ପଞ୍ଚଭୂତରେ ବିଲୀନ ହେଲେ ଗୀତା ମେହେଟ୍ଟା, ଶ୍ରଦ୍ଧାଞ୍ଜଳି ଦେଲେ ନବୀନ

ନୂଆଦିଲ୍ଲୀ: ପଞ୍ଚଭୂତରେ ବିଲୀନ ହେଲେ ଅନ୍ତର୍ଜାତୀୟ ସ୍ତରର ଲେଖିକା ଗୀତା ମେହେଟ୍ଟା । ନୂଆଦିଲ୍ଲୀ ଲୋଧିରୋଡ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗୀତାଙ୍କୁ ମୁଖାଗ୍ନି ଦେଲେ ପୁଅ ଆଦିତ୍ୟ ମେହେଟ୍ଟା । ଅନ୍ତିମ ସଂସ୍କାରରେ ସାମିଲ ହୋଇ ଭଉଣୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶେଷକୃତ୍ୟରେ ପରିବାର ଲୋକଙ୍କ ସମେତ ବରିଷ୍ଠ ରାଜନେତା ଓ ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହୋଇଥିଲେ ।

ଗତ ଶନିବାର ରାତିରେ ପ୍ରସିଦ୍ଧ ଲେଖିକା, ଗବେଷିକା, ସଂସ୍କୃତି ବିଶେଷଜ୍ଞ ଗୀତା ମେହେଟ୍ଟାଙ୍କର ପରଲୋକ ହୋଇଥିଲା । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ କନ୍ୟା ତଥା ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକଙ୍କ ବଡ଼ ଭଉଣୀ ଗୀତାଙ୍କ ବିୟୋଗ ସୃଜନ ଜଗତରେ ସୃଷ୍ଟି କରିଛି ଅପୂରଣୀୟ କ୍ଷତି । ବୃତ୍ତଚିତ୍ର ନିର୍ମାତା, ସାମ୍ବାଦିକା ଭାବେ ବି ବେଶ୍ ଖ୍ୟାତି ଅର୍ଜନ କରିଥିଲେ ଗୀତା ।

କର୍ମା କୋଲା, ସ୍ନେକ ଆଣ୍ଡ ଲ୍ୟାଡର୍ସ, ଏ ରିଭର ସୂତ୍ର, ଦ ଏଟରନାଲ ଗଣେଶ ଇତ୍ୟାଦି ପୁସ୍ତକ ଲେଖି ସେ ଲାଭ କରିଥିଲେ ପାଠକୀୟ ଆଦୃତି । ଜୀବନ ଦର୍ଶନକୁ ସାହିତ୍ୟରେ ରୂପାନ୍ତରିତ କରିବାରେ ସିଦ୍ଧହସ୍ତା ଥିଲେ ଗୀତା । ପୁରସ୍କାର ଠାରୁ ସର୍ବଦା ଦୂରରେ ରହିବାକୁ ଚାହିଁଥିବା ଗୀତା ୨୦୧୯ରେ ପଦ୍ମଶ୍ରୀ ଉପାଧି ପ୍ରତ୍ୟାଖ୍ୟାନ କରି ସାଜିଥିଲେ ଉଦାହରଣ ।