ଖୁବଶୀଘ୍ର ସରିବ କଟକ ସହରରେ ହେଉଥିବା ବକ୍ସ ଡ୍ରେନ୍

କଟକ: ଖୁବଶୀଘ୍ର ସରିବ କଟକ ସହରରେ ହେଉଥିବା ବକ୍ସ ଡ୍ରେନ୍ । ପଟ୍ଟାପୋଲରୁ ମାତୃଭବନ ପର୍ଯ୍ୟନ୍ତ ଥିବା ପୁରୁଣା ତଥା ବିରାଟ ନାଳ ଉପରେ ଚାଲିଥିବା ସରକାରଙ୍କ ସ୍ବପ୍ନର ବକ୍ସଡ୍ରେନ ଓ ସୁନ୍ଦର ରାସ୍ତାର କାମ ମାର୍ଚ୍ଚ ୩୧ ତାରିଖରେ ସରିବ । କଟକ ମେୟର ସୁବାସ ସିଂ ଓ କମିଶନର ନିଖିଲ ପବନ କଲ୍ୟାଣ ବକ୍ସଡ୍ରେନ ଉପରେ ହେଉଥିବା ନୂଆ ବ୍ରିଜ କାମର ସମୀକ୍ଷା କରିବା ପରେ ଏନେଇ ସୂଚନା ଦେଇଛନ୍ତି । ଦଶ ବର୍ଷ ହେବ ଜାଇକା ବକ୍ସଡ୍ରେନ କାମ କରୁଥିଲା । ତେବେ କାମର ଶୀଥିଳତାକୁ ଦେଖି ରାଜ୍ୟ ସରକାର ମାତ୍ର ବର୍ଷେ ତଳେ ୪୫୦ କୋଟି ଟଙ୍କାରେ ବକ୍ସଡ୍ରେନ ଓ ନୂଆ ରାସ୍ତାର କାମ ପାଇଁ ଅର୍ଥ ମଞ୍ଜୁର କରିଥିଲେ ।

ଏହା ପରେ ଦ୍ରୁତ ଗତିରେ କାମ ଚାଲି ତିନି କିଲୋମିଟର ଅର୍ଥାତ ଛତ୍ରବଜାର ପର୍ଯ୍ୟନ୍ତ କାମ ପ୍ରାୟ ସରି ଆସିଲାଣି । ବଜ୍ରକବାଟି ଓ ବକ୍ସିବଜାର ପାଖ ବ୍ରିଜ ଜାନୁଆରୀ ୧୫ ସୁଦ୍ଧା ସରିବ । ଏହା ପରେ ମାର୍ଚ୍ଚ ଶେଷ ସୁଦ୍ଧା କାମ ସରି ବକ୍ସଡ୍ରେନ ଉପରେ ଲୋକଙ୍କ ଯାତାୟତ ଆରମ୍ଭ ହେବ ବୋଲି କହିଛନ୍ତି କଟକ ମେୟର । ବକ୍ସଡ୍ରେନ କାମ ସରିଲେ ପଟ୍ଟାପୋଲ ଠାରୁ ବର୍ଷା ଜଳ ଓ ନର୍ଦ୍ଦମାର ପାଣି ସହଜରେ ନିଷ୍କାସିତ ହେବ । ଏହାସହ ପଟ୍ଟାପୋଲରୁ ବକ୍ସିବଜାର ଗମ୍ମାଢିଆ ପର୍ଯ୍ୟନ୍ତ ଦୁଇ ଥାକିଆ ଓ ସେଠାରୁ ଛତ୍ରବଜାର ପର୍ଯ୍ୟନ୍ତ ତିନିଥାକିଆ ରାସ୍ତା ଦେଇ ଛୋଟ ବଡ ସବୁ ଗାଡି ସହଜରେ ଯାତାୟତ କରିପାରିବ । ରାସ୍ତାର ଫୁଟପାଥ୍ ଓ ସୌନ୍ଦର୍ଯ୍ୟକରଣ କାମ ମଧ୍ୟ ଶୀଘ୍ର କରାଯିବ ବୋଲି ସିଏମସି କମିଶନର କହିଛନ୍ତି ।