ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ୧୧ ପ୍ରସ୍ତାବକୁ ମୋହର ମାରିଛି କ୍ୟାବିନେଟ। କ୍ୟାବିନେଟରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ନୀତି ୨୦୨୬କୁ ଅନୁମୋଦନ ମିଳିଛି। ଏହି ନୀତିରେ ପ୍ରକଳ୍ପ ସରିବା ପରେ ତାର ରକ୍ଷଣାବେକ୍ଷଣ ପାଇଁ ଦାୟିତ୍ୱ ବଣ୍ଟନ ହୋଇଛି। ଏଥିରେ ପଞ୍ଚାୟତ ଗ୍ରାମବାସୀଙ୍କର କଣ ଦାୟିତ୍ୱ ରହିବ, ମନିଟରିଂ କିପରି ହେବ, କେତେ ଟଙ୍କା ଦିଆଯିବ, ସେ ସବୁ ନୀତିରେ ଉଲ୍ଲେଖ ରହିଛି। ଏହାବାଦ ୩୪୦୦ କୋଟି ଟଙ୍କାର ଅଟଳ ବସ ଷ୍ଟାଣ୍ଡ ଯୋଜନାଜୁ କ୍ୟାବିନେଟ ମୋହର ମାରିଛି। ରାଜ୍ୟରେ ନିର୍ମାଣ ହେଉଥିବା ୩୧୮ ବସ ଷ୍ଟାଣ୍ଡ ଓଏସଆରଟିସି ସମନ୍ୱୟରେ କରାଯିବ। ଏହା ସହ ଜଳସମ୍ପଦ ବିଭାଗର ୫ଟି ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି। କଟକର ୧୩୫ କୋଟି ହାଡୁଆ ଜଳସେଚନ ପ୍ରକଳ୍ପ, ଯାହା ୩୬୦୦ ହେକ୍ଟର ଜମିକୁ ଜଳସେଚିତ କରିବ। ସେହିପରି ୨୦୪ କୋଟିର ପାର୍ବତୀ ଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହାଦ୍ବାରା ସମ୍ବଲପୁରରେ ୬୨୧୦ ହେକ୍ଟର ଚାଷ ଜମି ଜଳସେଚିତ ହେବ। ସୋନପୁର ତେଲ ନଦୀରେ ୭୦ କୋଟି ବ୍ୟୟରେ କ୍ଲଷ୍ଟର ୩୦ ପ୍ରକଳ୍ପ ଦ୍ବାରା ୬ ହଜାର ହେକ୍ଟର ଜମି ଜଳସେଚିତ ହେବ। କେନ୍ଦୁଝରରେ ୯୩ କୋଟି ବ୍ୟୟରେ କ୍ଲଷ୍ଟର ୩୮ ପ୍ରକଳ୍ପ ଦ୍ୱାରା ୪ ହଜାର ୨୮୦ ହେକ୍ଟର ଜମି ଜଳସେଚିତ ହେବ। କେନ୍ଦୁଝରରେ ୧୬୪୭ କୋଟି ବ୍ୟୟରେ ନୂଆ ସବ ଷ୍ଟେସନକୁ ଅନୁମୋଦନ ମିଳିଛି। ଏହା ସହ ଚାକିରି ସର୍ତ୍ତାବଳୀରେ ସଂଶୋଧନ କରାଯାଇଛି। କ୍ୟାଡର ରୁଲ ପରିବର୍ତ୍ତନ ସହ ଶ୍ରମ ବିଭାଗର ୩ ପ୍ରସ୍ତାବ ପାରିତ ହୋଇଛି।

