ରାଜଧାନୀ କ୍ଯାପିଟାଲ ହସ୍ପିଟାଲରେ ହନ୍ତସନ୍ତ ରୋଗୀ, ଡାକ୍ତରଙ୍କ ଅଭାବରୁ ବଢୁଛି ସମସ୍ଯା
1 min read
ଭୁବନେଶ୍ବର : କ୍ଯାପିଟାଲ ହସ୍ପିଟାଲରେ ହନ୍ତସନ୍ତ ରୋଗୀ । ଡାକ୍ତରଙ୍କ ଅଭାବରୁ ବଢୁଛି ସମସ୍ଯା । ରାଜଧାନୀର ପ୍ରମୁଖ କ୍ଯାପିଟାଲ ହସପିଟାଲର ରେଜିଷ୍ଟ୍ରେସନ୍ କାଉଣ୍ଟରରୁ ଆରମ୍ଭକରି, ରୋଗୀସେବା ଓ ଔଷଧ କାଉଣ୍ଟରରେ ପ୍ରତିଦିନ ଦେଖିବାକୁ ମିଳୁଛି ଲମ୍ବା ଧାଡ଼ି । ଘଣ୍ଟା ଘଣ୍ଟା ଧରି ଠିଆହେବା ପରେ ବି ଅନେକ ସମୟରେ ନିରାଶ ଫେରୁଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ । ବିଶେଷକରି ପ୍ରତିଦିନ ଦୁର୍ଘଟଣା ଜନିତ ମାମଲା ଅଧିକ ଆସୁଥିବାରୁ ଡାକ୍ତରଙ୍କ ଅଭାବ ବଢାଇଛି ଚିନ୍ତା । ମେଡ଼ିସିନ୍, ହାର୍ଟ ଓ ମହିଳା ପ୍ରସୂତି ବିଭାଗ ନିକଟରେ ବି ଭିଡ଼ ଜମୁଛି । ଅବଶ୍ଯକ ସଂଖ୍ଯକ ଡାକ୍ତର ଓ କର୍ମଚାରୀ ନଥିବାରୁ ରୋଗୀ ସେବାର ଏପରି ବିକଳ ଚିତ୍ର ଦେଖିବାକୁ ମିଳୁଥିବା ଅଭିଯୋଗ ହୋଇଛି । ପ୍ରତିଦିନ ୫ ହଜାରରୁ ଅଧିକ ରୋଗୀ ହସପିଟାଲକୁ ଆସୁଛନ୍ତି । ୪ ଶହରୁ ଅଧିକ ଆଡମିଟ ହେଉଛନ୍ତି । କିନ୍ତୁ ଡାକ୍ତର ଅଭାବରୁ ବାଧ୍ଯହୋଇ ଅନ୍ଯତ୍ର ଯିବାକୁ ପଡୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।
ଡାକ୍ତରଖାନାରେ ୬୦ ଟି ଡାକ୍ତର ଓ ନର୍ସିଂ ଅଫିସରଙ୍କ ପଦବୀ ଖାଲିପଡ଼ି ଥିବା କହିଛନ୍ତି କ୍ଯାପିଟାଲ ହସପିଟାଲ ନିର୍ଦ୍ଦେଶକ I ଏନେଇ ପ୍ରତ୍ୟେକ ମାସ ଲିଖିତ ଆକାରରେ ସରକାରଙ୍କୁ ସୂଚନା ଦିଆଯାଇଛି । ଆଉଟ ସୋର୍ସିଂ ଆଧାରରେ ଯେତିକି ସମ୍ଭବ ପୁରା କରିବାକୁ ଚେଷ୍ଟା କରାଯାଉଛି । ୨ ଟି ବିଭାଗକୁ ମିଶାଇ ୨ ଶହ ରୁ ଅଧିକ ଡ଼ାକ୍ତର ଅଛନ୍ତି । ଆବଶ୍ୟକ ଡାକ୍ତର ଓ ନର୍ସିଂ ଅଫିସର ପଦବୀ ପୂରଣ ହୋଇପାରିଲେ ଆହୁରି ଉନ୍ନତ ମାନର ଚିକିତ୍ସା ଯୋଗାଇଦିଆ ଯାଇ ପାରିବ ବୋଲି କହିଛନ୍ତି କ୍ଯାପିଟାଲ ହସପିଟାଲ ନିର୍ଦ୍ଦେଶକ ।