spot_img
Home Blog Page 959

ବିଜେଡି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ: ପ୍ରସନ୍ନ

ଭୁବନେଶ୍ବର: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଡାକିଥିବା ବୈଠକକୁ ଯିବାକୁ ବିଜେଡି ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯିବାକୁ ପ୍ରତିଶ୍ରୁତି ଦେବା ପରେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଥିବା ଚର୍ଚ୍ଚାରେ ପୂର୍ଣ୍ଣେଚ୍ଛଦ ପକାଇଛନ୍ତି ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । ସେ ସ୍ପଷ୍ଟ କରିଛନ୍ତିଳ ବିଜେଡି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ l ଦଳ ଆଜି ବି ସବୁ ରାଜନୈତିକ ଦଳଙ୍କଠାରୁ ସମ ଦୂରତା ବଜାୟ ରଖିଛି ।

ସେ କହିଛନ୍ତି, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯେଉଁ ବୈଠକ ଡାକିଛନ୍ତି ତାହା କୌଣସି ଫ୍ରଣ୍ଟ ତରଫରୁ ଡକାଯାଇ ନାହିଁ । ଜଣେ ମୁଖ୍ୟମନ୍ତ୍ରୀ ଏହି ବୈଠକ ଡାକିଛନ୍ତି । ସେଠିକି ଯିବାରେ ଅସୁବିଧା କେଉଁଠି ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

କାହା ସହ ବିଜେଡି ? ଏନଡିଏ ନାଁ ଇଣ୍ଡିମେଣ୍ଟ ? ଡିଲିମିଟେସନର ସ୍ଵତନ୍ତ୍ର ବୈଠକକୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ନବୀନଙ୍କୁ ନିମନ୍ତ୍ରଣ କରିବା ପରେ ବିଜେଡିର ରାଜନୈତିକ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା । ଏହି ଚର୍ଚ୍ଚା ଭିତରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜେଡିର ନୀତିରେ କୌଣସି ପରିବର୍ତନ ହୋଇନାହିଁ l ଆଜି ବି ଉଭୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ବଜାୟ ରଖିଛି ଆମ ଦଳ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯେଉଁ ବୈଠକ ଡାକିଛନ୍ତି, ତାହା କୌଣସି ଫ୍ରଣ୍ଟ ତରଫରୁ ଡକାଯାଇ ନାହିଁ। ଜଣେ ମୁଖ୍ୟମନ୍ତ୍ରୀ ବୈଠକ ଡାକିଛନ୍ତି, ସେଠିକି ଯିବାରେ ଅସୁବିଧା କେଉଁଠି l ଜାତୀୟ ରାଜନୀତିରେ ନବୀନ ପଟ୍ଟନାୟକଙ୍କ ଏକ ଅଲଗା ପ୍ରଭାବ ରହିଛି । ତେଣୁ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ସମସ୍ତେ ତାଙ୍କୁ ଖୋଜନ୍ତି । ବିଜେଡି ଆରମ୍ଭରୁ ସମଦୂରତା ନୀତି ଆପଣାଇଛି ଓ ଆଜି ବି ତାହା ବଜାୟ ରଖିଛି ବୋଲି ସ୍ପଷ୍ଟ କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।

ଲୋକସଭା ଆସନ ସୀମା ପୁନଃ ନିର୍ଦ୍ଧାରଣକୁ ନେଇ ଆସନ୍ତା ୨୬ ତାରିଖରେ ଚେନ୍ନାଇରେ ବସିବ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ।  ଏହି ବୈଠକରେ ଯୋଗ ଦେବାକୁ ବିଜେଡିକୁ ନିମନ୍ତ୍ରଣ କରିଛନ୍ତି ଷ୍ଟାଲିନ । ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିବାକୁ ଆସିଥିଲେ ଖୋଦ୍ ଡିଏମକେ ସାଂସଦ ଦୟାନିଧି ମାରନ୍ । ଯିଏ କି ଷ୍ଟାଲିନଙ୍କ ବହୁତ ଘନିଷ୍ଠ ଭାବେ ଜଣାଶୁଣା । ଏଥିରୁ ଜଣାପଡୁଛି ଏହି ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କୁ କେତେ ଗୁରୁତ୍ଵ ଦିଆଯାଉଛି । ଲୋକସଭା ଆସନ ସୀମା ପୁଃନ ନିର୍ଦ୍ଧାରଣରେ କ୍ଷତିଗ୍ରସ୍ତ ହୋଇପାରନ୍ତି ୭ରୁ ୮ଟି ରାଜ୍ୟ । ସେହିସବୁ ରାଜ୍ୟର ନେତାମାନେ ଚେନ୍ନାଇ ବୈଠକରେ ଯୋଗ ଦେବାର ଅଛି । ଡିଲିମିଟେସନରେ ଦକ୍ଷିଣ ଭାରତର ସବୁ ରାଜ୍ୟ ସହ ଓଡ଼ିଶା ମଧ୍ୟ କ୍ଷତିଗ୍ରସ୍ତ ହୋଇପାରେ । ନବୀନ ପଟ୍ଟନାୟକ ସବୁବେଳେ ରାଜ୍ୟର ସ୍ଵାର୍ଥ ପାଇଁ କାମ କରୁଥିବାରୁ ଏହି ପ୍ରସଙ୍ଗରେ ମଧ୍ୟ ଷ୍ଟାଲିନଙ୍କୁ ସମର୍ଥନ କରିଛନ୍ତି । ଗଠନ ହେବା ଦିନରୁ ରାଜ୍ୟର ସ୍ଵାର୍ଥକୁ ଦେଖି ବିଜେଡି ନିଷ୍ପତ୍ତି ନିଏ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ କେ. ରବି ।

ଶାସନରେ ଥିବା ବେଳେ ହେଉ କି ବିରୋଧୀ ଭୂମିକାରେ, ବିଜେଡି ସବୁବେଳେ ଏନଡିଏ ଓ ଇଣ୍ଡିମେଣ୍ଟଠାରୁ ସମଦୂରତା ବଜାୟ ରଖିଛି । ଏଥିରେ କୌଣସି ପରିବର୍ତ୍ତନ କରିନାହିଁ । ଜାତୀୟ ରାଜନୀତିରେ ନବୀନ ପଟ୍ଟନାୟକଙ୍କ ସ୍ଵତନ୍ତ୍ର ପ୍ରଭାବ ରହିଥିବାରୁ ଦେଶରେ କୌଣସି ବଡ଼ ପ୍ରସଙ୍ଗ ଆସିଲେ, ଅନ୍ୟ ଦଳ ନବୀନ ପଟ୍ଟନାୟକଙ୍କ ପରାମର୍ଶ ଓ ସହଯୋଗ ଲୋଡ଼ନ୍ତି । ଲୋକସଭା ସୀମା ପୁନଃ ନିର୍ଦ୍ଧାରଣରେ ବି ଠିକ୍ ସେମିତି ହୋଇଥିବା କୁହାଯାଉଛି ।

