spot_img
Home Blog Page 971

ଜେସିବି ଲଗାଇ ତାଡ଼ି ନେଲେ ଏଟିଏମ୍ ,୩ ଅଭିଯୁକ୍ତ ଅଟକ

ନନ୍ଦିଘୋଷ ବ୍ୟୁରୋ : ଝାରସୁଗୁଡ଼ା ସଦର ଥାନା ବିଟିଏମ ଛକ ଠାରେ ଜେସିବି ଲଗାଇ ଏଟିଏମ ତାଡ଼ି ନେବା ଘଟଣା। ଉଦ୍ଧାର ହେଲା ଏଟିଏମ ମେସିନ। ଏହି ଘଟଣାରେ ତିନି ଜଣଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି। ବ୍ୟାଙ୍କ ଷ୍ଟାଫ ଆସି ମେସିନଟି ଅକ୍ଷୁର୍ଣ୍ଣ ଥିବା ଜଣାଇଥିବା ପୋଲିସ ସୂଚନା ଦେଇଛି। ଗତକାଲି ବିଳମ୍ବିତ ରାତିରେ ବିଟିଏମ ଛକରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ ଇଣ୍ଡିଆର ଏଟିଏମକୁ ଜେସିବି ଲଗାଇ ତାଡ଼ି ନେଇଥିଲେ ଦୁର୍ବୃତ୍ତ। ସୂଚନା ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଜାରି ରଖିଛି । ଜେସିବି ମାଲିକଙ୍କ ସମେତ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ।

ଭଦ୍ରକ ବାସୁଦେବପୁରରେ ଗୋଷ୍ଠୀ ସଂଘର୍ଷ : ଜମିବାଡିକୁ କେନ୍ଦ୍ରକରି ସଂଘର୍ଷରୁ ୧୦ ଜଣ ଆହତ

ନନ୍ଦିଘୋଷ ବ୍ୟୁରୋ : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଜଗନ୍ନାଥପ୍ରସାଦ ପଞ୍ଚାୟତର ଦଧିବାମନପୁର ବନ୍ଧସାହି ଗାଁରେ ଗୋଷ୍ଠୀ ସଂଘର୍ଷ । ଜମିବାଡିକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଦୁଇ ଗୋଷ୍ଠୀର ୧୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ଚିକିତ୍ସା ପାଇଁ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୪ ଜଣ ଗୁରୁତରଙ୍କୁ ଭଦ୍ରକ ମେଡିକାଲକୁ ରେଫର କରାଯାଇଛି ।

ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ନାୟକାଣୀଡିହି ପୋଲିସ ପହଞ୍ଚିଛି । ବନ୍ଧସାହିର ମହେଶ୍ବର ମଳିକ ଓ ନିରାକାର ମଳିକଙ୍କ ପରିବାର ମଧ୍ଯରେ ଜମିଜମାକୁ କେନ୍ଦ୍ର କରି ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା । ଗାଁରେ ରାସ୍ତା ନିର୍ମାଣ କାମ ଚାଲିଥିବାବେଳେ ଏହି ରାସ୍ତା କାମକୁ ନେଇ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ଉଭୟଙ୍କ ମଧ୍ଯରେ ମୁହାଁମୁହିଁ ହେବାରୁ କିଛି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ମହେଶ୍ବର ମଳିକଙ୍କ ପକ୍ଷରୁ ୭ ଜଣ ଆହତ ହୋଇଛନ୍ତି । ମହେଶ୍ବରଙ୍କ ଘରେ ପସି ଆସବାବପତ୍ର ଭଙ୍ଗାରୁଜା କରିବା ସହିତ ତିନୋଟି ବାଇକ ଭାଙ୍ଗି ଦେଇଛନ୍ତି । ଏହାକୁ ରାଜନୈତିକ ହିଂସାକାଣ୍ଡ ବୋଲି କହିଛନ୍ତି ମହେଶ୍ବର।

ପ୍ରେମିକ ସହ ମିଶି ରଚିଥିଲେ ଷଡ଼ଯନ୍ତ୍ର , ପ୍ଲାଷ୍ଟିକ୍ ଡ୍ରମ୍ ସ୍ୱାମୀର ମୃତଦେହକୁ କରିଥିଲେ ପ୍ଲାଷ୍ଟର

ନନ୍ଦିଘୋଷ ବ୍ୟୁରୋ : ଜଣେ ମହିଳା ନିଜ ପ୍ରେମିକଙ୍କ ସହ ମିଶି ଲଣ୍ଡନଫେରନ୍ତା ସ୍ବାମୀଙ୍କୁ ହତ୍ୟା କରିଛନ୍ତି। ଏତିକି ନୁହେଁ, ସେ ନିଜ ଦୋଷ ଲୁଚାଇବା ପାଇଁ ସ୍ବାମୀଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି ଏକ ପ୍ଲାଷ୍ଟିକ୍‌ ଡ୍ରମ୍‌ରେ ପୂରାଇ ତା’ ଉପରେ ସିମେଣ୍ଟ ପ୍ଲାଷ୍ଟର କରିଦେଇଥିଲେ। ଧରାପଡ଼ିବା ପରେ ସମ୍ପୃକ୍ତ ମହିଳା ଓ ପ୍ରେମିକ ଏଭଳି ଜଘନ୍ୟ ଅପରାଧ ଘଟାଇଥିବା ବିଷୟ ପୋଲିସ ସମ୍ମୁଖରେ ସ୍ବୀକାର କରିଛନ୍ତି।

