ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା କୋଟାମଣି ପାହାଡ ତଳ ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ଖପୁରୀ, ପିଞ୍ଜରା ହାଡ ଜବତ । ଘଟଣାସ୍ଥଳରୁ ପ୍ୟାଣ୍ଟ୍ ସାର୍ଟ ସହ ଅଧା ପୋଡ଼ା ଅବସ୍ଥାରେ ଦୁଇଟି ମୋବାଇଲ ଓ ମାଳି ଜବତ କରିଛି ପୋଲିସ। ଜଣେ ବ୍ୟକ୍ତି ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇଥିବା ବେଳେ ମଣିଷ ଖପୁରୀ , ଓ ହାଡ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇବା ପରେ ସରପଞ୍ଚ ସୋରଡ଼ା ଥାନାକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ସୋରଡ଼ା ପୋଲିସ ପହଞ୍ଚି ଖପୁରୀ ଓ ହାଡ ଜବତ କରିଛି । ପୁରୁଷ ପ୍ୟାଣ୍ଟ ହୋଇଥିବାରୁ ହାଡ କଙ୍କାଳ ଗୁଡ଼ିକ କୌଣସି ବ୍ୟକ୍ତିଙ୍କ ହୋଇଥିବା ଅନୁମାନ କରାଯାଉଛି। ସାଇଣ୍ଟଫିକ ଟିମର ତଦନ୍ତ ପରେ ଉକ୍ତ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ପରିଚୟ ସହ ମୃତ୍ୟୁର କାରଣ ଜଣାପଡିବ ବୋଲି ସୋରଡ଼ା ଥାନା ଅଧିକାରୀ କହିଛନ୍ତି ।
ଶରଣ ଶ୍ରୀକ୍ଷେତ୍ର ମାରଦାରେ ‘ ବ୍ରହ୍ମ ଶରଣମ୍’ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ
ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଳକ ଅନ୍ତର୍ଗତ ଶିଳ୍ପଗ୍ରାମ ମଥୁରା ପଞ୍ଚାୟତ ନିକଟସ୍ଥ ଲୀଳା କ୍ଷେତ୍ର ଶରଣ ଶ୍ରୀକ୍ଷେତ୍ର ମାରଦା ପୀଠ ପରିସରରେ ‘ ବ୍ରହ୍ମ ଶରଣମ୍ ‘ ଜାତୀୟ ଚିତ୍ରଶିଳ୍ପୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଜଗନ୍ନାଥଙ୍କ ଲୀଳାମୟ କଥାବସ୍ତୁକୁ ଲୋକଲୋଚନକୁ ଆଣିବାର ପ୍ରୟାସ ନେଇ ଉଡ୍ ଫାୟାର ଓ ଭିଜନ କେୟାରର ସହଯୋଗିତା ଏବଂ ଗଞ୍ଜାମ ଏକାଡେମୀ ଅଫ୍ ଫାଇନ୍ ଆର୍ଟ ଓ ଚନ୍ଦମା ଆର୍ଟ ଫାଉଣ୍ଡେସନର ମିଳିତ ପରିଚାଳନାରେ ଅନୁଷ୍ଠିତ ତିନି ଦିନିଆ କର୍ମଶାଳା ମଥୁରା ମଠାଧିଶ ପୁଜ୍ୟପାଦ ମହନ୍ତ ସୁନ୍ଦର ରାମଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଶିଷ୍ଠ ଚିତ୍ରଶିଳ୍ପୀ ବଳଦେବ ମହାରଥା, ଜଗନ୍ନାଥ ତତ୍ବ ଗବେଷକ ଡଃ ଅସିତ ମହାନ୍ତି, ଅନନ୍ୟ ଶ୍ରୀ ଜଗନ୍ନାଥର ସମ୍ପାଦକ ପିତବାସ ରାଉତରାୟ, ଗବେଷକ ଡଃ ବ୍ରଜକିଶୋର ପାଢି, ଗବେଷକ ଡଃ ବିଭୁତି ମହାପାତ୍ର ,ଗଞ୍ଜାମ ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା,ଉଡ୍ ଫାୟାରର ଫାଉଣ୍ଡର ସନ୍ତୋଷ ଚୌଧୁରୀ ,ଭିଜନ କେୟାର୍ ର ଫାଉଣ୍ଡର ଶ୍ରୀମନ୍ଥ ମିଶ୍ର ,ନାରାୟଣ ମହାଙ୍କୁଡ, ଅନିଲ କୁମାର ପାତ୍ର ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗଦେଇ ଅଂଶ ଗ୍ରହଣକାରୀ ଚିତ୍ରଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ।
