ଜୁନ୍ ୧୪ରେ ଦେବସ୍ନାନ ପୂର୍ଣ୍ଣିମା; ୧୫ ଦିନ ଧରି ଚାଲିବ ଅଣସର ନୀତି

ପୁରୀ: ଜୁନ୍ ୧୪ ତାରିଖରେ ହେବ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶ ଦର୍ଶନ କରିପାରିବେ ଭକ୍ତ । ତେବେ କେହି ବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ । ଚଳିତ ବର୍ଷ ୧୫ ଦିନ ଧରି ଅନବସର ନୀତି କରାଯିବାକୁ ଥିବା ବେଳେ ଆଜି ଛତିଶା ନିଯୋଗ ବୈଠକରେ ନୀତିକାନ୍ତି ଚୂଡାନ୍ତ ହୋଇଛି ।

ଏଥର ଭକ୍ତଙ୍କ ଗହଣରେ ହେବ ସ୍ନାନଯାତ୍ରା । ଛତିଶା ନିଯୋଗ ବୈଠକରେ ଯାତ୍ରା ସମ୍ପର୍କରେ ହୋଇଛି ବିସ୍ତୃତ ଆଲୋଚନା । ଚଳିତ ବର୍ଷ ୧୫ଦିନ ଧରି ଅନବସର ନୀତି । ୧୪ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । ଯାତ୍ରାକୁ ଶୃଙ୍ଖଳିତ କରିବାକୁ ଛତିଶା ନିଯୋଗ ବୈଠକରେ ହୋଇଛି ବିସ୍ତୃତ ଆଲୋଚନା । ଏଥର ଭକ୍ତଙ୍କ ଗହଣରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବାକୁ ଯାଉଥିବାରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିବା ସମ୍ଭାବନା ରହିଛି । ତେଣୁ ଭୋର ୪ଟାରୁ ପହଣ୍ଡି ଆରମ୍ଭ ହୋଇ ୬ଟାରେ ଶେଷ ହେବ । ସକାଳ ୯ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଜଳ ବିଜେ ଓ ପୂଜା ହୋଇ ୧୨ଟା ୧୫ରେ ଛେରା ପହଁରା କରାଯିବ । ୧୨ଟା ୩୦ରୁ ୨ଟା ୩୦ ମଧ୍ୟରେ ହାତୀବେଶ ଶେଷ ହେବ । ସକାଳେ ପାରମାଣିକ ଟିକେଟ୍ ଦର୍ଶନ ବ୍ୟବସ୍ଥା କରାଯିବ ।

ଭକ୍ତମାନେ ବଡ଼ଦାଣ୍ଡରୁ ସ୍ନାନ ମଣ୍ଡପ ଉପରେ ଜଳଲାଗି ଓ ହାତୀବେଶ ଦର୍ଶନ ପାଇଁ ତିନି ଘଣ୍ଟା ସୁଯୋଗ ପାଇବେ । ତେବେ କେହି ବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ । ସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ସମ୍ପର୍କରେ ନୀତି ସବ୍ କମିଟି ବୈଠକରେ ଆଲୋଚନା ପରେ ଏହାକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ନୀତିକୁ ଶୃଙ୍ଖଳିତ କରିବା ଦିଗରେ ଛତିଶା ନିଯୋଗ ବୈଠକରେ ଗୁରୁତ୍ୱ ଦିଆଯାଇଛି । ବିଶେଷ କରି ପ୍ରଭୁଙ୍କ ଜଳଲାଗିକୁ ଶୃଙ୍ଖଳିତ କରିବା ଓ ହାତୀବେଶ ଓଲାଗି ସମୟରେ ଶୃଙ୍ଖଳା ରକ୍ଷା କରିବା ପାଇଁ ସମ୍ପୃକ୍ତ ସେବାୟତମାନଙ୍କୁ ପରାମର୍ଶ ଦିଆଯାଇଛି । ଜଳଲାଗି ଓ ହାତୀବେଶ ସମୟରେ ଶ୍ରୀବିଗ୍ରହମାନଙ୍କ ସମ୍ମୁଖରେ ଯେଭଳି କୈାଣସି ସେବାୟତ ଠିଆ ହୋଇ ବାଧା ସୃଷ୍ଟି କରିବେ ନାହିଁ ଏହା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

ରାତି ୧୦ ଟାରେ ବାହୁଡ଼ା ପହଣ୍ଡି ଓ ରାତି ଗୋଟାଏ ୩୦ରେ ସୁନା ଚିତା ଓ ରାହୁରେଖା ଓଲାଗି କରାଯିବ । ସବୁ ସେବାୟତଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ନୀତିକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରାଯିବ ବୋଲି ସେବାୟତ କହିଛନ୍ତି ।