ବଲିଉଡରୁ ଆସିଲା ଦୁଃଖଦ ଖବର: ଫିଲ୍ମ ନିର୍ମାତା ଆୟନ ମୁଖର୍ଜୀଙ୍କ ପିତା ଦେବ ମୁଖର୍ଜୀଙ୍କ ବିୟୋଗ

ବଲିଉଡ ଇଣ୍ଡଷ୍ଟ୍ରିରୁ ଆସିଛି ଏକ ବଡ଼ ଦୁଃଖଦ ଖବର । ଫିଲ୍ମ ନିର୍ମାତା ଆୟନ ମୁଖର୍ଜୀଙ୍କ ପିତା ତଥା ବରିଷ୍ଠ ଅଭିନେତା ଦେବ ମୁଖର୍ଜୀଙ୍କ ପରଲୋକ ଘଟିଛି । ହୋଲି ଦିନରେ ୮୩ ବର୍ଷ ବୟସରେ ଦେବ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଗୋଟିଏ ପଟେ ସାରା ଦେଶରେ ହୋଲି ପାଇଁ ଉତ୍ସବ ପାଳନ ହେଉଥିବା ବେଳେ ଅନ୍ୟପଟେ ବଲିଉଡରୁ ଆସିଛି ଏକ ଦୁଃଖ ଖବର । ଦେବଙ୍କ ବିୟୋଗ ଖବର ଶୁଣିବା ପରେ ସାରା ବଲିଉଡରେ ଶୋକର ଲହରୀ ଖେଳି ଯାଇଛି ।

ରିପୋର୍ଟ ମୁତାବକ, ଦେବ ଦୀର୍ଘ ସମୟ ଧରି ବୀମାରଗ୍ରସ୍ତ ଥିଲେ । ସେଥିପାଇଁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମାତ୍ର ଆଜି ସକାଳୁ ହୋଲିରେ ସେ ଅନ୍ତିମ ନିଃଶ୍ବାସ ତ୍ୟାଗ କରିଥିଲେ । ଦେବଙ୍କ ବିୟୋଗ ତାଙ୍କର ପରିବାରକୁ ଶୋକର ସାଗରରେ ଭସାଇ ଦେଇଥିବା ବେଳେ ଅନ୍ୟପଟେ ବଲିଉଡ ସ୍ତବ୍ଧ ହୋଇପଡ଼ିଛି । ମୁମ୍ବାଇର ଜୁହୁ ସ୍ଥିତ ପବନ ହଂସ ଶ୍ମଶାନ ଘାଟରେ ଆଜି ଦେବଙ୍କର ଅନ୍ତିମ ସଂସ୍କାର କରାଯିବ । ଏହି ଅବସରରେ ବଲିଉଡର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହେବେ । ବଲିଉଡ ସହ ମୁଖର୍ଜୀ ପରିବାରର ଏକ ଗଭୀର ସମ୍ପର୍କ ରହିଥିଲା  । ଅଭିନେତା ଜୟ ମୁଖର୍ଜୀ ଓ ଫିଲ୍ମ ନିର୍ମାତା ଶୋମୁ ମୁଖର୍ଜୀଙ୍କ ସାନ ଭାଇ ଥିଲେ ଦେବ । ଦେବ ସମ୍ପର୍କରେ ବଲିଉଡ ଅଭିନେତ୍ରୀ କାଜୋଲ ଓ ତନିଷା ମୁଖର୍ଜୀଙ୍କ ଚାଚା ଥିଲେ ।

’ଦଙ୍ଗଲ’ ଫିଲ୍ମରେ କାମ କରିବାକୁ କାହିଁକି ଅରାଜି ଥିଲେ ଅମିର: ଫିଲ୍ମ ଆୟ କରିଥିଲା ୨ ହଜାର କୋଟିରୁ ଅଧିକ

