ରାଜଧାନୀରେ ଆରମ୍ଭ ହେଲା ବୁଲା କୁକୁର ଗଣନା
1 min read
ଭୁବନେଶ୍ବର : ବିଏମସି ଗଣିଲା ବୁଲା କୁକୁର । ଗଳିକନ୍ଦିରୁ ଆପାର୍ଟମେଣ୍ଟ, ହାଟରୁ ରାସ୍ତା ଘାଟ । ୮ ଦିନରେ ବୁଲିବ ୪ ହଜାର କିଲୋମିଟର । କମିବ କୁକୁର କାମୁଡ଼ା ମାମଲା ଓ ସଡ଼କ ଦୁର୍ଘଟଣା ସଂଖ୍ୟା । ବନ୍ଧ୍ଯାକରଣ ଓ ସଂକ୍ରମଣ କମାଇବା ଲକ୍ଷ୍ୟରେ ବିଏମସି । ରାଜ୍ୟରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ହୋଇଛି ବୁଲା କୁକୁର ଗଣନା । କୁକୁରମାନେ ବିଳମ୍ବିତ ରାତିରେ ବସସ୍ଥଳୀକୁ ଫେରନ୍ତି । ସକାଳୁ ୭ଟା ଭିତରେ ଖାଦ୍ଯ ଅନ୍ବେଶଣରେ ବାହାରି ଯାଆନ୍ତି । କୁକୁରଙ୍କ ରହିବା ସ୍ଥାନ ଓ ମୁତ୍ର ତ୍ଯାଗର ଲକ୍ଷଣକୁ ନେଇ ହୋଇଛି ଗଣତି । କୁକୁର କାମୁଡ଼ିବା ହ୍ରାସ କରିବା, ରୋଗ ସଂକ୍ରମଣ ରୋକିବା, ଭୁକିବା, ପିଛା କରିବା ବା ପଛରେ ଗୋଡାଇବା, ସଡ଼କ ଦୁର୍ଘଟଣା, ପରିବେଶ ପ୍ରଦୂଷଣ, ବିଏମସି ଅଞ୍ଚଳରେ କୁକୁର ସଂଖ୍ୟା ଜାଣିବା, ମଣିଷ କୁକୁର ମଧ୍ଯରେ ସଂଘର୍ଷ ହ୍ରାସ କରିବା, ବୁଲା କୁକୁରମାନଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣରେ ଉନ୍ନତି ଆଣିବା , କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମର ପ୍ରବର୍ତ୍ତନ କରିବା ଦିଗରେ ଏହା ସହାୟକ ହେବ ।
ବୁଲା କୁକୁର ଗଣନା ପାଇଁ ବଜେଟ ରହିଛି ୫ ଲକ୍ଷ ଟଙ୍କା । ପ୍ରତ୍ୟେକ ସାହି ଓ ୱାର୍ଡରେ ୫ ଜଣ ସଦସ୍ୟକୁ ନେଇ ଗୋଟିଏ ଲେଖାଏଁ ଟିମ ଗଠନ କରାଯାଇଛି । ଗଣନା ସହ କେତେ କୁକୁରଙ୍କ ବନ୍ଧ୍ଯାକରଣ ହୋଇଛି ତାହା ମଧ୍ଯ ଚିହ୍ନଟ ହୋଇ ପାରୁଛି । ପ୍ରଥମ ପର୍ଯ୍ୟାୟ ୪ ଦିନରେ ବୁଲା କୁକୁର ଗଣନା କରିବା ସହ ବୁଲି ଦେଖିବେ ଟିମ୍ । ଦ୍ୱିତୀୟ ପର୍ଯ୍ୟାୟରେ ଆଉଏକ ଟିମ ବୁଲା କୁକୁର ସଂଖ୍ୟାର ବ୍ୟବଧାନ ଯାଞ୍ଚ କରିବେ । ଭୁବନେଶ୍ୱରର ଗଳିକନ୍ଦି ସହ ପ୍ରମୁଖ ରାସ୍ତା ମିଶାଇ ପ୍ରାୟ ୪ ହଜାର କିଲୋମିଟର ବୁଲି ଗଣନା କରାଯିବ । ବିଏମସିର ମାନବ ସମ୍ବଳ ଥିବାରୁ AI ଟେକନୋଲୋଜିକୁ ପ୍ରୟୋଗ କରାଯାଇ ନାହିଁ। ସ୍କୁଲ, ଆପାର୍ଟମେଣ୍ଟ, ହାଟ, ବଜାର ଏବଂ ଗାଡି ତଳେ ଶୋଇଥିବା କୁକୁରଙ୍କୁ ଖୋଜି କରାଯାଉଛି ଗଣନା । ଆଜିଠାରୁ ଦୁଇଟି ପର୍ଯ୍ଯାୟରେ ୨୫ ତାରିଖ ପଯ୍ୟନ୍ତ ୬୭ ଟି ଓ୍ୱାର୍ଡରେ ଗଣନା କାର୍ଯ୍ୟ ଚାଲିବ । ବୁଲା କୁକୁର ଗଣନା ପାଇଁ ଜୋନ୍, ଓ୍ୱାର୍ଡ ଓ ଓ୍ୱାର୍ଡରେ ଥିବା ପ୍ରତ୍ୟେକ ଗଳି ପାଇଁ ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସ୍ଏମଟିଏ, ଡିଇଓ, ସିଓ, ଓ୍ୱାର୍ଡ ଅଫିସରଙ୍କ ସମେତ ଏକ କାଳୀନ ୪୧୦ ଟିମ୍ ନିୟୋଜିତ ହୋଇଛନ୍ତି ।