବୟସ ୭ ଏବଂ ୨ ବର୍ଷ। ତେବେ ପ୍ରାୟ ଦେଢ଼ବର୍ଷ ତଳେ ରାଧିକାଙ୍କର ସେହି ଗ୍ରାମର ବିଶାଲ କୁମାର ନାମକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଧୀରେ ଧୀରେ ସମ୍ପର୍କ ଗଭୀର ହେବା ପରେ ରାଧିକା ନିଜ ୨ ପିଲା ଓ ସ୍ବାମୀଙ୍କୁ ଛାଡ଼ି ବିଶାଲଙ୍କୁ ବିବାହ କରିବାକୁ ସ୍ଥିର କରିଥିଲେ। ସପ୍ତାହେ ତଳେ ସେ ବିଶାଲଙ୍କ ସହ ଘରୁ ପଳାଇ ଯାଇଥିଲେ। ତେବେ ସୋମବାର ଉଭୟ ରାଧିକା ଓ ବିଶାଲ ଏକସଙ୍ଗେ ଘରକୁ ଫେରିଥିଲେ। ବିଶାଲଙ୍କୁ ବିବାହ କରିବାକୁ ସେ ଚାହୁଁଥିବା ନେଇ ରାଧିକା ନିଜ ସ୍ବାମୀ ଓ ଶ୍ୱଶୁର ଘର ଲୋକଙ୍କୁ କହିଥିଲେ। ଗ୍ରାମବାସୀ ବହୁ ବୁଝାଶୁଝା କରିବା ସତ୍ତ୍ୱେ ରାଧିକା ବିଶାଲଙ୍କୁ ବିବାହ କରିବା ପାଇଁ ଅଡ଼ି ବସିଥିଲେ। ଫଳରେ ବବ୍‌ଲୁ ରାଧିକା ଓ ବିଶାଲଙ୍କୁ ଧନଘଟା ତହସିଲ ନେଇଯାଇଥିଲେ। ସେଠାରେ ରାଧିକା ଓ ବିଶାଲଙ୍କ ବିବାହକୁ ନେଇ ଏକ ବୁଝାମଣା ପ୍ରସ୍ତୁତ ହୋଇଥିଲା। ଏହାପରେ ସେମାନେ ବାବା ଦାନୀନାଥ ମନ୍ଦିରରେ ପହଞ୍ଚିଥିଲେ। ସ୍ବାମୀ ବବ୍‌ଲୁ ଓ ନିଜ ୨ ପିଲାଙ୍କ ସମ୍ମୁଖରେ ରାଧିକା ତାଙ୍କ ପ୍ରେମିକ ବିଶାଲଙ୍କୁ ବରଣମାଳା ପିନ୍ଧାଇଥିଲେ।

ଘଟଣାକୁ ନେଇ ବବ୍‌ଲୁ କହିଛନ୍ତି, ବିଶାଲଙ୍କ ସହ ରାଧିକାଙ୍କର ପ୍ରେମ ସମ୍ପର୍କ ଥିବା ନେଇ ସେ ବହୁ ପୂର୍ବରୁ ଜାଣିସାରିଥିଲେ। ବିଶାଲଙ୍କ ସହ ସମ୍ପର୍କ ନ ରଖିବାକୁ ସେ ସ୍ତ୍ରୀଙ୍କୁ ବହୁବାର ବୁଝାଇଥିଲେ। ତେବେ ତାଙ୍କ କଥାକୁ ରାଧିକା ଶୁଣି ନ ଥିଲେ। ପ୍ରେମିକଙ୍କ ସହାୟତାରେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ହତ୍ୟା କରୁଥିବା ନେଇ ଅନେକ ଖବର କିଛିଦିନ ମଧ୍ୟରେ ପ୍ରକାଶ ପାଇଥିଲା। ଏଭଳି ଖବର ବବ୍‌ଲୁଙ୍କୁ ବିଚଳିତ କରିଥିଲା।

ଖାସ୍‌କରି ମିରଟ ଘଟଣା ପରେ ସେ ରାଧିକାଙ୍କ ଇଚ୍ଛା ଅନୁଯାୟୀ, ତାଙ୍କ ବିବାହ ବିଶାଲଙ୍କ ସହ କରାଇବେ ବୋଲି ସ୍ଥିର କରିଥିଲେ। ତେଣୁ ସେ ନିଜର ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ତ୍ରୀଙ୍କ ବିବାହ ତାଙ୍କ ପ୍ରେମିକଙ୍କ ସହ କରାଇବାକୁ ନିଷ୍ପତ୍ତି ନେଇଥିଲେ। ତେବେ ରାଧିକା ଏବଂ ବବ୍‌ଲୁ ପରସ୍ପରକୁ ଛାଡ଼ପତ୍ର ଦେଇନାହାନ୍ତି। ତେଣୁ ବିଶାଲଙ୍କ ସହ ରାଧିକାଙ୍କ ବିବାହ ବୈଧତାକୁ ନେଇ ପଚରାଯିବାରୁ ବବ୍‌ଲୁ କହିଛନ୍ତି, ଏହା ସମ୍ପୂର୍ଣ୍ଣ ବୈଧ ବିବାହ। ଗ୍ରାମବାସୀଙ୍କ ସମ୍ମୁଖରେ ମନ୍ଦିରରେ ଏହି ବିବାହ ଅନୁଷ୍ଠିତ ହୋଇଛି। ସେହିପରି ଏହି ବିବାହକୁ ନେଇ ତାଙ୍କ ପରିବାର ସଦସ୍ୟଙ୍କର କୌଣସି ଆପତ୍ତି ନ ଥିବା ବବ୍‌ଲୁ କହିଛନ୍ତି।

ପୁଣି ଘଣ୍ଟ ବାଡେଇ ପ୍ରତିବାଦ କଲା କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ : ନିଆରା ଢଙ୍ଗରେ କଂଗ୍ରେସର ପ୍ରତିବାଦ। ଘଣ୍ଟ ବାଡେଇ ପ୍ରତିବାଦ କରିଛି କଂଗ୍ରେସ। ଆଜି ସକାଳେ ଘଣ୍ଟ ବାଡ଼େଇ କଂଗ୍ରେସ ବିଧାୟକମାନେ କଂଗ୍ରେସ ଭବନରୁ ପଦଯାତ୍ରାରେ ଏକ ମନ୍ଦିରକୁ ଯାଇଥିଲେ। ସେଠାରେ ଦୀପଦାନ କରି ପୋଲିସ ମାଡ଼ରେ ଆହତ କର୍ମୀଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ଏହା ସହିତ କଂଗ୍ରେସ ବିଧାୟକମାନେ କହିଛନ୍ତି, ଆମେ ମଧ୍ୟ ଭଗବାନଙ୍କ ନିକଟରେ ପ୍ରାର୍ଥନା କଲ, ସେ ବିଜେପିକୁ ସଦବୁଦ୍ଧି ପ୍ରଦାନ କରନ୍ତୁ।

ସ୍ତ୍ରୀକୁ ହତ୍ୟା କରି ସୁଟକେସରେ ମୃତଦେହ ଭର୍ତ୍ତି କଲା ସ୍ୱାମୀ

ବେଙ୍ଗାଲୁରୁ : ପୁଣି ବେଙ୍ଗାଲୁରେ ଚାଞ୍ଚଲ୍ୟ । ସ୍ତ୍ରୀକୁ ହତ୍ୟା କରି ସୁଟକେସରେ ମୃତଦେହ ଭର୍ତ୍ତି କଲା ସ୍ୱାମୀ । ଏଭଳି ଘଟଣା ଭିଆଇ ଭେରାର ହୋଇଯାଇଥିଲା ଅଭିଯୁକ୍ତ ସ୍ୱାମୀ । ବେଙ୍ଗାଲୁରୁ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ରାକେଶଙ୍କ ଘର ମହାରାଷ୍ଟ୍ରରେ ହୋଇଥିବା ବେଳେ, କଲ୍ ଡିଟେଲ୍ ରେକର୍ଡ  ବ୍ୟବହାର କରି ତାଙ୍କୁ ଟ୍ରାକ୍ କରି ପୁଣେ ପୋଲିସ ଅଟକ ରଖିଛି।