ଉତ୍ତରପ୍ରଦେଶର ମିରଠ ବାସିନ୍ଦା ସୌରଭ ରାଜପୁତ ବ୍ରିଟେନ୍‌ରେ ଚାକିରି କରନ୍ତି। ୨୦୧୬ରେ ସେ ମୁସ୍କାନ ରୋହତଗୀଙ୍କୁ ବିବାହ କରିଥିଲେ। ମୁସ୍କାନ ସେମାନଙ୍କର ୫ ବର୍ଷୀୟା ଝିଅକୁ ଧରି ମିରଠର ଏକ ଭଡ଼ାଘରେ ରହୁଥିଲେ। ଇତିମଧ୍ୟରେ ସୌରଭ ନିକଟରେ ଲଣ୍ଡନରୁ ମିରଠକୁ ଫେରିଥିଲେ। କିନ୍ତୁ ଗତ ୪ ତାରିଖରୁ ସୌରଭଙ୍କ କୌଣସି ପତ୍ତା ମିଳି ନ ଥିଲା। ସେହିଦିନ ହିଁ ମୁସ୍କାନ ଓ ତାଙ୍କ ପ୍ରେମିକ ସାହିଲ ଶୁକ୍ଳା ମିଶି ସୌରଭଙ୍କୁ ହତ୍ୟା କରିଥିବା କୁହାଯାଉଛି।

ପୋଲିସ ଆଗରେ ଉଭୟେ ଦୋଷ ସ୍ବୀକାର କରି ସବୁ ମାନି ନେଇଛନ୍ତି। ମାର୍ଚ୍ଚ ୪ ରାତିରେ ମୁସ୍କାନ ସୌରଭଙ୍କ ଖାଦ୍ୟରେ ନିଶା ଔଷଧ ମିଶାଇ ଦେଇଥିଲେ। ତାକୁ ଖାଇବା ପରେ ସୌରଭ ସଂଜ୍ଞାହୀନ ହୋଇଯାଇଥିଲେ। ଏହା ପରେ ପ୍ରେମିକ ସାହିଲଙ୍କୁ ମୁସ୍କାନ ନିଜ ଘରକୁ ଡାକିଥିଲେ। ସାହିଲ ସୌରଭଙ୍କ ଛାତିରେ ଛୁରି ଭୁସି ତାଙ୍କ ଗଳା କାଟି ଦେଇଥିଲେ। ଦୁହେଁ ମିଶି ସୌରଭଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିଥିଲେ। ପୂର୍ବ ଯୋଜନା ମୁତାବକ ପରଦିନ ଖଣ୍ଡବିଖଣ୍ଡିତ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ ଏକ ବଡ଼ ପ୍ଲାଷ୍ଟିକ୍‌ ଡ୍ରମ୍‌ରେ ଭର୍ତ୍ତି କରି ତା’ ଉପରେ ସିମେଣ୍ଟ ପ୍ଲାଷ୍ଟର କରିଥିଲେ। ଉକ୍ତ ଡ୍ରମ୍‌କୁ ସେମାନେ ଘର ଭିତରେ ଲୁଚାଇ ଦେଇଥିଲେ।

ଏହା ପରେ ମୁସ୍କାନ ଓ ସାହିଲ ଶିମ୍‌ଲାସ୍ଥିତ ଏକ ହିଲ୍‌ ଷ୍ଟେଶନକୁ ଛୁଟି କାଟିବାକୁ ଚାଲିଯାଇଥିଲେ। ଇତିମଧ୍ୟରେ ମୁସ୍କାନଙ୍କ ମା’ ଥାନାକୁ ଯାଇ ଝିଅ ତାଙ୍କ ସମ୍ମୁଖରେ ଅପରାଧ ସ୍ବୀକାର କରିଥିବା ବିଷୟ ପୋଲିସକୁ ଜଣାଇବା ପରେ ଏହି ହତ୍ୟାକାଣ୍ଡ ଲୋକଲୋଚନକୁ ଆସିଛି। ପୋଲିସ ମୁସ୍କାନ ଓ ସାହିଲଙ୍କୁ ହତ୍ୟା ଘଟାଇଥିବା ଘରକୁ ନେଇଛି।

