ବେନାମୀ ଚିଠି ହତ୍ୟା ଗୁମର: ଗର୍ଭନଷ୍ଟ ନକରିବାକୁ ହତ୍ୟା କରି ପୋତିଥିଲା ପ୍ରେମିକ !

ନୂଆପଡ଼ା: ବେନାମୀ ଚିଠି ଆଧାରରେ ନାବାଳିକାଙ୍କୁ ମୃତଦେହେ ମିଳିବା ପରେ ପଦାକୁ ଆସୁଛି ଗୋଟିଏ ପରେ ଗୋଟିଏ ଛାତି ଥରାଇବା ଭଳି ସତ । ପ୍ରେମଜନିତ କାରଣରୁ ନାବାଳିକାଙ୍କୁ ପ୍ରେମିକ ହତ୍ୟା କରିଥିଲା । ମୃତ୍ୟୁ ବେଳକୁ ନାବାଳିକା ଥିଲେ ୪ ମାସର ଗର୍ଭବତୀ । ଗର୍ଭ ନଷ୍ଟ କରିବାକୁ ନାବାଳିକା ରାଜି ନହେବାରୁ ଅଭିଯୁକ୍ତ ପ୍ରେମିକ ପରମାନନ୍ଦ ସାହୁ ସାଙ୍ଗମାନଙ୍କ ସହ ମିଶି ନାବାଳିକାଙ୍କୁ ହତ୍ୟା କରିବା ପରେ ଏକ ବିଲରେ ପୋତି ଦେଇଥିଲା । ଘଟଣାରେ ପୋଲିସ ଦୁଇ ନାବାଳକଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି ।

ମୃତ ନାବାଳିକା ଏକ ଘରୋଇ ସ୍କୁଲରେ ଯୁକ୍ତଦୁଇର ପ୍ରଥମବର୍ଷ ଛାତ୍ରୀ ଥିଲେ । ଜାନୁଆରୀ ୧ ତାରିଖରେ ସେ ରାତିରେ ଘରେ ଖାଇ ପିଇ ଶୋଇଥିଲେ। ସକାଳୁ ତାଙ୍କର ପତ୍ତା ମିଳିନଥିଲା । ବହୁତ ଖୋଜାଖୋଜି ପରେ ବି ଝିଅକୁ ପାଇନଥିଲେ ପରିବାର ଲୋକେ । ଏନେଇ ପରିବାର ଲୋକେ ନୂଆପଡ଼ା ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ନାବାଳିକାଙ୍କୁ କେହି ହତ୍ୟା କରି ମାଟିତଳେ ପୋତି ଦେଇଥିବା ନେଇ ଗତ ୨ ତାରିଖରେ ଏକ ବେନାମୀ ଚିଠି ଆସିଥିଲା । ପରିବାର ଲୋକେ ଚିଠି ଆଧାରରେ ପୁଣି ଏକ ଲିଖିତ ଅଭିଯୋଗ କରିଥିଲେ । ଗତକାଲି ସଦର ପୋଲିସ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ସାଇଣ୍ଟିଫିକ୍ ଟିମ୍ ଓ ଅନୁସନ୍ଧାନୀ କୁକୁର ସାହାଯ୍ୟରେ ଘଟଣାସ୍ଥଳରେ ଛାନଭିନ୍ ଆରମ୍ଭ କରିଥିଲା । ନାବାଳିକାଙ୍କୁ ପୋତାଯାଇଥିବା ଧାନ ବିଲରୁ ଧାନ କାଟି ପୋଲିସ ଜେସିବି ସାହାଯ୍ୟରେ ମାଟି ଖୋଳିବା ପରେ ଦେହାବଶେଷ ଉଦ୍ଧାର କରାଯାଇଥିଲା ।