spot_img
Home Blog Page 968

ଭଦ୍ରକ ପୁରୁଣା ବଜାର ପୋଲିସକୁ ବଡ ସଫଳତା : ନକଲି ଜର୍ଦ୍ଦା କାରଖାନା ଠାବ

ନନ୍ଦିଘୋଷ ବ୍ୟୁରୋ: ଭଦ୍ରକ ପୁରୁଣା ବଜାର ପୋଲିସକୁ ମିଳିଛି ବଡ ସଫଳତା। ନକଲି ଜର୍ଦା କାରଖାନାକୁ ଠାଵ କରିବା ସହିତ ଘଟଣାରେ ସମୃକ୍ତ ଥିବା ତିନିଜଣଙ୍କୁ ଗିରଫ କରିଛି ପୋଲିସ।  ୨ ଲକ୍ଷ ଟଙ୍କାର ଜର୍ଦ୍ଧା ଜବତ କରିବା ସହ ଜର୍ଦା ତିଆରୀ ଯନ୍ତ୍ରପାତିକୁ ମଧ୍ୟ ଠାବ କରିଛି। ପୁରୁଣାବଜାର ଅନ୍ତର୍ଗତ ହେଲାସାହିରେ ନକଲି ଜର୍ଦା ତିଆରି ଚାଲିଥିବା ଗତକାଲି ରାତିରେ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲା ।  ଚଢାଉ କରିବା ସମୟରେ ୩ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣ ସେଠାରୁ ଫେରାର ହୋଇଯାଇଥିଲୋ। ଗିରଫ ଅଭିଯୁକ୍ତ ହେଲେ ସେକ ମୁନା, ସେକ ଅରବାଜ ଓ ମିର ନିୟାଜ କାଦରୀ। ସେମାନଙ୍କ ନିକଟରୁ ଜର୍ଦା ତିଆରି ମେସିନ ସହ ବିଭିନ୍ନ ନକଲି ଜର୍ଦ୍ଦ ଡବା, ନକଲି ଜର୍ଦ୍ଦ ଓ ସେନ୍ଟ ଆଦି ଠାଵ କରା ଯାଇଛି। ଯାହାର ଅନୁମାନିକ ମୂଲ୍ୟ ୨ ଲକ୍ଷରୁ ଅଧିକ ହେବ ବୋଲି ସୂଚନା ଦେଇଛନ୍ତି ସିଟି ଡ଼ିଏସପି ସମ୍ବିତ ମାଝୀ। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ।

ଆଇସିସି ଚମ୍ପିୟାନ୍ସ ଟ୍ରଫି : ବିରାଟଙ୍କ ଆଉଟ୍ ହେବା ଦେଖି ହାର୍ଟଆଟାକରେ ଚାଲିଗଲା ଛାତ୍ରୀଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ:  ଭାରତ- ନ୍ୟୁଜିଲାଣ୍ଡ  ଆଇସିସି ଚମ୍ପିୟାନସ୍ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଭାରତର ବିପୁଳ ବିଜୟ ହୋଇଛି । କିନ୍ତୁ ଏହି ଖୁସି ମଧ୍ୟରେ ଗୋଟିଏ ଦୁଃଖଦ ଘଟଣା ବି ଘଟିଛି  । ଭାରତ- ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ୍ ମ୍ୟାଚ୍ ଚାଲିଥିଲାବେଳେ ବିରାଟ କୋହଲି ଦ୍ବିତୀୟ ବଲରେ ଆଉଟ୍ ହେବା ପରେ ଉତ୍ତରପ୍ରଦେଶ ଦେବରିୟାର ଝିଅ ପ୍ରିୟାଶୀଂ ପାଣ୍ଡେଙ୍କର ହାର୍ଟ ଆଟାକରେ ମୃତ୍ୟୁ ହୋଇଛି । ବିରାଟ କୋହଲି ଆଉଟ୍ ହେବା ପରେ ତାଙ୍କୁ ବହୁତ ବଡ ଧକ୍କା ଲାଗିଥିଲା ।  ପ୍ରିୟାଶୀଂ ଅଷ୍ଟମ ଶ୍ରେଣୀର ଛାତ୍ରୀ ଅଟନ୍ତି । ସେ ରବିବାର ଦିନ ନିଜ ପରିବାର ସହ ଫାଇନାଲ୍ ମ୍ୟାଚ୍ ଦେଖୁଥିଲେ  ।

ବିରାଟ କୋହଲି ୧ ରନ୍ ନେଇ ଆଉଟ୍ ହେବା ପରେ ଝିଅଟିକୁ ଶକ୍ତ ଆଘାତ ଲାଗିଥିଲା । ଏହା ପରେ ତାଙ୍କର ହାର୍ଟ ଆଟାକ ହୋଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ପରିବାରଲୋକେ ହସ୍ପିଟାଲ୍ ନେଇ ଯାଇଥିଲେ । ହସ୍ପିଟାଲରେ ହିଁ ପ୍ରିୟାଶୀଂଙ୍କର ମୃତ୍ୟୁ ହୋଇଗଲା । ଡାକ୍ତରମାନେ କହିଥିଲେ ଯେ ଝିଅଟିର ହୃଦଘାତ ହୋଇଛି। ମୃତକ ଜଣକ ଅଷ୍ଟମ ଶ୍ରେଣୀର ଛାତ୍ରୀ ଥିଲେ, ଯାହାଙ୍କ ନାମ ପ୍ରିୟାଂଶୀ ପାଣ୍ଡେ ଥିଲା। ତାଙ୍କ ବାପା ଅଜୟ ପାଣ୍ଡେ ଜଣେ ଓକିଲ।

