ସାମାଜିକ, ଅର୍ଥନୈତିକ, ଶିକ୍ଷାଗତ ଓ ଅନ୍ୟ ପଛୁଆ ବର୍ଗଙ୍କ ଜନଗଣନା ନେଇ ଦାବି କରିବ ଓଡ଼ିଶା

1 min read

ଭୁବନେଶ୍ୱର: ମହାରାଷ୍ଟ୍ର ପରେ ଓଡିଶା। ୨୦୨୧ ଜନଗଣନା ସହ ରାଜ୍ୟର ସାମାଜିକ, ଅର୍ଥନୈତିକ, ଶିକ୍ଷାଗତ ଏବଂ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ମିଳିତ ଭାବେ ଗଣନା କରିବାକୁ କେନ୍ଦ୍ର ନିକଟରେ ଦାବି କରିବ ଓଡ଼ିଶା। ମହାରାଷ୍ଟ୍ର ସକରାର ବିଧାନସଭାରେ ସଂକଳ୍ପ ପାରିତ କରିଥିବା ବେଳେ ଓଡିଶା ସରକାର କ୍ୟାବିନେଟ୍‌ରେ ଏହି ସଂକଳ୍ପ ପାରିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏନେଇ ସଂକଳ୍ପ ଗୃହୀତ ହୋଇଛି। ତେବେ ଏହାଦ୍ଵାରା ରାଜ୍ୟକୁ କ’ଣ ଫାଇଦା ମିଳିବ, ଆଜିର କ୍ୟାବିନେଟ୍‌ ବୈଠକରେ ବିସ୍ତୃତ ବିବରଣୀ ଦେଇଛନ୍ତି ସରକାର।

୧୯୩୧ ମସିହା ଢାଞ୍ଚାରେ ହୋଇଥିଲା ୨୦୧୧ ମସିହାର ସର୍ଭେ । କିନ୍ତୁ ଏ ଯାଏଁ ପ୍ରକାଶ ପାଇନି ରିପୋର୍ଟ । ବିନା ରିପୋର୍ଟରେ କେମିତି ହୋଇ ପାରିବ ପଛୁଆବର୍ଗର ବିକାଶ? ଏ ପ୍ରଶ୍ନକୁ ବିଶ୍ଳେଷଣ କରି ରାଜ୍ୟ ସରକାର ଆଜି କ୍ୟାବିନେଟ୍‌ ବୈଠକରେ ନେଇଛନ୍ତି ନୂଆ ସଂକଳ୍ପ।

ଏଣିକି କେନ୍ଦ୍ର ନିକଟରେ ଦାବି କରିବେ, ସାଧାରଣ ଜନଗଣନା ସହ  ସମାଜିକ, ଅର୍ଥନୈତିକ, ଶିକ୍ଷାଗତ ଏବଂ ଅନ୍ୟାନ୍ୟ ଜାତିଗତ ପଛୁଆ ବର୍ଗଙ୍କ ଗଣନା ପାଇଁ। ନୂଆ ଫର୍ମାଟରେ ଗଣନା ବେଳେ ସ୍ୱତନ୍ତ୍ର ସ୍ତମ୍ଭ ରଖିବାକୁ ପ୍ରସ୍ତାବ ଦେବେ। କାରଣ ଏଭଳି କିଛି ତଥ୍ୟ ମିଳିଲେ, ପଛୁଆ ବର୍ଗର ବିକାଶ ପାଇଁ ପଦକ୍ଷେପ ନିଆଯାଇପାରିବ।

ସମ୍ବିଧାନର ଧାରା- ୧୫ ଏବଂ ଉପଧାରା- ୪ରେ ପଛୁଆ ବର୍ଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ପାଇଁ ସ୍ୱତନ୍ତ୍ର ବିକାଶ ଯୋଜନା କରିବାକୁ ରାଜ୍ୟଗୁଡ଼ିକ ଅଧିକୃତ। ଏପରିକି ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା, ରାଜ୍ୟର ଅଧିକାର।  ହେଲେ ରିପୋର୍ଟ ନଥିଲେ, କେମିତି ଯୋଗାଇ ଦିଆଯିବ ତମାମ୍‌ ସୁବିଧା ସୁଯୋଗ। ତେଣୁ ଏହି ମିଳିତ ଗଣନା ପରେ ତୁରନ୍ତ ତଥ୍ୟ ପ୍ରକାଶ କରିବାକୁ ସଂକଳ୍ପରେ ପ୍ରସ୍ତାବ ରହିଛି।

ଆଧୁନିକ ଭାରତ ଗଠନ ଦିଗରେ ଓଡ଼ିଶା ଅନେକ ଆଗେଇଛି । ମାନବ ସମ୍ବଳ ବିକାଶରେ ରାଜ୍ୟର ପ୍ରଦର୍ଶନ ଉଲ୍ଲେଖନୀୟ।  କିନ୍ତୁ ଏଦିଗରେ ଆହୁରି କିଛି ବିକାଶମୂଳକ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ତେଣୁ ଏସ୍‌ସିବିସି ତାଲିକା ଏବଂ ସେମାନଙ୍କ ଭୌଗୋଳିକ ଅବସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ତଥ୍ୟ ରାଜ୍ୟ ସରକାରଙ୍କ ପାଇଁ ଜରୁରୀ।  ୨୦୨୧ ଜନଗଣନାରେ ସମାଜିକ, ଅର୍ଥନୈତିକ ଓ ଅନ୍ୟାନ୍ୟ ଜାତିଗତ ପଛୁଆ ବର୍ଖଙ୍କ ଗଣନା ପାଇଁ ବିସ୍ତୃତ ବିବରଣୀ ସଂଗ୍ରହ ପାଇଁ କୈାଣସି ବ୍ୟବସ୍ଥା ନାହିଁ । ଏ ଦୃଷ୍ଟିରୁ କ୍ୟାବିନେଟରେ ସେହି ବର୍ଗର ଲୋକଙ୍କ ଗଣନା ପାଇଁ କେନ୍ଦ୍ର ନିକଟରେ ଦାବି କରିବାକୁ ସଂକଳ୍ପ ଗୃହୀତ ହୋଇଛି । ଯଦି ଏହା  କାର୍ଯ୍ୟକାରୀ ହୁଏ, ତାହା ହେବ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ତାଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

Leave a Reply