ରାକେଶ ତାଙ୍କ ସ୍ତ୍ରୀଙ୍କ ପିତାମାତାଙ୍କୁ ଫୋନ୍ କରି ହତ୍ୟା କରିଥିବା ସ୍ୱୀକାର କରିବା ପରେ ଘଟଣା ସାମ୍ନାକୁ ଆସିଥିଲା। ପୀଡିତା, ୩୨ ବର୍ଷୀୟ ଗୌରୀ ଅନିଲ ସାମ୍ବେକରଙ୍କ ଗଣମାଧ୍ୟମ ଏବଂ ଯୋଗାଯୋଗରେ ଶିକ୍ଷା ଗ୍ରହଣ କରିଥିଲେ। ତେବେ ସେ ବେକାର ଥିଲେ ଏବଂ ଘରେ ରହୁଥିଲେ, ଯେତେବେଳେ ରାକେଶ ହିଟାଚିରେ ପ୍ରୋଜେକ୍ଟ ମ୍ୟାନେଜର ଭାବରେ କାମ କରୁଥିଲେ। ମୂଳତଃ ମହାରାଷ୍ଟ୍ରର ଏହି ଦମ୍ପତି ଗତ ଦୁଇ ମାସ ଧରି ହୁଲିମାଭୁ ଥାନା ଅନ୍ତର୍ଗତ ଡୋଡ୍ଡାକାନ୍ନାହଲ୍ଲିରେ ରହୁଥିଲେ।

ପୋଲିସ ସୂତ୍ର ଅନୁସାରେ, ରାକେଶ ଏବଂ ଗୌରୀଙ୍କ ମଧ୍ୟରେ ପ୍ରାୟତଃ ଯୁକ୍ତିତର୍କ ହେଉଥିଲା, ଏବଂ ଝଗଡ଼ା ସମୟରେ ସେ ତାଙ୍କୁ ଶାରୀରିକ ଆକ୍ରମଣ କରିଥିବା ରିପୋର୍ଟ ଆସିଥିଲା। ମାର୍ଚ୍ଚ ୨୬ ରେ ଯୁକ୍ତିତର୍କ ସୀମା ଟପିଥିଲା, ଯାହା ଫଳରେ ରାକେଶ ଗୌରୀଙ୍କ ପେଟରେ ଛୁରି ଭୁସି ତାଙ୍କ ଗଳା କାଟି ଦେଇଥିଲେ। ତା’ପରେ ସେ ତାଙ୍କ ମୃତଦେହକୁ ଏକ ସୁଟକେସରେ ଭର୍ତ୍ତି କରି ପୁନେ ପଳାଇବା ପୂର୍ବରୁ ବାଥରୁମରେ ଛାଡି ଦେଇଥିଲେ।

ଡେପୁଟି କମିଶନର ଅଫ୍ ପୋଲିସ (ଦକ୍ଷିଣ ପୂର୍ବ) ସାରା ଫାତିମା ପ୍ରକାଶ କରିଛନ୍ତି ଯେ ପୋଲିସ ପ୍ରଥମେ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଏକ ଫୋନ୍ ପାଇଥିଲା ଯେଉଁଥିରେ ଏକ ସନ୍ଦେହଜନକ ହତ୍ୟା ମାମଲା ସମ୍ପର୍କରେ ସୂଚନା ଦିଆଯାଇଥିଲା।

