ଝାରସୁଗୁଡ଼ା ଉପନିର୍ବାଚନ; ୨୫୩ ବୁଥରେ ମତଦାନ ସାବ୍ୟସ୍ତ କରୁଛନ୍ତି ଜନତା

1 min read

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ଏହାପୂର୍ବରୁ ହୋଇଛି ମକ୍ ପୋଲ୍‌। ୪ଟି ବ୍ଲକ ଓ ଗୋଟିଏ ପୌରପରିଷଦରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ମତଦାନ ସାବ୍ୟସ୍ତ କରୁଛନ୍ତି ୨ଲକ୍ଷ ୨୧ ହଜାର ୭୦ ଜଣ ଭୋଟର। ୧ ଲକ୍ଷ ୧୦ ହଜାର ୩୨୦ ପୁରୁଷ ଭୋଟର ରହିଥିବାବେଳେ ମହିଳା ଭୋଟର ଅଛନ୍ତି ୧ ଲକ୍ଷ ୧୦ ହଜାର ୬୮୭ ଏବଂ ୬୩ ଜଣ ଟ୍ରାନସଜେଣ୍ଡର ଭୋଟର ଅଛନ୍ତି।

ମଇଦାନରେ ମୋଟ ୯ ଜଣ ପ୍ରାର୍ଥୀ ରହିଛନ୍ତି। ତିନି ପ୍ରମୁଖ ଦଳର ପ୍ରାର୍ଥୀ ହେଲେ ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେ । ୨୫୩ଟି ବୁଥରୁ ୧୪୪ଟି ବୁଥ୍ ଉତ୍ତେଜନାପ୍ରବଣ ଓ ସମ୍ବେଦନଶୀଳ ରହିଥିବାବେଳେ ପ୍ରଥମ ଥର ପାଇଁ ସବୁ ବୁଥରେ ଓ୍ବେବକାଷ୍ଟିଂ କରାଯାଉଛି। ବୁଥଗୁଡ଼ିକରେ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ୨୬ଟି ପିଙ୍କ୍ ଓ ମ୍ୟୁନିସିପାଲିଟି ଅଞ୍ଚଳକୁ ଛାଡି ବିଭିନ୍ନ ପଞ୍ଚାୟତରେ କରାଯାଇଛି ୪୦ଟି ମଡେଲ ବୁଥ୍ ।

ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ ଅଧିକାରୀ ଓ ମହିଳା ପୋଲିସ ଅଧିକାରୀ ରହିଛନ୍ତି। ମଡେଲ ବୁଥଗୁଡିକରେ ମିଳିବ ଦହି, ଲସି, ଓଆରଏସ ପାଣି ଓ ଲେମ୍ବୁପାଣି । ଭୋଟରଙ୍କ ପାଇଁ ନିର୍ମାଣ ହୋଇଛି ପ୍ରତୀକ୍ଷାଳୟ। ଭିନ୍ନକ୍ଷମ ଭୋଟରଙ୍କ ପାଇଁ ହୁଇଲ ଚେୟାର ଏବଂ ରାମ୍ପ୍ ବ୍ୟବସ୍ଥା କରାଯାଇଛି। ଯୁବ ଭୋଟରଙ୍କୁ ଉତ୍ସାହିତ କରିବାକୁ କରାଯାଇଛି ସେଲଫି ପଏଣ୍ଟ । ଭୋଟରଙ୍କୁ ସହାୟତା କରିବା ପାଇଁ ସ୍ବେଚ୍ଛାସେବୀ ରହିଛନ୍ତି ।

ତେବେ ଉପନିର୍ବାଚନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୬ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧ- ସାମରିକ ବାହିନୀ ସହ ଓଡ଼ିଶା ପୋଲିସର ୧୯ ପ୍ଳାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ୨୫ଟି ମୋବାଇଲ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି । ନିୟୋଜିତ ବିଭିନ୍ନ ଗାଡ଼ିରେ ଜିପିଏସ୍ ଲଗାଯାଇଛି । କିଛି ଅଘଟଣ ଘଟିଲେ ୧୦-୧୫ ମିନିଟରେ ପୋଲିସ ପହଞ୍ଚିବ । ଜିଲ୍ଲାର ସବୁ ସୀମାକୁ ସିଲ୍ କରି ୧୭ଟି ସ୍ଥାନରେ କରାଯାଉଛି ଯାଞ୍ଚ ।