ଉତ୍ତେଜକ ଭାଷଣ ଦେଇଥିବା ଅଭିଯୋଗରେ MNS ମୁଖ୍ୟ ରାଜ ଠାକରେଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ଉତ୍ତେଜକ ଭାଷଣ ଦେଇଥିବା ଅଭିଯୋଗରେ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କ ବିରୋଧରେ ମାମଲା ରୁଜୁ ହୋଇଛି  । ମେ’ ୩ ତାରିଖ ସୁଦ୍ଧା ମସଜିଦରୁ ଲାଉଡସ୍ପିକର ହଟାଇବା ପ୍ରସଙ୍ଗରେ ଉସୁକାଇବା ଭାଷଣ ଅଭିଯୋଗରେ ମାମଲା ରୁଜୁ କରିଛି ପୋଲିସ । ରାଜ ଠାକରେ ଓ ଅନ୍ୟ ୩ ଜଣଙ୍କ ବିରୋଧରେ ଆଇପିସି ଧାରା ଅନୁସାରେ, ହିଂସା ସୃଷ୍ଟି କରିବା ପାଇଁ ଜାଣିଶୁଣି ଉକ୍‌ସାଇଲା ଭଳି ଭାଷଣ ଦେବା ଅଭିଯୋଗରେ ଔରଙ୍ଗାବାଦ ପୋଲିସ ମାମଲା ରୁଜୁ କରିଛି । ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ସବୁ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ କରିଦିଆଯାଇଛି ।

ଔରଙ୍ଗାବାଦ ପୋଲିସ କମିଶନର ରାଜ ଠାକରେଙ୍କ ବିରୋଧରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମହାରାଷ୍ଟ୍ର ପୋଲିସ ଡିଜି ରଜନୀଶ ସେଠ୍ କହିଛନ୍ତି  । ଶନିବାର ଔରଙ୍ଗାବାଦ ରାଲିରେ ଭାଷଣ ଦେଇ ଆଜି ସୁଦ୍ଧା ରାଜ ଠାକରେ ଲାଉଡସ୍ପିକର ହଟାଇବା ପାଇଁ ଆହ୍ବାନ ଦେଇଥିଲେ । ଯଦି ଲାଉଡସ୍ପିକର ହଟା ନ ଯାଏ, ତାହା ହେଲେ ହନୁମାନ ଚାଳିଶା ଗାଇବା ପାଇଁ ଲୋକଙ୍କୁ ଅପିଲ କରିଥିଲେ ରାଜ୍ ଠାକରେ । ଆଜି ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ଓ୍ୱାଲସେ ପାଟିଲ ଓ ଡିଜିପି ରଜନୀଶ ସେଠ୍ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।