ନିଖୋଜ ଆଲିବାବା ଗ୍ରୁପର ପ୍ରତିଷ୍ଠାତା ଜାକ ମାଙ୍କ ମିଳିଲା ସନ୍ଧାନ!

ନୂଆଦିଲ୍ଲୀ: କଳ୍ପନା ଜଳ୍ପନାର ଅବସାନ । ନିଖୋଜ ଆଲିବାବା ଗ୍ରୁପର ପ୍ରତିଷ୍ଠାତା ଜାକ ମାଙ୍କ ମିଳିଛି ସନ୍ଧାନ । ସେ ହଂକଂରେ ରହିଛନ୍ତି ଏବଂ ସେଠାରୁ ନିଜର ବ୍ୟବସାୟ ପରିଚାଳନା କରୁଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଗତବର୍ଷ ଅକ୍ଟୋବରରେ ସେ ସାଂଘାଇରେ ଏକ ସଭାରେ ଚୀନର ଆର୍ଥିକ କଟକଣା ବିରୋଧରେ ସ୍ବର ଉତ୍ତୋଳନ କରିବା ପରେ ପରେ ନିଖୋଜ ହୋଇଯାଇଥିଲେ । ଏନେଇ ଅନେକ ପ୍ରକାର ଚର୍ଚ୍ଚା ହେଉଥିଲା । ସେ ହଂକଂରେ ସାଧାରଣ ଲୋକଙ୍କ ପରି ରହିଛନ୍ତି ଏବଂ କମ୍ପାନିର ଅଫିସରମାନଙ୍କୁ ଭେଟୁଥିବା ଜଣାଯାଇଛି । ଚୀନର ଆର୍ଥିକ ନୀତିକୁ ସମାଲୋଚନା କରିବା ପରେ ତାଙ୍କ ସ୍ଥିତି ଏପରି ହୋଇଥିଲା ଯେ, ସେ ନିଜର ଆଣ୍ଟ ଗ୍ରୁପର ମେଗା ଆଇପିଓ ରଦ୍ଦ କରିଥିଲେ ।

 

ଚୀନ ସରକାରଙ୍କୁ ବିରୋଧ କରିବା ପରଠାରୁ ସେ ଖୁବ୍ କମ୍ ଲୋକଙ୍କୁ ଭେଟିଥିଲେ । ପରେ ସେ ନିଖୋଜ ହୋଇଯାଇଥିଲେ । ତାଙ୍କ ସମ୍ପର୍କରେ ବି ଆଲିବାବା କମ୍ପାନୀ କର୍ତ୍ତୃପକ୍ଷ ନୀରବ ରହିଥିଲେ । ଚୀନର ସବୁଠାରୁ ଶକ୍ତିଶାଳୀ କମ୍ପାନିର ମାଲିକ ଭାବେ ଜାକ ମା ଚୀନ ସରକାରଙ୍କ ସବୁଠାରୁ ବଡ଼ ସମାଲୋଚକ ଥିଲେ । ନିଖୋଜ ହେବା ପୂର୍ବରୁ ଜାକ ମା ପୂର୍ବ ଚୀନର ହାଙ୍ଗଝୁ ସହରରେ ରହୁଥିଲେ । ସେଠାରୁ ସେ ତାଙ୍କ ବ୍ୟବସାୟ ସାମ୍ରାଜ୍ୟ ସମ୍ଭାଳୁଥିଲେ । ତିନିମାସ ତଳେ ଏକ ଭିଡିଓରେ ସେ କିଛି ଶିକ୍ଷକଙ୍କ ସହ ଆଲୋଚନା କରୁଥିବା ଦେଖାଯାଇଥିଲା । ମାତ୍ର ତାଙ୍କ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳି ନଥିଲା । ଗତ ମେ ମାସରେ ସେ ହାଙ୍ଗଝୁସ୍ଥିତ ନିଜ ଘରକୁ ଯାଇଥିଲେ ବି ଏହା ଅତି ଗୋପନୀୟ ଥିଲା । ଗତ ସେପ୍ଟେମ୍ବର 1ରେ ବି ସେ ଝେଜିଆଙ୍ଗ ପ୍ରଜାତନ୍ତ୍ରକୁ ଯ଼ାଇଥିବା ନେଇ ଚର୍ଚ୍ଚା ହୋଇଥିଲା ।

Leave a Reply