କୋଭିଡ୍ ଚିକିତ୍ସା ପାଇଁ ଘରୋଇ ଡାକ୍ତରଖାନା ନିର୍ଦ୍ଧାରିତ ଫି’ ଠାରୁ ଅଧିକ ନେଲେ ହେବ ଦୃଢ଼ କାର୍ଯାନୁଷ୍ଠାନ

1 min read

ଭୁବନେଶ୍ୱର: କରୋନା ସଂକ୍ରମଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ, ଡିଜିପି, ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲାପାଳ ଓ ଏସପିଙ୍କ ସହ କଥା ହୋଇଛନ୍ତି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ସଂକ୍ରମଣ ମାମଲା ମାସେ ହେଲା ବଢ଼ି ଚାଲିଛି । କୋଭିଡ୍ ଯୋଦ୍ଧାଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ତେବେ କରୋନାର ବିରୋଧରେ ଆମକୁ ଦୀର୍ଘ ଦିନ ଧରି ଯୁଦ୍ଧ କରିବାକୁ ପଡ଼ିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ପରିଚାଳନା ସମ୍ପର୍କିତ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ପ୍ରଶାସନକୁ ୭ ସୂତ୍ରୀ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ସରକାର କାର୍ଯ୍ୟକ୍ରମରେ କୋଭିଡ୍ ପରିଚାଳନା ସମ୍ପର୍କରେ ରାଜ୍ୟ ସରକାର ଫିଡ୍‌ବ୍ୟାକ୍‌ ସଂଗ୍ରହ କରିଛନ୍ତି । ଏହି ତଥ୍ୟ ଭିତ୍ତିରେ ନିମ୍ନୋକ୍ତ ବିଷୟ ଉପରେ ଗୁରୁତ୍ୱ ଆରୋପ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

୧) ଜିଲ୍ଲାସ୍ତରରେ କୋଭିଡ୍ ଚିକିତ୍ସା କେନ୍ଦ୍ର ଗୁଡ଼ିକରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଏବଂ ମେଡିକାଲ ଅକ୍ସିଜେନ ସୁବିଧା ସବୁଠାରୁ ବଡ଼ ପ୍ରାଥମିକତା । ଏହା ଉପରେ ୨୪ ଘଣ୍ଟିଆ ତଦାରଖ କରାଯିବା ଆବଶ୍ୟକ ।

୨) ଅଧିକ ସଂକ୍ରମଣ ଥିବା ଅଞ୍ଚଳ ଗୁଡିକରେ ଟେଷ୍ଟିଂ, ଟ୍ରେସିଂ ଓ କଣ୍ଟେନମେଣ୍ଟକୁ ଜୋରଦାର କରିବା ।

୩) ICU ଓ HDU ଦାୟିତ୍ୱରେ ଥିବା ଡାକ୍ତରମାନଙ୍କ ଠାରୁ ସିଧାସଳଖ ଫିଡବ୍ୟାକ୍ ନେଇ ସେମାନଙ୍କ ମତାମତ ଭିତ୍ତିରେ ପଦକ୍ଷେପ ।

୪) ଟିକାକରଣ କାର୍ଯ୍ୟକ୍ରମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ତ୍ରୁଟି ଶୂନ୍ୟ ବ୍ୟବସ୍ଥା କରାଯାଉ । ବୟସ୍କ, ମହିଳା ଓ ଦୁର୍ବଳ ଶ୍ରେଣୀର ଲୋକଙ୍କର ଯତ୍ନ ନିଆଯାଉ । ଯେତେଶୀଘ୍ର ସମ୍ଭବ ଅଧିକ ସଂଖ୍ୟକ ଟିକା ସଂଗ୍ରହ ପାଇଁ ଆମର ଉଦ୍ୟମ ଜାରି ରହିଛି ।

୫) କୋଭିଡ୍ ଚିକିତ୍ସା କରୁଥିବା ବେସରକାରୀ ମେଡିକାଲ ଉପରେ ସତର୍କ ଦୃଷ୍ଟି ରଖ । ସେମାନେ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଭିତରେ ଲୋକଙ୍କ ଠାରୁ ଅର୍ଥ ସଂଗ୍ରହ କରିବାକୁ ବାଧ୍ୟ । ଯଦି ସେମାନେ ଏହା ନ କରନ୍ତି, ତେବେ ସମ୍ପୃକ୍ତ ହସ୍ପିଟାଲ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର ।

୬) କୋଭିଡ୍ ହସ୍ପିଟାଲ ଗୁଡ଼ିକରେ ହେଲ୍‌ପ ଲାଇନ୍ ଗୁଡ଼ିକୁ ଅଧିକ କ୍ରିୟାଶୀଳ କରାଯାଉ ଏବଂ ରୋଗୀଙ୍କ ପରିବାର ବର୍ଗଙ୍କୁ ନିୟମିତ ସୂଚନା ଦିଆଯାଉ ।

