spot_img
Home Blog Page 994

କ୍ରିକେଟରଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ମାହିରା ଶର୍ମା

ନନ୍ଦିଘୋଷ ବ୍ୟୁରୋ : ବିଗ୍‌ବସ ଫେମ ମାହିରା ଶର୍ମା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି । ଗୋଟିଏ ସମୟ ଥିଲା ଯେତେବେଳେ ପାରସ ଛାବ୍ରାଙ୍କ ସହ ତାଙ୍କର ସମ୍ପର୍କ ଏକ ରିଆଲିଟି ଶୋ’ରେ ଆରମ୍ଭ ହୋଇଥିଲା କିନ୍ତୁ ତା’ପରେ ଉଭୟଙ୍କ ବ୍ରେକଅପ ହୋଇଯାଇଥିଲା। ଏହା ପରେ ତାଙ୍କ ନାମ ପ୍ରସିଦ୍ଧ କ୍ରିକେଟର ମହମ୍ମଦ ସିରାଜଙ୍କ ସହ ଯୋଡା ଯାଇଥିଲା। ଦୁହେଁ ପରସ୍ପରକୁ ଡେଟ୍‌ କରୁଥିବାର ଗୁଜବ ଉଠିଥିଲା। ଏବେ ପ୍ରଥମ ଥର ପାଇଁ ମାହିରା ଶର୍ମା ଏହି ଗୁଜବ ଉପରେ ନିଜର ନୀରବତା ଭାଙ୍ଗିଛନ୍ତି। ସେ ଏହି ଗୁଜବଗୁଡ଼ିକୁ ଅସ୍ବୀକାର କରିଛନ୍ତି।

ମାହିରା ଶର୍ମାଙ୍କୁ କିଛି ଦିନ ଧରି କ୍ରିକେଟର ମହମ୍ମଦ ସିରାଜଙ୍କ ସହ ଯୋଡା ହେଉଥିଲା। କିନ୍ତୁ ଏବେ ଏକ ସାକ୍ଷାତକାରରେ ସେ ଏହି ରିପୋର୍ଟଗୁଡ଼ିକୁ ଗୁଜବ ବୋଲି କହିଛନ୍ତି। ଏହା ସହିତ ଡେଟିଂ ଏବଂ ଏପରି ଜିନିଷ ଠାରୁ ଦୂରେଇ ରହିଥିବା କଥା ସ୍ପଷ୍ଟ ଭାବରେ କହିଛନ୍ତି। ଏକ ସାକ୍ଷାତକାରରେ, ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ମହମ୍ମଦ ସିରାଜଙ୍କୁ ଡେଟ୍‌ କରୁଛନ୍ତି କି, ସେ କହିଲେ ଯେ ଏହି ଖବର ସତ୍ୟ ନୁହେଁ, ସେ କାହାକୁ ଡେଟ୍‌ କରୁନାହାଁନ୍ତି। ମାହିରା ଏହା ମଧ୍ୟ କହିଛନ୍ତି, ସେ ଜଣେ ଅଭିନେତ୍ରୀ ହୋଇଥିବାରୁ ଏପରି ଗୁଜବକୁ ଏଡାଇବା କଷ୍ଟକର । ଲୋକମାନେ ପ୍ରାୟତଃ ତାଙ୍କୁ ତାଙ୍କ ସହ-କଳାକାରଙ୍କ ସହିତ ମଧ୍ୟ ଯୋଡନ୍ତି । ଆଉ ସେ ଏପରି ଗୁଜବକୁ ଅଧିକ ଗୁରୁତ୍ୱ ଦିଅନ୍ତି ନାହିଁ ବୋଲି କହିଛନ୍ତି।

ଓଏସଏସଏସସି ଶାରୀରିକ ପରୀକ୍ଷା: ଦୌଡୁ ଥିବା ବେଳେ ପ୍ରାର୍ଥୀଙ୍କ ମୃତ୍ୟୁ

ସୁନ୍ଦରଗଡ଼: OSSSC ଶାରୀରିକ ପରୀକ୍ଷା ବେଳେ ଅଘଟଣ । ଦୌଡୁ ଥିବା ବେଳେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଅଭିଯୋଗ। ସୁନ୍ଦରଗଡ଼ରେ ଏହି ଅଘଟଣ ଘଟିଛି । ମୃତକ ହେଲେ ରାଉରକେଲାର ପ୍ରବୀଣ କୁମାର ପଣ୍ଡା । ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟର ପଦବୀ ପାଇଁ କରିଥିଲେ ଆବେଦନ।

ଭବାନୀପୁରରୁ ବାରଗାଡ ୨୫ କିଲୋମିଟର ଦୌଡ଼ ବେଳେ ସଦର ଥାନା କିରେଇ ନିକଟରେ ସେ ଅଚେତ ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତକ ପ୍ରବୀଣଙ୍କ ବାପା ମଧ୍ୟ ତାଙ୍କ ସହ ଥିଲେ । ପୁଅର ମୃତ୍ୟୁ ପରେ ସେ ଭାଙ୍ଗି ପଡ଼ିଛନ୍ତି । ତାଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି । ଘଟଣାକୁ ନେଇ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ମେଡିକାଲ ଯାଞ୍ଚ କରାଯିବା ସମୟରେ ସବୁ ଠିକ୍ ଥିଲା ଓ ସେ ସୁସ୍ଥ ଥିଲେ । ଏହାସହ ସେ ଦୌଡିବା ପାଇଁ ସ୍ବୀକୃତି ଦେଇଥିଲେ । ବର୍ତ୍ତମାନ ରେଡକ୍ରସ ପକ୍ଷରୁ ତାଙ୍କ ପରିବାରକୁ ୩୦ ହଜାର ଟଙ୍କା ପ୍ରଦାନ କରାଯିବ । ପରେ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଅନୁସାରେ ବାକି କ୍ଷତିପୂରଣ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ଗୁଗୁଲରେ ସର୍ଚ୍ଚ କରି ମିଳିଲା ପତ୍ତା ; ୫ବର୍ଷ ପରେ ନିଜ ଘରକୁ ଫେରି ପାରିଲେ ନିଖୋଜ ମୁକ-ବଧିର ମହିଳା

ନନ୍ଦିଘୋଷ ବ୍ୟୁରୋ : ୫ ବର୍ଷ ତଳେ ନିଜ ପରିବାର ଠାରୁ ଅଲଗା ହୋଇଯାଇଥିବା ମୁକ-ବଧିର ମହିଳାକୁ ପୁଣି ନିଜ ପରିବାର ସହ ମିଳାଇଛନ୍ତି ଉତ୍ତରପ୍ରଦେଶର ଅଲ୍ଲିଗଡ଼ ପୋଲିସ । ମହିଳା ଜଣକ ବିହାରର ବାସିନ୍ଦା । ୨୦୨୦ ଅକ୍ଟୋବର ୧୨ ତାରିଖରେ ଅଲ୍ଲିଗଡ଼ ପୋଲିସକୁ ସୂଚନା ମିଳିଲା କି ଜଣେ ମହିଳା ପରିତ୍ୟକ୍ତ ଅବସ୍ଥାରେ ଏଣେ ତେଣେ ବୁଲୁଥିବାର ଦେଖିବାକୁ ମିଳିଥିଲା । ମହିଳା ଜଣଙ୍କୁ କ୍ୱାର୍ସି ଅଞ୍ଚଳରେ କିଛି ଲୋକ ଦେଖି ପୋଲିସରେ ଖବର ଦେଇଥିଲେ  । ପୋଲିସ ସଙ୍ଗେସଙ୍ଗେ  ମହିଳାଙ୍କ ନିକଟରେ ପହଞ୍ଚି ତାଙ୍କ ପରିଚୟ ପଚାରିଥିଲେ । ହେଲେ ମହିଳା ଜଣକ କିଛି କହିପାରିଲେ ନାହିଁ କି ନିଜ ବିଷୟରେ କୌଣସି ସୂଚନା ଦେଇ ପାରିଲେ ନାହିଁ ।

ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତାଙ୍କୁ ମଥୁରା ନାରୀ ସଂରକ୍ଷଣ କେନ୍ଦ୍ରକୁ ପଠାଇ ଦେଇଥିଲେ । ମହିଳାଙ୍କ ପାଖରେ ତାଙ୍କ ବିଷୟରେ ଜଣାପଡିବା ପରି କୌଣସି କାଗଜପତ୍ର ନଥିଲା କିନ୍ତୁ  ତାଙ୍କ ହାତରେ ‘ଆଶାନୀ’ ନାଁରେ ଚିତା କୁଟା ହୋଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ଗୁଗୁଲରେ ସର୍ଚ୍ଚ କରିବା ପରେ ଜଣା ପଡିଲା ଯେ ଏହା ବିହାର ଏକ ଗାଁର ନାଁ । ଏହା ବିହାର ରସୁଲପୁର ଥାନା ଅଞ୍ଚଳରେ ଅବସ୍ଥିତ । ମହିଳାଙ୍କ ପରିବାର ଲୋକଙ୍କୁ ଖୋଜିବା ପାଇଁ AHTU ଟିମର ଅଧ୍ୟକ୍ଷ ଉଦୟନାଥ ସିଂହ ଯୋଜନା ଆରମ୍ଭ କରିଦେଲେ ।

ସେ ରସୁଲପୁର ଥାନା ପୋଲିସଙ୍କ ସହ ଯୋଗାଯୋଗ କରି ଅଶାନୀ ଗ୍ରାମ ମୁଖ୍ୟ ଅଖିଳେଶ ଯାଦବଙ୍କ ସହ କଥା ହୋଇଥିଲେ। ପ୍ରଧାନଙ୍କ ସହାୟତାରେ, ମହିଳାଙ୍କ ସମ୍ଭାବ୍ୟ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା, ଯାହା ପରେ ମହିଳାଙ୍କ ଭାଇ ତାରକେଶ୍ୱର ଓଝାଙ୍କ ମୋବାଇଲ୍ ନମ୍ବର ମିଳିଲା।

ଭଉଣୀକୁ ଦେଖି ଭାବପ୍ରବଣ ହେଲା ଭାଇ

ପୋଲିସ ତାରକେଶ୍ୱର ଓଝାଙ୍କ ସହିତ ଯୋଗାଯୋଗ କରି ଭିଡିଓ କଲ୍ ମାଧ୍ୟମରେ ତାଙ୍କ ଭଉଣୀଙ୍କୁ ଦେଖାଇଥିଲେ। ଭିଡିଓରେ ତାଙ୍କ ଭଉଣୀଙ୍କୁ ଦେଖିବା ମାତ୍ରେ ସେ ଭାବପ୍ରବଣ ହୋଇଗଲେ ଏବଂ ତାଙ୍କୁ ତୁରନ୍ତ ଚିହ୍ନି ପାରିଥିଲେ। ତାରକେଶ୍ୱର ଓଝା କହିଛନ୍ତି ଯେ ତାଙ୍କ ଭଉଣୀ ନିର୍ମଳା ଦେବୀ ପାଞ୍ଚ ବର୍ଷ ପୂର୍ବେ ଜାନୁଆରୀ ୧୯, ୨୦୨୦ରେ ତାଙ୍କ ମା’ଙ୍କୁ ଭେଟିବା ପାଇଁ ଜାମସେଦପୁରରେ ତାଙ୍କ ମଝିଆ ଭାଇ ରାଜେଶ୍ୱର ଓଝାଙ୍କ ଘରକୁ ଯାଇଥିଲା, କିନ୍ତୁ ସେ ତା’ର ରାସ୍ତା ହଜିଯାଇଥିଲା। ପରିବାର ଲୋକ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ, କିନ୍ତୁ କୌଣସି ସୂଚନା ପାଇନଥିଲେ। ଏହା ପରେ, ଜାମସେଦପୁରର ବାଗୱେଡା ପୋଲିସ ଷ୍ଟେସନରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ।

ଅପରେସନ୍ ମୁସକାନକୁ ପ୍ରଶଂସା

ଔପଚାରିକତା ସମାପ୍ତ କରିବା ପରେ, ଆଲିଗଡ଼ ପୋଲିସ ନିର୍ମଳା ଦେବୀଙ୍କୁ ତାଙ୍କ ଭାଇ ତାରକେଶ୍ୱର ଓଝାଙ୍କୁ ହସ୍ତାନ୍ତର କରିଥିଲା। ୫ ବର୍ଷ ପରେ ଭଉଣୀକୁ ସୁରକ୍ଷିତ ଦେଖି ପରିବାର ସଦସ୍ୟମାନେ ବହୁତ ଭାବପ୍ରବଣ ହୋଇଗଲେ। ପରିବାର ସଦସ୍ୟମାନେ ଆଲିଗଡ଼ ପୋଲିସର ପ୍ରୟାସ ଏବଂ ଅପରେସନ ମୁସକାନକୁ ପ୍ରଶଂସା କରିଥିଲେ।

ମହାପ୍ରଭୁଙ୍କୁ ଅପମାନ: ସମୁଦ୍ର କୂଳରେ ଗଦା ହୋଇଛି ତିନି ଠାକୁରଙ୍କ ଭଗ୍ନ ମୃର୍ତ୍ତି

ଜଳେଶ୍ବର: ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ । ଆଡମ୍ବର ସହ ପୂଜା କଲେ । ଆଉ ପୂଜା ସରିବା ପରେ ସମୁଦ୍ରରେ ମୃର୍ତ୍ତି ଫିଙ୍ଗି ଦେଇଗଲେ । ଏବେ ସମୁଦ୍ର ଜୁଆରରେ ଉକ୍ତ ମୃର୍ତ୍ତି କୂଳକୁ ଆସି ପଡ଼ି ରହିଛି । ଯାହା ଉପରେ ପଶୁପକ୍ଷୀ ଚଢ଼ୁଛନ୍ତି । ନଡା, ମାଟିରେ ତିଆରି ଜଗନ୍ନାଥଙ୍କ ଭଗ୍ନ ପ୍ରତିମୂର୍ତ୍ତି ବିକୃତ ଅବସ୍ଥାରେ ପଡି ରହିଛି । ଏମିତି ଘଟଣା ଦେଖିବାକୁ ମିଳିଛି ବାଲିଆପାଳ ବ୍ଲକ ଅଞ୍ଚଳରେ ।