ବଲିଉଡ ଅଭିନେତା ଅମିର ଖାନଙ୍କ ଫିଲ୍ ’ଦଙ୍ଗଲ’ ବକ୍ସ ଅଫିସରେ ବମ୍ପର ଆୟ କରିଥିଲା । ଏହି ଫିଲ୍ମ ଚୀନରେ ରିଲିଜ ହେବା ସହ ଇତିହାସ ରଚିଥିଲା । ଦଙ୍ଗଲ ଦେଶର ସବୁଠାରୁ ଅଧିକ ଆୟକାରୀ ଫିଲ୍ମ ଭାବେ ରେକର୍ଡ କରିଥିଲା । ତେବେ ଏହା ମଧ୍ୟରେ ଉକ୍ତ ଫିଲ୍ମକୁ ନେଇ ସାମ୍ନାକୁ ଆସିଛି କିଛି ବଡ଼ ରହସ୍ୟ । ଏହି ଫିଲ୍ମରେ କାମ କରିବାକୁ ଅମିର ଆଗ୍ରହୀ ନଥିଲେ । ଫିଲ୍ମରେ କାମ କରିବାକୁ ସେ ଏକବର୍ଷ ସମୟ ଲଗାଇ ଦେଇଥିଲେ । ସାଧାରଣ ଭାବେ ଅମିର ଦେଶର ଏପରି କିଛି କଳାକାରଙ୍କ ମଧ୍ୟରେ ଗଣାଯାଆନ୍ତି, ଯେଉଁମାନେ କି ଭାବିଚିନ୍ତି ପ୍ରାଜେକ୍ଟ ହାତକୁ ନେଇଥାନ୍ତି । ଅମିର ସର୍ବଦା ଦର୍ଶକଙ୍କୁ କିଛି ନୂଆ ଭେଟି ଦେଇଥାନ୍ତି । ତେବେ ଦେଶର ସର୍ବାଧିକ ଆୟକାରୀ ଫିଲ୍ମରେ ଅମିର କ’ଣ ପାଇଁ କାମ କରିବାକୁ ଇଛୁକ ନଥିଲେ, ତାହା ଏବେ ଫ୍ୟାନ୍ସଙ୍କ ମଧ୍ୟରେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।

ଅମିରଙ୍କ ଜନ୍ମଦିନ ଅବସରରେ ଦଙ୍ଗଲ ଫିଲ୍ମର ନିର୍ଦ୍ଦେଶକ ନିତେଶ ତିଓ୍ବାରୀ ଏକ ସାକ୍ଷାତକାରରେ ଏ ପ୍ରସଙ୍ଗରେ ଏକ ବଡ଼ ଖୁଲାସା କରିଛନ୍ତି । ପ୍ରଥମ ଥର ହିଁ ଅମିରଙ୍କୁ ’ଦଙ୍ଗଲ’ ସ୍କ୍ରିପ୍ଟ ପସନ୍ଦ ଆସିଯାଇଥିଲା, ମାତ୍ର ତାହା ତାଙ୍କର କ୍ୟାରିୟର ଉପରେ ପ୍ରଭାବ ପକାଇପାରେ ବୋଲି ଅମିର ଦ୍ବନ୍ଦ୍ବରେ ରହିଥିଲେ । ମହାବୀର ଫୋଗାଟଙ୍କ ଚରିତ୍ର ପାଇଁ ଅମିର ପ୍ରଥମ ପସନ୍ଦ ଥିଲେ । ମାତ୍ର ପରେ ଅମିର ଉକ୍ତ ଚରିତ୍ରରେ କାମ କରିବା ପାଇଁ ରାଜି ହୋଇଯାଇଥିଲେ, ଯାହାକି ଖୁସିର କଥା ବୋଲି ନିତେଶ କହିଛନ୍ତି ।

ଅଜଣା ରୋଗକୁ ନେଇ ବଢ଼ୁଛି ଆତଙ୍କ: ଅଜଣା ରୋଗରେ ୨୫ଟି ଛେଳିଙ୍କ ପ୍ରାଣହାନୀ, କାରଣ ଅସ୍ପଷ୍ଟ

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ ଆରଦା ଗ୍ରାମରେ ଅଜଣା ରୋଗ । ଅଜଣା ରୋଗରେ ୨୫ ଛେଳିଙ୍କ ମୃତ୍ୟୁ ଘଟିଛି । ଛେଳି ଗୁଡିକ ବିଲରେ ଚରିବା ବେଳେ ଗୋଟିଏ ପରେ ଗୋଟିଏ ଛେଳିଙ୍କ ମୃତ୍ୟୁ ହୋଇଥିଲା । ମୃତର କାରଣ ଅସ୍ପଷ୍ଟ ରହିଛି । ଛେଳି ଚରିବା ବେଳେ ହିଁ ଗୋଟିଏ ପରେ ଗୋଟିଏ ଛେଳି ଗଳି ପଡ଼ି ମୃତ୍ୟୁ ହେଉଥିବା ଲୋକ କହିଛନ୍ତି । ତାପମାତ୍ରା ବୃଦ୍ଧି ଯୋଗୁଁ ଛେଳି ମୃତ ହେଉଚି ବୋଲି ସନ୍ଦେହ କରାଯାଉଛି ।

