ଚମ୍ପୁଆ : ବଡ଼ବିଲରେ ଅଭାବନୀୟ କାଣ୍ଡ । ପାରିବାରିକ କଳହରୁ ଭିଣୋଇକୁ ପିଟି ପିଟି ମାରିଦେଲା ଶାଳକ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ବୁରୁ ସାହିରେ । ମୃତକ ହେଲେ ୩୦ ବର୍ଷୀୟ ବନମାଳୀ ମୁଣ୍ଡା । ମୃତ ବନମାଳୀ ବିଭିନ୍ନ ସମୟରେ ତାଙ୍କ ପତ୍ନୀ ଶୁକମତିଙ୍କୁ ମାରଧର କରୁଥିଲେ । ଗତ ମଙ୍ଗଳବାର ଏକ ଟାଙ୍ଗିଆରେ ବନମାଳୀ ପତ୍ନୀଙ୍କ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏ ନେଇ ଶୁକମତି ନିଜ ବାପଘର ଲୋକଙ୍କୁ ଜଣାଇବା ସହ ସ୍ୱାମୀଙ୍କୁ ବୁଝାସୁଝା କରିବା ପାଇଁ ସେମାନଙ୍କୁ ଡାକିଥିଲେ । ଖବର ପାଇ ଗତକାଲି ସନ୍ଧ୍ୟାରେ ଯୋଡ଼ା ଥାନା ଦଣ୍ଡାଗୁଟୁ ଅଞ୍ଚଳରୁ ଶୁକମତିଙ୍କ ଭାଇ ଅଜୟ ତିରିଆ ଏବଂ ମାଆ ସରସ୍ୱତୀ ତିରିଆ ଉଲିବୁରୁ ବୁରୁ ସାହିରେ ପହଞ୍ଚିଥିଲେ। ଅଜୟ ନିଜ ଭିଣୋଇ ବନମାଳୀଙ୍କୁ ବୁଝାଉଥିବା ବେଳେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଅଜୟ ଭିଣୋଇଙ୍କୁ ଆଖିବୁଜା ବିଧା, ଗୋଇଠା ମାରିଥିଲେ। ମାଡ଼ରେ ଭାରସାମ୍ୟ ହରାଇ ବନମାଳୀଙ୍କ ମୁଣ୍ଡ ଏକ କାଠ ବନ୍ଧରେ ପିଟି ହୋଇଯିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣା ପରେ ଅଭିଯୁକ୍ତ ଶାଳକ ଅଜୟ ସେଠାରୁ ଫେରାର ହୋଇଯାଇଛି । ବଡ଼ବିଲ ଏସଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ ଓ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧା କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