ମାର୍ଚ୍ଚ ୨୧ ରୁ ମାର୍ଚ୍ଚ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କର୍ମଶାଳାରେ ରବୀନ୍ଦ୍ର କୁମାର ମହାରଣା, ଜଗବନ୍ଧୁ ମହାପାତ୍ର, ରାଜେନ୍ଦ୍ର ମହାରଣା ପ୍ରମୁଖ ନିମନ୍ତ୍ରିତ ଚିତ୍ରଶିଳ୍ପୀଙ୍କ ସହ ଅରୁଣ କୁମାର ଜେନା, ଅଶୋକ କୁମାର ବେହେରା, ରାଜ କିଶୋର ମହାରଣା, ଜୋସ୍ନାରାଣି ବିଶ୍ବାଳ, ଲିପିଶ୍ରୀ ନାୟକ, ମମତା ସାମନ୍ତରାୟ, ସନ୍ତୋଷ କୁମାର ମହାରଣା, ସୁବାସ ପୂଜାରୀ,ବିଭୁତି ଦାସ, ରାଜେଶ ନାୟକ, ଡଃ ସ୍ଥିତଧୀ ରଥ, ଜନାର୍ଦ୍ଦନ ପରମଗୁରୁ, ନିବେଦିତା ପଟ୍ଟନାୟକ, ପ୍ରଦୀପ କୁମାର ପାଣ୍ଡେ, ପ୍ରଦୋଷ ସ୍ବାଇଁ, ପ୍ରିୟଦର୍ଶିନୀ ମହାନ୍ତି, ଶକ୍ତିମାନ ପଣ୍ଡା, ଜ୍ୟୋତିର୍ମୟୀ ପଟ୍ଟନାୟକ, ଚିତ୍ରସେନ ବିଶୋଇ ପ୍ରମୁଖ ଯୋଗଦେଇ ନିମ୍ବ କାଷ୍ଠ ନିର୍ମିତ ଦାରୁ ପୃଷ୍ଠ ଭୂମିରେ ପ୍ରଭୁ ଜଗନ୍ନାଥଙ୍କ ଲୀଳା ଆଧାରିତ ମହିମାକୁ ନିଜ ନିଜର ସୃଜନାତ୍ମକ ଚିନ୍ତାଧାରାରେ ରଙ୍ଗ ଓ ତୂଳୀର ଯାଦୁକରୀ ସ୍ପର୍ଶରେ କାଷ୍ଠ ଦାରୁକୁ ପୂର୍ଣ୍ଣତା ଲାଭ କରାଇଥିଲେ।
ପାରମ୍ପରିକ ଚିତ୍ରଶିଳ୍ପୀ ରବୀନ୍ଦ୍ର କୁମାର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚିତ୍ରଶିଳ୍ପୀ ମାନଙ୍କୁ ଗଞ୍ଜାମ ଏକାଡେମୀ ଅଫ୍ ଫାଇନ୍ ଆର୍ଟ ଓ ମାରଦା ଉନ୍ନୟନ ପରିଷଦ ପକ୍ଷରୁ ପୁଷ୍ପଗୁଚ୍ଛ,ଉତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇ ଥିଲା। ଚିତ୍ରଶିଳ୍ପୀ ମାନଙ୍କ ଦ୍ଵାରା ଅଙ୍କିତ ଚିତ୍ରକଳାକୁ ନେଇ ଏକ ଅର୍ନ୍ତଜାତୀୟ ଚିତ୍ରକଳା ପ୍ରଦର୍ଶନୀ କରି ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କରାଯିବ ବୋଲି ସଂଯୋଜକ ଡଃ ସ୍ଥିତଧୀ ରଥ ସୂଚନା ଦେଇଛନ୍ତି। ଶେଷରେ ମାରଦା ମହୋତ୍ସବର ସଂପାଦକ ଅବସର ପ୍ରାପ୍ତ ସିଟି ସ୍କୁଲ ର ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ରଥ ଧନ୍ୟବାଦ ଅର୍ପଣ କରିଥିଲେ। ମାରଦା ଉନ୍ନୟନ ପରିଷଦର ସମସ୍ତ ସଦସ୍ୟ ଉପସ୍ଥିତ ରହି ଉକ୍ତ ତିନି ଦିନିଆ ଜାତୀୟ କର୍ମଶାଳାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।
ଆହୁରି ୩ ଦିନ କାଳବୈଶାଖୀ ବର୍ଷାରେ ଭିଜିବ ଓଡ଼ିଶା
ନନ୍ଦିଘୋଷ ବ୍ୟୁରୋ: କାଳବୈଖାଖୀ ପ୍ରଭାବରେ ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା ହେବ। ୧୨ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଙ୍ଗ ସହ କୁଆପଥର ମାଡ଼ ହେବାର ସତର୍କତା ଜାରି କରାଯାଇଛି। ଆଜି ଅନେକ ସ୍ଥାନରେ ବର୍ଷା ହେବା ସହିତ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ୭ରୁ ୧୧ ସେମି ବର୍ଷା ରେକର୍ଡ କରାଯାଇଛି। ବାଲେଶ୍ୱର ,ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, ମୟୂରଭଞ୍ଜ ଓ କେନ୍ଦୁଝରରେ ଅରେଞ୍ଜ ଓ୍ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ କେନ୍ଦ୍ର । ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ଓ କୁଆପଥର ବର୍ଷାକୁ ନେଇ ଜଗତସିଂହପୁର,କଟକ, ଢେଙ୍କାନାଳ, ଅନୁଗୁଳ ଦେଓଗଡ ଓ ସୁନ୍ଦରଗଡରେ ଅରେଞ୍ଜ ଓ୍ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ କେନ୍ଦ୍ର । ଏହି ସମୟରେ ୫୦ ରୁ ୬୦ କିମି ପବନ ବହିବାର ସମ୍ଭାବନା ରହିଛି। ସେହିପରି ଝାରସୁଗୁଡା, ସୋନପୁର ବରଗଡ଼, ସମ୍ବଲପୁର, ବୌଦ୍ଧ, ନୟାଗଡ, କନ୍ଧମାଳ, କଳାହାଣ୍ଡି ପୁରୀ ଗଜପତି, ଗଂଜାମ, ରାୟଗଡା,କୋରାପୁଟ ମାଲକାନଗିରି, ନୂଆପଡା,ବଲାଙ୍ଗୀର ଓ ନବରଙ୍ଗପୁର ରେ ବିଜୁଳି ଘଡଘଡି ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା କାଲିଠାରୁ ବର୍ଷାର ପରିମାଣ କମିବ। ୨୪ ତାରିଖ ଯାଏ ରାଜ୍ୟରେ କାଳ ବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୨୫ ପରେ ପାଗରେ ପରିବର୍ତ୍ତନ ଆସିବ। ପରେ ଧୀରେ ଧୀରେ ତାପମାତ୍ରା ବଢିବା ସହ ୨ ରୁ ୫ ଡିଗ୍ରୀ ତାପମାତ୍ରା ପୁଣି ବୃଦ୍ଧି ହେବ ଓ ଅସମ୍ଭାଳ ତାତି ଦେଖାଯିବ ବୋଲି ପୂର୍ବାନୁମାନ ପାଣିପାଗ ବିଭାଗ। ବାରିପଦାରେ ସର୍ବାଧିକ ୧୨୩.୪ ମିମି ବର୍ଷା ହୋଇଛି। କେନ୍ଦୁଝର ଯୋଡ଼ାରେ ୮୪.୫ ମିମି, ସୁନ୍ଦରଗଡ ରାଜଗାଙ୍ଗପୁରରେ ୭୦.୨ ମିମି, କେନ୍ଦୁଝର ସରପଡା ରେ ୬୧.୬ ମିମି ବର୍ଷା ରେକର୍ଡ ହୋଇଛି।
https://www.youtube.com/watch?v=iHjJqZIcIWQ
ଜାଲ ନମ୍ବର ପ୍ଲେଟ ଲଗାଇ ମିନିଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ଟିମ୍
ନନ୍ଦିଘୋଷ ବ୍ୟୁରୋ: ଗଜପତିରୁ ପୁରୀକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ିବସିଲା ଅବକାରୀ ଟିମ୍। ଜାଲ ନମ୍ବର ପ୍ଲେଟ ଲଗାଇ ମିନିଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିଲା। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ମାଡ଼ିବସିଲା ଖୋର୍ଦ୍ଧା ଏବଂ ବାଲୁଗାଁ ଅବକାରୀ ବିଭାଗର ସ୍ଵତନ୍ତ୍ର ଟିମ୍ । ୧୬ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ୱର ଓଭର ବ୍ରିଜ ଉପରେ ଏକ ବାଇକ୍ ଏବଂ ମିନିଟ୍ରକକୁ ଧରିଛି ଏହି ସ୍ଵତନ୍ତ୍ର ଟିମ୍। ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରାଯାଇଛି। ଗଜପତିରୁ ପୁରୀ କୁ ଏହି ଗଞ୍ଜେଇ ସବୁ ପ୍ୟାକ୍ କରାଯାଇ ଚାଲାଣ କରାଯାଉଥିଲା। ଜବତ ଗଞ୍ଜେଇର ପରିମାଣ ୯ କୁଇଣ୍ଟାଲ ରୁ ଅଧିକ ହେବ। ଏହାର ଆନୁମାନିକ ମୂଲ୍ୟ ୯ଲକ୍ଷ ଟଙ୍କା ହେବ। ଜବତ ଟ୍ରକ୍ ରେ ଏକାଧିକ ଜାଲ ନମ୍ବର ପ୍ଲେଟ ରଖାଯାଇ ରାସ୍ତାରେ ପୋଲିସ ଏବଂ ଅବକାରୀ ବିଭାଗକୁ ଚକମା ଦେଇ ଏହି ରାକେଟ ଖସି ଯାଉଥିବା ତଦନ୍ତ ବେଳେ ଜଣାପଡିଛି।