ମାର୍ଚ୍ଚ ୧୫ ପୂର୍ବରୁ ଆବେଦନ କରନ୍ତୁ: SBIରେ ପୂରଣ ହେବ ୧୧୯୪ଟି ପଦବୀ

ଏସବିଆଇ ତରଫରୁ ଆସିଛି ଏକ ନିଯୁକ୍ତି ସୁଯୋଗ । ୧୧୯୪ଟି ପଦବୀ ପୂରଣ ହେବ । ଏଥିପାଇଁ ମାର୍ଚ୍ଚ ୧୫ ଆବେଦନର ଅନ୍ତିମ ତାରିଖ ରହିଛି । ଇଛୁକ ପ୍ରାର୍ଥୀମାନେ ଏସବିଆଇର ଅଫିସିଆଲ ଓ୍ବେବସାଇଟ https://www.onlinesbi.sbi/ କୁ ଯାଇ ଆବେଦନ କରିପାରିବେ । କନକରେଣ୍ଟ ଅଡିଟର ବା ସମବର୍ତ୍ତୀ ଲେଖା ପରୀକ୍ଷକ ପଦରେ ନିଯୁକ୍ତି ଦିଆଯିବ । ଇଣ୍ଟରଭ୍ୟୁ ଆଧାରରେ ପ୍ରସ୍ତୁତ କରାଯାଇଥିବା ମେରିଟ ଜରିଆରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଆବେଦନ ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ଇଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ ।

ବ୍ୟାଙ୍କର ବିଜ୍ଞପ୍ତି ମୁତାବକ, ଆବେଦନକାରୀ ସେବାନିବୃତ ହେବା ଜରୁରୀ । ସେବାନିବୃତ ପୂର୍ବରୁ ସ୍ବଇଚ୍ଛାରେ ସେବାନିବୃତ / ତ୍ୟାଗପତ୍ର / ନିଲମ୍ବିତ ବା ବ୍ୟାଙ୍କ ଛାଡ଼ିଥିବା ଅଧିକାରୀ ଏହି ନିଯୁକ୍ତି ପାଇଁ ଯୋଗ୍ୟ ହେବେ ନାହିଁ । ଏସବିଆଇ ଓ ତା’ର ଇ-ସହଯୋଗୀ ବ୍ୟାଙ୍କଗୁଡ଼ିକର ଅଧିକାରୀ ଯେଉଁମାନେ MMGS-III, SMGS-IV/V ଓ TEGS-VI ଭାବେ ସେବାନିବୃତ୍ତ ହୋଇଥିବେ, ସେମାନେ ଏହି ନିଯୁକ୍ତି ପାଇଁ ଯୋଗ୍ୟ ହେବେ । ପ୍ରାର୍ଥୀଙ୍କୁ ସର୍ବନିମ୍ନ ୧ ବର୍ଷ ଓ ସର୍ବାଧିକ ୩ ବର୍ଷ ବା ୬୫ ବର୍ଷ ବୟସ ପର୍ଯ୍ୟନ୍ତ ନିଯୁକ୍ତି ଦିଆଯିବ । ଚୟନ ଇଣ୍ଟରଭ୍ୟୁ ଆଧାରରେ କରାଯିବ । ବ୍ୟାଙ୍କ ଦ୍ବାରା ଗଠିତ ଶର୍ଟଲିଷ୍ଟିଂ କମିଟି ଶର୍ଟଲିଷ୍ଟିଂ ନିୟମ ଧାର୍ଯ୍ୟ କରିବ । ତା’ପରେ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ ।