ଦୁହେଁ ଲୁଚାଇ ରଖିଥିବା ମୃତଦେହକୁ ବାହାର କରିବା ପାଇଁ ପୋଲିସକୁ ୨ ଘଣ୍ଟାରୁ ଅଧିକ ସମୟ ଲାଗିଯାଇଥିଲା। ଶେଷରେ ପୋଲିସ ତାକୁ ଜବତ କରି ଏକ ଶବଗୃହକୁ ପଠାଇ ଦେଇଛି। ସ୍ଥାନୀୟ ଲୋକଙ୍କ କହିବା ହେଲା, ମୁସ୍କାନ ନିଜ ଘରେ ତାଲା ପକାଇ ସ୍ବାମୀଙ୍କ ସହ ହିମାଚଳ ପ୍ରଦେଶକୁ ଯାଉଥିବା ବିଷୟ ପଡ଼ୋଶୀଙ୍କୁ ଜଣାଇଥିଲେ। ଏହା ଭିତରେ ସେ ସନ୍ଦେହ ଏଡ଼ାଇବା ପାଇଁ ସୌରଭଙ୍କ ମୋବାଇଲରୁ ତାଙ୍କ ପରିବାର ସଦସ୍ୟମାନଙ୍କ ନିକଟକୁ ବିଭ୍ରାନ୍ତିକର ମେସେଜ୍‌ ପଠାଉଥିଲେ।

ତଦନ୍ତରୁ ପୋଲିସ ଆହୁରି ଜାଣିବାକୁ ପାଇଛି ଯେ, ସୌରଭ ନିଜ ଘର ଲୋକଙ୍କୁ ମର୍ଚ୍ଚାଣ୍ଟ ନେଭିରେ କାମ କରୁଥିବା କଥା କହିଥିଲେ। କିନ୍ତୁ ସେ ଲଣ୍ଡନର ଏକ ବେକେରିରେ କାର୍ଯ୍ୟ କରୁଥିଲେ। ମିରଠ ଏସ୍‌ପି ଆୟୁଷ ବିକ୍ରମ କହିଛନ୍ତି, ଇନ୍ଦିରା ନଗରରେ ହତ୍ୟା ଘଟିଥିବା ନେଇ ଆମେ ସୂଚନା ପାଇଥିଲୁ। ତଦନ୍ତରୁ ଏନେଇ ସବୁ ସ୍ପଷ୍ଟ ହୋଇଯାଇଛି। ଡ୍ରମ୍‌ରୁ ଦେହାବଶେଷକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପରିବାର ଲୋକଙ୍କ ଏତଲା କ୍ରମେ ଦୁହିଁଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯିବା ସହ ଅଧିକ ତଦନ୍ତ ଜାରି ରହିଛି।

ଆଗାମୀ ରଥଯାତ୍ରାକୁ ନେଇ ପ୍ରସ୍ତୁତ ଭିଡିଓରେ ବ୍ୟତିକ୍ରମ

ନନ୍ଦିଘୋଷ ବ୍ୟୁରୋ : ଆଗାମୀ ରଥଯାତ୍ରାକୁ ନେଇ  ପ୍ରସ୍ତୁତ କରାଯାଇଛି ଏକ ଭିଡିଓ । ଯେଉଁ ଭିଡିଓ ଜିଲ୍ଲା ପ୍ରଶାସନ ତାର ଜିଲ୍ଲା ସୂଚନା ଅଧିକାରୀଙ୍କ ଗୃପରେ ଦେଇଛି। ହେଲେ ଏହି ଭିଡିଓରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି  । ମହାପ୍ରଭୁଙ୍କ ନନ୍ଦିଘୋଷ ରଥରେ ବଳଭଦ୍ରଙ୍କୁ ବିରାଜମାନ କରାଯାଇଥିବା ବେଳେ ବଳଭଦ୍ରଙ୍କ ତାଳଦ୍ୱଜ ରଥରେ ଜଗନ୍ନାଥ ମହାପ୍ରଭୁଙ୍କୁ ବିରାଜମାନ କରାଯାଇଛି। ଏଭଳି ଭୁଲ ଭିଡ଼ିଓ ଜିଲ୍ଲାପ୍ରଶାସନ ପ୍ରସ୍ତୁତ କରି ଏହାକୁ ପ୍ରଦାନ କରାଯାଇଥିବା ବେଳେ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି  । ଏଭଳି ତ୍ରୁଟିପୂର୍ଣ୍ଣ ଭିଡିଓ ଗୋଟେ ମୋବଇଲରୁ ଆଉ ଗୋଟେ ମୋବଇଲକୁ ଘୁରି ବୁଲୁଥିବା ବେଳେ ଜଗନ୍ନାଥ ରଥଯାତ୍ରାକୁ ନେଇ ବିଭ୍ରାନ୍ତିକର ତଥ୍ୟ ପରିପ୍ରକାଶ ପାଇଛି । ଏଥିରେ ରାଜ୍ୟସରକାରଙ୍କ ଲୋଗୋ ଏବଂ ଶ୍ରୀମନ୍ଦିର ପ୍ରଶାସନର ଲୋଗୋ ମଧ୍ୟ ଲଗାଯାଇଛି । ତେଣୁ ସରକାରଙ୍କ ପକ୍ଷରୁ ଏଭଳି ବିଭ୍ରାନ୍ତିକର ତଥ୍ୟ ଥାଇ ଭିଡିଓକୁ ସାର୍ବଜନୀନ କରିବା କେତେଦୂର ଠିକ ତାକୁ ନେଇ ପ୍ରଶ୍ନ ଉଠିଛି ।

ଆଜି ବିଶ୍ବ ପଖାଳ ଦିବସ : ବିଭିନ୍ନ ହୋଟେଲ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର : ଆଜି ପଖାଳ ଦିବସ। ଓଡ଼ିଆ ଜାତିର ଗର୍ବ ଓ ବିଶେଷତ୍ବ ହେଉଛି ପଖାଳ । ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଆହୁରି ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଏ । ଏବେ ଛୋଟବଡ଼ ହୋଟେଲ ଓ ରେସ୍ତୋରାଁ ଗୁଡ଼ିକରେ ବିଭିନ୍ନ ପ୍ରକାରର ପଖାଳ ପସ୍ତୁତ କରାଯାଉଛି । କେବଳ ଓଡ଼ିଶାରେ ରହୁଥିବା ଲୋକ ନୁହଁନ୍ତି ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଦିନ ପଖାଳ ଖାଇ ପଖାଳ ଦିବସ ପାଳନ କରନ୍ତି। ପଖାଳ ଦିବସକୁ ଦୃଷ୍ଟିରେ ରଖି ହୋଟେଲମାନଙ୍କରେ ମଧ୍ୟ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଏ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଆସାମ ଆଦି ରାଜ୍ୟରେ ପଖାଳ ବେଶ୍ ଲୋକପ୍ରିୟ।

ଶମ୍ଭୁ ସୀମାରୁ ଜୋର ଜବରଦସ୍ତ ଚାଷୀଙ୍କୁ ହଟାଇଲା ପଞ୍ଜାବ ପୋଲିସ

ନନ୍ଦିଘୋଷ ବ୍ୟୁରୋ : ପଞ୍ଜାବ ଶମ୍ଭୁ ବୋର୍ଡରୁ ଚାଷୀଙ୍କୁ ହଟାଇଲା ପୋଲିସ। ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ଅନେକ ଦାବି ପାଇଁ ପ୍ରତିବାଦ କରୁଥିବା ଚାଷୀମାନଙ୍କୁ ଗତକାଲି ଶମ୍ଭୁ ସୀମାରୁ ଜୋର ଜବରଦସ୍ତ ହଟାଇଛି ପଞ୍ଜାବ ପୋଲିସ। ଚାଷୀମାନଙ୍କ ଦ୍ୱାରା ନିର୍ମିତ ଅସ୍ଥାୟୀ ନିର୍ମାଣକୁ ମଧ୍ୟ ପୋଲିସ ହଟାଇ ଦେଇଛି। ଏହା ସହିତ, ପୋଲିସ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ଥିବା କୃଷକ ନେତା ଜଗଜିତ ସିଂହ ଡାଲେୱାଲ ଏବଂ କିଷାନ ମଜଦୁର ମୋର୍ଚ୍ଚା ନେତା ସରୱାନ ସିଂହ ପାନ୍ଧେରଙ୍କ ସମେତ ଅନେକ ଚାଷୀ ନେତାଙ୍କୁ ଅଟକ ରଖିଛି।

ଚାଷୀମାନେ ଶମ୍ଭୁ ଏବଂ ଖାନୌରୀ ସୀମା ଖୋଲିବାକୁ ଚାହୁଁଥିବା ଅଭିଯୋଗ ବାଢିଛନ୍ତି ପଞ୍ଜାବ ମନ୍ତ୍ରୀ ହରପାଲ ସିଂହ ଚିମା।ଚାଷୀମାନେ ଦିଲ୍ଲୀ କିମ୍ବା ଅନ୍ୟ କୌଣସି ସ୍ଥାନରେ ପ୍ରତିବାଦ କରିବା ଉଚିତ। କାରଣ ସେମାନଙ୍କର ଦାବି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ। ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ସାଂସଦ ଅମରିନ୍ଦର ସିଂହ ରାଜା ୱାରିଂ ପ୍ରଞ୍ଜାବ ସରକାରଙ୍କୁ ସମାଲୋଚନା କରିଛନ୍ତି। ପଞ୍ଜାବରେ ଥିବା ଆପ ସରକାର ଚାଷୀମାନଙ୍କୁ ଅଲଗା କରିବାକୁ ଚାହୁଁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଗତକାଲି ସକାଳେ ଚଣ୍ଡୀଗଡ଼ରେ ଚାଷୀଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ।

ତେବେ ବଡ଼କଥା ହେଉଛି ଆମରଣ ଅନଶନରେ ବସିଥିବା ଚାଷୀ ନେତା ଜଗଜିତ ସିଂ ଦାଲେୱାଲ ଆମ୍ବୁଲାନ୍ସରେ ଆସି କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଉଭୟ ପକ୍ଷ ମଧ୍ଯରେ ସପ୍ତମ ପର୍ଯ୍ୟାୟ ଆଲୋଚନା ହୋଇଥିଲା । କର୍କଟ ରୋଗରେ ପୀଡ଼ିତ ୭୦ ବର୍ଷ ବୟସ୍କ ଦାଲେୱାଲ ଗତ କିଛି ମାସ ଧରି ଚାଷୀ ସମସ୍ଯା ନେଇ ପଞ୍ଜାବ ହରିୟାଣା ସୀମା ଖାନାଉରିରେ ଆମରଣ ଅନଶନରେ ବସିଥିଲେ । ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଲାଗି ଆଇନଗତ ଗ୍ଯାରେଣ୍ଟି ଦାବିରେ ଚାଷୀମାନେ ଦୀର୍ଘ ଦିନ ଧରି ଚଳାଇଛନ୍ତି ଆନ୍ଦୋଳନ। ତେବେ ମେ ୪ ତାରିଖରେ ସରକାର ଏବଂ କୃଷକମାନଙ୍କ ମଧ୍ୟରେ ପରବର୍ତ୍ତୀ ବୈଠକ ବସିବ ବୋଲି ସ୍ଥିର ହୋଇଥିଲା । ତାପୂର୍ବରୁ ପଞ୍ଜାବ ସରକାରଙ୍କ ଏଭଳି ଜୋର ଜବରଦସ୍ତ ଚାଷୀଆନ୍ଦୋଳନକୁ ହଟାଇବାକୁ କଗ୍ରେସ ନିନ୍ଦା କରିଛି ।

ଜନ ଏଫ. କେନେଡି ହତ୍ୟା ମାମଲା : ଅବଶିଷ୍ଟ ୮୦ ହଜାର ଫାଇଲ ହେଲା ସର୍ବସାଧାରଣ

ନନ୍ଦିଘୋଷ ବ୍ୟୁରୋ: ସର୍ବସାଧରଣ ହେଲେ ଆମେରିକାର ବହୁଚର୍ଚ୍ଚିତ ପୂର୍ବତନ ରାଷ୍ଟ୍ରପତି ଜନ ଏଫ. କେନେଡିଙ୍କ ହତ୍ୟା ସମ୍ପର୍କିତ ଅବଶିଷ୍ଟ ଫାଇଲ। ୧୯୬୩ରେ ଘଟିଥିବା ହତ୍ୟାକାଣ୍ଡର ଫାଇଲ ଖୋଲିବା ଲାଗି ନିର୍ଦ୍ଦେଶ ଦେଇଥିଲେ ନୂଆ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ। ପ୍ରାୟ ୬୦ ବର୍ଷ ପରେ ହତ୍ୟାକାଣ୍ଡ ସମ୍ପର୍କିତ ସମସ୍ତ ଫାଇଲ ପ୍ରକାଶିତ ହୋଇଛି। ଏହା ସହ ମାର୍ଟିନ ଲୁଥର କିଙ୍ଗ୍ ଜୁନିଅରଙ୍କ ହତ୍ୟା ସମ୍ପର୍କିତ ଦସ୍ତାବିଜ ପ୍ରକାଶିତ ହୋଇଛି। ଆମେରିକା ନ୍ୟାସନାଲ ଆର୍କାଇଭ୍ସ ଆଣ୍ଡ ରେକର୍ଡ୍ସ ଆଡମିନିଷ୍ଟ୍ରେସନର ୱେବସାଇଟରେ ପୂର୍ବରୁ ସ୍ଥାନୀତ ହୋଥିଲା ୬୦ ଲକ୍ଷ ପୃଷ୍ଠାର ରେକର୍ଡ, ଫଟୋଗ୍ରାଫ, ମୋସନ ପିକ୍ଚର, ସାଉଣ୍ଡ ରେକର୍ଡିଂ ଆଦି ତଥ୍ୟ। ବର୍ତ୍ତମାନର ନୂଆ ନିର୍ଦ୍ଦେଶନାମା ଅନୁସାରେ ଆଉ ୮୦ ହଜାର ଫାଇଲ ରିଲିଜ ହୋଇଛି। ଗବେଷକମାନେ ଦାବି କରୁଛନ୍ତି ୩ ହଜାରରୁ ଅଧିକ ରେକର୍ଡ ଆଂଶିକ କିମ୍ବା ସାମଗ୍ରିକ ଭାବେ ପ୍ରକାଶିତ ହୋଇଛି। ଏଫବିଆଇ କହିଛି- ହତ୍ୟାକାଣ୍ଡ ନେଇ ୨ ହଜାର ୪୦୦ ନୂଆ ରେକର୍ଡର ସନ୍ଧାନ କରାଯାଇଛି। ଗତ ୧୯୬୩ ନଭେମ୍ବର ୨୨ ତାରିଖରେ କେନେଡିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ବିଗତ ୧୯୬୩ ନଭେମ୍ବର ୨୨ରେ ଡଲାସରେ କେନେଡିଙ୍କୁ ଗୁଳି କରି ହତ୍ୟା କରିଥିଲେ ଲି ହାର୍ଭେ ଓସୱାଲଡ। ହତ୍ୟାକାଣ୍ଡର ୨ ଦିନ ପରେ ଓସୱାଲଡକୁ ଜେଲରୁ ସ୍ଥାନାନ୍ତର କରାଯାଉଥିବାବେଳେ ଏକ ନାଇଟକ୍ଲବ ମାଲିକ ଜ୍ୟାକ ରୁବି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ହତ୍ୟା ଘଟଣାର ସମସ୍ତ ନଥିକୁ ଜାତୀୟ ଅଭିଲେଖାଗାରରେ ରଖିବା ଲାଗି ୧୯୯୦ ଦଶକରେ ନିଷ୍ପତ୍ତି ହୋଇଥିଲା।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବିବାଦ, ଜିଲ୍ଲାପାଳଙ୍କୁ ଇ-ମେଲ୍ ମାଧ୍ୟମରେ ସ୍ପଷ୍ଟୀକରଣ ଦେଲେ ହେମାମାଳିନୀ

