ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’: ଜନସମୁଦ୍ର ପାଲଟିଲା ରାଜଧାନୀ ରାସ୍ତା, ଲକ୍ଷ ଲକ୍ଷ ଲୋକ ସାମିଲ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ ଶୋ’ । ସାମିଲ ହୋଇଛନ୍ତି ଲକ୍ଷ ଲକ୍ଷ ଲୋକ । ଜନ ସମୁଦ୍ର ପାଲଟିଛି ରାଜଧାନୀ ରାଜରାସ୍ତା । ଗଙ୍ଗନଗର ଛକରୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ । ମୁଖ୍ୟମନ୍ତ୍ରୀ ହାତ ହଲାଇ ଉପସ୍ଥିତ ଜନତାଙ୍କୁ ଅଭିବାଦନ ଜଣାଇବା ସହ ଭୁବନେଶ୍ବର ସାଂସଦ ଓ ମଧ୍ୟ ବିଧାୟକ ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ଭୋଟ ଦେବାକୁ କଲେ ଅପିଲ୍ ।

ଏହି ରୋଡ ଶୋ’ ଗଙ୍ଗନଗର ଛକରୁ ବାହାରିଥିବା ବେଳେ ଶିଶୁଭବନ ଛକରେ ଶେଷ ହେବ । ପ୍ରାୟ ଏକ ଘଣ୍ଟା ଧରି ଚାଲିବାକୁ ଥିବା ଏହି ହାଇଭୋଲଟେଜ୍ ରୋଡ ଶୋ’ରେ ନବୀନ ୮ଟି ସ୍ଥାନରେ ଉଦବୋଧନ ଦେବା କାର୍ଯ୍ଯକ୍ରମ ରହିଛି ।

ନବୀନଙ୍କ ରୋଡ ଶୋ ପାଇଁ ଦଳୀୟ ନେତା ଓ କର୍ମୀ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ରୋଡ ଶୋ’ ପାଇଁ ରାଜଧାନୀରେ ବ୍ଯାପକ ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି । କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀମାନେ ସୁରକ୍ଷା ବ୍ଯବସ୍ଥା ଦାୟିତ୍ବରେ ରହିଛନ୍ତି । ରୋଡ ଶୋ’ ଦୁଇ ପାର୍ଶ୍ଵରେ ଥିବା କୋଠାଗୁଡିକରେ ବି ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି ।