ନନ୍ଦିଘୋଷ ବ୍ୟୁରୋ : ଆସାମ, କେରଳ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ଲାଗି ଆଜି ସରିବ ପ୍ରଚାର। ୨ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଲାଗି ସରିବ ପ୍ରଚାର। ଆସାମରେ ବିଜେପି ହାଟ୍ରିକ ଲକ୍ଷ୍ୟ ରଖିଥିବାବେଳେ କେରଳରେ ଏଲଡିଏଫକୁ ହଟାଇବା ଲାଗି ପଣ କରିଛନ୍ତି ଏନଡିଏ ଓ ୟୁଡିଏଫ। ଆସନ୍ତା ଏପ୍ରିଲ ୯ରେ ହେବ ନିର୍ବାଚନ। ଆସାମରେ ୧୨୬ ଆସନ ଲାଗି ୭୨୨, କେରଳର ୧୪୦ ଆସନ ଲାଗି ୮୯୦, ପୁଡୁଚେରୀର ୩୩ ଆସନ ଲାଗି ଅଛନ୍ତି ୨୯୪ ପ୍ରାର୍ଥୀ। ମୋଟ ୨୯୯ ଆସନ ଲାଗି ମୋଟ ପ୍ରାର୍ଥୀ ସଂଖ୍ୟା ଅଛନ୍ତି ୧୯୦୬। ଏହି ସମସ୍ତ ଆସନରେ ଗୋଟିଏ ପର୍ଯ୍ୟାୟରେ ହେବ ନିର୍ବାଚନ। ମଇଦାନରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, କେରଳ ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନ ଓ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ. ରଙ୍ଗାସ୍ବାମୀ ପ୍ରାର୍ଥୀ ଅଛନ୍ତି। ଆସାମ ଜଲୁକବାଡିରୁ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ତାଙ୍କୁ ଟକ୍କର ଦେଉଛନ୍ତି ରାଇଜୋର ପାର୍ଟିର ରୋମେନ ଚନ୍ଦ୍ର ବର୍ଥାକୁର। ଜୋରହାଟରୁ ଲଢୁଛନ୍ତି କଂଗ୍ରେସ ସାଂସଦ ଗୌରବ ଗୋଗଇ। ତାଙ୍କ ବିରୋଧରେ ଲଢୁଛନ୍ତି ବିଜେପିର ହିତେନ୍ଦ୍ରନାଥ ଗୋସ୍ବାମୀ। ଗୁଆହାଟି ସେଣ୍ଟ୍ରାଲରୁ ଲଢୁଛନ୍ତି କଂଗ୍ରେସ ସମର୍ଥିତ ଏଜେପି ପ୍ରାର୍ଥୀ କୁନକୀ ଚୌଧୁରୀ। କେରଳର ଧର୍ମଦମ ଆସନରୁ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ତଥା ସିପିଏମ ପ୍ରାର୍ଥୀ ପିନରୟୀ ବିଜୟନ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି କଂଗ୍ରେସର ଭି.ପି. ଅବଦୁଲ ରସିଦ। ହରିପାଦରୁ ଲଢୁଛନ୍ତି ବରିଷ୍ଠ କଂଗ୍ରେସ ନେତା ରମେଶ ଚେନିଥାଲା। ମଞ୍ଜେଶ୍ବରମରୁ ଲଢୁଛନ୍ତି ବିଜେପି ହେଭିୱେଟ କେ. ସୁରେନ୍ଦ୍ରନ। କେରଳରେ ଏଥର ଏଲଡିଏଫ ଓ ୟୁଡିଏଫ ମଧ୍ଯରେ ହେବ ଜୋରଦାର ଟକ୍କର। ପୁଡୁଚେରୀର ଥଟ୍ଟନଚାବଡ଼ିରୁ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ତଥା ଏଆଇଏନଆରସି ପ୍ରାର୍ଥୀ ଏନ. ରଙ୍ଗାସ୍ବାମୀ। ତାଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ଭି. ବୈଥିଲିଙ୍ଗମ। ଆସାମର ଭୋଟର ସଂଖ୍ୟା ୨ କୋଟି ୪୯ ଲକ୍ଷ ୫୮ ହଜାର ହୋଇଥିବାବେଳେ କେରଳର ମୋଟ ଭୋଟର ୨ କୋଟି ୬୮ ଲକ୍ଷ ।