ମୃତକଙ୍କ ବାପା ଅଜୟ ପାଣ୍ଡେ କହିଛନ୍ତି ଯେ ସେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଦେଖୁଥିଲେ। ପରିବାରର ସମସ୍ତ ସଦସ୍ୟ ଏକାଠି ବସି ମ୍ୟାଚ୍ ଦେଖୁଥିଲେ। ରୋହିତ ଶର୍ମା ଚୌକା ଏବଂ ଛକା ମାରିବା ପରେ ପ୍ରିୟାଂଶୀ ବହୁତ ଖୁସି ହୋଇଥିଲେ। ସମସ୍ତେ ଭାରତର ବିଜୟ ପାଇଁ ଆଶା କରିଥିଲେ। ତା’ପରେ ବିରାଟ କୋହଲିଙ୍କ ବ୍ୟାଟିଂ ପାଳି ଆସିଲା ଏବଂ ସେ ବ୍ୟାଟ୍ ଧରି ଆସିଥିଲେ କିନ୍ତୁ ମାତ୍ର ଗୋଟିଏ ରନ୍ କରିବା ପରେ ଆଉଟ୍ ହୋଇଗଲେ, ଯାହା ଦ୍ବାରା ପ୍ରିୟାଶୀଂଙ୍କୁ ବଡ ଧକ୍କା ଲାଗିଥିଲା ।

ପ୍ରିୟାଂଶୀ ଏତେ ବଡ ଧକ୍କା ଲାଗିଥିଲା ଯେ ସେ  ଚେତାଶୂନ୍ୟ ହୋଇଯାଇଥିଲେ। ଏହା ପରେ, ତାଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ପ୍ରିୟାଂଶୀଙ୍କୁ ଯାଞ୍ଚ କରି ମୃତ ଘୋଷଣା କରିଥିଲେ। ସେଥିପାଇଁ କୁହାଯାଉଛି ଯେ ବିରାଟ କୋହଲିଙ୍କ ଆଉଟ୍ ହେବା ତାଙ୍କ ପ୍ରଶଂସକ ପ୍ରିୟାଂଶୀଙ୍କ ପାଇଁ ଏତେ ବଡ଼ ଧକ୍କା ଥିଲା ଯେ ତାଙ୍କର ହୃଦଘାତ ହୋଇ ମୃତ୍ୟୁ ହୋଇଥିଲା। ତଥାପି, ପ୍ରିୟାଂଶୀଙ୍କ ଜଣେ ପଡ଼ୋଶୀ କହିଛନ୍ତି ଯେ ପ୍ରିୟାଂଶୀଙ୍କ ହୃଦଘାତ ହେବା ଏକ ସଂଯୋଗ ।

ପାକିସ୍ତାନରେ ଟ୍ରେନ୍ ହାଇଜାକ୍, ଅଛନ୍ତି ୪୫୦ରୁ ଅଧିକ ଯାତ୍ରୀ..

ନନ୍ଦିଘୋଷ ବ୍ୟୁରୋ: ପୁଣିଥରେ ପଡ଼ୋଶୀ ଦେଶ ପାକିସ୍ତାନରୁ ଆସିଲା ଛାତିଥରା ଖବର । ଟ୍ରେନକୁ କରାଯାଇଛି ହାଇଜାକ୍ । ଯେଉଁଥିରେ ୪୫୦ରୁ ଅଧିକ ଯାତ୍ରୀଥିବା ଅନୁମାନ କରାଯାଉଛି । ବାଲୁଚ ଲିବରେସନ ଆର୍ମି ନାମକ ଏକ ସଂଗଠନ ଦାବି କରିଛି କି, ସେମାନେ ୪୫୦ରୁ ଅଧିକ ଯାତ୍ରୀଙ୍କୁ ଅପହରଣ କରିଛନ୍ତି । ତେବେ ସେମାନେ ଚେତାବନୀ ଦେଇଛନ୍ତି କି, ଯଦି ସେନା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ତାହେଲେ ସମସ୍ତ ଯାତ୍ରୀଙ୍କୁ ସେମାନେ ହତ୍ୟା କରିବେ । ତେବେ କ୍ବୋଟାରୁ ଲାହୋର ଯାଉଥିବା ଏହି ଯାତ୍ରୀବାହୀ ଟ୍ରେନକୁ ସେମାନେ ବନ୍ଧକ ରଖିଛନ୍ତି । ତେବେ ୧୦୦ରୁ ଅଧିକ ଯାତ୍ରୀଙ୍କୁ ବନ୍ଧକ ରଖିଥିବା ଜଣାପଡ଼ିଛି । ବନ୍ଧକ ମଧ୍ୟରେ ପାକ ସେନା ଅଧିକାରୀ ମଧ୍ୟ ଅଛନ୍ତି । ୯ଟି ବଗିକୁ ହାଇଜାକ କରାଯାଇଥିବା ସୂଚନା ମିଳିଛି ।

 

ଅଧିନାୟକ ହେବାକୁ ମନା କଲେ କେ.ଏଲ ରାହୁଲ, ଜାଣନ୍ତୁ ଏହା ପଛର କାରଣ

ନନ୍ଦିଘୋଷ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫି ପରେ ବଡ଼ ଅଫରକୁ ମନା କଲେ କେ.ଏଲ ରାହୁଲ । ଚଳିତ ଆଇପିଏଲ ସିଜିନରେ ରାହୁଲ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଛନ୍ତି । ତେବେ ଫ୍ରାଞ୍ଚାଇଜ୍ ତାଙ୍କୁ ଅଧିନାୟକ ହେବାକୁ ଅଫର ଦେଇଥିବାବେଳେ ସେ ଏହାକୁ ମନା କରିଥିବା ଖବର ପ୍ରକାଶ ପାଇଛି । ତେବେ ରାହୁଲ ଅଧିନାୟକ ହେବାକୁ ମନା କରିବା ପରେ ଏବେ କିଏ ଅଧିନାୟକ ହେବେ ଏହାକୁ ନେଇ ଚର୍ଚ୍ଚା ହେଉଥିବାବେଳେ କୁହାଯାଉଛି କି ଦଳ ଅକ୍ଷର ପଟେଲଙ୍କୁ ସୁଯୋଗ ଦେଇପାରେ । ତେବେ ଏନେଇ କିନ୍ତୁ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ । ସେପଟେ ରାହୁଲଙ୍କୁ ଦିଲ୍ଲୀ ୧୪ କୋଟି ଟଙ୍କାରେ କିଣିଥିବାବେଳେ ପ୍ରଥମରୁ ଫ୍ୟାନ୍ସମାନେ ଆଶା ରଖିଥିଲେ କି, ରାହୁଲ ଅଧିନାୟକ ହେବେ । କିନ୍ତୁ ଏବେ ସେ ଅଧିନାୟକ ହେବାକୁ ସିଧା ସିଧା ମନା କରି ଦେଇଛନ୍ତି ।