ଅଭିଯୋଗ ଅନୁସାରେ, ବାଲିଆପାଳ ବ୍ଲକ ଅଞ୍ଚଳର ଦୁଇଟି ସ୍ଥାନରେ ଗତ ଫେବୃଆରୀ ମାସରେ ଜଗନ୍ନାଥଙ୍କ ୩୨ ବେଶ କରାଯାଇଥିଲା । ଉତ୍ସବ ୧୦ ଦିନ ଧରି ଆଡମ୍ବର ସହକାରେ ପାଳନ ହେଲା । ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସମାଗମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଉତ୍ସବ ପରେ ଡଗରା ସମୁଦ୍ର ବେଳାଭୂମିରେ ଜଗନ୍ନାଥଙ୍କ ୩୨ ବେଶର ମୂର୍ତ୍ତିଗୁଡ଼ିକୁ ବିସର୍ଜନ କରାଯାଇଥିଲା ।

ହେଲେ ସମୁଦ୍ର ଜଳରେ ମୂର୍ତ୍ତିଗୁଡ଼ିକ ଲୀନ ହେବା ପୂର୍ବରୁ ଜୁଆର ସେହି ମୂର୍ତ୍ତିଗୁଡ଼ିକୁ ପୁଣି ଫେରାଇ ଆଣି ଅତି ଦୟନୀୟ ଅବସ୍ଥାରେ ବେଳାଭୂମିରେ ବିଞ୍ଚି ଦେଇଛି । ମହାପ୍ରଭୁଙ୍କ ମୂର୍ତ୍ତି ଏପରି ପଡ଼ିଥିବା ଯିଏ ବି ଦେଖୁଛନ୍ତି ସେମାନଙ୍କ ହୃଦୟକୁ ଆଘାତ ଲାଗୁଛି । ମହାପ୍ରଭୁଙ୍କୁ ଏପରି ଅପମାନିତ କରିଥିବା ଲୋକଙ୍କୁ ଧରି କଠୋରରୁ କଠୋର ଦଣ୍ଡ ଦେବାକୁ ସାଧାରଣରେ ଦାବି ଉଠିବାରେ ଲାଗିଛି ।

ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ରାଣୀ ପ୍ରିୟଦର୍ଶନୀଙ୍କ ଶିବ ତାଣ୍ଡବ, କହିଲେ- ଆଉ ଅଶ୍ଳୀଳ ନୃତ୍ୟ ନୁହେଁ

ଭୁବନେଶ୍ବର: ବଦଳିବେ ଯାତ୍ରା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶନୀ । ଆଉ ଯାତ୍ରା ପେଣ୍ଡାଲରେ କରିବେନି ଅଶ୍ଲୀଳ ନୃତ୍ୟ । ସେତିକି ନୁହେଁ ଆଗାମୀ ଦିନରେ ଅଶ୍ଳୀଳ ନୃତ୍ୟକୁ ବିରୋଧ କରିବେ । ନିଜେ ରାଣୀ ଏପରି କହିଛନ୍ତି । ବିନ୍ଦୁସାଗରରେ ବୁଡ଼ ପକାଇବା ପରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ସହ ମନ୍ଦିର ସମ୍ମୁଖରେ ଶିବ ତାଣ୍ଡବ କରିଛନ୍ତି । ଏହାସହ ଅଶ୍ଳୀଳତା ବିରୋଧରେ ଆରମ୍ଭ କରିଥିବା ଅଭିଯାନ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ବିଭିନ୍ନ ବିଭିନ୍ନ ଧାମକୁ ଯାଇ ଦର୍ଶନ କରିବା ପରେ ଏବେ ଅଶ୍ଳୀଳତା ବିରୋଧରେ  ବାହାରିଛନ୍ତି ରାଣୀ । ଯାତ୍ରାରେ ଅଶ୍ଳୀଳତାକୁ ସେ ବିରୋଧ କରିବେ ବୋଲି କହିଛନ୍ତି । ବିଭିନ୍ନ ଧାମ ବୁଲିବା ପରେ ସେ ପରିବର୍ତ୍ତନ ହୋଇଥିବା କହିଛନ୍ତି । ଖଣ୍ଡଗିରିରୁ ଡମ୍ବରୁ ଅଭିଯାନ ଆରମ୍ଭ କରି ପ୍ରୟାଗରାଜ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇ ନାଗେଶ୍ୱର ମହାଦେବଙ୍କୁ ଦର୍ଶନ କରିଥିଲେ ।  ଅଯୋଧ୍ୟା ସରଜୁ ନଦୀରେ ବୁଡ଼ ପକାଇ ରାମ ଲାଲାଙ୍କୁ ଦର୍ଶନ କରିଥିଲେ । ପରେ କାଶୀ ଯାଇ ଗଙ୍ଗାରେ ବୁଡ଼ ପକାଇ ବିଶ୍ୱନାଥ ମହାଦେବଙ୍କୁ ଦର୍ଶନ କରିଥିଲେ । ଆଜି ପ୍ରଭୁ ଜଗନ୍ନାଥ ଧାମ ସମୁଦ୍ରରେ ବୁଡ଼ ପକାଇ ଥିଲେ । ଏହାପରେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲେ ।