“ଯେତେବେଳେ ଆମର ହୁଲିମାଭୁ ପୋଲିସ ଇନ୍ସପେକ୍ଟର ଘରେ ପହଞ୍ଚିଲେ, ତାହା ବନ୍ଦ ଥିଲା। ପ୍ରବେଶ କରିବା ପରେ, ସେମାନେ ବାଥରୁମରେ ଏକ ସୁଟକେସ ପାଇଲେ। ସେତେବେଳେ ଆମେ ଜାଣିଲୁ ଯେ ଏହା ଏକ ଅପରାଧ। ଫରେନସିକ(FSL) ଦଳ ସୁଟକେସ ଖୋଲିଲା ଏବଂ ସାରା ଶରୀରରେ ଆଘାତ ଚିହ୍ନ ଥିବା ଜଣେ ମହିଳାଙ୍କ ମୃତଦେହ ପାଇଥିବା,” ସେ କହିଛନ୍ତି।  କର୍ତ୍ତୃପକ୍ଷ ରାକେଶଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ନିଖୋଜ ଥିଲେ। ତଦନ୍ତକାରୀମାନେ CDR ମାଧ୍ୟମରେ ତାଙ୍କ ସ୍ଥାନ ଟ୍ରାକ୍ କରିଥିଲେ ଏବଂ ପୁଣେ ପୋଲିସକୁ ସତର୍କ କରିଥିଲେ, ଯିଏ ତାଙ୍କୁ ଗିରଫ କରିଥିଲା। ଅଧିକ ତଦନ୍ତ ପାଇଁ ତାଙ୍କୁ ବେଙ୍ଗାଲୁରୁ ଫେରାଇ ଆଣିବା ପାଇଁ ହୁଲିମାଭୁ ପୋଲିସର ଏକ ଦଳ ପୁଣେ ଯାତ୍ରା କରିଛି।

ସମ୍ବଲପୁର ଡକାୟତି ମାମଲା; ରିମାଣ୍ଡରେ ଯିବ ମାଷ୍ଟରମାଇଣ୍ଡ

ନନ୍ଦିଘୋଷ ବ୍ୟୁରୋ : ସମ୍ବଲପୁର ମାନାପୁରମ୍ ସୁନା ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁବୋଧ ସିଂହକୁ ପଶ୍ଚିମବଙ୍ଗରୁ ଆଣିଛି ସମ୍ବଲପୁରର ପୋଲିସ। ହୁଗୁଳି ଜେଲ୍‌ରୁ ଟ୍ରାଂଜିଟ ରିମାଣ୍ଡରେ ଅଣାଯାଇଛି। ପଶ୍ଚିମବଙ୍ଗର ଅଦାଲତଙ୍କ ତାକୁ ଟ୍ରାନଜିଟ୍ ରିମାଣ୍ଡରେ ଅଣାଯାଇଛି। ଆଜି ସମ୍ବଲପୁର କୋର୍ଟ ରେ କରାଯିବ ହାଜର। ସୁବୋଧକୁ ରିମାଣ୍ଡରେ ନେଇ ପଚରା ଉଚରା କରିବାକୁ ସମ୍ବଲପୁର ପୋଲିସ ଯୋଜନା କରିଛି। ଆଜି କୋର୍ଟରେ ହାଜର କରିବା ବେଳେ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିବ। ଗତ ଜାନୁଆରି ୩ ତାରିଖ ସୁବୋଧ ର ନିର୍ଦ୍ଧେଶ ରେ ବୁଢାରାଜା ମନ୍ନପୂରମ ଗୋଲଡ଼ ଲୋନ ବେଙ୍କ ରୁ ହୋଇଥିଲା ଡକାୟତି

ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ସଫା

ନନ୍ଦିଘୋଷ ବ୍ୟୁରୋ : ଜମ୍ମୁ କାଶ୍ମୀରରେ ସେନାର ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ସଫା। ଜମ୍ମୁ-କାଶ୍ମୀର କାଠୁଆରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇ ୫ ଆତଙ୍କୀ ନିପାତ ହୋଇଛନ୍ତି। ଏନକାଉଣ୍ଟରରେ ୨ ଯବାନ ଆହତ ହୋଇଛନ୍ତି।ଗତ ରବିବାର ଠାରୁ ଚାଲିଛି ଏହି ସର୍ଚ୍ଚ ଅପରେସନ। ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟ ପରେ ଖସି ପଳାଇବାରେ ସଫଳ ହୋଇଥିଲେ ଆତଙ୍କବାଦୀ । ପାକିସ୍ତାନରୁ ନୂତନ ଭାବେ ଖୋଳାଯାଇଥିବା ସୁଡ଼ଙ୍ଗ କିମ୍ବା ଘାଟି ରାସ୍ତା ଦେଇ ଆତଙ୍କବାଦୀ ଆସିଥିବା ସନ୍ଦେହ କରାଯାଉଛି। ଜାଖୋଲେ ଗାଁ ନିକଟରେ ଘଟିଥିଲା ଏନକାଉଣ୍ଟର। ଏବେବି ଅନେକ ଆତଙ୍କବାଦୀ ଲୁଚିଥିବା ସନ୍ଦେହ କରାଯାଉଛି।