୭) ଏଭଳି କଠିନ ସମୟରେ ଦୁଃଖୀ ଓ ଅସହାୟ ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ବ୍ୟବହାର କରି ସାହାଯ୍ୟ କର ।

CM Directs To Take Action If Private Hospital Taking Extra Money For Covid Treatment

କୋଭିଡ୍ ଆହ୍ୱାନ ବହୁତ ବଡ଼ ଏବଂ ଏହି ଯୁଦ୍ଧ ବହୁତ ଲମ୍ବା । ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଲକ୍‌ଡାଉନ୍ ଲାଗୁ କରାଯାଇଛି । ଏହା ଠିକ୍‌ ଚାଲିଥିଲେ ମଧ୍ୟ କେତେକ ସ୍ଥାନରେ ଏଥିରେ ଅଧିକ ଉନ୍ନତିର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆମେ ସଫଳତା ପାଇଛୁ ଏବଂ ଏହି କୋଭିଡ୍ ମହାମାରୀ କ୍ଷେତ୍ରରେ ମଧ୍ୟ ଏହା ହିଁ ଉପଯୁକ୍ତ ପନ୍ଥା ।

ତେଣୁ ସହରାଞ୍ଚଳରେ ସ୍ଥାନୀୟ ଜନସାଧାରଣ ଏବଂ ବିଭିନ୍ନ ଅନୁଷ୍ଠାନ ଓ ଗ୍ରାମାଞ୍ଚଳରେ ପଞ୍ଚାୟତ ପ୍ରତିନିଧି ମାନଙ୍କ ସକ୍ରିୟ ସହଯୋଗରେ ଲୋକଙ୍କ ସହାୟତା କରଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦେଶର ଅଳ୍ପ କେତେକ ରାଜ୍ୟଙ୍କ ମଧ୍ୟରେ ଓଡ଼ିଶା ହେଉଛି ଏକ ରାଜ୍ୟ ଯେଉଁଠାରେ କୋଭିଡର ପରୀକ୍ଷା ଠାରୁ ଆରମ୍ଭ କରି ଚିକିତ୍ସା, ରହିବା ସୁବିଧା, ଖାଦ୍ୟ ଓ ଔଷଧ ପର୍ଯ୍ୟନ୍ତ ସବୁକିଛି ସରକାର ମାଗଣାରେ ଦେଉଛନ୍ତି । ଏହା ଦ୍ୱାରା ସବୁବର୍ଗର ଲୋକ, ବିଶେଷ କରି ଗରିବ ଲୋକମାନେ ଭଲ ଭଲ ଡାକ୍ତରଖାନାରେ ଚିକିତ୍ସିତ ହେବା ପାଇଁ ନିର୍ଭୟରେ ଆଗେଇ ଆସୁଛନ୍ତି ।

ଏଥିପାଇଁ ସରକାର ତାଙ୍କ ସମ୍ବଳର ଏକ ବଡ଼ ଅଂଶ ଖର୍ଚ୍ଚ କରୁଛନ୍ତି । ତେଣୁ ଲୋକଙ୍କୁ ଉତ୍ତମ ମାନର ସେବା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମହାମାରୀକୁ ନିୟନ୍ତ୍ରଣ କରିବାକୁ ଟିକାକରଣ ହେଉଛି ଆମର ମୁଖ୍ୟ  ରଣନୀତି । ପରିସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ସମସ୍ତଙ୍କୁ ସତର୍କ ହେବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ମାସ୍କ ବ୍ୟବହାର, ହାତ ଧୁଆ ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ସହିତ ଅନାବଶ୍ୟକ ଭାବେ ବାହାରେ ନ ବୁଲି ଘରେ ରହିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବୈଠକରେ ଆଲୋଚନା ସମୟରେ ତୃତୀୟ ଲହରୀର ସମ୍ଭାବନା ସମ୍ପର୍କରେ ତଥ୍ୟ ସଂଗ୍ରହ ସହିତ ସମ୍ଭାବ୍ୟ ମୁକାବିଲା ବ୍ୟବସ୍ଥା ପାଇଁ ପ୍ରସ୍ତୁତ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପୁରୀରେ ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତ ଓ ସେମାନଙ୍କ ପରିବାରବର୍ଗଙ୍କ ସମ୍ପୂର୍ଣ୍ଣ ଟିକାକରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ ହସ୍ପିଟାଲ ଗୁଡିକରେ ଚିକିତ୍ସାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନିଆଯାଇଛି । କୋଭିଡ୍ ପର୍ଯ୍ୟବେକ୍ଷକ ମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଅକ୍ସିଜେନ୍ ବ୍ୟବସ୍ଥାର ୨୪ ଘଣ୍ଟିଆ ତଦାରଖ କରାଯାଉଛି । କୋଭିଡ୍ କେୟାର କେନ୍ଦ୍ର ଗୁଡ଼ିକରେ ଅଧିକ ICU ଓ ଭେଣ୍ଟିଲେଟର ଶଯ୍ୟାର ବ୍ୟବସ୍ଥା କରାଯାଇଛି ଏବଂ ଆହୁରି ଅଧିକ ଶଯ୍ୟା ପାଇଁ ପଦକ୍ଷେପ ଜାରି ରହିଛି ।

ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର କୋଭିଡ୍ ପରିସ୍ଥିତି ଉପରେ ଏକ ଉପସ୍ଥାପନା ରଖି କହିଥିଲେ ଯେ ସାରା ବିଶ୍ୱରେ ବର୍ତ୍ତମାନ ଭାରତର କୋଭିଡ୍ ସଂକ୍ରମଣ ସଂଖ୍ୟା ୫୪ ପ୍ରତିଶତ ରହିଛି । ଓଡ଼ିଶାରେ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଆଲୋକପାତ କରି ସେ କହିଛନ୍ତି, ଓଡ଼ିଶାର କୋଭିଡ୍ ସଂଖ୍ୟା ବର୍ତ୍ତମାନ ଦେଶର କୋଭିଡ୍ ସଂଖ୍ୟାର ୨.୭ ପ୍ରତିଶତ ରହିଛି । ସର୍ବଭାରତୀୟ ସ୍ତରରେ ମୃତ୍ୟୁହାର ୧.୦୯% ଥିବାବେଳେ, ଓଡ଼ିଶାରେ ଏହା ୦.୪୦% ରହିଛି । ଖୋର୍ଦ୍ଧା ଓ କଟକ ଜିଲ୍ଲା ବ୍ୟତୀତ ଛତିଶଗଡ଼ ସୀମାରେ ଜିଲ୍ଲା ଗୁଡିକରେ ଅଧିକ ପଜିଟିଭ କେସ୍‌ ରହୁଛି ବୋଲି ସେ କହିଛନ୍ତି ।

ଓଡ଼ିଶାରେ ବର୍ତ୍ତମାନ ଟେଷ୍ଟ ପଜିଟିଭିଟି ଗତ ୧୫ ଦିନ ଧରି ୨୦.୨% ରହିଛି । ଓଡ଼ିଶାରେ ଅକ୍ସିଜେନ ଉପଲବ୍ଧତା ଉପରେ ସୂଚନା ଦେଇ ସେ କହିଛନ୍ତି, ଯେ ରାଜ୍ୟରେ ବର୍ତ୍ତମାନ ଦୈନିକ ୫୨.୯ ମେଟ୍ରିକ ଟନ୍‌ ଅକ୍ସିଜେନ ଖର୍ଚ୍ଚ ହେଇଛି । ରାଜ୍ୟରେ ଟିକାର ଉପଲବ୍ଧତା ଓ ବ୍ୟବହାର ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଛନ୍ତି । ପୋଲିସ ମହାନିର୍ଦ୍ଦେଶକ ଅଭୟ କୋଭିଡ ନିୟମାବଳୀର ଅନୁପାଳନ ଦିଗରେ ପୋଲିସର ପଦକ୍ଷେପ ନେଇ ସୂଚନା ଦେଇଛନ୍ତି । କୋଭିଡ୍ ନିୟମାବଳୀର ଉଲ୍ଲଂଘନ ପାଇଁ ବର୍ତ୍ତମାନ ସୁଦ୍ଧା ୨୮ କୋଟି ୯୧ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି । ବିଭିନ୍ନ କୋଭିଡ୍ ଚିକିତ୍ସାଳୟରେ ଅଗ୍ନି ନିୟନ୍ତ୍ରଣ ସମ୍ପର୍କରେ ନିଆଯାଉଥିବା ପଦକ୍ଷେପ ଉପରେ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସୂଚନା ଦେଇଥିଲେ ।

ବୈଠକରେ ସମ୍ବଲପୁର, ବରଗଡ଼, ପୁରୀ, କଟକ ଓ ଭୁବନେଶ୍ୱର ମହାନଗର ନିଗମରେ କୋଭିଡ୍ ପରିଚାଳନା ସମ୍ପର୍କରେ  ଜିଲ୍ଲାପାଳ ଓ କମିଶନର ମାନେ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକକୁ ସଂଯୋଜନା କରିଥିଲେ ।

Leave a Reply