ବହୁଚର୍ଚ୍ଚିତ ବୁଲ୍ଲିବାଈ ଆପ ଘଟଣା, ବେଙ୍ଗାଲୁରୁର ଜଣେ ଯୁବକଙ୍କୁ ଅଟକ ରଖିଲା ମୁମ୍ବାଇ ପୋଲିସ

1 min read
arrest

ମୁମ୍ବାଇ: ବହୁଚର୍ଚ୍ଚିତ ବୁଲ୍ଲିବାଈ ଆପରେ ଶହ ଶହ ମୁସଲିମ୍ ମହିଳାଙ୍କ ଫଟୋ ଅପଲୋଡ କରିବା ଘଟଣାରେ ମୁମ୍ବାଇ ପୋଲିସର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣାରେ ମୁମ୍ବାଇ ପୋଲିସ ବେଙ୍ଗାଲୁରୁର ଜଣେ ଯୁବକଙ୍କୁ ଅଟକ ରଖିବା ସହ ତାଙ୍କୁ ଜେରା କରିଛି । ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି । ବିଭିନ୍ନ ମହଲରୁ ପ୍ରତିବାଦ ପରେ ମୁମ୍ବାଇ ପୋଲିସ ଆଇପିସି ଓ ଆଇଟି ଆକ୍ଟ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୋଗ ପରେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସହରରେ ଜାଲ ବସାଇଥିଲା ।

ଗୀତ୍ ହବ୍ ପ୍ଲାଟଫର୍ମ ଜରିଆରେ ବୁଲ୍ଲିବାଈ ଆପକୁ ବ୍ୟବହାର କରାଯାଇ ଏହି ବେଆଇନ କାର୍ଯ୍ୟ କରାଯାଇଥିଲା । ଏହାକୁ ନେଇ ବିଭିନ୍ନ ସ୍ଥାନରେ ମାମଲା ରୁଜୁ ହୋଇଥିବା ବେଳେ ରବିବାର ପଶ୍ଚିମ ମୁମ୍ବାଇ ସାଇବର ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଥିଲା । ଧାରା 153-A, ଧାରା 153-B, 295-A, 354-D, 509, 500, ଏବଂ ଆଇଟି ଆକ୍ଟର ଧାରା 67 ଅନୁସାରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଥିଲା । ଏହି ମାମଲାରେ କେନ୍ଦ୍ର ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ମଧ୍ୟ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ଘଟଣାରେ ଦିଲ୍ଲୀ ପୋଲିସ ସାଇବର ସେଲ୍ ନିକଟରେ ମଧ୍ୟ ଏଫଆଇଆର ଦାୟର ହୋଇଛି ।

ତେବେ ଏହି ଗଟଣାରେ ମୁମ୍ବାଇ ପୋଲିସ ବେଙ୍ଗାଲୁରୁ ଯେଉଁ ଯୁବକଙ୍କୁ ଅଟକ ରଖିଛି ସେହି ଯୁବକଙ୍କ ବୟସ ୨୧ ବର୍ଷ । ସେ ଦ୍ୱିତୀୟ ବର୍ଷର ସିଭିଲ ଇଞ୍ଜିନିୟରିଂ ଛାତ୍ର ଅଟନ୍ତି । ସେ ନିଜ ଟ୍ୱିଟର ହ୍ୟାଣ୍ଡେଲ ବ୍ୟବହାର କରି ବୁଲ୍ଲି ବାଈ ଆପରୁ ଅପମାନଜନକ ବିଷୟବସ୍ତୁ ସେୟାର କରିଥିଲେ । ଫଟୋ ଅପଲୋଡ କରିଥିବା ଟ୍ୱିଟର ଆକାଉଣ୍ଟର ଆଇପି ଆଡ୍ରେସ୍ ଆଧାରରେ ଛାତ୍ର ଜଣଙ୍କୁ ଚିହ୍ନଟ କରାଯାଇଥିଲା । ତେବେ ଉକ୍ତ ଛାତ୍ରଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି।

 

Leave a Reply