spot_img

Latest Posts

ଏଥର ବଜେଟରେ କାହାକୁ ମିଳିବ କେତେ ଗୁରୁତ୍ବ ?

ଭୁବନେଶ୍ୱର : ଏଥର ରାଜ୍ୟ ବଜେଟ ପରିମାଣ ଟପିବ ୩ ଲକ୍ଷ କୋଟି ଟଙ୍କା । ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଆଣିବେ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ । ରାଜ୍ୟ ବିକାଶର ଗୋଲାପୀ ଚିତ୍ର ରାଜ୍ୟପାଳ ତାଙ୍କ ଅଭିଭାଷଣରେ ଦେଖାଇଛନ୍ତି । ରାଜ୍ୟର ବାର୍ଷିକ ଅଭିବୃଦ୍ଧି ୭ ପ୍ରତିଶତରୁ ବୃଦ୍ଧି ପାଇ ୯.୫ ପ୍ରତିଶତ ହେବ ବୋଲି ଲକ୍ଷ୍ୟ ରହିଛି। ମହିଳା ଶ୍ରମ ଶକ୍ତିକୁ ୭୦ ପ୍ରତିଶତକୁ ବଢାଇବା, ବହୁମୁଖୀ ଦାରିଦ୍ର୍ୟକୁ କମାଇବା, ୨୦୪୭ ସୁଦ୍ଧା ମୁଣ୍ଡପିଛା ଆୟ ଲକ୍ଷେ ୮୦ ହଜାରରୁ ବଢାଇ ୩୨ଲକ୍ଷ କରିବାକୁ ସରକାର ଟାର୍ଗେଟ ରଖିଥିବା ବେଳେ ଏହାର ଝଲକ ବଜେଟରେ ଦେଖିବାକୁ ମିଳିବ। ମୁଖ୍ୟତଃ ଅଧିକ ନିଯୁକ୍ତି ସୃଷ୍ଟି ଉପରେ ସରକାର ଫୋକସ କରିବେ। ଏଥିପାଇଁ ବୃହତ ଶିଳ୍ପ ସହ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଅଗ୍ରାଧିକାର ଦେବାବୁ ପଡ଼ିବ। ଗତବର୍ଷ ଶିଳ୍ପ ଓ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ୧୫ଶହ ୬୭ କୋଟିର ବ୍ୟବସ୍ଥା ହୋଇଥିଲା। ଏଥିରୁ ୩୦ କୋଟି ଏମ୍ଏସଏମ୍ଇର ଋଣ ସବସିଡି ବାବଦକୁ, ୩୫ କୋଟି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାର୍କ ପାଇଁ, ୬୦ କୋଟି ଆର୍ଥିକ ସହାୟତା ଏବଂ ୨୫କୋଟି ଷ୍ଟାର୍ଟଅପ୍ ସେକ୍ଟର ପାଇଁ ଦେଇଥିଲେ। ଏଥର ଏହା ବୃଦ୍ଧି ହେବା ସହ ବ୍ୟାଙ୍କ ଋଣ ସହଜ କରିବାକୁ ସରକାର ସ୍ବତନ୍ତ୍ର ନୀତି ଆଣିବେ ବୋଲି ଆଶା ରହିଛି।

ଗତଥର ବଜେଟରେ ୪୫କୋଟି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଏବଂ ୫୦କୋଟି ଫୁଡ ପାର୍କ ପାଇଁ ବ୍ୟବସ୍ଥା ହୋଇଥିଲା । ହେଲେ ଏଥିରୁ କେତେ ଖର୍ଚ୍ଚ ହୋଇଛି ? ଲୋକଙ୍କ କାମରେ କେତେ ଲାଗିଛି ? ତାର ସୂଚନା ସ୍ପଷ୍ଟ ଭାବେ ଉପଲବ୍ଧ ନାହିଁ। ଓଡିଶା ଏବେ ପୁଞ୍ଜି ନିବେଶକଙ୍କୁ ଆକୃଷ୍ଟ କରିବାରେ ଦେଶରେ ଦ୍ଵିତୀୟ, ଆର୍ଥିକ ଅଭିବୃଦ୍ଧିରେ ଏକ ନମ୍ବର । ପାନୀୟ ଜଳ ଯୋଗାଇବା ପାଇଁ ବୃହତ ପ୍ରକଳ୍ପ ହେଉଛି, ହେଲେ ନିର୍ଦ୍ଧାରିତ ସମୟରେ ସରୁନଥିବାରୁ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ମିଳୁନାହିଁ। ଏଥର ବଜେଟରେ ପାନୀୟ ଜଳ ପ୍ରକଳ୍ପ ଉପରେ ସରକାର ଫୋକସ କରିବେ ବୋଲି ଆଶା କରାଯାଉଛି। ବଜେଟରେ ଗ୍ରାମାଞ୍ଚଳ ଅର୍ଥନୀତିକୁ ଉପରକୁ ଉଠାଇବା ପାଇଁ ଏମଏସଏମଇ ସେକ୍ଟରକୁ ଗୁରୁତ୍ୱ ମିଳିପାରେ । ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶା ସରକାର ୨ ଲକ୍ଷ ୬୬ ହଜାର ୮୦୦ କୋଟି ଟଙ୍କାର ବଜେଟ ଆଣିଥିଲେ । ଅତିରିକ୍ତ ବଜେଟରେ ଆଉ ୧୭ ହଜାର ୪୪୦ କୋଟି ଟଙ୍କା ଯୋଡିଲେ। ଏଥର ବଜେଟ ପରିମାଣ ପ୍ରାୟ ୩ଲକ୍ଷ ୧୫ ହଜାର କୋଟି ହେବ ବୋଲି ଆକଳନ କରାଯାଉଛି।

Latest Posts

Don't Miss