ଆତଙ୍କବାଦୀଙ୍କୁ ଠାବ କରିବାକୁ ଡ୍ରୋନର ସହାୟତା ନିଆଯାଇଥିଲା। ଏହି ଅପରେସନ ଏବେ ଚତୁର୍ଥ ଦିନରେ ପହଞ୍ଚିଛି। ହୀରାନଗର ସେକ୍ଟରରୁ ପ୍ରାୟ ୩୦ କିଲୋମିଟର ଦୂର ରାଜବାଗର ଘାଟି ଜୁଥାନାର ଜାଖୋଲେ ଗାଁ ନିକଟରେ ଘଟିଥିଲା ଏ ଗୁଳିବିନିମୟ। ଅପରେସନରେ ସେନାର ଯବାନଙ୍କ ସହ NSG, BSF ଏବଂ CRPFର ଯବାନ ସାମିଲ ହୋଇଛନ୍ତି। ଅପରେସନରେ ସୁରକ୍ଷାକର୍ମୀ ଚାରିଟି M4 କାର୍ବାଇନ୍ ମ୍ୟାଗାଜିନ୍, ଦୁଇଟି ଗ୍ରେନେଡ୍, ଗୋଟିଏ ବୁଲେଟ୍ ପୃଫ ଜ୍ୟାକେଟ୍, ସ୍ଲିପିଂ ବ୍ୟାଗ୍, ଟ୍ରାକସୁଟ୍ ଏବଂ ଖାଦ୍ୟ ସାମଗ୍ରୀର ଏକାଧିକ ପ୍ୟାକେଟ ଉଦ୍ଧାର କରିଥିଲେ। ଏନକାଉଣ୍ଟର ସ୍ଥଳରୁ IED ତିଆରିରେ ବ୍ୟବହୃତ ସାମଗ୍ରୀ ଥିବା ପଲିଥିନ୍ ବ୍ୟାଗ ମଧ୍ୟ ମିଳିଥିଲା।

ଜଷ୍ଟିସ ଯଶବନ୍ତ ବର୍ମାଙ୍କ ଘରୁ ଟଙ୍କା ଜବତ ଘଟଣା ; ଅନ୍ୟ ହାଇକୋର୍ଟକୁ ବଦଳିକୁ ଓକିଲ ସଂଘର ବିରୋଧ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ଜଷ୍ଟିସ ଯଶବନ୍ତ ବର୍ମାଙ୍କ ଘରୁ ବିପୁଳ ପରିମାଣର ଟଙ୍କା ଜବତ ଘଟଣା। ବିଚାରପତିଙ୍କ ଅନ୍ୟ ହାଇକୋର୍ଟଙ୍କୁ ବଦଳି ନିଷ୍ପତ୍ତି ନେଇ ପୁନର୍ବିଚାର କରିବ ସୁପ୍ରିମକୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟ ପ୍ରଧାନ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନାଙ୍କ ନିକଟରେ ୬ ଓକିଲ ସଂଘର ଅଧ୍ୟକ୍ଷ ସାକ୍ଷାତ କରିଥିଲେ। ଏହାପରେ ଦିଲ୍ଲୀ ହାଇକୋର୍ଟ ଜଷ୍ଟିସ ଯଶବନ୍ତ ବର୍ମାଙ୍କ ବଦଳିକୁ ପ୍ରତ୍ଯାହାର କରିବା ପରେ ବିଚାର କରିବେ ବୋଲି ଆଶ୍ଵାସନା ଦେଇଛନ୍ତି। ଗତ ୧୪ ମାର୍ଚ୍ଚରେ ଘଟିଥିଲା ଅଗ୍ନିକାଣ୍ଡ ଘଟଣା ସମୟରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କ ଘରୁ ବିପୁଳ ପରିମାଣର ଅଧାଜଳା ଟଙ୍କା ମିଳିଥିଲା। ଏହାପରେ ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ବର୍ମାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି ନେଇ ନିଷ୍ପତ୍ତି ନେଇଥିଲା। ତେବେ ଏହାକୁ ନେଇ ବିଭିନ୍ନ ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଦୁର୍ନୀତି ଅଭିଯୋଗ ଥିବା ବିଚାରପତିଙ୍କୁ ଓକିଲ ସଂଘ ଗ୍ରହଣ କରିବ ନାହିଁ ବୋଲି କହିଥିଲେ ବିଭିନ୍ନ ଓକିଲ ସଂଘ।

