ଥାନା ପରିସରରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ

ଚଣ୍ଡିଖୋଲ: ଥାନା ପରିସରରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ । ବାଲିଚନ୍ଦ୍ରପୁର ଥାନା ଅଧୀନ ଅଣକା ପଞ୍ଚାୟତ ମହିପୁର ଗ୍ରାମର ରବୀନ୍ଦ୍ର ମଲ୍ଲିକ ଏକ ଘଟଣାକୁ ନେଇ ଥାନାକୁ ଲିଖିତ ଅଭିଯୋଗ କରିବା ପାଇଁ ଯାଇଥିଲେ। ହେଲେ ରବୀନ୍ଦ୍ରଙ୍କ ନାମରେ ପୂର୍ବରୁ ଲିଖିତ ଅଭିଯୋଗ ଥିବାରୁ ପୋଲିସ ତାଙ୍କୁ ଅଟକ ରଖିଥିଲା । ରବୀନ୍ଦ୍ର ଥାନାରେ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ କଟକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପୁଅକୁ ଭେଟିବା ପାଇଁ ପରିବାର ଲୋକେ ଥାନାକୁ ଆସିଥିଲେ ସୁଦ୍ଧା ପୋଲିସ ଭେଟ କରେଇ ଦେଇନଥିଲ। । ପରିବାର ଲୋକେ କଟକ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ପୁଅକୁ ଦେଖିବାକୁ ପାଇଥିଲେ । ରବୀନ୍ଦ୍ରଙ୍କୁ ଥାନାରେ ମାଡ ମରାଯାଇ ଥିବା ସହ ତାଙ୍କୁ ବିଷ ପିଆଇ ଦେଇଥିବା ପରିବାର ଲୋକେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ଘଟଣାକୁ ଖଣ୍ଡନ କରିଛନ୍ତି । ସମସ୍ତ ଘାଟଣା ସିସିଟିଭିରେ କଏଦ ହୋଇଛି । ଯୁବକଙ୍କ ଦେହ ଖରାପ ହେବାରୁ ତାଙ୍କୁ କଟକ ମେଡିକାଲ ପଠାଯାଇଛି ଏବଂ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି ବୋଲି ପୋଲିସ କହିଛି । ଅନ୍ୟପଟେ ନ୍ୟାୟ ଦାବୀ କରିଛନ୍ତି ପରିବାର ଲୋକେ ।