ଚୌଦ୍ବାର ଜେଲରୁ ଦୁଇ କଏଦୀ ଫେରାର ଘଟଣାରେ ଆରମ୍ଭ ହେଲା ଉଚ୍ଚସ୍ତରୀୟ ତଦନ୍ତ

ଚୌଦ୍ବାର : ଚୋର ଗଲାପରେ ପଶିଲା ଚେତା । ଚୌଦ୍ବାର ଜେଲରୁ ଦୁଇ ହାର୍ଡକୋର ଫେରାର ପରେ ଉଚ୍ଚସ୍ତରୀୟ ତଦନ୍ତ । ଦୁଇ ଜେଲ କର୍ମଚାରୀ ନିଲମ୍ବିତ । ୪ଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ । ହାଇ ସିକ୍ୟୁରିଟି ଜୋନ ଚୌଦ୍ବାର ଜେଲରୁ ପୂଜା ମୌକାରେ ଚମ୍ପଟ ମାରିଲେ ଦୁଇ ବିହାରୀ ଅପରାଧୀ । ସେଲର ରେଲିଂ କାଟି କ୍ରିମିନାଲ ମଧୁକାନ୍ତ ରାଣା ଓ ରାଜା ସାହାଣୀ ଫେରାର । ଜେଲ ପଛ ପାଖରେ କମ୍ବଳକୁ ରଶି କରି ପାଚେରୀ ଡେଇ ଚମ୍ପଟ ମାରିଛନ୍ତି ଦୁଇ ହାର୍ଡକୋର କ୍ରିମିନାଲ । ଗତ ଜାନୁଆରୀ ୪ ତାରିଖରେ ଯାଜପୁର ପାଣିକୋଇଲି ବଜାରରେ ଥିବା ପଣ୍ଡା ଆଳଙ୍କାର ଲୁଟ କରିବା ପାଇଁ ଆସିଥିଲେ ଉଭୟ ଲୁଟେରା । ଆଳଙ୍କାର ଦୋକାନୀ ସୁନିଲ ରାୟ ଓ ନୀଳମାଧବ ପଣ୍ଡାଙ୍କୁ ଗୁଳିକରି କରି ଲୁଟ ଉଦ୍ଯମ କରିଥିଲେ । ତେବେ ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଉଭୟଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ । ପାଣିକୋଇଲି ପୋଲିସ ଗିରଫ କରି ଯାଜପୁର ଜେଲକୁ ପଠାଇଥିଲା । ସୁରକ୍ଷା ଦୃଷ୍ଟିରୁ ପରେ ଚୌଦ୍ଵାରକୁ ସ୍ଥାନାନ୍ତର କରାଯାଇଥିଲା ।
କଏଦୀ ଫେରାର ଘଟଣାରେ ଆରମ୍ଭ ହୋଇଛି ଉଚ୍ଚସ୍ତରୀୟ ତଦନ୍ତ । କଟକ ରେଞ୍ଜ ଡିଆଇଜିଙ୍କୁ ଘଟଣାର ତଦନ୍ତ ଭାର ଦିଆଯାଇଛି । ଘଟଣାସ୍ଥଳରେ ଜେଲ ଡିଜି ପହଞ୍ଚି ତଦନ୍ତ କରିଛନ୍ତି । ଏହାସହ ଚୌଦ୍ବାର ପୋଲିସ, ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି କରିଛନ୍ତି ତନାଘନା । ଚୌଦ୍ବାର ପୋଲିସ ପକ୍ଷରୁ ୪ଟି ଟିମ ଗଠନ କରି ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଉଛି । କାର୍ଯ୍ୟରେ ଅବହେଳା ପାଇଁ ଚିଫ୍ ୱାର୍ଡର ଭଗତ ଚରଣ ରାମ ଓ ୱାର୍ଡର ସିଦ୍ଧାନ୍ତ ସାହୁଙ୍କୁ ନିଲମ୍ବନ କରାଯାଇଛି । ଘଟଣାରେ ଯାହାର ସଂପୃକ୍ତି ଥିବ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜେଲ ଡିଜି ।କଟକର ହାଇସିକ୍ୟୁରିଟି ଜୋନ ଚୌଦ୍ବାର ଜେଲ । ଏଠାରେ ବହୁ ହାର୍ଡକୋର ଅପରାଧୀଙ୍କ ସହ ଗ୍ଯାଙ୍ଗଷ୍ଟର ଅଛନ୍ତି । ଦୁଇ କଏଦୀ ଫେରାର ପରେ ଏବେ ଜେଲ ସୁରକ୍ଷା ବ୍ୟବସ୍ଥାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।