ସ୍ଥିର ପ୍ରଦର୍ଶନ ଜାରି ରଖିଥିବା ରାହୁଲ ଟିମ ପାଇଁ ଟ୍ରମ୍ପ କାର୍ଡ ହେବେ ବୋଲି କୁହାଯାଉଛି । ତେବେ ଅଭିଜ୍ଞତା ଦୃଷ୍ଟିରୁ ଦଳ ଏବେ କେବଳ ଅକ୍ଷର ପଟେଲଙ୍କୁ ଅଧିନାୟକ ଦାୟିତ୍ବ ଦେଇପାରେ । ସେପଟେ ରାହୁଲ ଦଳର ଅଧିନାୟକ ନହୋଇ ସମସ୍ତ ଦାୟିତ୍ବ ତୁଲାଇବେ ବୋଲି କୁହାଯାଉଛି ।

 

କୋଇଲା ରୟାଲଟିକୁ ନେଇ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଉଦବେଗ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାରେ ଗତ ୩ ବର୍ଷ ମଧ୍ୟରେ ୬୪୩ ନିୟୁତ ଟନ୍ କୋଇଲା ଉତ୍ପାଦନ କରାଯାଇଛି । କୋଲ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ରାଜ୍ୟ କୋଇଲା ଉତ୍ପାଦନ ବୃଦ୍ଧି କରିବାକୁ ୫ଟି ନୂତନ ପ୍ରକଳ୍ପ ଚିହ୍ନଟ କରାଯାଇଛି । ଉତ୍କଳ-କ, ଗୋପାଳପ୍ରସାଦ ଓ୍ବେଷ୍ଟ, ବଳଭଦ୍ର, ଭୁବନେଶ୍ଵରୀ (ଆଂଶିକ), ଅରଖପାଳ-ଏ, ସାକ୍ଷୀଗୋପାଳ-ଏ, କୁଡଲା ଏବଂ ଗର୍ଜନ ଅଞ୍ଚଳରେ ୯ଟି କୋଇଲା ଖଣିରୁ କୋଇଲା ଉତ୍ତୋଳନ ନିମନ୍ତେ ପ୍ରସ୍ତାବ ରହିଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ ଜି. କିଷନ ରେଡ୍ଡୀ । ଯାହାକୁ ନେଇ ରାଜ୍ୟସଭା ସାଂସଦ ମାନସରଞ୍ଜନ ମଙ୍ଗରାଜ ଉଦବେଗ ପ୍ରକାଶ କରିଛନ୍ତି । ଓଡ଼ିଶାରୁ ଚାଲାଣ ହେଉଥିବା କୋଇଲାରେ ତାମିଲନାଡୁ, ଗୁଜରାଟ, ପଶ୍ଚିମବଙ୍ଗ, ମହରାଷ୍ଟ୍ର ସହ ଉତ୍ତର ଭାରତର ବିଭିନ୍ନ ତାପଜ ବିଦ୍ୟୁତ୍ କେନ୍ଦ୍ର ଚାଲୁଛି। ମାତ୍ର ଓଡ଼ିଶା ଭାଗ୍ୟରେ କେବଳ ଧୂଳି, ଧୂଆଁ ପାଉଁଶ ଛଡ଼ା ଆଉ କିଛି ନାହିଁ ।

କୋଇଲାଖଣି ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ଜୀବନଧାରଣର ମାନରେ ଉନ୍ନତି ହେଇ ନାହିଁ କି ରାଜ୍ୟକୁ ରାଜସ୍ୱ ମିଳୁନାହିଁ । କୋଇଲା ରୟାଲଟି ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର ସରକାର ବାରମ୍ବାର ଖାରଜ କରି ଚାଲିଛନ୍ତି, ସେସ୍ ବାବଦରେ ଟନ୍ ପିଛା ଆଦାୟ ହେଉଥିବା ୪୦୦ ଟଙ୍କାରୁ ଓଡ଼ିଶାକୁ କିଛି ବି ମିଳୁନାହିଁ । ମାତ୍ର ବିଡ଼ମ୍ବନା ହେଉଛି କୋଇଲା ବ୍ୟବହାର କରୁଥିବା ସଂସ୍କାର ସ୍ବାର୍ଥକୁ ପ୍ରାଧାନ୍ୟ ଦିଆଯାଉଥିବାବେଳେ ଓଡ଼ିଶାର ଦାବି ବାରମ୍ବାର କେନ୍ଦ୍ର ସରକାର ଖାରଜ କରୁଛନ୍ତି । ପ୍ରତି ୩ ବର୍ଷରେ ଥରେ କୋଇଲା ରୟାଲଟି ସଂଶୋଧନ ବ୍ୟବସ୍ଥାକୁ କେନ୍ଦ୍ର ସରକାର ଫାଙ୍କି ଚାଲିଛନ୍ତି । ୨୦୧୪ ମସିହା ପରେ ଆଉ ରୟାଲଟି ସଂଶୋଧନ ହୋଇନାହିଁ I ପରିଣତିସ୍ବରୂପ ଓଡିଶା ବିପୁଳ ରାଜସ୍ବ ହରାଇଛି । ଦେଶରେ ଦ୍ଵିତୀୟ ସର୍ବାଧିକ କୋଇଲା ଓଡିଶାରେ ଥିବା ବେଳେ ଏଥୁରୁ ନିଜର ଅଂଶଧନ ବୃଦ୍ଧି ପାଇଁ ଗତ ୧୪ ବର୍ଷ ହେଲା ରୟାଲଟି ସଂଶୋଧନ କରି ୨୦ ପ୍ରତିଶତକୁ ବୃଦ୍ଧି ପାଇଁ ଦାବି କରି ଆସୁଛି । ଆଜି ମଧ୍ୟ ବିଜେଡି ସାଂସଦମାନେ ସଂସଦରେ ବାରମ୍ବାର ଏହି ପ୍ରସଙ୍ଗ ଉଠାଇ ଓଡିଶାର ଅଧିକାର ମାଗୁଛନ୍ତି । କେନ୍ଦ୍ର ସରକାରଙ୍କ ମନମାନି ପାଇଁ ଓଡିଶା ବର୍ଷକୁ ହାରାହାରି ୧୨ ହଜାର କୋଟି ଟଙ୍କା ରାଜସ୍ତ୍ର ହରାଉଛି ।

