ଅଣାୟତ୍ତ କରୁଛି ସିଭିୟର ହିଟ୍ଓ୍ବେଭ, ସକାଳ ୫.୩୦ ସୁଦ୍ଧା ରାଜଧାନୀରେ ୨୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ରାତି ପାହିଲେ ବଢୁଛି ତାତି । ସକାଳ ହେଉ ହେଉ ତତଲା ତାଓ୍ବାରେ ସିଝୁଛି ଓଡ଼ିଶା । ଅଧା ଓଡ଼ିଶାକୁ ଅଣାୟତ୍ତ କରୁଛି ସିଭିୟର ହିଟ୍ଓ୍ବେଭ । ଆଜି ସକାଳ ୫.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୨୯.୮ ଡ଼ିଗ୍ରୀ ତାପମାତ୍ରା ଏବଂ ୭୨% ଆଦ୍ରତା ରେକର୍ଡ ହୋଇଛି । ଉଚ୍ଚ ତାପମାତ୍ରା ସାଙ୍ଗକୁ ଝାଞ୍ଜି ପବନରେ ଆକ୍ତାମାକ୍ତା ଜନଜୀବନ । ଉପକୂଳ ଓଡ଼ିଶାରେ ଉଚ୍ଚ ଆର୍ଦ୍ରତା ବଢ଼ାଉଛି ଗୁଳୁଗୁଳି । ଆଗାମୀ ୪ ଦିନ ଯାଏ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ । ଆଗାମୀ ୩ ଦିନ ଉପକୂଳ ଏବଂ ୫ ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବ । ସ୍ୱାଭାବିକଠାରୁ ୭ରୁ ୮ ଡିଗ୍ରୀ ଯାଏଁ ଅଧିକ ରହିବ ତାପମାତ୍ରା । ଜୁନ୍ ୨୦ ଯାଏଁ ଖରା, ଗରମ ଓ ଉଚ୍ଚ ତାପମାତ୍ରା ଲାଗି ରହିବ ।

ଆଜି ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ସୋନପୁରରେ ସିଭିୟର ହିଟୱେଭ୍ ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ଦେଓଗଡ଼, ଅନୁଗୁଳ, ଢେ଼ଙ୍କାନାଳ, କେନ୍ଦୁଝର, ମୟୁରଭଂଜ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ନୟାଗଡ଼, କଟକ, ଖୋର୍ଦ୍ଧା ଓ ନୂଆପଡ଼ାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତା ୨୦ ତାରିଖ ଯାଏଁ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଓଡ଼ିଶାକୁ ଉତ୍ତର ପଶ୍ଚିମ ଦିଗରୁ ଗରମ ଏବଂ ଶୁଷ୍କ ପବନ ପ୍ରବାହିତ ହେବା ସହ କାଳବୈଶାଖୀର ପ୍ରଭାବ କମିଛି । ଫଳରେ ସାରା ରାଜ୍ୟରେ ଅସ୍ବାଭାବିକ ପାଗ ଦେଖାଦେଇଛି । ୧୮ ତାରିଖ ପରେ ପୂର୍ବ ଭାରତକୁ ଆସିବ ମୌସୁମୀ । ୨୧ ବେଳକୁ ଓଡ଼ିଶା ଛୁଇଁବା ନେଇ ପାଣିପାଗ ଅନୁକୂଳ ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର କହିଛି ।