ପ୍ରେମୀ ଯୁଗଳଙ୍କୁ ରୀତିନୀତିରେ ବାହାଘର କଲେ ବଡଚଣା ଥାନା ଅଧିକାରୀ

ଚଣ୍ଡିଖୋଲ : ମଥାରେ ଟିପିଟିପି ଚନ୍ଦନ, ପାଦରେ ଲାଗିଛି ଅଳତା । ନା ଅଛନ୍ତି ବରଯାତ୍ରୀ ନା ଅଛି ବାଜା ରୋଷଣୀ । ଏହା କୌଣସି ମଣ୍ଡପ କିମ୍ବା ଘର ନୁହେଁ ବରଂ ଥାନାର ଦୃଶ୍ଯ । ବର କନ୍ୟାଙ୍କୁ ବେଦୀକୁ ପାଛୋଟି ନେଉଛନ୍ତି ପୋଲିସ କର୍ମଚାରୀ । ଦୁଇ ପ୍ରେମୀ ଯୁଗଳଙ୍କ ସାହାରା ପାଲଟିଲା ବଡଚଣା ପୋଲିସ । ବଡଚଣା ଥାନା ଅଧୀନ ଚଣ୍ଡିତଳ ଗାଁର କେଶବ ସାମଲଙ୍କ ପୁଅ ରିତୁ ସାମଲ ଓ ମହେଶ୍ଵର ମଲିକଙ୍କ ଝିଅ ରିନୁ ମଲ୍ଲିକ ପରସ୍ପରକୁ ଦୀର୍ଘ ୬ ବର୍ଷ ଧରି ଭଲ ପାଉଥିଲେ । ହେଲେ ବିବାହ ପାଇଁ ପରିବାର ଲୋକେ ରାଜି ହେଉନଥିଲେ କି ସାମାଜିକ ସ୍ଵିକୃତୀ ମିଳୁନଥିଲା । ଶେଷରେ ଦୁହେଁ ବଡ଼ଚଣା ପୋଲିସର ଦ୍ବାରସ୍ଥ ହୋଇଥିଲେ। ଉଭୟ ପରିବାରଙ୍କୁ ବୁଝାଇ ବଡଚଣା ଥାନା ଅଧିକାରୀ ନିଜେ ସମସ୍ତ ଦାୟିତ୍ବ ନେଇ ଥାନା ପରିସରରେ ଥିବା ମନ୍ଦିରରେ ରୀତିନୀତି ସହ ବିବାହ କରାଇଛନ୍ତି ।

ବଡଚଣା ପୋଲିସ ଉଭୟଙ୍କ ବାହାଘରର ସମସ୍ତ ଦାୟିତ୍ଵ ହାତକୁ ନେଇଥିଲେ । ଉଭୟ ପରିବାରର ସହମତି କ୍ରମେ ମନ୍ଦିରରେ ବିବାହ ହେଲା । ଏମିତିକି ବିବାହରେ କନ୍ୟା ପିତା ସାଜିଥିଲେ ପୋଲିସ କର୍ମଚାରୀ । ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ରିତୁ ଆଉ ରିନୁ ବାନ୍ଧି ହୋଇଥିବା ବେଳେ ବାହାଘରରେ ବହୁ ବୁଦ୍ଧିଜୀବୀ ସହଯୋଗ କରିଥିଲେ । ବଡ଼ଚଣା ପୋଲିସର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।