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ତଥା ମଥୁରା ସାଂସଦ ହେମାମାଳିନୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବିବାଦ ପ୍ରସଙ୍ଗ । ପୁରୀ ଜିଲ୍ଲାପାଳଙ୍କୁ ଇ-ମେଲ୍ ମାଧ୍ୟମରେ ସ୍ପଷ୍ଟୀକରଣ ରଖିଲେ ହେମାମାଳିନୀ । ସେ ସନାତନୀ ହିନ୍ଦୁ ଧର୍ମରେ ଅଛନ୍ତି ଏବଂ ସମସ୍ତ ନୀତି ନିୟମକୁ ପାଳନ କରୁଛନ୍ତି ବୋଲି କହିଛନ୍ତି ହେମା । ପୂର୍ବରୁ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଅନେକଥର ଆସିଛନ୍ତି । ପୁରୀ ଜିଲ୍ଲାପାଳଙ୍କୁ ଇ-ମେଲ୍ ମାଧ୍ୟମରେ ସ୍ପଷ୍ଟୀକରଣ ରଖିଥିବା ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସୂଚନା ଦେଇଛନ୍ତି । ହେମାମାଳିନୀ ଅଣହିନ୍ଦୁ ହୋଇ କିଭଳି ଶ୍ରୀମନ୍ଦିରରେ ପ୍ରବେଶ କଲେ ସେ ନେଇ ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ଵାର ଥାନାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏତଲା ଦିଆଯାଇଥିଲା । ହୋଲି ଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ ହେମାମାଳିନୀ ।

କେବେ ଭାରତ ଆସିବେ ସୁନିତା? ଜାଣନ୍ତୁ କଣ କହିଲେ ଭଉଣୀ..

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ବୁଧବାର ସକାଳେ (ମାର୍ଚ୍ଚ ୧୯) ପୃଥିବୀକୁ ଫେରି ଆସିଛନ୍ତି। ୯ ମାସ ୧୪ ଦିନ ବିତାଇବା ପରେ, ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋର ପୃଥିବୀକୁ ଫେରି ଆସିଲେ। ସୁନିତା ୱିଲିୟମ୍ସଙ୍କ ସଫଳ ପ୍ରତ୍ୟାବର୍ତ୍ତନ ପାଇଁ ଭାରତର ଅନେକ ସ୍ଥାନରେ ପ୍ରାର୍ଥନା କରାଯାଇଥିଲା।

ସ୍ପେସଏକ୍ସ କ୍ରୁ ଡ୍ରାଗନ କ୍ୟାପସୁଲର ସୁରକ୍ଷିତ ଅବତରଣ ପରେ ସୁନିତା ୱିଲିୟମ୍ସଙ୍କ ପୈତୃକ ଗ୍ରାମରେ ଆନନ୍ଦର ଲହରୀ ଖେଳିଯାଇଥିଲା। ସ୍ପେସଏକ୍ସ କ୍ରୁ ଡ୍ରାଗନ କ୍ୟାପସୁଲର ସୁରକ୍ଷିତ ଅବତରଣ ପରେ ସୁନିତା ୱିଲିୟମ୍ସଙ୍କ ଗୁଜରାଟରେ ଥିବା ତାଙ୍କ ପୈତୃକ ଗ୍ରାମରେ ଆନନ୍ଦର ଲହରୀ ଖେଳିଯାଇଥିଲା। ସୁନିତାଙ୍କ ସଫଳ ଅବତରଣ ପରେ, ତାଙ୍କ ସମ୍ପର୍କୀୟ ଭଉଣୀ ଫାଲଗୁନି ପାଣ୍ଡ୍ୟା ମନ୍ଦିରକୁ ଯାଇ ପ୍ରାର୍ଥନା କରିଥିଲେ। ସେ କହିଥିଲେ ଯେ ଏହା ଏକ ‘ଅବିସ୍ମରଣୀୟ ମୁହୂର୍ତ୍ତ’ ଥିଲା।