ସେ କହିଛନ୍ତି, ଅଶ୍ଳୀଳତା ନାଁରେ ମୋ ଭଳି ଷ୍ଟ୍ରଗଲିଂ କଳାକାରଙ୍କୁ ବଦନାମ କରାଗଲା । ଆଗରୁ ଆଇଟମ ଗାର୍ଲ ଭାବେ ଦେଖୁଥିଲେ ଏବେ ଶିବ ତାଣ୍ଡବ ଦେଖିବେ । ଯେଉଁଠି ଅଶ୍ଳୀଳ ନୃତ୍ୟ ହେବ ସେଇଠି ଡମ୍ବରୁ ଓ ରୁଦ୍ରାକ୍ଷ ଶକ୍ତି ଦେଖାଇବି ବୋଲି ସେ କହିଛନ୍ତି ।

ହନିମୁନରେ ଯାଇଥିଲେ ନବ ଦମ୍ପତି: ପତି ଟ୍ରେନରେ ଚଢ଼ିବା ପରେ ପ୍ରେମିକଙ୍କ ସହ ଫେରାର ହୋଇଗଲେ ପତ୍ନୀ

ମୁଜାଫରପୁର: ପ୍ରେମ ସମ୍ପର୍କକୁ ନେଇ ଆମ ସମାଜରେ ଅନେକ ନୂଆ ନୂଆା ଘଟଣା ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ବିହାରରେ ଦେଖିବାକୁ ମିଳିଛି ପ୍ରେମର ଏକ ଧୋକାଭରା କାହାଣୀ । ମୁଜାଫରପୁର ଜଙ୍କସନରେ ନବବିବାହିତ ଯୋଡ଼ି ପହଞ୍ଚିଥିଲେ । ଦୁହେଁ ହନିମୁନରେ ଯିବାର ଥିଲା । ପତି ଜଣଙ୍କ ଟ୍ରେନରେ ଚଢ଼ିବା ପରେ ପତ୍ନୀ ପତିଙ୍କୁ ଧୋକ୍କା ଦେଇ ନିଜ ପ୍ରେମିକଙ୍କ ସାଙ୍ଗରେ ଫେରାଇ ହୋଇଯାଇଥିଲେ । ଏହି ଘଟଣାରେ ପତ୍ନୀଙ୍କ ବିରୋଧରେ ପତି ଥାନାରେ ମାମଲା ଦାୟର କରିଛନ୍ତି ।

ସାଧାରଣ ଭାବେ ବିବାହ ପରେ ନବ ଦମ୍ପତି ହନିମୁନକୁ ନେଇ ସବୁଠାରୁ ବେଶି ଉତ୍ସାହିତ ହୋଇଥାନ୍ତି । ତେବେ ଏପରି ସ୍ଥିତିରେ ଯଦି ଆପଣଙ୍କର ପାର୍ଟନର ଆପଣଙ୍କୁ ଧୋକ୍କା ଦେଇ ଅନ୍ୟ କାହା ସହ ଫେରାର ହୋଇଯିବେ, ତେବେ ଏ କ୍ଷେତ୍ରରେ ଆପଣ କ’ଣ କରିବେ? ବିବାହ କରିବା ପରେ ହନିମୁନରେ ବାହାରିଥିଲେ ଦମ୍ପତି । ମାତ୍ର ଷ୍ଟେସନରେ ସବୁ କିଛି ବଦଳି ଯାଇଥିଲା । ନିଜ ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ ପତ୍ନୀ । ପତ୍ନୀ ଚାଲିଯିବା ପରେ ବିଚରା ପତି ମୁଣ୍ଡ ପିଟିବା ଛଡ଼ା ଅନ୍ୟ କୌଣସି ବାଟ ନଥିଲା ।

