କେବେ ସରିବ କଟକ ଚଣ୍ଡୀ ମନ୍ଦିର ନବୀକରଣ କାମ ?

କଟକ : ସରୁନି କଟକ ଚଣ୍ଡୀ ମନ୍ଦିର ନବୀକରଣ କାମ । ସାଢେ ୩ ବର୍ଷ ହେଲାଣି ଠିକାଦାର ଚଳାଇଛି ମନମୁଖି କାର୍ଯ୍ଯ । ଜନସ୍ବାର୍ଥ ମାମଲା ପରେ ମଧ୍ଯ ତତ୍ପରତା ଦେଖାଉନି ପ୍ରଶାସନ । ବିପଦପୂର୍ଣ୍ଣ ନିର୍ମାଣ ଦେଇ ଯାତାୟାତ କରୁଛନ୍ତି ଶ୍ରଦ୍ଧାଳୁ । ବଢୁଛି ଅଘଟଣ ଆଶଂକା, ତେଜୁଛି ଅସନ୍ତୋଷ । କଟକର ଆରାଧ୍ଯ ଦେବୀଙ୍କ ପୀଠକୁ ପ୍ରତିଦିନ ଶହଶହ ଶ୍ରଦ୍ଧାଳୁ ଆସିଥାନ୍ତି । ହେଲେ କାମ ଚାଲୁଥିବାରୁ ସାମାନ୍ଯ ବର୍ଷାହେଲେ ମନ୍ଦିର ପରିସର କାଦୁଅ ପଚପଚ ହେଉଛି । ଦୂର ଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ଏପରି ସ୍ଥିତି ଦେଖି ଅସନ୍ତୋଷ ପ୍ରକାଶ କରୁଛନ୍ତି । ଠିକାଦାର ମନମୁଖି କାମ କରୁଥିଲେ ବି ପ୍ରଶାସନ ନିରବ ଥିବା ଲୋକେ ଅଭିଯୋଗ କରିଛନ୍ତି ।
ପୂର୍ବ ସରକାରଙ୍କ ସମୟରେ ମନ୍ଦିରର ସୌନ୍ଦର୍ଯ୍ଯକରଣ ପାଇଁ ପଦକ୍ଷେପ ନିଆଯାଇଥିଲା । ସରକାର ବଦଳିବା ପରେ ଧିମା ହୋଇଛି କାମ । ଏନେଇ ଚଣ୍ଡୀ ମନ୍ଧିର ସୁରକ୍ଷା କମିଟି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ମଧ୍ଯ ରୁଜୁ କରିଛି । ମାମଲାରେ ୯ ଜଣଙ୍କୁ ପକ୍ଷଭୂକ୍ତ କରାଯାଇଛି । କାମ ପାଇଁ ପ୍ରସ୍ତୁତ ଡିପିଆର୍ କୁ ସାର୍ବଜନୀନ କରିବାକୁ ଦାବି କରିଛି କମିଟି । ତଥାପି ବିପଦପୂର୍ଣ୍ଣ ଭାବେ କାମ ଚାଲୁଥିବାରୁ କୌଣସି ସମୟରେ ଅଘଟଣ ଘଟିବା ନେଇ ଆଶଂକା ପ୍ରକାଶ କରିଛନ୍ତି ସଂଗଠନ କର୍ମକର୍ତ୍ତା । ଆଗକୁ ବର୍ଷା ଆସୁଥିବାରୁ ତୁରନ୍ତ ପ୍ରଶାସନ ଦୃଷ୍ଟିଦେଇ କାମକୁ ସମ୍ପୂର୍ଣ୍ଣ କରିବାକୁ ଦାବି କରିଛନ୍ତି କଟକବାସୀ ।