ଫାଲଗୁନି ପାଣ୍ଡ୍ୟା କହିଛନ୍ତି, ‘ମୁଁ ଭଗବାନଙ୍କ ନିକଟରେ ବହୁତ କୃତଜ୍ଞ ଏବଂ ସୁନିତା ଘରକୁ ଫେରିଥିବାରୁ ବହୁତ ଖୁସି। ଏହା ଏକ ଲମ୍ବା ସମୟର ଅପେକ୍ଷା ଥିଲା। କୌଣସି ଆତଙ୍କ ନଥିଲା। ମୁଁ ପ୍ରାର୍ଥନା କରିଥିଲି ଏବଂ ପ୍ରତିଜ୍ଞା କରିଥିଲି ଯେ ସବୁକିଛି ଠିକ ହୋଇଗଲେ ଏବଂ ମୁଁ ଏଠାରେ ପହଞ୍ଚିଗଲେ ମୁଁ ମନ୍ଦିରକୁ ଆସିବି।

ଏହି ସମୟରେ, ସୁନିତା ୱିଲିୟମ୍ସଙ୍କ ସମ୍ପର୍କୀୟ ଭାଇ ଦିନେଶଭାଇ ରାୱଲ କହିଛନ୍ତି, ‘ଆଜି ଆମେ ବହୁତ ଖୁସି। ଆମେ ସାରା ରାତି ସୁରକ୍ଷିତ ଅବତରଣ ପାଇଁ ପ୍ରାର୍ଥନା କରିଥିଲୁ। ସେହି ଆଠ ଦିନ ପରେ ଅବଶିଷ୍ଟ ଦିନଗୁଡ଼ିକ ଆମ ପାଇଁ ସହଜ ନଥିଲା। ଆମେ ପରିବାର ସଦସ୍ୟମାନେ ଚିନ୍ତିତ ଥିଲୁ। ତଥାପି, କ୍ୟାପସୁଲ ଅବତରଣ କରିବା ପରେ ଆମେ ଆଶ୍ୱସ୍ତ ଅନୁଭବ କଲୁ।’ ସୂଚନାଯୋଗ୍ୟ, ଏକ ଘରୋଇ ନ୍ୟୁଜ ଚ୍ୟାନେଲ ସହିତ କଥାବାର୍ତ୍ତା ସମୟରେ ଫାଲଗୁନି ପାଣ୍ଡ୍ୟା କହିଥିଲେ ଯେ ଏବେ ଆମେ ଏକାଠି ଛୁଟି କାଟିବାକୁ ଏବଂ ପରିବାର ସହିତ ସମୟ ବିତାଇବାକୁ ଯୋଜନା କରୁଛୁ। ସେ ନିଶ୍ଚିତ କରିଛନ୍ତି ଯେ ସୁନିତା ୱିଲିୟମ୍ସ ଖୁବ ଶୀଘ୍ର ଭାରତ ଗସ୍ତରେ ଆସିପାରନ୍ତି।

ସୂଚନାଯୋଗ୍ୟ, ସୁନିତା ୱିଲିୟମ୍ସ ପୃଥିବୀକୁ ଫେରିବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନିତା ୱିଲିୟମ୍ସଙ୍କୁ ଏକ ଚିଠି ଲେଖିଥିଲେ। ସେ କହିଥିଲେ ଯେ ତୁମେ ହଜାର ହଜାର ମାଇଲ ଦୂରରେ ଥାଇପାର, କିନ୍ତୁ ତୁମେ ଆମ ହୃଦୟର ନିକଟତର।