ସୀତାମଢ଼ୀ ଜିଲ୍ଲାର ଅମିତ କୁମାର ଫେବୃଆରୀ ୨୧ରେ ହିନ୍ଦ ରୀତିନୀତି ଅନୁସାରେ ଶିବହର ଜିଲ୍ଲାର ବସନ୍ତପଟ୍ଟୀ ଥାନା ଅଞ୍ଚଳର ଖୁଶବୁ କୁମାରୀଙ୍କୁ ବିବାହ କରିଥିଲେ । ଦୁହେଁ ୩ ଦିନ ଧରି ଏକତ୍ର ରହିବା ପରେ ହନିମୁନରେ ବାହାରିଥିଲେ । ଫେବୃଆରୀ ୨ରେ ଦମ୍ପତି ବୋକାରେ ଷ୍ଟିଲ ସିଟି ଯିବା ପାଇଁ ସେମାନେ ମୁଜାଫରପୁର ରେଳ ଷ୍ଟେସନରେ ପହଞ୍ଚିଲେ । ମାତ୍ର ସେଠାରେ ଯାହା ଘଟିଥିଲା, ତାହା ବୋଧହୁଏ ଯୁବକଙ୍କ ଜୀବନର ସବୁଠାରୁ ଦୁର୍ଭାଗ୍ୟର ଦିନ ଥିଲା । ପ୍ଲାଟଫର୍ମକୁ ଟ୍ରେନ ଆସିବା ପରେ ଅମିତ ଦୌଡ଼ି ଯାଇ ସେଥିରେ ଚଢ଼ିଯାଇଥିଲେ । ସେ ପଛକୁ ଦେଖନ୍ତି ତ ପତ୍ନୀ ଗାଏବ ଥିଲେ । ଏହାପରେ ଅମିତ ଟ୍ରେନରୁ ଓହ୍ଲାଇ ଖୁଶବୁଙ୍କୁ ବହୁତ ଖୋଜିଥିଲେ, ମାତ୍ର ପାଇନଥିଲେ । ଏହାପରେ ଲୋକଲଜ୍ଜା ଭୟରେ ଅମିତ କାହାକୁ କିଛି କହିନଥିଲେ । ପରେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ପତ୍ନୀ ଖୁଶବୁ ତାଙ୍କର ବୟଫ୍ରେଣ୍ଡଙ୍କ ସହ ଫେରାର ହୋଇଯାଇଛନ୍ତି । ଉଭୟେ ଅମିତ ଓ ଖୁଶବୁଙ୍କର ଏହା ଦ୍ବିତୀୟ ବିବାହ ଥିଲା । ଖୁବଶୁ ୧୦-୧୨ ହଜାର ଟଙ୍କା ଓ ୫୦-୬୦ ହଜାର ଟଙ୍କାର ଅଳଙ୍କାର ନେଇଯାଇଥିଲେ । ଏହି ଘଟଣାରେ ଅମିତ ଥାନାରେ ମାମଲା ଦାୟର କରିଛନ୍ତି ।

ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଥିଲା ବିଜେପି: ଏବେ ଓଡ଼ିଆ ଅସ୍ମିତା କୁଆଡ଼େ ଗଲା ବୋଲି ପ୍ରଶ୍ନ କଲା ବିଜେଡି

ଭୁବନେଶ୍ବର: ଓଡ଼ିଆ ଅସ୍ମିତା କଥା କହି ବିଜେପି ସରକାରକୁ ଆସିଥିଲା । ମାତ୍ର ଏବେ ସେହି ଓଡ଼ିଆ ଅସ୍ମିତା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛି ବିଜେଡି । ଓଡ଼ିଆ ଅସ୍ମିତାର ସମ୍ମାନ ବୃଦ୍ଧି କରିଥିଲେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ । ମାର୍ଚ୍ଚ ୫ ତାରିଖରେ ବିଜୁ ଜୟନ୍ତୀ ପାଳନ ନ କରିବା କ୍ଷୋଭର ବିଷୟ । ବିଜୁଙ୍କୁ ଅପମାନ କରିବା ଅନୁଚିତ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବିଜୁବାବୁ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପାଇଁ ସୁନାମ ଆଣିଥିଲେ। ସେ ଅନୁଭବ କରିଥିଲେ ମହିଳା ରାଜନୀତିକୁ ଆସିବା ଦରକାର। ସେଥିପାଇଁ ୧୯୯୩ ମସିହାରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିଲେ । ସେବେଠାରୁ ପଂଚାୟତିରାଜ ସୁଦୃଢ ହୋଇଛି। ତେଣୁ ବିଜୁ ବାବୁଙ୍କ ଜନ୍ମଦିନକୁ ପଂଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି। ତାଙ୍କୁ ଅପମାନ କରିବା ଅନୁଚିତ ବୋଲି କହିଛନ୍ତି ଶ୍ରୀମତୀ ମଲ୍ଲିକ।
ବିଜେଡି ଆସନ୍ତାକାଲି ଶଙ୍ଖ ଭବନରେ ବିଜୁ ଜୟନ୍ତୀ ପାଳନ କରିବ। ସବୁ ନିର୍ବାଚନ ମଣ୍ଡଳୀରେ ବି ଏହି ଦିବସ ପାଳନ ହେବ ବୋଲି ସେ କହିଛନ୍ତି।

କାହାକୁ ‘ମିଆଁ-ତିଆଁ’ କିମ୍ବା ‘ପାକିସ୍ତାନୀ’ ବୋଲି କହିବା ଅପରାଧ ନୁହେଁ : ସୁପ୍ରିମକୋର୍ଟ

ନନ୍ଦିଘୋଷ ବ୍ୟୁରୋ : କାହାକୁ ‘ମିଆଁ-ତିଆଁ’ କିମ୍ବା ‘ପାକିସ୍ତାନୀ’ ବୋଲି କହିବା ଖରାପ ହୋଇପାରେ କିନ୍ତୁ ଅପରାଧ ନୁହେଁ ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଏପରି କହିଲେ ଧାର୍ମିକ ଭାବନାକୁ ଆଘାତ କରାଯାଇଛି କହି ମାମଲା ରୁଜୁ କରାଯାଇପାରିବ ନାହିଁ । ଆଜି ଏନେଇ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି ।  ମଙ୍ଗଳବାର ବିଚାରପତି ବିଭି ନାଗାରଥନା ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ଜଣେ ସରକାରୀ କର୍ମଚାରୀଙ୍କୁ ‘ପାକିସ୍ତାନୀ’ ବୋଲି କହିବା ଅଭିଯୋଗରେ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ବନ୍ଦ କରିବା ସମୟରେ ସୁପ୍ରିମକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି।

ଝାଡ଼ଖଣ୍ଡର ଜଣେ ଉର୍ଦ୍ଦୁ ଅନୁବାଦକ ଏବଂ ଜଣେ କାର୍ଯ୍ୟକାରୀ କ୍ଲର୍କଙ୍କ ଦ୍ୱାରା ଏପରି ଅଭିଯୋଗ ଦାଖଲ କରାଯାଇଥିଲା। ଅଭିଯୋଗକାରୀଙ୍କ ଅନୁଯାୟୀ, ଯେତେବେଳେ ସେ ଆରଟିଆଇକୁ ଆବେଦନ ବିଷୟରେ ସୂଚନା ପ୍ରଦାନ କରିବାକୁ ଅଭିଯୁକ୍ତଙ୍କ ପାଖକୁ ଯାଇଥିଲେ, ସେତେବେଳେ ଅଭିଯୁକ୍ତ ତାଙ୍କ ଧର୍ମକୁ ଉଲ୍ଲେଖ କରି ତାଙ୍କୁ ଦୁର୍ବ୍ୟବହାର କରିଥିଲେ ଏବଂ ସେ ଏନେଇ କ୍ଳର୍କଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ଏହା ଫଳରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୨୯୮ (ଧାର୍ମିକ ଭାବନାକୁ ଆଘାତ ଦେବା), ୫୦୪ (ଶାନ୍ତି ଭଙ୍ଗ କରିବା ଉଦ୍ଦେଶ୍ୟରେ ଅପମାନ) ଏବଂ ୩୫୩ (ସରକାରୀ କର୍ମଚାରୀଙ୍କୁ କର୍ତ୍ତବ୍ୟ ପାଳନରୁ ନିବୃତ୍ତ କରିବା ପାଇଁ ଆକ୍ରମଣ ) ଅନୁଯାୟୀ ଅପରାଧ ପାଇଁ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା।

ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଏକ ଆଦେଶକୁ ଖାରଜ କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, “ଆବେଦକ ସୂଚନାଦାତାଙ୍କୁ ‘ମିଆଁ-ତିଆଁ’ ଏବଂ ‘ପାକିସ୍ତାନୀ’ ବୋଲି କହି ତାଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ନିସନ୍ଦେହରେ, ଦିଆଯାଇଥିବା ବୟାନଗୁଡ଼ିକ ଖରାପ ହୋଇପାରେ। ତଥାପି, ଏହା ସୂଚନାଦାତାଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ଭଳି ନୁହେଁ,” ବୋଲି ଖଣ୍ଡପୀଠ କହିଛନ୍ତି। ନ୍ୟାୟାଳୟଙ୍କ ଅନୁଯାୟୀ, ଅଭିଯୁକ୍ତଙ୍କ ପକ୍ଷରୁ ଏପରି କୌଣସି କାର୍ଯ୍ୟ କରାଯାଇ ନାହିଁ ଯାହା ଶାନ୍ତି ଭଙ୍ଗ କରିଥାନ୍ତା । ଅନ୍ୟପକ୍ଷେ, ଧାରା ୩୫୩ ଆଇପିସି(ସରକାରୀ କର୍ମଚାରୀଙ୍କୁ କର୍ତ୍ତବ୍ୟ ପାଳନରୁ ନିବୃତ୍ତ କରିବା ପାଇଁ ଆକ୍ରମଣ କିମ୍ବା ଅପରାଧିକ ବଳ) କରିବା ପାଇଁ ଆବେଦନକାରୀଙ୍କ ଦ୍ୱାରା କୌଣସି ଆକ୍ରମଣ କିମ୍ବା ବଳ ପ୍ରୟୋଗ କରାଯାଇ ନଥିଲା, ବୋଲି କୁହାଯାଇଛି।

ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲ: ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଆଜି ପ୍ରଥମ ସେମିଫାଇନାଲରେ ଭାରତ-ଅଷ୍ଟ୍ରେଲିଆା ମଧ୍ୟରେ କଡ଼ା ଟକ୍କର ହେବ । ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ଆଜି ଭାରତ ପ୍ରଥମେ ବୋଲିଂ କରିବ । ଆଜି ଟସ୍ ହାରିବା ପରେ କ୍ରମାଗତ ୧୪ ଥର ପାଇଁ ରୋହିତ ଶର୍ମା ଟସ୍ ହାରିଛନ୍ତି । ଆଜି ଅଷ୍ଟ୍ରେଲିଆ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଥିବା ବେଳେ ଟିମ୍  ଇଣ୍ଡିଆର ପ୍ଲେଇଂ-୧୧ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଅଷ୍ଟ୍ରେଲିଆା ଟିମରେ ମାଥ୍ୟୁ ଶର୍ଟଙ୍କ ସ୍ଥାନରେ କୂପର କୋନୋଲି, ସ୍ପେନସର ଜନସନଙ୍କ ସ୍ଥାନରେ ଲେଗ ସ୍ପିନର ତନବୀର ସଂଘାଙ୍କୁ ନିଆଯାଇଛି । ଆସନ୍ତାକାଲି ଲାହୋରର ଗଦ୍ଦାଫି ଷ୍ଟାଡିମୟରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ସେମି ଲଢ଼େଇ ହେବ । ଗ୍ରୁପ-ଏ’ର ଭାରତ ଓ ନ୍ୟୁଜିଲାଣ୍ଡ ସେମିକୁ ଉନ୍ନୀତ ହୋଇଥିବା ବେଳେ ଗ୍ରୁପ-ବି’ରୁ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ କ୍ବାଲିଫାଏ କରିଥିଲେ । ଆସନ୍ତା ୯ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ ।

ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ

ନନ୍ଦିଘୋଷ ବ୍ୟୁରୋ : ଭଦ୍ର ବ୍ୟବହାର କର ନଚେତ୍ ତୁମପରି ଲୋକଙ୍କ ସହ କିପରି ବ୍ୟବହାର କରିବା ଦରକାର ଆମକୁ ଜଣାଅଛି । ହାସ୍ୟ ଅଭିନେତା ତଥା ୟୁଟ୍ୟୁବର ସମୟ ରୈନାଙ୍କୁ ଏପରି ଜବାବ ଦେଇଛନ୍ତି ସୁପ୍ରିମକୋର୍ଟ । ସୋମବାର ସୁପ୍ରିମକୋର୍ଟ ସମୟ ରୈନାଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। କାନାଡାରେ ସମୟଙ୍କ ଶୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍’କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ସେ ନିଜ ପକ୍ଷ ରଖିଥିଲେ।  ଯେଉଁଥିରେ କୋର୍ଟ କହିଛନ୍ତି, ଯେ ଆଜିକାଲିର ଯୁବପୀଢ଼ି ନିଜକୁ ବହୁତ ବୁଦ୍ଧିମାନ ବୋଲି ଭାବନ୍ତି।

ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ

ଗତମାସରେ ସମୟଙ୍କ ଶୋ’ରେ ଅଶ୍ଲୀଳ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ୟୁଟ୍ୟୁବର ରଣୀବୀର ଆଲ୍ଲହାବାଦିଆଙ୍କ ଶୁଣାଣି ହୋଇଥିଲା । ସୋମବାର ଶୁଣାଣି ସମୟରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଥିଲେ କି,  ଆଜିର ଯୁବପୀଢି ଏବଂ ଅତିଚାଲାକିଆ ଲୋକ ଭାବୁଛନ୍ତି ଯେ ଆମ ଠାରୁ ସେମାନେ ବେଶୀ ଜାଣନ୍ତି । ଏମାନଙ୍କୁ ଜଣାନାହିଁ ଯେ ଏହି ଅଦାଲତ ପାଖରେ କେତେ କ୍ଷମତା ଅଛି । ଏମିତି କହି ୟୁଟ୍ୟୁବର ସମୟ ରୈନାଙ୍କୁ ଚେତାବନୀ ଦେଲେ ଯେ, ଭଦ୍ରଭାବେ ବ୍ୟବହାର କର ନଚେତ ତୁମ ସହ କିପରି ବ୍ୟବହାର କରିବା କଥା ଆମକୁ ଜଣା ।

ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ନେଇ କରିଥିଲେ କଟାକ୍ଷ

ରୈନା ଗତ ମାସରେ କାନାଡାରେ ‘ସମୟ ରୈନା ଅନଫିଲ୍ଟରଡ୍’ ଶୋ’ କରିଥିଲେ । ସେ ଏହି ବିବାଦ ଉପରେ ହାସ୍ୟପୂର୍ଣ୍ଣ ଢଙ୍ଗରେ ମନ୍ତବ୍ୟ ଦେଇଥିଲେ  ।  ଷ୍ଟେଜ୍ ଉପରେ ନିଜ ପ୍ରଥମ ମନ୍ତବ୍ୟରେ ଦର୍ଶକଙ୍କ ସହିତ ମଜା କରି କହିଥିଲେ କି, ମୋ ଓକିଲଙ୍କ ଫିସ୍ ଦେବା ପାଇଁ ଧନ୍ୟବାଦ ।  ଏହି ମନ୍ତବ୍ୟକୁ ନେଇ ପୁଣି ବ୍ୟାପକ ଅସନ୍ତୋଷ ଦେଖାଦେଇଥିଲା ଏବଂ ସଂସଦରେ ମଧ୍ୟ ଏହାକୁ ନେଇ ବିତର୍କ ସୃଷ୍ଟି ହୋଇଥିଲା  । ଯାହା ପରେ ସମୟଙ୍କ ବିରୋଧରେ ଅନେକ ଅଭିଯୋଗ ଦାଖଲ ହୋଇଥିଲା  ।