ନବୀନଙ୍କ ଘୋଷଣା: ଚାଷୀଙ୍କୁ ମିଳିବ ଇନପୁଟ ସହାୟତା, ଖର୍ଚ୍ଚ ହେବ ୨ ଶହ କୋଟି

ଭୁବନେଶ୍ବର: ରାଜ୍ୟର ଚାଷୀକୁଳ ପାଇଁ ବଡ଼ ଖବର । ମରୁଡ଼ି ପ୍ରଭାବିତ ଅଞ୍ଚଳର ଚାଷୀମାନଙ୍କୁ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ଇନପୁଟ ସହାୟତା ପ୍ରଦାନ କରିବେ । ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମରୁଡ଼ି ପ୍ରଭାବିତ ଅଞ୍ଚଳର ଚାଷୀମାନେ ଫସଲ କ୍ଷତି ସହିଥିବାରୁ ଜିଲ୍ଲାପାଳମାନେ ତୁରନ୍ତ ଜିଲ୍ଲା ପାଇଁ ଆବଶ୍ୟକୀୟ ପାଣ୍ଠି ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ଅବଗତ କରାଇବା ମାତ୍ରେ ସହାୟତା ପାଣ୍ଠି ଜିଲ୍ଲାକୁ ମିଳିବ । ରାଜ୍ୟ ସରକାର ଏ ବାବଦରେ ରାଜ୍ୟ ରାଜକୋଷରୁ ୨ ଶହ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ରିପୋର୍ଟ ଅନୁସାରେ ରାଜ୍ୟର ୧୨ଟି ଜିଲ୍ଲାର ୬୪ ବ୍ଳକ ଓ ୧୫ଟି  ସହରାଞ୍ଚଳରେ ମରୁଡ଼ିରୁ ୨ ଲକ୍ଷ ୬୩ ହଜାର ୫୬୦ ହେକ୍ଟର ଜମିରେ ୩୩% ରୁ ଅଧିକ ଫସଲ ହାନି ହୋଇଛି । ରାଜ୍ୟ ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ କେନ୍ଦ୍ର ସରକାର ଏଯାଏ ମରୁଡ଼ି ପ୍ରଭାବିତ ଚାଷୀମାନଙ୍କୁ ଫସଲ ବୀମା ଦେଇନାହାନ୍ତି ।  କେନ୍ଦ୍ର କୃଷି ମନ୍ତ୍ରାଳୟ ସହ ରାଜ୍ୟ ସରକାର ବହୁବାର ଯୋଗାଯୋଗ କରିବା ପରେ ମଧ୍ୟ ସୁଫଳ ମିଳିନି । ଚାଷୀମାନଙ୍କ ଏଭଳି ଦୁର୍ଦ୍ଦଶା ସମୟରେ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ଏଥିପାଇଁ ରାଜ୍ୟ ନିଜସ୍ବ ପାଣ୍ଟି ଖର୍ଚ୍ଚ କରିବ । ଜିଲ୍ଲାପାଳମାନେ ତୁରନ୍ତ ଏସଆରସିଙ୍କୁ ଜିଲ୍ଲାର କ୍ଷତିଗ୍ରସ୍ତ ଚାଷୀଙ୍କ ସହାୟତା ବାବଦ ପାଣ୍ଠି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।