କେନ୍ଦ୍ର ବଜେଟ କାଉଣ୍ଟଡାଉନ; ରହିଛି ଦେଶବାସୀଙ୍କ ନଜର

ନୂଆଦିଲ୍ଲୀ : କେନ୍ଦ୍ର ବଜେଟ କାଉଣ୍ଟଡାଉନ । ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ଏହାରି ଭିତରେ ଆଜି ଆସିବ କେନ୍ଦ୍ର ବଜେଟ । ଅନ୍ତରୀଣ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଷଷ୍ଠ ଥର ଲାଗି ବଜେଟ ଆଗତ କରିବେ ନିର୍ମଳା । ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଏହା ହେଉଛି ଶେଷ ବଜେଟ । ଦିନ ୧୧ଟା ବେଳେ ସଂସଦରେ ବଜେଟ ଆଗତ ହେବ । ନିର୍ବାଚନୀ ବଜେଟରେ ସବୁ ବର୍ଗକୁ ଖୁସି କରିବାକୁ ପ୍ରୟାସ କରିବେ କେନ୍ଦ୍ର ସରକାର ।

ଆୟକର ସୀମାଠାରୁ ଆରମ୍ଭ କରି ଶିଳ୍ପ, ଭିତ୍ତିଭୂମି ଆଦି ଉପରେ କଣ ରହିବ ସରକାରଙ୍କ ଫୋକସ ସେଥିପ୍ରତି ଦେଶବାସୀଙ୍କ ରହିଛି ନଜର । ବଜେଟରେ କେଉଁ କ୍ଷେତ୍ରକୁ ମିଳିବ ଫୋକସ? ନିର୍ବାଚନୀ ବର୍ଷରେ କାମଚଳା ବଜେଟ ଆସୁଥିଲେ ମଧ୍ୟ ଦେଶବାସୀଙ୍କ ନଜର ବଜେଟ ଉପରେ ରହିବ । ମୁଦ୍ରାସ୍ଫୀତି ନିୟନ୍ତ୍ରଣ ସାଙ୍ଗକୁ ଦରଦାମ ବୃଦ୍ଧି ଉପରେ ରୋକ ଲଗାଇବା ଅର୍ଥମନ୍ତ୍ରୀଙ୍କ ପାଇଁ ବଡ଼ ଆହ୍ବାନ ହେବ ।

ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ କ୍ୟାପିଟାଲ ଏକ୍ସପେଣ୍ଡିଚର ଉପରେ ଫୋକସ କରିବେ କେନ୍ଦ୍ର ସରକାର । ଆୟକର ଟିକସ ସ୍ଲାବରେ ବିଶେଷ କିଛି ପରିବର୍ତ୍ତନ ନେଇ ଆଶଙ୍କାରେ ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟ । ଚାଷୀ, ଶ୍ରମିକ, ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ପାଇଁ କିଛି ଉପହାର ବଜେଟରେ ମିଳିବାର ସମ୍ଭାବନା ରହିଛି। ହେଲେ ଏଥର ଅନ୍ତରୀଣ ବଜେଟ ଆସିବାକୁ ଥିବାରୁ ପଲିସିରେ ବିଶେଷ କିଛି ପରିବର୍ତ୍ତନ ହୋଇନପାରେ। ଭିତ୍ତିଭୂମି ଉପରେ ସରକାରଙ୍କ ଫୋକସ ଗତବର୍ଷ ଭଳି ଏଥର ବି ଜାରି ରହିପାରେ ।