ହୋଲିରେ ରାଶି ଅନୁସାରେ କରନ୍ତୁ ଦାନ, ଚମକିବ ଭାଗ୍ୟ ମିଳିବ ସଫଳତା

ନନ୍ଦିଘୋଷ ବ୍ୟୁରୋ: ହିନ୍ଦୁ ଧର୍ମରେ ପ୍ରତିବର୍ଷ ଫାଲଗୁନ ପୂର୍ଣ୍ଣିମା ଦିନ ହୋଲି ପର୍ବ ବହୁତ ଉତ୍ସାହର ସହିତ ପାଳନ କରାଯାଏ । ହୋଲି ପର୍ବରେ ସବୁଠି ରଙ୍ଗ ବିଛାଡ଼ି ହୋଇଥିବାର ଦେଖାଯାଏ । ହୋଲି ପର୍ବ ଶତ୍ରୁକୁ ମଧ୍ୟ ବନ୍ଧୁରେ ପରିଣତ କରିଥାଏ । ଏହାକୁ ଏକତା ଓ ଅସତ୍ୟ ଉପରେ ସତ୍ୟର ବିଜୟର ପର୍ବ ବୋଲି ମଧ୍ୟ କୁହାଯାଏ । ତେବେ ଏହି ଦିନ ରଙ୍ଗ ଖେଳି ଲୋକେ ପରସ୍ପର ମଧ୍ୟରେ ଥିବା ମନୋମାଳିନ୍ୟକୁ ଦୂର କରି ଥାନ୍ତି । ହୋଲି ଦିନ ଲୋକମାନେ ପରସ୍ପରକୁ ଲଗାନ୍ତି ଏବଂ ପରସ୍ପରକୁ ଆଲିଙ୍ଗନ କରନ୍ତି। ହୋଲିର ଗୋଟିଏ ଦିନ ପୂର୍ବରୁ ହୋଲିକା ଦହନ କରାଯାଏ । ଲୋକମାନେ ମନ୍ଦ ଉପରେ ଭଲର ବିଜୟ ଭାବରେ ହୋଲିକା ଦହନ ପାଳନ କରନ୍ତି।

ହୋଲି ପର୍ବରେ ଦାନ ମଧ୍ୟ କରାଯାଏ । ହିନ୍ଦୁଧର୍ମ ବିଶ୍ୱାସ ଅନୁସାରେ, ହୋଲି ଦିନ ଦାନ କଲେ ପୁଣ୍ୟ ଫଳ ମିଳିଥାଏ । ଯଦି ଆପଣ ଏହି ଦିନ ଆପଣଙ୍କ ରାଶି ଅନୁସାରେ ଦାନ କରନ୍ତି, ତେବେ ଆପଣଙ୍କ ଜୀବନରେ ଖୁସି ଆସିଥାଏ । ଏହା ସହିତ, ଜୀବନର ସମସ୍ତ ବାଧା ଦୂର ହୋଇଥାଏ । ଏପରି ପରିସ୍ଥିତିରେ, ଆପଣଙ୍କ ରାଶି ଅନୁସାରେ ହୋଲି ଦିନ ଆପଣ କେଉଁ ଜିନିଷ ଦାନ କରିପାରିବେ ଆସନ୍ତୁ ଜାଣିବା ..

ହୋଲି କେବେ?

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଏହି ବର୍ଷ ହୋଲି ପର୍ବ ୧୪ ମାର୍ଚ୍ଚ ୨୦୨୫ ରେ ପାଳିତ ହେବ । ଏହିଦିନ ଆପଣ ଆପଣଙ୍କ ରାଶି ଅନୁସାରେ ଯଦି ଦାନ କରିବେ ତାହେଲେ ଆପଣଙ୍କୁ ଶୁଭଫଳ ପ୍ରାପ୍ତି ହେବ ।

