spot_img

Latest Posts

ଛାଡ଼ଖାଇରେ ଜମିଲା ଆମିଷ ବଜାର

ଭୁବନେଶ୍ବର : ବଜାରରେ ପାଦ ରଖିବାକୁ ବି ଜାଗା ନାହିଁ । ସିଏ ମାଛ ହେଉ କି ମାଂସ, ଚିଙ୍ଗୁଡ଼ି ହେଉ କି କଙ୍କଡ଼ା, ଶୁଖୁଆ ଦୋକାନରେ ବି ଖଚାଖଚ ଭିଡ଼ । ମାସେ ହେଲା ପାଟିରେ ଆଇଁଷ ପାଣି ଟିକିଏ ବାଜି ନଥିବାରୁ ଛାଡ଼ଖାଇରେ ଯିଏ ଯାହା ପାରିଲା ବୋହି ନେଲେ । ଭୁବନେଶ୍ବର ୟୁନିଟ ୪ ମାର୍କେଟରେ ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଖଚାଖଚ ଭିଡ଼ । ଚାହିଦାକୁ ଦେଖି ବ୍ଯବସାୟୀମାନେ ମଧ୍ଯ ବିଭିନ୍ନ ସାମଗ୍ରୀ ମହଜୁଦ ରଖିଥିଲେ । ଅକ୍ଟୋପସ ଶହ, ଚାନ୍ଦି ୨ଶହ ୫୦, ପାମ୍ପଲେଟ ୯ ଶହ, ଖୁରାଣ୍ଡି ୩ ଶହ ୫୦, ଚିଙ୍ଗୁଡ଼ି ୩ଶହରୁ ୭ ଶହ, କଙ୍କଡ଼ା ୯ ଶହରୁ ୨ ହଜାର ୩୫୦, ଖାସି ମାଂସ ୮ ଶହ , ଦେଶୀ କୁକୁଡ଼ା ୫ଶହ, ବ୍ରଏଲର ୨ଶହ ୪୦ ଟଙ୍କା ରହିଛି । ସେପେଟେ ହାଟକୁ ଯାଇ ସ୍ଥିତି ଅନୁଧ୍ଯାନ କରିଛନ୍ତି ମେୟର । ହାଟରେ ୧୭ଟି ଦୋକାନ ଥିବାବେଳେ ୨୩ ଜଣ ମଟନ ବ୍ଯବସାୟୀ ଥିବାରୁ ଆଉ ୬ଟି ପିଣ୍ଡି କରାଯିବ ବୋଲି ସୂଚନା ଦେଇଛନ୍ତି।

ଧର୍ମମାସ କାର୍ତ୍ତିକ ପରେ ଜମିଛି ଆମିଷ ବଜାର । କଟକର ବିଭିନ୍ନ ଆମିଷ ବଜାରରେ ମଧ୍ଯ ଦେଖିବାକୁ ମିଳିଥିଲା ଭିଡ଼ । ତେବେ ହବିଷ ପରେ ପ୍ରଥମ ଦିନରେ ମାଛ ନେବାକୁ ଅଧିକାଂଶ ଗ୍ରାହକ ପସନ୍ଦ କରିଥିଲେ । ରାଉରକେଲାରେ ମଧ୍ଯ ଆମିଷ ନେବାକୁ ଗ୍ରାହକଙ୍କ ଏକପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ମାଛ ଦର ସାମାନ୍ଯ ବଢିଥିବାବେଳେ ଚିଙ୍ଗୁଡ଼ି, ଚିକେନ ଓ ମଟନର ଦର ଅଧିକ ଥିବା କହିଛନ୍ତି ଗ୍ରାହକ । ପୁରୀ ଜିଲ୍ଲା ନିମାପଡ଼ାରେ ସକାଳ ୬ଟାରୁ ଆମିଷ ଦୋକାନରେ ଲାଇନ ଲଗାଇଥିଲେ ଗ୍ରାହକ । ଦର ସାମାନ୍ଯ ଉଚ୍ଚା ଥିଲେ ସୁଦ୍ଧା ଚାହିଦ ଅନୁଯାୟି ନିଜ ନିଜ ପସନ୍ଦର ମାଛ, ମାଂସ, ଚିଙ୍ଗୁଡ଼ି, କଙ୍କଡ଼ା କିଣି ନେଇଛନ୍ତି ଲୋକେ । କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଗୁରୁବାର ପଡ଼ିଥିବାରୁ ଆମିଷ ବଜାର ଟିକିଏ ମାନ୍ଦା ଥିଲା । ହେଲେ ଶୁକ୍ରବାର ବ୍ଯବସାୟ ଜମିଥିବାରୁ ଭଲ ଲାଭ ଆଶାରେ ବ୍ଯବସାୟୀ ।

Latest Posts

Don't Miss