ବଲାଙ୍ଗୀର : ଫେରାର ନିଶା ମହାରଣା । ଭୁବନେଶ୍ବରରୁ ଖାଲି ହାତରେ ଫେରିଲା ବଲାଙ୍ଗୀର ପୋଲିସ । ଚନ୍ଦନଭାଟି ଗାଁରେ ଯାତ୍ରା ସମୟରେ ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ବଲାଙ୍ଗୀର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ନିଶାକୁ ଗିରଫ ପାଇ ଭୁବନେଶ୍ବର ଯାଇଥିଲା ବଲାଙ୍ଗୀର ପୋଲିସର ଏକ ସ୍ଵତନ୍ତ୍ର ଟିମ I ତେବେ ଭୁବନେଶ୍ବରରେ ଦୁଇ ଦିନ ନିଶାକୁ ଖୋଜାଖୋଜି କରିବା ପରେ ବି ନପାଇ ଖାଲି ହାତରେ ଫେରିଛି । ନିଶା ଓ ତାଙ୍କ ମ୍ୟାନେଜରଙ୍କ ଘରେ ତାଲା ପଡିଥିବା ବେଳେ ସେମାନେ ରାଜ୍ୟ ବାହାରକୁ ଚାଲି ଯାଇଥିବା ବଲାଙ୍ଗୀର ଏସପି ଅବିଳାଷ ଜୀ କହିଛନ୍ତି । ଗିରଫଦାରୀରୁ ବର୍ତ୍ତିବା ପାଇଁ ଆଗୁଆ ଜାମିନ ପାଇଁ ନିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଏସ୍ପି କହିଛନ୍ତି I ଏବେବି ନିଶାଙ୍କ ଉପରେ ନଜର ରଖାଯାଇଛି । ସେ କଲିକତା ଚାଲିଯାଇଥିବା ଖବର ମିଳିବା ପରେ ସେଠାକାର ପୋଲିସ ସହ ଯୋଗାଯୋଗ ଚାଲିଛି I ଅନ୍ୟପଟେ ଚନ୍ଦନଭାଟି ଫାଣ୍ଡି ଅଧିକାରୀ ରଞ୍ଜିତ ପ୍ରଧାନଙ୍କୁ ନେଇ ଏସପିଙ୍କ ସ୍ପଷ୍ଟୀକରଣ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଫାଣ୍ଡି ଅଧିକାରୀ ରଞ୍ଜିତ ପ୍ରଧାନ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ । ହେଲେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ବ୍ୟକ୍ତି ସେ ନୁହନ୍ତି । ତାଙ୍କ ଭଳି ଅବିକଳ ଦେଖା ଯାଉଥିବା ବର୍ଘଲା ଗାଁର ନୀଳମଣି ସେଠ୍ ନାମକ ଜଣେ ବ୍ୟକ୍ତି । ଏହି ଘଟଣାକୁ ନେଇ ଅଭିଯୋଗ ହେବାପରେ ଗତକାଲି ଫାଣ୍ଡି ଅଧିକାରୀଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଅନ୍ୟପଟେ ଆଜି ବଲାଙ୍ଗୀର ଏସପିଙ୍କ ଏଭଳି ବିବୃତ୍ତି ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି ।