ଟିମ୍ ଇଣ୍ଡିଆ ପାଇଁ ହୋଲି ଶୁଭ: ରଙ୍ଗର ପର୍ବରେ ଗର୍ଜିଥିଲା ବିରାଟଙ୍କ ବ୍ୟାଟ, ହୋଲିର ବିଜୟ ଇତିହାସକୁ ମନେପକାଉଛି ଭାରତୀୟ ଦଳ

ମାର୍ଚ୍ଚ ୧୪ରେ ଦେଶର ଅଧିକାଂଶ ସ୍ଥାନରେ ହୋଲି ଉତ୍ସବ ବଡ଼ ଧୂମଧାମରେ ପାଳିତ ହେଉଛି । ତେବେ ରଙ୍ଗର ଏହି ପର୍ବ ହୋଲି ଟିମ୍ ଇଣ୍ଡିଆର ନୀଳ ଜର୍ସ ପାଇଁ ବେଶ ଶୁଭ ବୋଲି କୁହାଯାଉଛି । ଆଜିର ଦିନରେ ଭାରତୀୟ ଟିମ୍ ଦମଦାର ପ୍ରଦର୍ଶନ କରିଥିଲା । ୧୫ ବର୍ଷ ଭିତରେ ଭାରତ ହୋଲି ଦିନରେ ୨ଟି ମ୍ୟାଚ ଖେଳିଥିବା ବେଳେ ସେଥିମଧ୍ୟରୁ ଦୁଇଟି ଯାକ ମ୍ୟାଚରେ ତୁଫାନୀ ବିଜୟୀ ହାସଲ କରିଥିଲା । ଏହା ଏକ ବଡ଼ ସଂଯୋଗ ଯେ, ଉଭୟ ମ୍ୟାଚ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିଲା ଭାରତ । ସେହି ସମୟରେ ବିରାଟ କୋହଲିଙ୍କ ବ୍ୟାଟ୍ ଖୁବ୍ ଗର୍ଜିଥିଲା । ଉକ୍ତ ବିଜୟରେ ବିରାଟ ବଡ଼ ଭୂମିକା ନିର୍ବାହ କରିଥିଲେ ।

୨୦୧୧ ଦିନିକିଆ ବିଶ୍ବକପରେ ମାର୍ଚ୍ଚ ୨୦ରେ ହୋଲି ଅବସରରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା । ବିରାଟ ଯୁବରାଜଙ୍କ ସହ ମିଶି ୧୨୨ ରନର ଭାଗିଦାରରୀ କରିଥିଲେ । ବିରାଟ ୫୯ ରନ୍ ସଂଗ୍ରହ କରିଥିବା ବେଳେ ଯୁବରାଜ ୧୧୩ ରନ୍ କରିଥିଲେ । ଭାରତ ୨୬୮ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଜାହିର ଖାନ ୩ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଉକ୍ତ ମ୍ୟାଚକୁ ଭାରତ ୮୯ ରନରେ ଜିତିନେଇଥିଲା । ସେହିପରି ୨୦୧୫ ବିଶ୍ବକପରେ ହୋଲିରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଭାରତ ବିଜୟୀ ହୋଇଥିଲା । ଓ୍ବେଷ୍ଟଇଣ୍ଡିଜ ୧୮୨ ରନରେ ସୀମିତ ରହିଥିଲେ ହେଁ ଭାରତ ୬ଟି ଓ୍ବିକେଟ ହରାଇଥିଲା । ଉକ୍ତ ମ୍ୟାଚରେ ମଧ୍ୟ ବିରାଟ ସଙ୍କଟମୋଚକ ସାଜିଥିଲେ । ଉଭୟ ମ୍ୟାଚରେ ଭାରତ ବିଜୟୀ ହେବା ସହ ହୋଲି ଶୁଭ ହୋଇଥିଲା ।

ଟ୍ରେନ ଦୁର୍ଘଟଣା: ଟ୍ରକକୁ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲା ଦ୍ରୁତବେଗରେ ଆସୁଥିବା ଟ୍ରେନ!