ଆହ୍ଲାବାଦ ବାର ଆସୋସିଏସନ ସୁପ୍ରିମକୋର୍ଟ କଲେଜିୟମର ନିଷ୍ପତ୍ତିର ପ୍ରତିବାଦ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଆରମ୍ଭ କରିଥିଲା। ଦୁର୍ନୀତି ଅଭିଯୋଗର ସମ୍ମୁଖୀନ ହେଉଥିବା ବିଚାରପତିମାନଙ୍କୁ ଏହା ସହ୍ୟ କରିବ ନାହିଁ ବୋଲି ଓକିଲ ସଂଘ କହିଥିଲା। ପ୍ରଧାନ ବିଚାରପତିଙ୍କ ପ୍ରତିଶ୍ରୁତି ପରେ ବାର ସଂଗଠନ କହିଛି ଯେ ଏହା ଧର୍ମଘଟ ଜାରି ରଖିବା ବିଷୟରେ ପୁନର୍ବିଚାର କରିବ। CJI ଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ, ବାର ସଂଗଠନଗୁଡ଼ିକ କହିଛନ୍ତି ଯେ ନ୍ୟାୟପାଳିକାରୁ ଦୁର୍ନୀତି ଦୂର କରାଯିବା ଆବଶ୍ୟକ ଏବଂ ଏହି ମାମଲାରେ ଫୌଜଦାରୀ ଆଇନ ଲାଗୁ କରିବାକୁ CJI ଙ୍କୁ ଅନୁରୋଧ କରିଛନ୍ତି

ରାଉରକେଲାରେ ଫୁଟିଲା ଗୁଳି ; ଜଣେ ଯୁବକଙ୍କୁ ଟାର୍ଗେଟ କରି ୨ ରାଉଣ୍ଡ ଫାୟାରିଂ

ରାଉରକେଲା : ରାଉରକେଲାରେ ଫୁଟିଲା ଗୁଳି। ଗତ ରାତିରେ ଦେଓଗାଁ ମା ତାରିଣୀ ହୋଟେଲ ସମ୍ମୁଖରେ ଜଣେ ଯୁବକଙ୍କୁ ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି। ସେ ହେଲେ ଲାଲଟାଙ୍କି ଅଞ୍ଚଳର ଦିବ୍ୟଜ୍ୟୋତି ମହାନ୍ତି। ତାଙ୍କୁ ଲକ୍ଷ୍ୟ କରି ଦୁଇ ରାଉଣ୍ଡ ଫାୟାରିଂ କରାଯାଇଥିଲା। ତେବେ ସୈାଭାଗ୍ୟ ଵଶତ ଦିବ୍ୟଜ୍ୟୋତିଙ୍କ ଦେହରେ ଗୁଳି ବାଜି ନାହିଁ। ସେ ବର୍ତ୍ତି ଯାଇଛନ୍ତି। ଅଭିଯୁକ୍ତମାାନେ ଫେରାର ହୋଇଯାଇଥିଲେ । ସେମାନଙ୍କ ବାଇକ ଜଵତ କରି ରଘୁନାଥପାଲି ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ଜଣକୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି।