କାର୍‌ ମଧ୍ୟରେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ୫ ବର୍ଷ ଶିଶୁର ଜୀବନ

କଟକ: କଟକ ଜିଲ୍ଲା ମାହାଙ୍ଗା ଥାନା ବରାହୀପୁରରେ ଅଭାବନୀୟ ଘଟଣା । କାର୍‌ ମଧ୍ୟରେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ୫ ବର୍ଷ ଶିଶୁର ଜୀବନ । ବରାହୀପୁର ଗାଁର ସୁବାସ ଚନ୍ଦ୍ର ସ୍ବାଇଁଙ୍କ ଘର ସମ୍ମୁଖରେ କାର୍‌ ଥିଲା । ସୁବାସଙ୍କ ପାଞ୍ଚ ବର୍ଷର ପୁଅ ସତ୍ୟବ୍ରତ କାର୍‌ ଚାବି ଆଣି ଡୋର୍‌ ଖୋଲି ଗାଡ଼ି ଭିତରେ ପଶିଥିଲା । ଅସହ୍ୟ ଗରମ ହେତୁ ଶିଶୁଟି ସେଇ କାର୍‌ ମଧ୍ୟରେ ପଡ଼ିଯାଇଥିଲା ।

ଘର ଲୋକ ବହୁ ଖୋଜାଖୋଜି ପରେ ଦିନ ପ୍ରାୟ ଦୁଇଟା ସମୟରେ ଶିଶୁଟିକୁ ଅଚେତ ଅବସ୍ଥାରେ କାର୍‌ ମଧ୍ୟରୁ ଉଦ୍ଧାର କରିଥିଲେ । ପିଲାଟିକୁ ତୁରନ୍ତ ମାହାଙ୍ଗା ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ମାହାଙ୍ଗା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ କରାଇଛି । ଅସାବଧାନତା ହେତୁ ଶିଶୁଟିର ଜୀବନ ଚାଲିଯିବା ସହ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।