ମହାରାଷ୍ଟ୍ରର ଜଲଗାଓଁରେ ଘଟିଯାଇଛି ଏକ ଟ୍ରେନ ଦୁର୍ଘଟଣା । ଏକ ଗହମ ବେଝେଇ ଟ୍ରକ ରେଲଓ୍ବେ ଫାଟକ ଭାଙ୍ଗି ଟ୍ରାକ ଉପରେ ଚଢ଼ିଯାଇଥିଲା । ଏହି ସମୟରେ ଦୁର୍ଭାଗ୍ୟକୁ ଟ୍ରେନ ଆସିଯାଇଥିଲା । ଟ୍ରେନ ଚାଳକ ତୁରନ୍ତ ଏମର୍ଜେନ୍ସି  ବ୍ରେକ ଲଗାଇଥିଲେ, ମାତ୍ର ତାହା ଅଟକି ନଥିଲା । ଟ୍ରେନ ଆଗରେ ଫସିଥିବା ଟ୍ରକଟି ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଚାଲିଯାଇଥିଲା । ଆଜି ସକାଳ ୪.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା କୁହାଯାଇଛି ।

ସୂଚନା ମୁତାବକ, ବୋଦବଡ ରେଳ ଷ୍ଟେସନ ନିକଟରେ ସକାଳ ୪.୩୦ ସମୟରେ ଅମରାବତୀ ଏକ୍ସପ୍ରେସ ଏକ ଗହମ ବୋଝେଇ ଟ୍ରକକୁ ଧକ୍କା ଦେବା ସହ ପାଖାପାଖି ଅଧ କିମି ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଟ୍ରକ ଚାଳକ ବନ୍ଦ ରେଲଓ୍ବେ ଗେଟକୁ  ଭାଙ୍ଗି ଟ୍ରାକ ପାର କରିବାକୁ ପ୍ରୟାସ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରେନକୁ ଦ୍ରୁତ ବେଗରେ ଆସି ଟ୍ରକକୁ ଟକ୍କର ଦେଇଥିଲା ।

ରାଜଧାନୀରେ ନିଶାସକ୍ତ ଯୁବତୀଙ୍କ ହାଇଡ୍ରାମା: ପୋଲିସ ୨ ଘଣ୍ଟା ଧରି ନାକେଦମ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ନିଶାସକ୍ତ ଯୁବତୀଙ୍କ ହାଇଡ୍ରାମା । ଗତକାଲି ରାତିରେ ଚନ୍ଦ୍ରଶେଖରପୁରର ଏକ ମଦ ଦୋକାନ ସମ୍ମୁଖରେ ଯୁବତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି । ପୋଲିସ ଖବର ପାଇ ଯୁବତୀଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲା । ହେଲେ ସେଠାରେ ମଧ୍ୟ ପୋଲିସକୁ ନାକେଦମ କରିଥିଲେ ନିଶାସକ୍ତ ଯୁବତୀ । ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା ଏହି ହାଇଡ୍ରାମା । ଯୁବତୀ ଜଣଙ୍କ ଏକ ସମ୍ଭ୍ରାନ୍ତ ପରିବାରର ହୋଇଥିବା ବେଳେ ଏଭଳି ଉତ୍ପାତ ସମସ୍ତଙ୍କୁ ତାଜୁବ କରିଛି । ଫାଇନ ପରେ ଯୁବତୀଙ୍କୁ ପୋଲିସ ଛାଡିଥିବା ଦେଖିବାକୁ ମିଳିଛି ।

IPL 2025 ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକଙ୍କ ନାମ ଘୋଷଣା, କିଏ ସେହି ଖେଳାଳି?

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ଆଗାମୀ ସିଜିନ ପାଇଁ ଆଉ ପାଖାପାଖି ୧ ସପ୍ତାହ ବାକି ରହିଛି । ଏହା ମଧ୍ୟରେ ଆଇପିଏଲ ୨୦୨୫କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦିଲ୍ଲୀ କ୍ୟାପିଟାଲ୍ସ (DC) ତା’ର ଅଧିନାୟକଙ୍କ ନାମ ଘୋଷଣା କରିଛି । ଅଲରାଉଣ୍ଡର ଅକ୍ଷର ପଟେଲ ଆଇପିଏଲ ୨୦୨୫ରେ ଦିଲ୍ଲୀର ନେତୃତ୍ବ ନେବେ । କେଏଲ ରାହୁଲ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ହେବେ ବୋଲି ପ୍ରଥମେ ଅନୁମାନ କରାଯାଉଥିଲା । ମାତ୍ର ଏବେ ଅକ୍ଷରଙ୍କ ମୁଣ୍ଡରେ ହାତୀ ସୁନା କଳସ ଢାଳିଛି । ଆଇପିଏଲ ୨୦୨୫ର ନିଲାମୀରେ ଦିଲ୍ଲୀ ଅକ୍ଷରଙ୍କୁ ୧୪ କୋଟି ଟଙ୍କାରେ କିଣିଥିଲା । ଏବେ ଫ୍ରାଞ୍ଚାଇଜି ତାଙ୍କୁ ଏକ ବଡ଼ ଦାୟିତ୍ବ ଦେଇଛି । ଟି-୨୦ କ୍ରିକେଟରେ ଅକ୍ଷର ୧୬ଟି ମ୍ୟାଚରେ ବରୋଦାର ନେତୃତ୍ବ ନେଇଛନ୍ତି । ସେଥିମଧ୍ୟରୁ ଟିମ ୧୦ଟି ମ୍ୟାଚରେ ବିଜୟୀ ହୋଇଥିଲା ।

ଅକ୍ଷର ଗତ ଆଇପିଏଲ ସିଜିନରେ ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ବିପକ୍ଷରେ ଦିଲ୍ଲୀର ଅଧିନାୟକ ଦାୟିତ୍ବ ନେଇଥିଲେ । ସେତେବେଳେ ଦିଲ୍ଲୀକୁ ୪୭ ରନରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଅଧିନାୟକ ଭାବେ ସେ ୩୬.୪୦ ଆଭରେଜରେ ୩୬୪ ରନ ସଂଗ୍ରହ କରିଥିଲେ । ସେହି ଅବଧିରେ ତାଙ୍କର ସର୍ବାଧିକ ସ୍କୋର ୫୭ ରହିଥିଲା, ଯାହାକି ସେ ଗତ ସିଜିନରେ ଆରସିବି ବିପକ୍ଷରେ ସଂଗ୍ରହ କରିଥିଲେ । ଟି-୨୦ କ୍ରିକେଟରେ ଅକ୍ଷର ଅଧିନାୟକ ଥାଇ ୨୯.୦୭ ଆଭରେଜରେ ୧୩ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ପଦ ସମ୍ଭାଳିବା ସମ୍ମାନର ବିଷୟ ବୋଲି ଅକ୍ଷର କହିଛନ୍ତି ।

କନ୍ଧମାଳ କଳିଙ୍ଗା ଘାଟିରେ ବସ ଦୁର୍ଘଟଣା: ଦୁର୍ଘଟଣାରେ ୧୬ ଯାତ୍ରୀ ଆହତ

ଫୁଲବାଣୀ: କନ୍ଧମାଳ କଳିଙ୍ଗା ଘାଟିରେ ବସ ଦୁର୍ଘଟଣା। ଖମ୍ବେଶ୍ଵରୀ ନାମକ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭୋର ୫ଟା ସମୟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ୧୬ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ନିକଟସ୍ଥ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ବସଟି ଛତିଶଗଡ଼ର ରାୟପୁରରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବାବେଳେ ଦୁର୍ଘଟଣା ଘଟିଥିଲା। ବସରେ ପ୍ରାୟ ୪୦ରୁ ଅଧିକ ଯାତ୍ରୀ ଥିଲେ।ଘଟଣା ସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।