ହୋଲିରେ ରାଶି ଅନୁସାରେ ଦାନ

  • ମେଷ ରାଶିର ବ୍ୟକ୍ତିମାନେ ହୋଲି ଦିନ ଗହମ, ତମ୍ବା ଏବଂ ଲାଲ ବସ୍ତ୍ର ଦାନ କରିବା ଉଚିତ। ଏହା ଆପଣଙ୍କୁ ଚାକିରି ଏବଂ ବ୍ୟବସାୟରେ ସଫଳତା ଆଣିଦେବ।
  • ବୃଷ ରାଶିର ବ୍ୟକ୍ତିମାନେ ହୋଲିରେ ରୂପା, ଗୁଡ଼ ଏବଂ ଧଳା ପୋଷାକ ଦାନ କରିବା ଉଚିତ। ଏହା ଆପଣଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବ।
  • ମିଥୁନ ରାଶିର ଲୋକମାନେ ହୋଲିରେ ସବୁଜ ରଙ୍ଗର ଜିନିଷ, ପୁସ୍ତକ ଏବଂ କଲମ ଦାନ କରିବା ଉଚିତ। ଏହା ତୁମର ଆତ୍ମବିଶ୍ୱାସ ବୃଦ୍ଧି କରିବ।
  • କର୍କଟ ରାଶିର ବ୍ୟକ୍ତିମାନେ ଏହି ଦିନ କ୍ଷୀର, ଚାଉଳ ଏବଂ ଧଳା ଫୁଲ ଦାନ କରିବା ଉଚିତ। ଏହା ଆପଣଙ୍କୁ ମାନସିକ ଶାନ୍ତି ଦେବ।
  • ସିଂହ ରାଶିର ଲୋକମାନେ ଏହି ଦିନ ସୁନା, କେସର ଏବଂ କମଳା ଦାନ କରିବା ଉଚିତ। ଏହା ତୁମର ସମ୍ମାନ ବୃଦ୍ଧି କରିବ।
  • କନ୍ୟା ରାଶିର ଲୋକମାନେ ଏହି ଦିନ ମହୁ, ତମ୍ବା ଏବଂ ସବୁଜ ଫଳ ଦାନ କରିବା ଉଚିତ। ଏହା ଆପଣଙ୍କୁ ଜୀବନରେ ସୁଖ ଏବଂ ଶାନ୍ତି ଦେବ।
  • ତୁଳା ରାଶିର ଲୋକମାନେ ଏହି ଦିନ ରୂପା, ଗୋଲାପ ଫୁଲ ଏବଂ ଧଳା ପୋଷାକ ଦାନ କରିବା ଉଚିତ। ଏହା ଆପଣଙ୍କ କ୍ୟାରିୟରରେ ସଫଳତା ଆଣିଦେବ।
  • ବିଛା ରାଶିର ଲୋକମାନେ ଏହି ଦିନ ତମ୍ବା, ସବୁଜ ଚଣା ଏବଂ ଲାଲ ବସ୍ତ୍ର ଦାନ କରିବା ଉଚିତ। ଏହା ଆପଣଙ୍କ ଜୀବନରେ ସଫଳତାର ପଥ ଖୋଲିଦେବ।
  • ଧନୁ ରାଶିର ଲୋକମାନେ ଏହି ଦିନ ହଳଦିଆ ବସ୍ତ୍ର, ହଳଦୀ ଏବଂ ଆମଳା ଦାନ କରିବା ଉଚିତ। ଏହା ଆପଣଙ୍କ ଜୀବନରେ ପ୍ରଗତି ଆଣିବ।
  • ମକର ରାଶିର ଲୋକମାନେ ଫଳମୂଳ, ଲାଲ ବସ୍ତ୍ର ଏବଂ ପରିବା ଦାନ କରିବା ଉଚିତ୍ । ଏହା ଆପଣଙ୍କ ସମସ୍ତ ବାଧାକୁ ଦୂର କରିବ ।
  • କୁମ୍ଭ ରାଶିର ଲୋକମାନେ ଏହି ଦିନ ତମ୍ବା, ନୀଳ ପୋଷାକ ଏବଂ ରନ୍ଧା ଚାଉଳ ଦାନ କରିବା ଉଚିତ। ଏହା ଆପଣଙ୍କ ଜୀବନରେ ଥିବା ବାଧାଗୁଡ଼ିକୁ ଦୂର କରିବ। ବ୍ୟବସାୟରେ ଲାଭ ହେବ।
  • ମୀନ ରାଶିର ବ୍ୟକ୍ତିମାନେ ଏହି ଦିନ ଧଳା ବସ୍ତ୍ର, ମୋତି ଏବଂ କ୍ଷୀର ଦାନ କରିବା ଉଚିତ। ଏହା ଆପଣଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିବ।

 

ଘରୋଇ ଆମ୍ବୁଲାନ୍ସରେ କଫ ସିରଫ ଚାଲାଣ, ମାଡ଼ି ବସିଲା ପୋଲିସ

ବଲାଙ୍ଗୀର: ଆମ୍ବୁଲାନ୍ସ ସେବା କେବଳ ବାହାନା । ଘରୋଇ ଆମ୍ବୁଲାନ୍ସରେ ହେଉଥିଲା କଫ୍ ସିରଫ ଚୋରା ଚାଲାଣ । ଖବର ପାଇ ମାଡ଼ି ବସିଲା ବଲାଙ୍ଗୀର ପୋଲିସ । ଲକ୍ଷାଧିକ ଟଙ୍କାର କଫ ସିରଫ ଜବତ କରିଛି ଟାଉନ ଥାନା ପୋଲିସ । ଘରୋଇ ଆମ୍ବୁଲାନ୍ସରେ ଆଗରୁ ବି ଅଭିଯୁକ୍ତମାନେ ଚୋରା ଚାଲାଣ କରୁଥିବା ପୋଲିସ ଜାଣିବାକୁ ପାଇଛି I ଚଢ଼ାଉ ବେଳେ ଏକ ଫାର୍ମାସି କମ୍ପାନୀର ମେଡିସିନ ରିପ୍ରେଜେଣ୍ଟେଟିଭ ରାକେଶ ପ୍ରଧାନ ଧରାପଡ଼ିଛି ।

ରାକେଶ ସମେତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ମେଣ୍ଡା ଗାଁର। ରାକେଶ ଏମଆର ଭାବେ କାମ କରୁଥିବାବେଳେ ବଲାଙ୍ଗୀର ସହର ଶାସ୍ତ୍ରୀନଗର ହରିହର ମିଶ୍ର ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାମ କରୁଥିଲେ । ଅଭିଯୁକ୍ତମାନଙ୍କଠାରୁ ୧୫ ପେଟି ୧୮ ଶହ ବୋତଲ କଫ ସିରଫ ଜବତ ହୋଇଛି । ଗୋଟିଏ ଆମ୍ବୁଲାନ୍ସ,, ପଶ୍ଚିମବଙ୍ଗ ନମ୍ବର ଥିବା ଦାମୀ କାର, ଗୋଟିଏ ସ୍କୁଟି ସହ ବିଭିନ୍ନ ସାମଗ୍ରୀ ଜବତ କରିଛି ଟାଉନ୍ ଥାନା ପୋଲିସ I

ହୋଲିରେ ରଙ୍ଗ ଭଲ ଲାଗୁନି ତ ପାଲ(ହିଜାବ) ଘୋଡ଼ାଇ ହୋଇ ବାହାରକୁ ଆସ

ନନ୍ଦିଘୋଷ ବ୍ୟୁରୋ: ମନ୍ତ୍ରୀଙ୍କ ବିତଣ୍ଡା ଯୁକ୍ତି । ଯଦି ହୋଲି ରଙ୍ଗକୁ ଏଡାଇବାକୁ ଚାହୁଁଛନ୍ତି ତାହେଲେ ହିଜାବ ଭଳି ପାଲ ପିନ୍ଧନ୍ତୁ । ଉତ୍ତରପ୍ରଦେଶର ମନ୍ତ୍ରୀ ରଘୁରାଜ ସିଂହ ଆଲିଗଡ଼ରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ହୋଲି ସମୟରେ ଯେଉଁମାନେ ରଙ୍ଗକୁ ଏଡାଇବାକୁ ଚାହୁଁଛନ୍ତି ସେମାନେ ମୁସଲମାନ ମହିଳାଙ୍କ ପରି ହିଜାବ ପିନ୍ଧିବା ଉଚିତ୍ । ପୁରୁଷମାନେ ମଧ୍ୟ ରଙ୍ଗରୁ ନିଜ ଟୋପି ଏବଂ ଶରୀରକୁ ରକ୍ଷା କରିବା ପାଇଁ ହିଜାବ ପିନ୍ଧି ପାରିବେ । ଯଦି ସେମାନେ ଏପରି କରିପାରିବେ ନାହିଁ ତାହେଲେ ଘରୁ ବାହାରିବା ଉଚିତ୍ ନୁହେଁ ।