ପ୍ରଧାନମନ୍ତ୍ରୀ ମୋଦି ଚିଠିରେ ଲେଖିଛନ୍ତି, ମୁଁ ଭାରତର ଜନସାଧାରଣଙ୍କ ତରଫରୁ ଆପଣଙ୍କୁ ଶୁଭକାମନା ଜଣାଉଛି। ଆଜି ଏକ କାର୍ଯ୍ୟକ୍ରମରେ ମୁଁ ପ୍ରସିଦ୍ଧ ମହାକାଶଚାରୀ ମାଇକ ମାସିମିନୋଙ୍କୁ ଭେଟିଥିଲି। ଆମ କଥାବାର୍ତ୍ତା ସମୟରେ, ଆପଣଙ୍କ ନାମ ଆସିଲା ଏବଂ ଆମେ ଆପଣଙ୍କର ଏବଂ ଆପଣଙ୍କ କାମ ପାଇଁ କେତେ ଗର୍ବିତ ତାହା ଆଲୋଚନା କଲୁ। ଏହି କଥାବାର୍ତ୍ତା ପରେ, ମୁଁ ଆପଣଙ୍କୁ ପତ୍ର ଲେଖିବାରୁ ନିଜକୁ ରୋକିପାରିଲି ନାହିଁ। ମୋର ଆମେରିକା ଗସ୍ତ ସମୟରେ ଯେତେବେଳେ ମୁଁ ରାଷ୍ଟ୍ରପତି ଟ୍ରମ୍ପ କିମ୍ବା ପୂର୍ବତନ ରାଷ୍ଟ୍ରପତି ବାଇଡେନଙ୍କୁ ଭେଟିଥିଲି, ମୁଁ ଆପଣଙ୍କ ବିଷୟରେ ପଚାରିଥିଲି। ଆପଣଙ୍କ ସଫଳତା ପାଇଁ ୧୪୦ କୋଟି ଭାରତୀୟ ସବୁବେଳେ ଗର୍ବିତ। ସାମ୍ପ୍ରତିକ ଘଟଣାକ୍ରମ ପୁଣି ଥରେ ଆପଣଙ୍କର ପ୍ରେରଣାଦାୟକ ର୍ଧଯ୍ୟ ଏବଂ ଦୃଢ଼ତାକୁ ପ୍ରଦର୍ଶନ କରିଛି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ୨୦୧୬ ମସିହାରେ ମୋର ଆମେରିକା ଗସ୍ତ ସମୟରେ ଆପଣଙ୍କୁ ଭେଟିଥିବା କଥା ମୋର ମନେ ଅଛି। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ଆପଣ ଫେରିବା ପରେ ମୁଁ ଆପଣଙ୍କୁ ଭାରତରେ ଦେଖିବାକୁ ଅପେକ୍ଷା କରିଛି। ଭାରତର ଜଣେ ଶ୍ରେଷ୍ଠ ଝିଅଙ୍କୁ ଆତିଥ୍ୟ ଦେବା ଏକ ଖୁସିର କଥା ହେବ।

ହୁଳୁହୁଳିଆ ପୋଲ ନିକଟ ମୂଷା ନଈ ମଝିରେ ରାସ୍ତା ନିର୍ମାଣ କାର୍ଯ୍ୟକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ

ନନ୍ଦିଘୋଷ ବ୍ୟୁରୋ: ପୁରୀ ହୁଳୁହୁଳିଆ ପୋଲ ନିକଟ ମୂଷା ନଈ ମଝିରେ ରାସ୍ତା ନିର୍ମାଣ କାର୍ଯ୍ୟକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ । ପୁରୀ ତହସିଲଦାରଙ୍କ ଉପସ୍ଥିତିରେ ରାସ୍ତାକୁ ଉଛେଦ କରାଯାଇଛି । ମୂଷା ନଈ ମଝିରେ ବେଆଇନ ରାସ୍ତା ନିର୍ମାଣ କରାଯାଉଥିବା ନେଇ ପୁରୀ ଆମ ଆଦମୀ ପାର୍ଟି ପକ୍ଷରୁ ବିରୋଧ କରାଯିବା ସହ ତହସିଲଦାରଙ୍କ ଅଫିସ ସମ୍ମୁଖରେ ଅନଶନ କରାଯାଇଥିଲା ।ତେବେ ବିଭିନ୍ନ ଆଡୁ ବିରୋଧ ପରେ ପୁରୀ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସୂଚନାଯୋଗ୍ୟ ମୂଷା ନଈ ନିକଟରେ ରେଳ ବିଭାଗର କୌଣସି କାର୍ଯ୍ୟ ଚାଲିଥିବା ବେଳେ ଏହି କାର୍ଯ୍ୟ ଆଜି ଟ୍ରକ ଏବଂ ଗାଡି ମୋଟର ଯିବା ଆସିବା କରିବା ଲାଗି ନଈ ମଝିରେ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଥିବା କହିଛନ୍ତି ସେଠାରେ କାର୍ଯ୍ୟ କରୁଥିବା ବ୍ୟକ୍ତି । ତେବେ ଆଜି ପୁରୀ ତହସିଲଦାର ଏବଂ ପୋଲିସ  ଉପସ୍ଥିତିରେ ମୂଷା ନଈ ମଝି ନିର୍ମାଣ କରାଯାଇଥିବା ରାସ୍ତାକୁ ଉଛେଦ କରାଯାଇଛି । ଜିଲ୍ଲା ପ୍ରଶାସନ ଠାରୁ ଏହି ରାସ୍ତା ନିର୍ମାଣ କରିବା କୌଣସି ଅନୁମତି ନିଆଯାଇନଥିବା କୁହାଯାଇଛି  ।