ସିଡିଏସ୍‌ ଜେନେରାଲ ବିପିନ ରାଓ୍ୱତଙ୍କ ମନ୍ତବ୍ୟ ଉପରେ କ୍ଷୁବ୍ଧ ଏୟାର ଚିଫ୍ ମାର୍ଶାଲ ଆର.କେ. ଏସ. ଭଦୌରିଆ

ନୂଆଦିଲ୍ଲୀ: ଇଣ୍ଟିଗ୍ରେଟେଡ ଥିଏଟର କମାଣ୍ଡସକୁ ନେଇ ଚିଫ ଅଫ ଡିଫେନ୍ସ ଷ୍ଟାଫ ଓ ବାୟୁସେନା ମଧ୍ୟରେ ମତପାର୍ଥକ୍ୟ। ସିଡିଏସ ଜେନରାଲ ବିପିନ ରାଓ୍ୱତଙ୍କ ମନ୍ତବ୍ୟରେ ନାରାଜ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଆର.କେ. ଏସ. ଭଦୌରିଆ। ବାୟୁସେନା ଏକ ସହାୟକ ବାହିନୀ ବା ସପୋର୍ଟ ଆର୍ମ ବୋଲି ଜେନେରାଲ ରାଓ୍ୱତ କହିବା ପରେ ଏହାକୁ ଗ୍ରହଣ କରିବାକୁ ନାରାଜ ଭଦୌରିଆ। ସେ କହିଛନ୍ତି ବାୟୁସେନା ଏକ ସହାୟକ ସଂଗଠନ ନୁହେଁ। ଏହାର ଭୂମିକା ବିଶାଳ ରହିଛି। ଗ୍ଲୋବାଲ କାଉଣ୍ଟର ଟେରରିଜିମ୍ କାଉନସିଲର ଏକ ସମ୍ମିଳନୀରେ ଜେନରାଲ ରାଓ୍ୱତ କହିଥିଲେ ଯେ, ସ୍ଥଳସେନାକୁ ବାୟୁସେନା ସହାୟତା କରିଥାଏ। ଏବଂ ସୈନ୍ୟବାହିନୀ ଲାଗି ବାୟୁସେନା ଏକ ସହାୟକ ବାହିନୀ ଭାବେ କାର୍ଯ୍ୟ କରିଥାଏ।

ସେନାବାହିନୀରେ ଯେପରି ଗୁଳିଗୋଳା ବା ଇଞ୍ଜିନିୟର ସହାୟତା ମିଳିଥାଏ, ସେହିପରି ସ୍ଥଳ ସେନାକୁ ବାୟୁସେନାର ସହାୟତା ମିଳିଥାଏ। ସେମାନଙ୍କ ନିକଟରେ ଏକ ଏୟାର ଡିଫେନ୍ସ ବ୍ୟବସ୍ଥା ରହିଛି, ଯାହାକି ସ୍ଥଳ ସେନା ଲାଗି ସହାୟକ ହୋଇଥାଏ। ମାତ୍ର ସେହି ଏକା ସମ୍ମିଳନୀରେ ଯୋଗ ଦେଇଥିବା ମାର୍ଶାଲ ଭଦୌରିଆ ଏହି ବିବୃତିକୁ ପରୋକ୍ଷରେ ସମାଲୋଚନା କରିଛନ୍ତି। ଏକ ସମନ୍ୱିତ ଯୁଦ୍ଧ କ୍ଷେତ୍ରରେ ବାୟୁସେନା ପ୍ରମୁଖ ଭୂମିକା ଗ୍ରହଣ କରେ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ। ଇଣ୍ଟିଗ୍ରେଟେଡ ଥିଏଟର କମାଣ୍ଡସ ପ୍ରସ୍ତାବ ଅନୁସାରେ ଏକ ମାରିଟାଇମ ଥିଏଟର କମାଣ୍ଡ, ଏକ ଏୟାର ଡିଫେନ୍ସ କମାଣ୍ଡ ଓ ପାକିସ୍ତାନ ଦିଗକୁ ମୁହାଁଇଥିବା ପଶ୍ଚିମାଞ୍ଚଳ ସୀମାନ୍ତ ସକାଶେ ତିନିଟି ସ୍ଥଳଭିତ୍ତିକ କମାଣ୍ଡ ଓ ଜାମ୍ମୁ କାଶ୍ମୀର ଓ ଲଦ୍ଦାଖ ଅଞ୍ଚଳ ଲାଗି ଏକ କମାଣ୍ଡ ଗଠନ ହେବ। ଏ ସମସ୍ତ କମାଣ୍ଡ ସିଡିଏସଙ୍କ ନିକଟରେ ଉତ୍ତରଦାୟୀ ରହିବେ।

Leave a Reply