ମନ୍ତ୍ରୀ ରଘୁରାଜ ସିଂ ଆହୁରି କହିଛନ୍ତି ଯେ ହୋଲି ସମୟରେ ଅଶାନ୍ତି ସୃଷ୍ଟି କରୁଥିବା ଲୋକଙ୍କ ପାଇଁ ତିନୋଟି ବିକଳ୍ପ ଅଛି- ଜେଲ ଯାଅ, ରାଜ୍ୟ ଛାଡି ଦିଅ କିମ୍ବା ଯମରାଜଙ୍କ ପାଖରେ ନିଜ ନାମ ଲେଖିଦିଅ । ରଘୁରାଜ ସିଂହ  ଏହା ମଧ୍ୟ କହିଛନ୍ତି ଯେ, ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟରେ ଏକ ମନ୍ଦିର ନିର୍ମାଣ ହେବ ଏବଂ  ସେମାନଙ୍କୁ  ସମ୍ମାନ ଦେବାକୁ ପଡିବ ।

ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ମନ୍ତ୍ରୀ ରଘୁରାଜ ସିଂହ କହିଛନ୍ତି ଯେ, ଜୁମା ବର୍ଷକୁ ୫୨ଥର ଆସେ ଏବଂ ହୋଲି ଗୋଟିଏ ଦିନରେ ଆସେ । ତେଣୁ ଗୋଟିଏ ଦିନ ବିଳମ୍ବରେ ନମାଜ ପଢନ୍ତୁ । ଯଦି ହୋଲି ଖେଳିବା ସମୟରେ ନମାଜ ପଢିବାକୁ ପଢେ ତେବେ ମୋର ପରାମର୍ଶ ହେଉଛି ଯେ, ବେଗମ ଯେପରି ହିଜାବ ପିନ୍ଧନ୍ତି ସେହିପରି ଏକ ପାଲ ପିନ୍ଧନ୍ତୁ ଯାହା ଦ୍ବାରା ଆପଣ ରଙ୍ଗରୁ ରକ୍ଷା ପାଇପାରିବେ ।

ମନ୍ତ୍ରୀଙ୍କ କହିବା ଅନୁଯାୟୀ, ସରକାର ହୋଲି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହୋଲି ପାଳନ କରାଯିବ।  କାରଣ, ଏହା ଆମ ପରମ୍ପରା । ସତ୍ୟଯୁଗ, ଦ୍ୱାପର, ତ୍ରେତୟା ପରେ ଏବେ କଳିଯୁଗରେ ମଧ୍ୟ ହୋଲି ପାଳନ କରାଯାଉଛି । ଯଦି ଲୋକମାନେ ଟୋପି ପିନ୍ଧୁଛନ୍ତି, ସେମାନେ ରଙ୍ଗକୁ ଏଡାଇବାକୁ ଚାହାଁନ୍ତି, ତେବେ ସେମାନେ ପାଲରେ ତିଆରି ଏକ ଭଲ ହିଜାବ୍ କିଣି ତାହାକୁ ପିନ୍ଧି ବାହାରକୁ ଯିବା ଉଚିତ। ଏହା ତାଙ୍କ ଟୋପିକୁ ରଙ୍ଗ ହେବାରୁ ରକ୍ଷା କରିବ। କାରଣ ଆମେ କହିପାରିବୁ ନାହିଁ ଯେ ରଙ୍ଗ କୋଉଠି ପଡିବ । ଯେଉଁମାନଙ୍କର ରଙ୍ଗ ପ୍ରତି ଆପତ୍ତି ଅଛି ସେମାନେ ଏହା କରିବା ଉଚିତ। ଯେଉଁମାନେ ଆପତ୍ତି କରନ୍ତି ନାହିଁ, ସେମାନଙ୍କୁ ସ୍ୱାଗତ।

ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ମାମଲାରେ ମନ୍ତ୍ରୀ ରଘୁରାଜ ସିଂହ କହିଛନ୍ତି ଯେ ମୁଁ ଏଏମୟୁ ପ୍ରଶାସନକୁ ଅନୁରୋଧ କରିବି ଯେ ଏହି ବିଶ୍ୱବିଦ୍ୟାଳୟ ଭାରତରେ, ପାକିସ୍ତାନରେ ନୁହେଁ। ବାଂଲାଦେଶରେ ହିନ୍ଦୁମାନଙ୍କ ସହିତ ଯେଉଁଭଳି ବ୍ୟବହାର କରାଯାଉଛି ତାହା ଆଗକୁ ବଢ଼ିବ ନାହିଁ। ଏଠାରେ, ଆମକୁ ସଂଖ୍ୟାଗରିଷ୍ଠତାକୁ ଅନୁସରଣ କରିବାକୁ ପଡିବ।  ସେମାନେ ଆମର ଟିକସରୁ ନିଜର ଦରମା ପାଆନ୍ତି। ଏଏମୟୁ ଛାତ୍ରଛାତ୍ରୀମାନେ ଭୁଲ ବୁଝାମଣାର ଶିକାର ହେବା ଉଚିତ୍ ନୁହେଁ। ଏଠାରେ ଭାରତୀୟ ଆଇନ ପ୍ରଯୁଜ୍ୟ। ସେତେବେଳେ କଂଗ୍ରେସର ସମୟ ଥିଲା, ଯେତେବେଳେ ଏସବୁ ଚାଲିଥିଲା, କିନ୍ତୁ ଏବେ ହୋଲି ପାଳନ କରାଯିବ ଏବଂ ଯିଏ ହୋଲିରେ ଅଶାନ୍ତି ସୃଷ୍ଟି କରିବ ତାକୁ ଜେଲ ପଠାଯିବ। ନଚେତ୍ ରାଜ୍ୟ ଛାଡିଦିଅ ନଚେତ୍ ଉପରକୁ ଯାଅ ।

ମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ମୁଁ ସହମତ ଯେ AMUରେ ଏକ ମନ୍ଦିର ନିର୍ମାଣ ହେବା ଉଚିତ। ଯଦି ସେଠାରେ ଏକ ମସଜିଦ୍ ଅଛି, ତେବେ ସେଠାରେ ଏକ ମନ୍ଦିର ମଧ୍ୟ ରହିବା ଉଚିତ। ଯଦି ମନ୍ଦିର ନିର୍ମାଣ ହୁଏ, ତେବେ ମୁଁ ମୋର ଜମି ଏବଂ ସମ୍ପତ୍ତି ବିକ୍ରି କରି ଦାନ କରିବାରେ ପ୍ରଥମ ବ୍ୟକ୍ତି ହେବି। ଯଦି ଆବୁଧାବିରେ ମନ୍ଦିର ନିର୍ମାଣ ହୋଇପାରିବ, ତେବେ ଏଏମୟୁରେ କାହିଁକି ହୋଇପାରିବ ନାହିଁ? ମନ୍ଦିରକୁ ବିରୋଧ କରୁଥିବା ମୌଳବାଦୀମାନଙ୍କୁ ମୁଁ କହିବାକୁ ଚାହୁଁଛି ଯେ ବିଶ୍ୱବିଦ୍ୟାଳୟ ଆପଣଙ୍କ ପୂର୍ବପୁରୁଷଙ୍କ ଟଙ୍କାରେ ପରିଚାଳିତ ହେଉନାହିଁ।  ବିଶ୍ୱବିଦ୍ୟାଳୟ ଆମ ଟଙ୍କାରେ ପରିଚାଳିତ ହେଉଛି । ତେଣୁ ମନ୍ଦିର ନିର୍ମାଣ ହେବା ଆବଶ୍ୟକ। ତୁମେ ତୁମର ସୀମା ଲଙ୍ଘନ କରିବା ଉଚିତ୍ ନୁହେଁ।

ସୀମା ପୁନଃ ନିର୍ଦ୍ଧାରଣର ସ୍ଵତନ୍ତ୍ର ବୈଠକକୁ ବିଜେଡିର ସମର୍ଥନ

ଭୁବନେଶ୍ବର: ଡିଲିମିଟେସନ ବା ସୀମା ପୁନଃ ନିର୍ଦ୍ଧାରଣର ସ୍ଵତନ୍ତ୍ର ବୈଠକକୁ ବିଜେଡିର ସମର୍ଥନ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି । ଆଉ ନବୀନ ବୈଠକକୁ ସମର୍ଥନ ଜଣାଇଛନ୍ତି । ଆସନ୍ତା ୨୬ ତାରିଖରେ ଚେନ୍ନାଇରେ ଏନେଇ ସ୍ଵତନ୍ତ୍ର ବୈଠକ ବସିବ ।

ସୀମା ପୁନଃ ନିର୍ଦ୍ଧାରଣରେ କ୍ଷତିଗ୍ରସ୍ତ ହେବାକୁ ଥିବା ୭ରୁ ୮ଟି ରାଜ୍ୟ ଏଥିରେ ସାମିଲ୍ ହେବେ । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଆଜି ଡିଏମକେ ସାଂସଦ ଦୟାନିଧି ମାରନ୍ ଏବଂ ଆଇଟି ମନ୍ତ୍ରୀ ନବୀନ ନିବାସରେ ଭେଟି ନିମନ୍ତ୍ରଣ କରିଛନ୍ତି । ଏହି ଅସରରେ ନବୀନ ତାଙ୍କର ସମର୍ଥନ ଜଣାଇଛନ୍ତି । ଏହାସହ ନବୀନ କହିଛନ୍ତି, ଅନୈତିକ ସୀମା ପୁନଃ ନିର୍ଦ୍ଧାରଣ ବିରୋଧରେ ସେ ସ୍ବର ଉତ୍ତୋଳନ କରିବେ । ଏହାସହ ସେ ବୈଠକରେ ସାମିଲ ହେବା ନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିବା ଦୟାନିଧି ମାରନ କହିଛନ୍ତି ।

୨୦୨୬ ମସିହାରେ ସୀମା ପୁନଃ ନିର୍ଦ୍ଧାରଣ ହେବାକୁ ଯାଉଛି । କେନ୍ଦ୍ର ସରକାର ସ୍ଵଚ୍ଛତାର ସହ ଏହା କରିବାକୁ ଚାହୁଁ ନାହାନ୍ତି । ତେଣୁ ଏହା ବିରୋଧରେ କ୍ଷତିଗ୍ରସ୍ତ ହେବାକୁ ଥିବା ୭ରୁ ୮ଟି ରାଜ୍ଯ ଆଲୋଚନା କରିବେ । ଓଡ଼ିଶା ବି ଏଥିରେ କ୍ଷତିଗ୍ରସ୍ତ ହେବ । ଆନୁପାତିକ ଭାବେ ସାଂସଦ ଏବଂ ବିଧାନସଭାରେ ଯେଉଁ ଅନୁପାତରେ ଓଡ଼ିଶା ପାଇବା କଥା ତାହା ହେବ ନାହିଁ । ଓଡ଼ିଶାର ବାସ୍ତବରେ କ’ଣ କ୍ଷତି ହେବ ସେ ନେଇ ଭୁବନେଶ୍ଵରରେ ଖୁବ୍ ଶୀଘ୍ର ଏକ ବୈଠକ ବସିବ । ଏ ନେଇ ବ୍ୟାପକ ଆଲୋଚନା ହେବ ବୋଲି ବିଜେଡି ନେତା ବୈଠକ ପରେ ସୂଚନା ଦେଇଛନ୍ତି । ଏହାଦ୍ବାରା ଯେଉଁ କ୍ଷତି ହେବ ବିଶେଷ କରି ତାକୁ ନେଇ ଆଲୋଚନା ହେବ ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର ।

ଡିଜିଟାଲ ପେମେଣ୍ଟ ହେବାକୁ ଯାଉଛି ମହଙ୍ଗା,ଜାଣନ୍ତୁ କେତେ ଦେବାକୁ ହେବ ଚାର୍ଜ ?

ନନ୍ଦିଘୋଷ ବ୍ୟୁରୋ: ଭାରତରେ ଡିଜିଟାଲ କାରବାର ପ୍ରତି ଲୋକଙ୍କ ଆଗ୍ରହ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବିଶେଷକରି, UPI ଏବଂ RuPay ଡେବିଟ୍ କାର୍ଡ ବ୍ୟବହାରରେ ଏକ ବିରାଟ ବୃଦ୍ଧି ଦେଖାଯାଉଛି । ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଏବଂ ଲୋକଙ୍କର ବର୍ଦ୍ଧିତ ଡିଜିଟାଲ ସଚେତନତା ଯୋଗୁଁ ଆଜି ଦେଶର ବହୁ ସଂଖ୍ୟକ ଲୋକ ନଗଦହୀନ କାରବାରକୁ ପସନ୍ଦ କରୁଛନ୍ତି ।

ଏପର୍ଯ୍ୟନ୍ତ, ସେମାନଙ୍କ ମାଧ୍ୟମରେ ହେଉଥିବା କାରବାର ଉପରେ କୌଣସି ଶୁଳ୍କ (MDR) ଲାଗୁ ହୋଇନାହିଁ। MDR ଅର୍ଥାତ Merchant Discount Rate । ଡିଜିଟାଲ୍ ପେମେଣ୍ଟ ପ୍ରକ୍ରିୟାକରଣ ପାଇଁ ଦୋକାନୀମାନେ ସେମାନଙ୍କ ବ୍ୟାଙ୍କଗୁଡ଼ିକୁ ଏହି ଶୁଳ୍କ ଦିଅନ୍ତି। ବର୍ତ୍ତମାନ, ସରକାର ଏହି ଶୁଳ୍କ ଛାଡ଼ କରିଛନ୍ତି। କିନ୍ତୁ ଏବେ ସରକାର ଏହାକୁ ପୁଣି ଥରେ କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛନ୍ତି ।

ବଡ଼ ବ୍ୟବସାୟୀଙ୍କ ଉପରେ ଲାଗୁ ହେବ କି MDR ?

ରିପୋର୍ଟ ଅନୁଯାୟୀ, ବ୍ୟାଙ୍କିଙ୍ଗ ଶିଳ୍ପ ପକ୍ଷରୁ ସରକାରଙ୍କୁ ଏକ ପ୍ରସ୍ତାବ ମଧ୍ୟ ପଠାଯାଇଛି। ଏହି ପ୍ରସ୍ତାବରେ କୁହାଯାଇଛି ଯେ ଯେଉଁ ଦୋକାନୀଙ୍କ ବାର୍ଷିକ କାରବାର ୪୦ଲକ୍ଷ ଟଙ୍କାରୁ ଅଧିକ, ସେମାନଙ୍କ ଉପରେ MDR ଲାଗୁ କରାଯିବ। ସରକାର ବର୍ତ୍ତମାନ ଏହି ପ୍ରସ୍ତାବ ଉପରେ ବିଚାର କରୁଛନ୍ତି । ସରକାର ଟିୟର ସିଷ୍ଟମ ମଧ୍ୟ କାର୍ଯ୍ୟକାରୀ କରିପାରିବେ। ଏହାର ଅର୍ଥ ହେଉଛି ବଡ଼ ବ୍ୟବସାୟୀଙ୍କଠାରୁ ଅଧିକ ଶୁଳ୍କ ନିଆଯିବ, ଯେତେବେଳେକି ଛୋଟ ବ୍ୟବସାୟୀଙ୍କଠାରୁ କମ୍ କିମ୍ବା କୌଣସି ଶୁଳ୍କ ନିଆଯିବ ନାହିଁ।

MDR ଫେରାଇ ଆଣିବା କାହିଁକି ଆବଶ୍ୟକ?

ଏହା ଉପରେ ବ୍ୟାଙ୍କ ଏବଂ ପେମେଣ୍ଟ କମ୍ପାନୀଗୁଡ଼ିକର ମତ ଯେ ଯେତେବେଳେ ବଡ଼ ବ୍ୟବସାୟୀମାନେ ପୂର୍ବରୁ ଭିସା, ମାଷ୍ଟରକାର୍ଡ ଏବଂ କ୍ରେଡିଟ୍ କାର୍ଡରେ MDR ପେମେଣ୍ଟ କରୁଛନ୍ତି, ତେବେ UPI ଏବଂ RuPay ରେ କାହିଁକି ନୁହେଁ ? ବ୍ୟାଙ୍କଗୁଡ଼ିକର କହିବା ଅନୁଯାୟୀ ସରକାର ଏହାକୁ ୨୦୨୨ ମସିହାରେ ଉଚ୍ଛେଦ କରିଦେଇଥିଲେ ଯାହା ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବାକୁ ଉଦ୍ଦେଶ୍ୟ ଥିଲା।

MDR କ’ଣ ଏବଂ ଏହା କାହିଁକି ଲାଗୁ ହୁଏ?

MDR  ଅର୍ଥାତ୍ ବ୍ୟବସାୟୀ ରିହାତି  । ଏହା ଏକ ଶୁଳ୍କ ଯାହା  ଦୋକାନୀମାନେ ପ୍ରକୃତ ସମୟରେ ପେମେଣ୍ଟ ଗ୍ରହଣ କରିବାର ସୁବିଧା ପାଇଁ ଦିଅନ୍ତି। ଯେତେବେଳେ ଜଣେ ଗ୍ରାହକ UPI କିମ୍ବା ଡେବିଟ୍ କାର୍ଡ ମାଧ୍ୟମରେ ପେମେଣ୍ଟ କରନ୍ତି, ସେତେବେଳେ ବ୍ୟାଙ୍କ ଏବଂ ପେମେଣ୍ଟ କମ୍ପାନୀଗୁଡ଼ିକୁ ଭିତ୍ତିଭୂମିର ଖର୍ଚ୍ଚ ବହନ କରିବାକୁ ପଡ଼ିଥାଏ । ଏହି ଖର୍ଚ୍ଚ ବହନ କରିବା ପାଇଁ ଏହି ଶୁଳ୍କ ଆଦାୟ କରାଯାଇଥାଏ ।