ଦାୟିତ୍ୱ ନିର୍ବାହ କରିବା ସମୟରେ ଧାର୍ଯ୍ୟ ‘ଲକ୍ଷ୍ମଣରେଖା’ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ: ଜଷ୍ଟିସ ଏନ.ଭି ରମଣା

ନୂଆଦିଲ୍ଲୀ: ଦେଶର ସମ୍ବିଧାନ ତିନୋଟି ମୁଖ୍ୟ ଅଙ୍ଗ ମଧ୍ୟରେ କ୍ଷମତାର ପୃଥକୀକରଣ କରିଛି । ତେଣୁ ଦାୟିତ୍ବ ନିର୍ବାହ କରିବା ସମୟରେ ଧାର୍ଯ୍ୟ ଲକ୍ଷ୍ମଣରେଖା ପ୍ରତି ଦୃଷ୍ଟି ଦେବା ଦରକାର । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିଙ୍କ ମିଳିତ ସମ୍ମିଳନୀରେ ଉଦବୋଧନ ଦେଇ ଏହା କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମଣା ।

ଦେଶର ତିନୋଟି ମୁଖ୍ୟ ଅଙ୍ଗ ମଧ୍ୟରେ ଉଚିତ ସମନ୍ବୟ ରହିଲେ ହିଁ ଗଣତନ୍ତ୍ର ସୁଦୃଢ ହେବ ବୋଲି କହିଛନ୍ତି ପ୍ରଧାନ ବିଚାରପତି । ଆଉ ଏଥିପାଇଁ କେହି ଲକ୍ଷ୍ମଣରେଖା ଅତିକ୍ରମ କରିବା ଅନୁଚିତ । ଦୀର୍ଘ ୬ ବର୍ଷ ପରେ ପୁଣି ଆୟୋଜିତ ହୋଇଥିବା ଏହି ସମ୍ମିଳନୀକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଅଦାଲତରେ ସ୍ଥାନୀୟ ଭାଷାର ବ୍ୟବହାର ଉପରେ ଗୁରୁତ୍ବାରୋପ କରିଛନ୍ତି ।

ଦେଶରେ ଆଇନ ଶିକ୍ଷାକୁ ଆନ୍ତର୍ଜାତିକ ସ୍ତରର କରିବା ଆମ ସମସ୍ତଙ୍କର ଦାୟିତ୍ବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ନ୍ୟାୟିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି । ନ୍ୟାୟିକ ଭିତ୍ତିଭୂମିରେ ସୁଧାର ଆଣିବା ପାଇଁ ବି ଉଦ୍ୟମ ହେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି ।