ପାହାଡ଼ରେ ପିଟି ହେଲା ବରଯାତ୍ରୀ ବସ୍, ୨୦ ଆହତ, ୮ ଗୁରୁତର

1 min read

ଦିଗପହଣ୍ଡି: ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣିର ଆଳୁଖୋଳା ନିକଟରେ ବସ ଦୁର୍ଘଟଣା । ମୋହନାରୁ ଗଞ୍ଜାମ ଅଭିମୁଖେ ଆସୁଥିବା ଗୁପ୍ତେଶ୍ଵର ନାମକ ବରଯାତ୍ରୀ ବସ୍ ଦୁର୍ଘଟଣା ଗ୍ରସ୍ତ । ପାହାଡରେ ବସ୍ ପିଟି ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ୨୦ ଯାତ୍ରୀ ଆହତ ହୋଇଥିବା ବେଳେ ୮ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି । ଗୁରୁତରମାନଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ମେଘଝୁଳିରୁ ମୋହନା ଚାନ୍ଦିପୁଟକୁ ବିବାହ ଉତ୍ସବରେ ଯୋଗ ଦେବାକୁ ବରଯାତ୍ରୀ ଯାଇଥିଲେ । ବିବାହ ଉତ୍ସବରେ ସାମିଲ ହେବା ପରେ ବରଯାତ୍ରୀ ବସରେ ଘରକୁ ଫେରୁଥିଲେ । ଏହି ସମୟରେ ଆଳୁଖୋଳା ନିକଟରେ ଦୁର୍ଘଟଣା ଘଟିଥିଲା ।

ଖବରପାଇ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ ଓ ପାଟପୁର ପୋଲିସ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତ ଓ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ମେଡିକାଲ ଭର୍ତ୍ତି କରାଯାଇଛି । ବସରେ ୪୦ ଜଣ ଯାତ୍ରୀ ଥିଲେ । ଆସିକା ଏସଡିପିଓଙ୍କ ସମେତ ଦିଗପହଣ୍ଡି ଓ ସାନଖେମୁଣ୍ଡି ପ୍ରଶାସନିକ ଅଧିକାରୀ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।