ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ରୀ ନିବାସରେ ଚାଞ୍ଚଲ୍ୟ, କନ୍ୟା ସନ୍ତାନ ଜନ୍ମ ଦେଲେ ଯୁକ୍ତତିନି ଛାତ୍ରୀ

ବଲାଙ୍ଗୀର : ରାଜ୍ୟରେ ଛାତ୍ରୀ ସୁରକ୍ଷା ନେଇ ସରକାର ଚିନ୍ତାରେ ଥିବାବେଳେ ପୁଣି ଅଭାବନୀୟ ଘଟଣା ବଲାଙ୍ଗୀରରେ ଘଟିଛି । ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ରୀ ନିବାସର ଅନ୍ତେବାସୀ ଛାତ୍ରୀ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ମାଆ ହୋଇଛନ୍ତି ଯୁକ୍ତ ତିନି ବର୍ଷର ଛାତ୍ରୀ । ଗତକାଲି ରାତିରେ ଜନନୀ ଯନ୍ତ୍ର୍ରଣା ହେବାରୁ ହଷ୍ଟେଲ କର୍ତ୍ତୃପକ୍ଷ ବଲାଙ୍ଗୀର ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଭର୍ତ୍ତି କରିଥିଲେ । ମେଡିକାଲରେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଛାତ୍ରୀ ଜଣଙ୍କ । ଏହାକୁ ନେଇ ବଲାଙ୍ଗୀରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ପୁରୁଷ ବନ୍ଧୁ ଗର୍ଭବତୀ କରିଥିବା ନେଇ ଛାତ୍ରୀ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ଅବଗତ କରିଥିବା ଜଣାପଡିଛି । ଘଟଣାର ଖବର ପାଇ ଛାତ୍ରୀର ପରିବାର ଲୋକେ ବଲାଙ୍ଗୀର ମେଡିକାଲରେ ପହଂଚିଛନ୍ତି । ଗର୍ଭବତୀ ଅବସ୍ଥାରେ ଛାତ୍ରୀ ନିବାସରେ ରହୁଥିଲେ ଛାତ୍ରୀ । କେମିତି ହଷ୍ଟେଲ ୱାର୍ଡେନ ଜାଣି ପାରିଲେ ନାହିଁ ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗୋଟିଏ ଟିମ ଗଠନ କରି ତଦନ୍ତ ଚଳାଇଥିବା ନେଇ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି । ଏହି ଘଟଣା ପରେ ହଷ୍ଟେଲରେ ଛାତ୍ରୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜୁ ଛାତ୍ର ଜନତାଦଳର ସଭାପତି ସୁମନ ନନ୍ଦ । ହଷ୍ଟେଲରେ ଛାତ୍ରୀ ୯ ମାସର ଗର୍ଭବତୀ ଥିଲେ କିନ୍ତୁ କେମିତି କେହି ଜାଣିପାରିଲେ ନାହିଁ ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି ।